ବିଜେଡି ଆସିବା ପଛରେ କ’ଣ ରହିଛି ସୌମ୍ୟଙ୍କ ଡିଲ୍‍, ନଜର ପକାନ୍ତୁ କିଛି ଆଲୋଚନା ଉପରେ

ଭୁବନେଶ୍ୱର, (ଓଟି): ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ତଥା “ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ମିଶିବା ପଛରେ କ’ଣ ସବୁ ଡିଲ୍‍ ହୋଇଥିଲା ? ଯଦିଓ ସୌମ୍ୟରଞ୍ଜନ ତାଙ୍କ ମିଶ୍ରଣ ପରବର୍ତ୍ତୀ ବୟାନରେ କୌଣସି ସର୍ତ୍ତ ନଥିବା ସ୍ପଷ୍ଟ କରିଥିଲେ କିନ୍ତୁ ବିନା କୌଣସି ସର୍ତ୍ତରେ ସୌମ୍ୟ କେବେ ବିଜେଡିରେ ମିଶିଥିବେ- ଆଉ ନବୀନ ତାଙ୍କୁ ରାଜ୍ୟସଭା ଟିକେଟ୍‍ଟି ଛାଏ ଆଣି ଦେଇଥିବେ ଏ କଥାକୁ କେହି ବିଶ୍ୱାସରେ ନେଉ ନାହାନ୍ତି । ଏଣୁ ଅନେକ ଆଲୋଚନା ହେଉଛି । ବିଶେଷକରି ତାଙ୍କ ପରିବାରକୁ ଓଡ଼ିଶା ରାଜନୀତିରେ ସକ୍ରିୟ କରିବା ପାଇଁ ଏହି ଡିଲ୍‍ ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

ସୌମ୍ୟଙ୍କ ପରିବାର କହିଲେ କଂଗ୍ରେସାର ପୁରୁଣା ପଟ୍ଟନାୟକ ପରିବାରକୁ ବୁଝାଏ । ଏହାଙ୍କ ଶ୍ୱଶୂର ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ।  ଆଉ ଭାଇ ପୂର୍ବତନ ମନ୍ତ୍ରୀ ତଥା ପିସିସ ମୁଖ୍ୟ । ୯୦ ଦଶକରେ ଏ ପରିବାରର କ୍ଷମତା ଯଥେଷ୍ଟ ଥିଲା । ୨୦୦୦ ମସିହାରେ ବିଜେଡି କ୍ଷମତାକୁ ଆସିବା ପରେ ଧିରେ ଧିରେ ସେ କ୍ଷମତା ଲୋପ ପାଇଲା । ଆଉ ଶ୍ୱଶୂର ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗବାସୀ ହେବାପରେ ତାଙ୍କ ରାଜନୀତିକ ପଥ ଏକଦମ୍‍ ପଥରୋଧ ହୋଇଯାଇଥିଲା । ବହୁ ଉଦ୍ୟମ ସତ୍ତ୍ୱେ ସେ କଂଗ୍ରେସ ଛାଡ଼ି ଆଞ୍ଚଳିକ ଦଳ ଗଢ଼ି ମଧ୍ୟ ଓଡ଼ିଶା ରାଜନୀତିରେ ତିଷ୍ଠି ପାରି ନଥିଲେ । ଖଣ୍ଡପଡ଼ା ଭଳି ନିର୍ବାଚନ ମଣ୍ଡଳୀରେ ସେ ଲୋକଙ୍କୁ ସବୁ ପ୍ରକାର ସହାୟତା କରିଥିଲେ ମଧ୍ୟ ଲୋକ ତାଙ୍କୁ ଭୋଟ୍‍ ଦେଇ ନଥିଲେ । ଶଙ୍ଖ ଆଗରେ ମାଠିଆ ଫୁଟି କଣା ହୋଇଯାଇଥିଲା । ଏଣୁ ଫଳାଫଳରେ ପରାଜୟ ହିଁ ମିଳିଥିଲା ।

ଅପରପକ୍ଷେ କଂଗ୍ରେସରେ ତାଙ୍କ ଭାଇ ମଙ୍ଗ ଧରିବେ ବୋଲି ଅନେକ ଚେଷ୍ଟା କରିଥିଲେ ମଧ୍ୟ ପଟ୍ଟନାୟକ ପରିବାରକୁ କଂଗ୍ରେସ ସଭାପତିତ୍ୱ ଦେବେ ନାହିଁ ବୋଲି କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିଛନ୍ତି । ଫଳରେ ନିରଞ୍ଜନଙ୍କ ରାଜନୀତିକ କ୍ୟାରିୟରରେ ଭଟ୍ଟା ପଡ଼ିଗଲା । ଏଭଳି ପରିସ୍ଥିତିରେ ଓଡ଼ିଶାର ବହୁ ପରିଚିତ ପଟ୍ଟନାୟକ ପରିବାରର ରାଜନୀତିକ ଆକାଶରେ ସୂର୍ଯ୍ୟାସ୍ତ ହେଉଥିବା ବେଳେ ମଧ୍ୟାହ୍ନରେ ଥିବା ବିଜେଡିର ସୂର୍ଯ୍ୟ ତାଙ୍କୁ କିଛି କିରଣ ଦେଇ ଆଲୋକିତ କରିଛନ୍ତି । ଏହିକ୍ରମରେ ସୌମ୍ୟଙ୍କ ଜୀବନବ୍ୟାପି ସଂଗ୍ରାମର ମିଡିଆ ସଂସ୍ଥା ବିଜେଡି ହାତରେ ଟେକି ଦିଆଯାଇଛି । ଗଲା କିଛି ମାସ ହେଲା ଏହା ସ୍ପଷ୍ଟ ଜଣାପଡ଼ିଛି, ଏଣୁ ଆଉ ବ୍ୟାଖ୍ୟା କରିବା ଅନାବଶ୍ୟକ । ହେଲେ ସୌମ୍ୟ କ’ଣ କେବଳ ରାଜ୍ୟସଭା ଟିକେଟ୍‍ରେ ଚୁପ୍‍ ବସିବେ?

ଏବିଷୟରେ ରାଜନୀତିକ ପଣ୍ଡିତମାନେ ଭିନ୍ନ ମତ ଦେଉଛନ୍ତି । ଏପରିକି ତାଙ୍କ ପାର୍ଟି ଲୋକ ଏବଂ କଂଗ୍ରେସ ସମର୍ଥକମାନେ କହୁଛନ୍ତି ଅନେକ ସର୍ତ୍ତ ଏଥିରେ ରହିଛି । କିନ୍ତୁ ପ୍ରମୁଖ ସର୍ତ୍ତ ହେଉଛି ପରିବାରକୁ ରାଜନୀତିରେ ଜୀବିତ ରଖିବା । ବିଜେପିର କଂଗ୍ରେସ ମୁକ୍ତ ଭାରତ ଅଭିଯାନ ପରି ଓଡ଼ିଶାରେ କଂଗ୍ରେସର ପଟ୍ଟନାୟକ ପରିବାରଠୁ ଓଡ଼ିଶା ମୁକ୍ତ ନହେଉ । ଏହିକ୍ରମରେ ଯେଉଁ ସର୍ତ୍ତଗୁଡ଼ିକ ନେଇ ଅଲିଖିତ ଚୁକ୍ତି ହୋଇଛି ସେଗୁଡ଼ିକ ଭିତରେ ରହିଛି:

୧) ସୌମ୍ୟଙ୍କ ରାଜ୍ୟସଭା ଟିକେଟ୍‍: ଯାହା ପ୍ରଘଟ ହୋଇ ସାରିଛି । ଆଉ ବ୍ୟାଖ୍ୟା ଅନାବଶ୍ୟକ ।

୨) ଦ୍ୱିତୀୟ ହେଉଛି ତାଙ୍କ ପରବର୍ତ୍ତୀ ପିଢ଼ିକୁ ରାଜନୀତିରେ ବାଟ ଦେଖାଇବା । ଏହିକ୍ରମରେ ତାଙ୍କ ଦ୍ୱାରା ଅନେକ ସମର୍ଥକଙ୍କୁ ସୃଷ୍ଟି କରାଯାଇଥିବା ଖଣ୍ଡପଡ଼ାରେ ସୌମ୍ୟଙ୍କ ଝିଅଙ୍କୁ ଥଇଥାନ କରିବା ନେଇ ଆଲୋଚନା ହେଉଛି । ଅର୍ଥାତ୍‍ ବିଧାନସଭା ନିର୍ବାଚନରେ ତାଙ୍କର ଝିଅ ବିଜେଡି ଟିକେଟ୍‍ ପାଇବେ । ଝିଅ କହିଲେ ସୌମ୍ୟଙ୍କ ସାନ ଝିଅ କଥା ହିଁ ସ୍ପଷ୍ଟ ହେଉଛି । ଯିଏ ଏବେ ଓଡ଼ିଶାରେ ଅଛନ୍ତି ଏବଂ କନକ ଟିଭିର ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଛନ୍ତି । ସେ ଠିଆ ହେଲେ ଖଣ୍ଡପଡ଼ାରେ ଅନୁପଙ୍କ ପରିବାର ଅସନ୍ତୁଷ୍ଟ ହୋଇପାରନ୍ତି । କିନ୍ତୁ ତାଙ୍କୁ ଅନ୍ୟତ୍ର ଥଇଥାନ କରାଯାଇପାରେ । ପୁଣି ଖଣ୍ଡପଡ଼ାର ଇତିହାସରେ ସମାନ ପ୍ରାର୍ଥୀ ରହିଲେ ଭୋଟ୍‍ ହାନୀର ମଧ୍ୟ ନଜୀର ରହିଛି ।

୩) ତୃତୀୟ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ଜାନକୀଙ୍କ ପରିବାରକୁ ବଞ୍ଚାଇ ରଖିବା । ଅର୍ଥାତ୍‍ ତାଙ୍କର ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କୁ ବିଧାନସଭା ଟିକେଟ୍‍ ପ୍ରଦାନ । ଆଲୋଚନା ହେଉଛି ଯେ, ଏହିସବୁ ସର୍ତ୍ତକୁ ନବୀନ ମାନିଛନ୍ତି । ସେଥିପାଇଁ ବେଗୁନିଆ ଆସନର ପ୍ରମୁଖ ଦାବିଦାର ପଶାନ୍ତ ନନ୍ଦଙ୍କୁ ରାଜ୍ୟସଭା ପଠାଇ ଦିଆଯାଇଛି । ଏବେକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ରେକର୍ଡ ଆଶାନୁରୂପକ ନଥିବାରୁ ତାଙ୍କୁ ଏଥର ଟିକେଟ୍‍ ମିଳି ନପାରେ । ଏହି ନିର୍ଦ୍ଦିଷ୍ଟ ଆସନ ପାଇଁ ସର୍ତ୍ତ ରହିବାର କାରଣ ମଧ୍ୟ ରହିଛି । ତାହା ହେଲା ଏହା ଜାନକୀଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀ । ଏହି ଆସନରୁ ପୃଥ୍ୱୀ ଠିଆ ହେଲେ ତାଙ୍କ ବାପାଙ୍କ ସମର୍ଥନରେ ତାଙ୍କୁ ଅନେକ ଗ୍ରହଣ କରିବା ସହଜ ହେବ । ଅପରପକ୍ଷେ ଏହି ପରିବାର ଆବଶ୍ୟକ ନିର୍ବାଚନ ଖର୍ଚ୍ଚ ତୁଲାଇବାକୁ ସମର୍ଥ ।

ଏସବୁ ସର୍ତ୍ତର କୌଣସି ଲିଖିତ ପ୍ରମାଣ ନାହିଁ । ପୁଣି ରାଜନୀତିରେ ପ୍ରତି କ୍ଷଣ ପରିବର୍ତ୍ତନଶୀଳ ହେଉଥିବାରୁ ୍ରଆଗକୁ କ’ଣ ହେବ ତାହା କହିବା ମୁସ୍କିଲ୍‍ । ସେଥିଲାଗି ସୌମ୍ୟ ବା ନବୀନ ଏନେଇ ମୁହଁ ଖୋଲି ନାହାନ୍ତି । କିନ୍ତୁ ଯେତେବେଳେ ଏସବୁ ପ୍ରସଙ୍ଗ ଆଲୋଚନା ହେଉଛି ସେଥିରେ କିଛି ସତ୍ୟତା ନିଶ୍ଚୟ ଥିବ ବୋଲି ଆମର ଆଶା । ନିଅାଁ ନଥିଲେ ଏପରି ଧୂଆଁ ଉଠନ୍ତା ନାହିଁ, ନୁହେଁକି?

About admin

Check Also

ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଜେଟଲି

ଭୁବନେଶ୍ୱର,(ଓଟି): ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ …

Leave a Reply