ଭୀଡ଼ତନ୍ତ୍ରକୁ ରୋକିବା ଲାଗି ସୋଶାଲ୍ ମିଡିଆ ଉପରେ ନିୟନ୍ତ୍ରଣ ଆବଶ୍ୟକ କି- ଏକ ଆଲୋଚନା

ଢ଼ିଚାଲିଥିବା ଲିନ୍ଚିଂ ତଥା ଭିଡ଼ତନ୍ତ୍ରକୁ ରୋକିବା ଲାଗି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହଯୋଗ ମାଗିଛନ୍ତି । ଯେହେତୁ ଆଇନ ଶୃଙ୍ଖଳା ପରିସ୍ଥିତିର ରକ୍ଷା ରାଜ୍ୟ ସରକାରମାନଙ୍କ ଦାୟିତ୍ୱ, ଏହିକ୍ରମରେ ରାଜ୍ୟମାନେ ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଉଭୟ କୋର୍ଟ ଏବଂ କେନ୍ଦ୍ର ଅନୁଭବ କରିଛନ୍ତି । ଏ ମାମଲାରେ ସୋସିଆଲ୍ ମିଡିଆର ମଧ୍ୟ ଏକ ଗୁରୁିତବପୂର୍ଣ୍ଣ ଭୂମିକା ରହିଛି । ଟେକ୍ନୋଲୋଜିର ଅଗ୍ରଗତି ହେତୁ ସୋଶାଲ୍ ମିଡିଆ ଆଉ କିଛି ଲୋକଙ୍କ ପାଖରେ ସୀମିତ ନରହି ବ୍ୟାପ୍ତ ହେଲାଣି । ଏଥିରେ ଆସୁଥିବା ସୂଚନାଗୁଡ଼ିକୁ ସତ ବୋଲି ଗ୍ରହଣ କରିବା ଏକ ସାଧାରଣ କଥା ହୋଇଥିବାରୁ ଅନେକ ମିଛ ଅପପ୍ରଚାର କରିବାକୁ ମଧ୍ୟ ସୋଶାଲ୍ ମିଡିଆକୁ ବ୍ୟବହାର କରୁଛନ୍ତି । ଏପରି ଅପବ୍ୟବହାର ରୋକିବା ଲାଗି ସୋଶାଲ୍ ମିଡିଆ ଉପରେ କଡ଼ା ନଜର ରଖିବାକୁ କେନ୍ଦ୍ର ସରକାର ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସ୍ୱତନ୍ତ୍ର ନୋଡାଲ୍ ଅଫିସର ଏପରି ମାମଲା ନିୟନ୍ତ୍ରଣ ପାଇଁ ଦାୟିତ୍ୱବାନ ହେବେ ସେ ସୋଶାଲ୍ ମିଡିଆ ଉପରେ ନିୟନ୍ତ୍ରଣ ରଖିବେ । ପ୍ରଶ୍ନ ଉଠୁଛି ଏପରି ନିୟନ୍ତ୍ରଣ ଦ୍ୱାରା ବ୍ୟକ୍ତି ସ୍ୱାଧିନତା ପ୍ରଭାବିତ ହେବ ନାହିଁକି? ଅପରପକ୍ଷେ ଏହାଦ୍ୱାରା କ’ଣ ଭିଡ଼ତନ୍ତ୍ରକୁ ରୋକାଯାଇପାରିବ କି? ନା ଏହା ଦାୟିତ୍ୱ ଖସାଇବାର ଏକ ବାହାନା ଭାବେ ବ୍ୟବହାର କରାଯିବ?

ଅପାରଗତାକୁ ଘୋଡ଼ାଇବାକୁ ଗଳାବାଟ: ପ୍ରହଲ୍ଲାଦ ସିଂହ, ସ୍ତମ୍ଭକାର

ସୋସିଆଲ୍ ମିଡିଆରେ ଅନେକ ସମୟରେ ମିଛ ଓ ଅତିରଞ୍ଜିତ ଖବର ପ୍ରକାଶ ପାଉଛି । ଏପରି ଖବର କେବେ ମେନଷ୍ଟ୍ରିମରେ ଆସେ ନାହିଁ । ଏଣୁ ସୋଶାଲ୍ ମିଡିଆ ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା ଚାଲିଛି । କିନ୍ତୁ ଏହାଦ୍ୱାରା ଯେ, ଭୀଡ଼ତନ୍ତ୍ର ରୋକାଯାଇପାରିବ ତାହା ଭୁଲ୍ କଥା । କାରଣ ଆଜି ଯାଏ ଯେତୋଟି ଭିଡ଼ତନ୍ତ୍ର କଥା ସାମ୍ନାକୁ ଆସିଛି ସେଥିରେ ସୋଶାଲ୍ ମିଡିଆ ଅପେକ୍ଷା କାରଣ ହୋଇଛି ସାମ୍ପ୍ରତିକ ରାଜନୀତିକ ବ୍ୟବସ୍ଥା । ଏଣୁ ସୋଶାଲ୍ ମିଡିଆକୁ ଦୋଷଦେବା ନିଜ ଅପରାଗତାକୁ ଘୋଡ଼ାଇବାର ଏକ ସ୍ୱରୂପ । ଅପରପକ୍ଷେ ସୋଶାଲ୍ ମିଡିଆକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ମଧ୍ୟ ଭୀଡ଼ତନ୍ତ୍ର ବା ମୋବୋକ୍ରାସୀକୁ ରୋକାଯାଇପାରିବନାହିଁ ।

ନିକଟରେ ସୁପ୍ରିମକୋର୍ଟ ଦେଶରେ ଭୀଡ଼ତନ୍ତ୍ରକୁ ରୋକିବା ଲାଗି ଆବଶ୍ୟକଆଇନ ପ୍ରଣୟନ କରିବାକୁ ପ୍ରସ୍ତାବ ଦେବାର ୪ ଦିନ ପରେ ରାଜସ୍ଥାନର ଅଲ୍ୱାରରେ ଭୀଡ଼ତନ୍ତ୍ରରେ ଜଣଙ୍କ ମୃତ୍ୟୁ ହେଲା । ଗାଈ ଚାଲାଣ କରୁଥିବା ଅଭିଯୋଗ ନେଇ ୨୮ ବର୍ଷୀୟ ଯୁବକକୁ ଲୋକେ ଘେରି ମାରିଲେ ଏବଂ ତାଙ୍କ ମୃତ୍ୟୁ ଘଟିଲା । ଏହା କ’ଣ ସୋଶାଲ୍ ମିଡିଆ ଯୋଗୁ ହେଲା? ଜମ୍ମୁ କଶ୍ମୀରର କାଠୁଆଠାରେ ଛୋଟି ଝିଅକୁ ରେପ୍ କଲେ । ଆଉ ତାହାର ସପକ୍ଷରେ ସେଠାକାର ଶାସକ ଦଳ ନେତା ବୟାନ ଦେଲେ । ଏହା କ’ଣ ସୋସିଆଲ୍ ମିଡିଆର ପ୍ରଭାବ । ଉତ୍ତର ପ୍ରଦେଶର ଉନ୍ନାଓରେ ସମ୍ପୃକ୍ତ ଆସାମୀଙ୍କୁ ଏଯାଏ ଗିରଫ କରାଯାଇପାରି ନାହିଁ । ଏସବୁ ଘଟଣା ପ୍ରମାଣିତ କରୁଛି ଯେ, ଆମର ରାଜନୀତିକ ବ୍ୟବସ୍ଥାରେ ଅବକ୍ଷୟ ହୋଇଛି । ପୁଲିସ ରାଜନୀତିକ ପ୍ରଭୁଙ୍କୁ ରକ୍ଷା କରିବା ପାଇଁ ଅଧିକ ଯତ୍ନବାନ ହୋଇଛି । ସେଠାରେ ଆଇନ ଶୃଙ୍ଖଳା ସ୍ଥିତି ଠିକ୍ ରହିବ କିପରି ? ଗୁଜବ କରୁଥିବା ବ୍ୟକ୍ତି ରାଜନେତାଙ୍କ ଅନୁଗତ । ଆମ ଦେଶରେ ଗୁଜବ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ନନେବା ପାଇଁ କଠୋର ଆଇନ ବ୍ୟବସ୍ଥା ରହିଛି । ଆବଶ୍ୟକ ପଡ଼ୁଛି ଏହା କିପରି କରୂପାୟନ ହୋଇପାରିବ । କିନ୍ତୁ ଏଠାରେ ତାହା ହୋଇପାର ନାହିଁ । ସେଇଥିପାଇଁ ତ ଆମ ଦେଶରେ ଆରୋପୀଙ୍କୁ ଦଣ୍ଡବିଧାନ ହାର ନଗଣ୍ୟ ଅର୍ଥାତ୍ ୧୦ ପ୍ରତିଶତରୁ ବି କମ୍ ରହିଛି ।

ଭିନ୍ନ ମତବାଦ ଉପରେ ପ୍ରତିବନ୍ଧକ: ବିଶ୍ୱପ୍ରିୟ କାନୁନଗୋ, ଆଇନଜୀବୀ

ଭୀଡ଼ତନ୍ତ୍ର ସହ ସାଧରଣ ଆଇନ ଶୃଙ୍ଖଳା ନୁହେଁ ରାଜନୀତିକ ବିଚାର ସମ୍ପୃକ୍ତ, ଯେଉଁଥିରେ ଧର୍ମ ଓ ଧର୍ମ ସହ ଘୃଣାର ରାଜନୀତି ରହିଛି । ସଂଖ୍ୟା ଗରିଷ୍ଠ ଧର୍ମ ସଂଖ୍ୟା ଲଘୁଙ୍କ ପ୍ରତି ଘୃଣା କରୁଛି । ଯେହେତୁ ଏଭଳି ଅପରାଧରେ ଘୃଣା ଏବଂ ରାଜନୀତି ମିଶିକରି ରହିଛି ସେ କ୍ଷେତରେ ଟାସ୍କଫୋସ୍, ନୋଡାଲ୍ ଅଫିସର କିଛି କାମକୁଆସିବେ ନାହିଁ । ଯେଉଁଦିନ ସୁପ୍ରିମକୋର୍ଟଙ୍କ ଆଦେଶ ଆସିଲା ସେଦିନ ସ୍ୱମାୀ ଅଗ୍ନିବେଶଙ୍କ ଉପରେ ଆକ୍ରମଣ ହେଲା । ଯେଉଁମାନେ ଏଥିପାଇଁ ଦାୟୀ ଯଦି ସେମାନଙ୍କ ପ୍ରତି ରାଜନୀତିକ ପୁଷ୍ଠପୋଷକତା ରହିବ ତେବେ କ’ଣ କୁହାଯିବ ? ଅଲୱାର୍ଲଡରେ ମଧ୍ୟ ସମାନ ପୁଷ୍ଠପୋଷକତା ଦେଖିବାକୁ ମିଳିଛି । ଯଦି ଆକ୍ରମଣକାରୀ ଭାବେ ଯେ ତାଙ୍କର କେହି କିଛି କରିପାରିବେ ନାହିଁ ତେବେ ସେଠାରେ ସମ୍ବିଧାନିକ ମୂଲ୍ୟବୋଧର ଅର୍ଥ କ’ଣ? ଭୀଡ଼ତନ୍ତ୍ର ପାଇଁ ଅନେକ କାରଣ ରହିଛି, ସୋଶାଲ୍ ମିଡିଆ ସେ ଭିତରୁ ଗୋଟିଏ ହୋଇପାରେ କିନ୍ତୁ ଏହା ଅନ୍ୟ କାରଣ ତୁଳନାରେ ନଗଣ୍ୟ ।

ଯେଉଁମାନେ ଗୋ-ହତ୍ୟାକୁ ପ୍ରାଣୀଙ୍କ ଉପରେ ନିଷ୍ଠୁରଭାବ ସହ ତୁଳନା କରୁଛନ୍ତି ସେମାନେ କେବଳ ଗାଈ ପାଖରେ କାହିଁକି ଅଟକିଛନ୍ତି ? ଯଦି ଆମସମ୍ବିଧାନ ନିର୍ମାତାମାନେ ଡିରେକ୍ଟିଭ୍ ପ୍ରିନ୍ସିପଲରେ ଗୋହତ୍ୟା ବିଷୟରେ ଉଲ୍ଲେଖ କରି ନଥାଆନ୍ତେ ତେବେ ହୁଏ ତ ଆଜି ଯେଉଁଭଳି ଭାବରେ ମଣିଷଙ୍କୁ ଭୀଡ଼ତନ୍ତ୍ରର ଶିକର ହେବାକୁ ପଡ଼ୁଛି ତାହା ହୋଇ ନଥାଆନ୍ତା । ଗୋ ରକ୍ଷକ ନାଁରେ ଗୁଣ୍ଡାଗିରି ହୁଅନ୍ତା ନାହିଁ । ସୋସିଆଲ୍ ମିଡିଆରେ ପ୍ରତିବନ୍ଧକ କଥା ଯାହା କୁହାଯାଉଛଇ ତାହା ହେଉଛି ଭିନ୍ନମତ ଉପରେ ପଅତିବନ୍ଧକ । ସୋଶାଲ୍ ମିଡିଆ ନାଁରେ ନାଗରିକଙ୍କ ଅଭିବ୍ୟକ୍ତିର ଅଧିକାର ଉପରେ ଏହା ଏକ ଆକ୍ରମଣ ବୋଲି ବୁଝିବାକୁ ହେବ । ପ୍ରାପ୍ତ ବୟସ୍ତ ବ୍ୟକ୍ତିମାନେ କ’ଣ ଖାଇବେ, କ’ଣ ଆଲୋଚନା କରିବେ, କାହାକୁ ବାହା ହେବେ ସେସବୁ ତାଙ୍କ ଉପରେ ଛାଡ଼ିବାକୁ ହେବ । ଏ ପ୍ରକାର ମତବାଦ ଉପରେ ଆକ୍ରମଣ ହେଲେ ତାହା ସମସ୍ୟାର ସମାଧାନ କରିବ ନାହିଁ, ବରଂ ଆଉ ଏକ ସମସ୍ୟାକୁ ଠିଆ କରାଇବ ।

ଯଥୋଚିତ ନିୟନ୍ତ୍ରଣ ଆବଶ୍ୟକ: ଦୀପକ କୁମାର ପାଣି, ସୋଶାଲ୍ ମିଡିଆ ପ୍ରଫେସନାଲ୍

ଅନେକ ସମୟରେ ସୋଶାଲ୍ ମିଡିଆରେ ମିଛ ଓ ଅପପ୍ରଚାର କରାଯାଉଛି । କିଛି ବ୍ୟକ୍ତି ନିଜ ନ୍ୟସ୍ତ ସ୍ୱାର୍ଥ ହାସଲ୍ କରିବାକୁ ସୋସିଆଲ୍ ମିଡିଆକୁ ବ୍ୟବହାର କରୁଛନ୍ତି । ଏହା ମଧ୍ୟ ସଫଳ ହେଉଛି । କାରଣ ସୋଶାଲ୍ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ଯେଉଁ ପରିମାଣରେ ବଢ଼ୁଛି ସେମାନଙ୍କ ପାଖରେ ସଚେତନତା ସେତିକି ପହଞ୍ଚିପାରୁ ନାହିଁ । ଯେଉଁ ବୟସ ଗୋଷ୍ଠି ଇଣ୍ଟରନେଟରେ ଅଧିକ ଆକ୍ଟିଭ୍ ରହୁଛନ୍ତି ସେମାନେ ଏହିପରି ବାର୍ତ୍ତା ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି । ଏଣୁ ଉଭୟ ସୋଶାଲ୍ ମିଡିଆ କମ୍ପାନୀ ଏବଂ ବ୍ୟବହାରକାରୀଙ୍କ ଉପରେ ଆବଶ୍ୟକ କଟକଣା ରହିବା ଦରକାର। ନହେଲେ ଏହାଏକ ବିସ୍ଫୋରଣ ସୃଷ୍ଟି କରିବ ।

ନିକଟରେ ଫେସବୁକ ଏବଂ ହ୍ୱାଟସଆପକୁ ଏହିଭି ଫେକ୍ ନ୍ୟୁଜ୍‌ ପ୍ରସାରଣ ଉପରେ ପ୍ରତିବନ୍ଧକ ପାଇଁ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ । ଯାହାଦ୍ୱାରା ଏବେ ହ୍ୱାଟସଆପରେ ଫରୱାର୍ଡ ମେସେଜ ସବୁ ଫରୱାର୍ଡ ବୋଲି ଦର୍ଶାଯାଉଛି । ଏହାଦ୍ୱାରା ଜଣେ ବ୍ୟକ୍ତି ଜାଣିପାରିବ ଯେ ଏ ବାର୍ତ୍ତାଟି ପ୍ରକୃତରେ ଯେଉଁ ଲୋକଙ୍କ ପାଖରୁ ଆସିଛି ସେ ବାର୍ତ୍ତାର ଜନକ ନୁହନ୍ତି । ଏଣୁ ଏ ବାବଦରେ ସେ ଚିନ୍ତା କରିବା ଦରକାର । ସେହିଭଳି ଫେସବୁକ ମଧ୍ୟ ଅନେକ ଭେରିଫିକେସନ୍ ଟୁଲ୍ ଉପଯୋଗ କରୁଛି । ଆପଣ ନ ଜାଣିଥିବା ଲେକଙ୍କୁ ବନ୍ଧୁ ଭାବେ ଗ୍ରହଣ କରନ୍ତୁ ନାହିଁ । ଏବେ ଟ୍ୱିଟର ଏବଂ ଫେସବୁକରେ ଅନେକ ଘୋଷ୍ଟ ଆକାଉଣ୍ଟକୁ ରଦ୍ଦ କରାଯାଇଛି । ଏସବୁ କଟକଣା ଅଧିକ କଡ଼ାକଡ଼ି କରାଯିବା ଆବଶ୍ୟକ । କିନ୍ତୁ ପ୍ରକୃତ ଲକ୍ଷ୍ୟ ହାସଲ ନିର୍ଭର କରୁଛି ବ୍ୟବହାରକାରୀଙ୍କ ଉପରେ । ବ୍ୟବହାରକାରୀ ଜାଣିବା ଦରକାର କେଉଁ ବାର୍ତ୍ତା, ବା କେଉଁ ବନ୍ଧୁଙ୍କୁ ସେ ସୋଶାଲ୍ ମିଡିଆରେ ଫଲୋ କରିବେ। ସବୁ ବାର୍ତ୍ତା ସତ ନୁହେଁ ତାହା ନିଶ୍ଚିତ ବେହା ଦରକା ।ର ପୁଣି ମିଛ ବାର୍ତ୍ତା ପ୍ରସାରଣକାରୀଙ୍କୁ ଦଣ୍ଡ ବିଧାନ କରିବା ଦରକାର । ଏହା ହେଲେ ସୋସିଆଲ୍ ମିଡିଆ ଉପରୁ ଲେକାଙ୍କ ଭରସା ତୁଟିବ ନାହିଁ । ଏହା ଦୀର୍ଘଜୀବୀ ହେବ । ନହେଲେ ତାହା ଲୋକେ ସେଥିରୁ ଦୂରେଇବେ। ଏହା ଶୁଭଙ୍କର ନୁହେଁ ।

 

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply