ଜନ୍ମ ହେବା ପରେ ତୁରନ୍ତ ଶିଶୁକୁ ସ୍ତନ୍ୟପାନ କରାଇବା ଜରୁରୀ

ଭୁବନେଶ୍ୱର, (ଓଟି): ନବଜାତ ଶିଶୁ ପାଇଁ ସ୍ତନ୍ୟପାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସ୍ତନ୍ୟପାନ ଦ୍ୱାରା ମା’ ଓ ଶିଶୁ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ସୃଷ୍ଟି ହୋଇଥାଏ । ସ୍ତନ୍ୟପାନ ଶିଶୁର ଶାରୀରିକ ଓ ମାନସିକ ବୃଦ୍ଧି ପାଇଁ ଅଧିକ ଆବଶ୍ୟକ । ସ୍ତନ୍ୟପାନ ନ କରାଇବା ମା’ର ଶରୀର ପାଇଁ କ୍ଷତିକାରକ । ଅତିକମ୍ରେ ୬ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଜରୁରୀ । ତେଣୁ ଏହି ଦିଗରେ ସଚେତନତା ସୃଷ୍ଟି କରାଇବା ନେଇ ବିଶ୍ୱ ସ୍ତନ୍ୟପାନ ସପ୍ତାହରେ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ସମ୍ ହସ୍ପିଟାଲ୍ର ନବଜାତ ଶିଶୁ ରୋଗ ବିଭାଗ, ପ୍ରସୂତି ବିଭାଗ ଏବଂ ଶିଶୁ ରୋଗ ବିଭାଗ ପକ୍ଷରୁ ଅଗଷ୍ଟ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ କର୍ମଶାଳାର ପ୍ରଥମ ଦିନରେ ନବଜାତ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା ।
ସେହିପରି କର୍ମଶାଳାର ଦ୍ୱିତୀୟ ଦିନରେ ଗର୍ଭବତୀ ମା’ମାନେ କିଭଳି ସ୍ତନ୍ୟପାନ ସମ୍ପର୍କରେ ଅଧିକ ସଚେତନ ହେବେ ସେ ଦିଗରେ ଗୁରୁତ୍ୱ ଦିଆଯିବା ସହ ଆଲୋଚନା କରାଯାଇଥିଲା ।

ପୂର୍ବରୁ ସ୍ୱାଭାବିକ ଭାବେ ଶିଶୁ ଜନ୍ମ ହେବାର ଏକ ଘଣ୍ଟା ଏବଂ ଅପରେସନ୍ ଦ୍ୱାରା ଶିଶୁ ଜନ୍ମ ହେବାର ଚାରି ଘଂଟା ପରେ ମା’ ଶିଶୁକୁ ସ୍ତନ୍ୟପାନ କରାଉଥିଲେ । କିନ୍ତୁ ଏବେ ଏଥିରେ ପରିବର୍ତନ ଆସିଛି । ବର୍ତମାନ ଡେଲିଭରି ରୁମ୍ ଭିତରେ ହିଁ ଶିଶୁକୁ ସ୍ତନ୍ୟପାନ କରାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଶିଶୁଟି ଜନ୍ମ ହେବାର ପ୍ରଥମ ୩୦ ମିନିଟ୍ ବେଶ ଚଞ୍ଚଳ ଥାଏ ଓ ଏହା ପରେ ଶିଶୁଟି ପ୍ରାୟତଃ ଶୋଇଯାଇଥାଏ । ତେଣୁ ଡେଲିଭରି ରୁମ୍ ଭିତରେ ହିଁ କିଭଳି ଶିଶୁକୁ ସ୍ତନ୍ୟପାନ କରାଯାଇପାରିବ ସେ ଦିଗରେ ତୃତୀୟ ଦିନର କର୍ମଶାଳାରେ ଆଲୋଚନା କରାଯାଇଥିଲା ।

ଚତୁର୍ଥ ଦିନର କର୍ମଶାଳାରେ ସମ୍ ହସ୍ପିଟାଲ୍ର ୨୨୦ ଜଣ ଷ୍ଟାଫ୍ ନର୍ସ, ଫାକଲଟି  ଏବଂ ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କୁ ସ୍ତନ୍ୟପାନ କରାଇବାର ପ୍ରକ୍ରିୟା ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା ।

ସେହିପରି କର୍ମଶାଳାରେ ଶେଷ ଦିନରେ ସମ୍ ହସ୍ପିଟାଲ୍ର ଷ୍ଟାଫ୍ ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ପକ୍ଷରୁ ବିଭିନ୍ନ ରଙ୍ଗୋଲି, ପୋଷ୍ଟର ଏବଂ ସଚେତନତା ସମ୍ପର୍କିତ ଡ୍ରାମା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡ. ପୁଷ୍ପରାଜ ସାମନ୍ତସିଂହାର ଉଦ୍ଘାଟନ କରିଥିବା ବେଳେ ଉଦ୍ୟାପନୀ ଦିବସରେ ସୋଆର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଅଶୋକ ମହାପାତ୍ର, ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ଡ. ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମଟିକୁ ନବଜାତ ଶିଶୁ ରୋଗ ବିଭାଗର ମୁଖ୍ୟ ଡ. ଜଗଦୀଶ ପ୍ରସାଦ ସାହୁ ପରିଚାଳନା କରିଥିବା ବେଳେ ପ୍ରସୂତି ବିଭାଗର ମୁଖ୍ୟ ଡ. ସଂଯୁକ୍ତା ମହାପାତ୍ର ଏବଂ ଶିଶୁ ରୋଗ ବିଭାଗ ମୁଖ୍ୟ ଡ. ମମତା ଦେବୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply