ଏମାନେ ଏବେ କରିବେ କ’ଣ ?

0
4

ଭୁବନେଶ୍ୱର,(ଓଟି): ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ଏଆଇସିସିସ ପ୍ରଭାରୀ ବି.କେ.ହରିପ୍ରସାଦଙ୍କୁ ବିରୋଧ କରିବାର ଫଳ ରାଜ୍ୟର ୯ଜଣ ଅସନ୍ତୁଷ୍ଟ ବିଧାୟକଙ୍କୁ ମିଳିସାରିଛି। ଏହି ବିଧାୟକମାନଙ୍କ ଏଆଇସିସି ସଭ୍ୟ ପଦକୁ କାଟି ଦିଆଯାଇଛି। ଫଳରେ ପିସିସି ସଭାପତିଙ୍କ ଦ୍ୱାରା ଘୋର ଅପମାନିତ ହୋଇଥିବା ଏହି ବିଧାୟକମାନେ ଏବେ କ’ଣ କରିବେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ଯେଉଁ ବିଧାୟକମାନଙ୍କର ଏଆଇସିସିସ ସଭ୍ୟ ପଦ କାଟି ଦିଆଯାଇଛି ସେମାନେ ହେଲେ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ଯୋଗେଶ ସିଂ, ପ୍ରଫୁଲ ମାଝୀ, ପ୍ରକାଶ ଚନ୍ଦ୍ର ବେହେରା, ଚନ୍ଦ୍ରଶେଖର ମାଝୀ, ଅଂଶୁମାନ ମହାନ୍ତି, ଦେବେନ୍ଦ୍ର ଶର୍ମା, କେ. ସୁରିୟା ରାଓ, ଓ ଯାକବ ପ୍ରଧାନ। ଏହି ବିଧାୟକମାନେ ପିସିସି ସଭାପତି ପ୍ରସାଦଙ୍କ ଜଣାଶୁଣା ବିରୋଧି। ଏମାନଙ୍କୁ ଏଆଇସିସି ତାଲିକାରୁ ବାଦ‍୍‌ ଦିଆଯିବା ପରେ ଓଡିଶାରୁ ସହଯୋଗୀ ତାଲିକାରେ ମଧ୍ୟ ସାମିଲ କରାଯାଇନାହିଁ।

ଏହି ବିଧାୟକମାନେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଦ କରିନଥିଲେ ହେଁ ପରୋକ୍ଷରେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଯାହାକି ଆଗାମୀ ଦିନରେ ପିସିସି ରାଜ୍ୟ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରି ବୋଲି ଆଲୋଚନା ହେଉଛି। ତେବେ ପ୍ରଶ୍ନ ଉଠୁଛି, ଏହି ବିଧାୟକମାନେ ତୁରନ୍ତ କିଛି ପଦକ୍ଷେପ ନେବେ ନା ନିର୍ବାଚନକୁ ଅପେକ୍ଷା କରିବେ। ଯଦି ଏହି ୯ଜଣ ଯାକ ବିଧାୟକ ଏବେ ଦଳ ଛାଡନ୍ତି ତେବେ ସେମାନଙ୍କ ବିରୋଧରେ ଦଳ ବଦଳ ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ। କାରଣ ନିୟମ ଅନୁସାରେ କଂଗ୍ରେସର ଏକ ତୃତୀୟାଂଶରୁ ଅଧିକ ବିଧାୟକ ସଂଖ୍ୟା ସେମାନଙ୍କ ନିକଟରେ ରହିଛି।

ପ୍ରସାଦଙ୍କ ନେତୃତ୍ୱକୁ ବିରୋଧ କରୁଥିବା ଏହି ବିଧାୟକମାନେ କି ପଦକ୍ଷେପ ନେଉଛନ୍ତି ତା ଉପରେ ରାଜନୀତିକ ମହଲର ତୀକ୍ଷ୍ଣ ନଜର ରହିଛି।