ଶାସ୍ତ୍ରୀୟ ଓଡ଼ିଆ: ଗର୍ବ କରିବାର କଥା

ଭୁବନେଶ୍ୱର, (ଓଟି): କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମାବଳୀରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ଆଜି ୪ ବର୍ଷ ପୁରୁଛି । ଏହି ସମୟ ଭିତରେ ଆମେ ଅନେକ କିଛି ସ୍ୱପ୍ନ ଦେଖିଛୁ । ଭାବିଛୁ-ଆମ ଭାଷା ଆମ ସାହି, ଗଳି କନ୍ଦି ତଥା ଘରକୁ ପୁଣିଥରେ ଫେରିବ। ଦୋକାନ ବଜାରରେ ଆମ ବର୍ଣ୍ଣମାଳା ଦେଖିବାକୁ ମିଳିବ । ସରକାର ବି ଲୋକଙ୍କ ସହ ଓଡ଼ିଆରେ କଥା ହେବେ । ଭାଷାର ପ୍ରସାର ପାଇଁ ଏକ ସ୍ୱତନ୍ତ୍ର ଅନୁଷ୍ଠାନ ହେବ, ବିଶ୍ୱବିଦ୍ୟାଳୟ ଗଢ଼ାହେବ… ଇତ୍ୟାଦି । ହେଲେ ସେଗୁଡ଼ିକ ସେମିତି ସ୍ୱପ୍ନ ହୋଇ ରହିଛି । ତଥାପି ଗର୍ବ କରିବାର ବିଷୟ ଏହା ଯେ, ଆମେ ସ୍ୱପ୍ନ ଦେଖିବା ବନ୍ଦ କରିନାହୁଁ । ଏହି ନିଷ୍ଠା ଆମକୁ ଆହୁରି ଆଗକୁ ଚାଲିବା ଶିଖାଇବ । ସଂଗ୍ରାମ କରିବା ପାଇଁ ପ୍ରସ୍ତୁତି କରାଇବ । ଆଉ ଯେତେବେଳେ ଫଳ ଦେବା ଆରମ୍ଭ କରିବ ତାହା ଆମ ଭାଷାକୁ ଭାରତର ଏକ ନମ୍ବର ଭାଷାରେ ପରିଣତ କରିବ ଏହା ଆଶା ଓ ବିଶ୍ୱାସ।

ମାର୍ଚ୍ଚ ୧୧, ୨୦୧୪ରେ ଭାରତ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବା ନେଇ ବିଧିବଦ୍ଧ ବିିଜ୍ଞପ୍ତି ପ୍ରକାଶ କରିଥିଲେ । ଏହା ପୂର୍ବରୁ ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲୟାଲାମ୍‍ ପ୍ରଭୃତି ୫ଟି ଭାରତୀୟ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଥିଲେ । ପୁଣି କୌଣସି ଆର୍ଯ୍ୟ ଭାଷା ବର୍ଗର ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳି ନଥିଲା । ବଙ୍ଗଳା, ହିନ୍ଦି, ସଂସ୍କୃତ ଓ ତେଲୁଗୁ ଭାଷାଠୁ ଓଡ଼ିଆ ଭାଷା ଯେ ସମ୍ପୂର୍ଣ୍ଣ ଭିନ୍ନ ତାହା ଆମ ଗବେଷକମାନେ ପ୍ରମାଣିତ କରିଥିବାରୁ ଆମକୁ ଶାସ୍ତ୍ରୀୟ ମାନ୍ୟତା ମିଳିପାରିଥିଲା । ଏହା ଆମ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ତାହା କହିବାକୁ ଆମେ କେବେ ବି ପଛଘୁଞ୍ଚା ଦେବା ଉଚିତ ନୁହେଁ । ଏଥିପାଇଁ ଯିଏ ଶ୍ରେୟ ନେଉ ବା ନେବାକୁ ଚାହୁଁ ସେଥିରେ ଯାଏ ଆସେ ନାହିଁ କିନ୍ତୁ କିଛି କିମ୍ବଦନ୍ତୀ ପୁରୁଷଙ୍କ ପାଇଁ ହିଁ ଏହା ସମ୍ଭବ ହୋଇପାରିଲା ତାହା ନିଃସନ୍ଦେହ ।

ଯେଉଁ କିମ୍ବଦନ୍ତୀ ପୁରୁଷମାନେ ଓଡ଼ିଆ ଭାଷାକୁ ଭିନ୍ନ ବୋଲି ଅନୁଭବ କରି ତାହାରି ଲିପିରେ ପୋଥି, ପୁରାଣ, ସାହିତ୍ୟ ରଚନା କଲେ ଏବଂ ତାହାକୁ ସାଇତିବାର ବାଟ ଦେଖାଇଲେ ସେଇମାନଙ୍କ ପାଇଁ ହିଁ ଆମେ ଆଜି ଆମ ଭାଷା ଏତେ ପୁରୁଣା ଓ ସମ୍‍ୃଦ୍ଧ ବୋଲି ଆମେ ଜାଣିପାରୁଛୁ । ଏଣୁ ଆଜିର ପବିତ୍ର ଦିନରେ ଆମେ ସେଇମାନଙ୍କ ସ୍ମୃତିକୁ ମନେ ପକାଇବା ଉଚିତ । ଦେଶବାସୀଙ୍କୁ ସୂଚାଇ ଦେବା ଉଚିତ ଯେ, ଶାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସଙ୍କ ଭଳି ପୂଣ୍ୟ ଆତ୍ମାମାନଙ୍କ ପ୍ରତିଭା ସତରେ କେତେ ଉନ୍ନତ ନଥିଲା! ଏହା କେବଳ ସେତେବେଳେ ସମ୍ଭବ ହେବ, ଯେତେବେଳେ ସେମାନଙ୍କ କୃତୀ ବିଭିନ୍ନ ଭାଷାରେ ରୂପାନ୍ତର ହୋଇ ଅନ୍ୟ ଭାଷାକୁ ବ୍ୟାପିବ । ଏହାର ଚିନ୍ତନ ସାରା ବିଶ୍ୱରେ ପହଞ୍ଚିବ ଆଉ ତାହାକୁ ଆମେ ଆମ ପୂର୍ବପୁରୁଷଙ୍କ ଚିନ୍ତନ ବୋଲି କହି ଗର୍ବ କରିବା ।

ଆମ ଭାଷା ଅନେକ ସଂଗ୍ରାମର ସମ୍ମୁଖୀନ ହେଉଛି- ଲୋକେ ଏହି ଭାଷା କହୁନାହାନ୍ତି, ମୁଖ୍ୟମନ୍ତ୍ରୀ ରୋମାନ୍‍ ଲିପିରେ ଓଡ଼ିଆ କହୁଛନ୍ତି ଇତ୍ୟାଦି । କିନ୍ତୁ ଏଥିଲାଗି ଆମେ ନିଜକୁ ନ୍ୟୁନ କରିବା ଅନୁଚିତ । କାରଣ ଯୁଗେ ଯୁଗେ ଓଡ଼ିଆ ଭାଷା ଉପରେ ଅନ୍ୟ ଭାଷାସବୁ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି । ଶାରଳା ଦାସଙ୍କ ସମୟରେ ସଂସ୍କୃତର ପ୍ରଭାବ, ବଳରାମ ଦାସଙ୍କ ସମୟରେ ସୁଫି ଲେଖକଙ୍କ ଭାବପ୍ରବଣତା, ଇଂରେଜ ଶାସନ କାଳରେ ବଙ୍ଗାଳିଙ୍କ ପ୍ରଭୁତ୍ୱ ସତ୍ତେ୍ୱ ଆମ ପୂର୍ବ ପୁରୁଷମାନେ ନିଜର ଲେଖନୀ କେବେ ଛାଡ଼ି ନଥିଲେ । ଆଉ ସେଇଥିପାଇଁ ତ ଏବେ ଏମିତି କୃତୀସବୁ ଆମ ପାଖରେ ପଡ଼ି ରହିଛି ଯାହାଙ୍କୁ ଏକତ୍ର କରିବା ପାଇଁ ଆମେ ସମର୍ଥ ହୋଇପାରୁ ନାହୁଁ । ତଥାପି ଯେତିକି ଏକାଠି କଲୁ ସେଥିରେ ସବୁ ଆର୍ଯ୍ୟଭାଷାକୁ ପଛରେ ପକାଇ ଆମେ ଶାସ୍ତ୍ରୀୟ ମାନ୍ୟତା ପାଇଲୁ । ଏଥର ଭାବନ୍ତୁ ତ ଯଦି ସବୁ କିଛି ଏକାଠି କରି ତାହାର ପ୍ରସାର କରିପାରିବୁ ତେବେ କ’ଣ ନହେବ !

ଭାଷାର ପ୍ରସାର ଓ ପ୍ରୋତ୍ସାହନ ଦିଗରେ ଆଜିଯାଏ ଯାହାସବୁ ସମ୍ଭବ ହୋଇଛି ସେସବୁରୁ ଅଧିକାଂଶ ବ୍ୟକ୍ତିଗତ ଉଦ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶୁଦ୍ରମୁନି ସାରଳା ଦାସଙ୍କଠୁ ଆରମ୍ଭ କରି ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଯାଏ-ଏ ସମସ୍ତଙ୍କ ବ୍ୟକ୍ତିଗତ ଉଦ୍ୟମ ଆଗରେ ଆମେ ନତ ମସ୍ତକ । କିନ୍ତୁ ଖାଲି ଯେ ବ୍ୟକ୍ତିଗତ ଉଦ୍ୟମରେ ଆମେ ଆଗେଇ ଚାଲିଥିବା ତାହା ଭାବି ଚୁପ୍‍ ରହିଲେ ଭାଷା ଆଗକୁ ବଢ଼ିବ ନାହିଁ । ଯେଉଁ ଆଶାରେ ଆମେ ଅମ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଲେ, ସେହି ଭାଷା ଉକ୍ରର୍ଷ କେନ୍ଦ୍ର କେବେ ହେବ? ସରକାରୀ ଭାଷାରେ ଓଡ଼ିଆ ଭାଷାର ବ୍ୟବହାର କେବେ ବାସ୍ତବ ହେବ? କେତେବେଳେ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ କେବଳ ଓଡ଼ିଆ ଭାଷା ପ୍ରୟୋଗକୁ ପ୍ରୋତ୍ସାହନ ଦେବ? ଏ ସବୁ ପ୍ରଶ୍ନ ଆଜି ଉଠିବା ସ୍ୱଭାବିକ, କାରଣ ଏ ଚାରି ବର୍ଷରେ ସରକାର ଖାଲି କେତେଗୁଡ଼ିଏ ଭାଷଣ ଓ କାଗଜ ଆମକୁ ଦେଇଛନ୍ତି କିନ୍ତୁ କୋଠା ଖଣ୍ଡେ ଦେଲେନି କି ଗବେଷଣାର ସୁଯୋଗ ସୃଷ୍ଟି କରି ପାରିଲେ ନାହିଁ ।

ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ପ୍ରୟୋଗ କରିବାପ ଲାଗି ଉଦ୍ୟମ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏଥିପାଇଁ ସ୍ୱତନ୍ତ୍ର ଭାଷା ଆଇନ ହୋଇଥିଲେ ମଧ୍ୟ ଉଲ୍ଳଙ୍ଘନକାରୀଙ୍କ ବିରୋଧରେ ଦଣ୍ଡ ବିଧାନ ନାହିଁ । ବର୍ଷ ପରେ ବର୍ଷ ଭାଷାପ୍ରେମୀ ସୁଭାଷଚନ୍ଦ୍ର ପଟ୍ଟନାୟକ ଦଣ୍ଡ ବିଧାନ ବିଧି ଆଣିବା ଲାଗି ଦାବି କରି ଆନ୍ଦୋଳନ ଚଳାଇଛନ୍ତି, ନୀରବ ପ୍ରତିବାଦ କରୁଛନ୍ତି- କଳାପତକା ପଟୁଆର ଧରି କିନ୍ତୁ ସରକାର ତାହାକୁ ଅଣଦେଖା କରିଚାଲିଛନ୍ତି । ତାଙ୍କୁ ବିରୋଧ କରି କିଛି ମତ ଦେଉଛନ୍ତି ଦଣ୍ଡ ବିଧାନ ନୁହେଁ, ଓଡ଼ିଆ ଭାଷାର ପ୍ରୟୋଗ ବୃଦ୍ଧି ପାଇଁ ପ୍ରୋତ୍ସାହନ ଦରକାର- ହେଲେ ତାହା ବି ହେଉନାହିଁ ।

ଆଜି ଏହିଦିନକୁ ମନେ ରଖିବା ପାଇଁ ସରକାରୀ ଓ ଘରୋଇ ସ୍ତରରେ ଅନେକ ଉତ୍ସବ ହେବ । ଏହା ଜରୁରୀ । ଭାଷା ସହ ସମ୍ପୃକ୍ତ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ସରକାରୀ ପ୍ରତିନିଧି ଏ ସମ୍ପର୍କରେ ନିଜ ନିଜର ମତ ରଖିବେ, ଉଦ୍‍ବେଗ ପ୍ରକାଶ କରିବେ, ଆଶ୍ୱାସନା ଓ ଆହ୍ୱାନ ଦେବେ, ସଙ୍କଳ୍ପ ବି ନେବେ । ଏହାଦ୍ୱାରା ଯୁବପିଢ଼ି ଭିତରେ ସ୍ୱପ୍ନ ଜାଗ୍ରତ ହେବ । ବାସ୍ତବ ହେବା ନେଇ ଆଶଙ୍କା ବି ଯାତ ହେବ । ଅତିକମ୍‍ରେ ଏହି ପଞ୍ଚମ ବର୍ଷରେ ତାହା ଆଉ ନହେଉ । ଆମ ପାଇଁ ପର ପିଢ଼ି ଗର୍ବ କରିବାର ଅନୁଭବଟିଏ ପାଆନ୍ତୁ ।

About admin

Check Also

ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଜେଟଲି

ଭୁବନେଶ୍ୱର,(ଓଟି): ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ …

Leave a Reply