“କେନ୍ଦ୍ରୀୟ ଅବହେଳା’ କୁ ଆଣ୍ଟିବାୟୋଟିକ୍‍!

0
24

ଭୁବନେଶ୍ୱର, (ଓଟି): ବିଜେପିର ଆଖିଯେ ଓଡ଼ିଶା ଉପରେ ରହିଛି ତାହାକୁ କେହି ଏଡ଼ାଇ ପାରିବେ ନାହିଁ । କ୍ରମାଗତ ଭାବେ ଏହି ଦଳ ଓଡ଼ିଶା ରାଜନୀତିରେ ଗୋଟିଏ କଥା ପ୍ରମାଣିତ କରିବାକୁ ଚାହିଁଛି ଯେ, ବିଜେପି ଓଡ଼ିଶାକୁ ଅଣ ଦେଖା କରୁନାହିଁ । ଭାସ୍କର୍ଯ୍ୟଶିଳ୍ପୀ ରଘୁନାଥ ମହାପାତ୍ର ଏବଂ ନୃତ୍ୟଶିଳ୍ପୀ ସୋନାଲ୍‍ ମାନସିଂହଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରି ଏହାକୁ ସିଦ୍ଧ କରିଛନ୍ତି ବିଜେପିର କେନ୍ଦ୍ର ନେତୃତ୍ୱ । ବିଜେଡିର “କେନ୍ଦ୍ରୀୟ ଅବହେଳା’ କ୍ୟାମ୍ପେନ୍‍କୁ ଏହି ମନୋନୟନ ଏକ ନିର୍ବାଚନ ପୂର୍ବ ଆଣ୍ଟିବାୟୋଟିକ୍‍ ଭାବେ ଗ୍ରହଣ କରାଯାଉଛି । ତେବେ ରାଜନୀତିକ ମହଲରେ ଚର୍ଚ୍ଚା ଯେ, ଏହା କ’ଣ ନବୀନଙ୍କ “କେନ୍ଦ୍ରୀୟ ଅବହେଳା’ ସ୍ଲୋଗାନ୍‍କୁ ପ୍ରଶମିତ କରିପାରିବ?

ବିଗତ ୧୮ ବର୍ଷର ଶାସନ ଭିତରେ “କେନ୍ଦ୍ରୀୟ ଅବହେଳା’ ନବୀନଙ୍କୁ ବାରମ୍ବାର ନିର୍ବାଚିତ କରିବାରେ ଏକ ପ୍ରମୁଖ ଅସ୍ତ୍ର ସାଜି ଆସିଛି । ଏକ ଆଞ୍ଚଳିକ ରାଜନୀତିକ ଦଳ ହିଁ ରାଜ୍ୟର ବିକାଶ ସାଧନ କରିପାରେ ତାହାକୁ ସେ ଏହି ସ୍ଲୋଗାନ୍‍ ଦ୍ୱାରା ଲୋକଙ୍କ ପାଖରେ ପ୍ରତିପାଦିତ କରିବାକୁ ସେ ଚାହିଁଛନ୍ତି । ସେଥିପାଇଁ ଏଠାରୁ ଲଗାତାର ଭାବେ କଂଗ୍ରେସ ହେଉ ବା ବିଜେପି ପ୍ରତ୍ୟାଖ୍ୟାନର ଶିକାର ହୋଇଛନ୍ତି । ହେଲେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଆସିବା ଦିନଠାରୁ ଓଡ଼ିଶାର ଲୋକଙ୍କୁ ସେହି ମନୋଭାବରୁ ଦୂରରେ ରଖିବା ଲାଗି ରାଜନୀତିକ ପ୍ରୟାସ ହୋଇଛି।

ଓଡ଼ିଶା ୨ଟି କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରୁ ଏକମାତ୍ର ଆସନ ପାଇଥିଲେ ମଧ୍ୟ ଦୁଇଜଣ ନେତାଙ୍କୁ କେନ୍ଦ୍ର କ୍ୟାବିନେଟ୍‍ରେ ମନ୍ତ୍ରୀ କରାଯିବା ବୋଧହୁଏ ପୂର୍ବରୁ ରାଜନୀତିକ ଇତିହାସରେ କେବେ ହୋଇ ନାହିଁ । ପୁଣି ଓଡ଼ିଶାର ପୁଅକୁ ଲଗାତାର ଦୁଇଥର ବାହାର ରାଜ୍ୟରୁ ନିର୍ବାଚିତ କରାଇ ତାଙ୍କୁ ରାଜ୍ୟସଭାରେ ଆସନ ଦେବା ଏବଂ ମନ୍ତ୍ରୀରୂପେ ଗ୍ରହଣ କରାଯିବା ଏକ ବିରଳ ଘଟଣା ହୋଇ ରହିଛି । ଏହିକ୍ରମରେ ପାରାଦୀପ ତୈଳ ବିଶୋଧନାଗାର ଉଦ୍‍ଘାଟନ ସହ ରାଜ୍ୟରେ ଥିବା ବିଭିନ୍ନ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନକୁ ମଧ୍ୟ ଆବଶ୍ୟକ ମର୍ଯ୍ୟାଦା ଦିଆଯାଇଛି । ଅନେକ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ତକ୍ଷେପ କରି ସରକାରଙ୍କ ନିଷ୍ପତ୍ତିକୁ ଉଦାସୀନତା ବୋଲି ପ୍ରଚାର କରିଛନ୍ତି । ଏହିଭଳି କାର୍ଯ୍ୟକ୍ରମର ଏକମାତ୍ର ଉଦ୍ଦେଶ୍ୟ ରାଜନୀତିକ ଭାବେ ଓଡ଼ିଶା ବାସୀଙ୍କ ଅଣ କଂଗ୍ରେସ ଭାବଧାରାକୁ ନିଜଆଡ଼କୁ ଆକର୍ଷିତ କରିବା । ଏହିକ୍ରମରେ ରଘୁନାଥ ମୋହରା ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

ସେ ବିଜେଡିରେ ଆଉ ବିଜେପିରେ ବି

ରଘୁନାଥ ମହାପାତ୍ର ଓ ସୋନାଲ୍‍ ମାନସିଂହଙ୍କ ମନୋନୟନ ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ପ୍ରତିଭାଙ୍କୁ ସୁଯୋଗ ଦେଇଥିବାରୁ ରାଷ୍ଟ୍ରପତିଙ୍କ ପ୍ରତି ସେ କୃତଜ୍ଞତା ପ୍ରଦର୍ଶନ କରିଛନ୍ତି।

ଏହା ପୂର୍ବରୁ ରଘୁନାଥଙ୍କୁ ବିଜେଡିର ଦଳୀୟ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସଫଳ ହୋଇ ନଥିଲେ । ବିଜେଡି ତାଙ୍କୁ ମୋହରା କରି ସେତେବେଳେ ତୃତୀୟ ଆସନଟି ଜିତିବ ବୋଲି ଲକ୍ଷ୍ୟ ରଖିଥିଲା । ହେଲେ ବାସ୍ତବରେ ବିଜେପି ବିଧାୟକମାନେ ତାଙ୍କ ବିପକ୍ଷରେ ଯାଇଥିଲେ । ଅର୍ଥାତ୍‍ ରାଜନୀତିକ ଯୁଦ୍ଧରେ ସେତେବେଳେ ନବୀନଙ୍କୁ ପରାଜୟ ଦେଖିବାକୁ ମିଳିଥିଲା । କିନ୍ତୁ ରାଜ୍ୟସଭାରେ ସଦସ୍ୟ ହେବା ନେଇ ରଘୁନାଥଙ୍କ ପାଖରେ ଥିବା ପ୍ରବଳ ଇଚ୍ଛା ତାଙ୍କୁ ବିଜେପି ଶିବିରରେ ପ୍ରବେଶ ପାଇଁ ବାଧ୍ୟ କରିଥିଲା । ଅର୍ଥାତ୍‍ ସେ ସୁଯୋଗ ଦେଖି ପଛପଟିଆ ରାସ୍ତା ଦେଖି ପ୍ରଧାନମନ୍ତ୍ରୀ ତଥା ବିଜେପି ନେତୃତ୍ୱଙ୍କ ଆସ୍ଥା ଜିତି ପାରିଲେ । ଆଉ ସଦସ୍ୟ ନହୋଇ ମଧ୍ୟ ନିଜର ସମ୍ମାନ ରକ୍ଷା କରିପାରିଲେ । ଏହାଦ୍ୱାରା ବିଜେପିର ବିଜୟ ହେଲା ଆଉ ରଘୁନାଥଙ୍କର ।

ଧାରା ୮୦, ଓଡ଼ିଶା ପାଇଁ ଅରଖ ନୂଆ

ରଘୁନାଥଙ୍କ ସହ ସୋନାଲ୍‍ଙ୍କୁ ରାଜ୍ୟ ସଭାକୁ ମନୋନୟନ ଓଡ଼ିଶା ରାଜନୀତିକ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିହୋଇଛି । କାରଣ ଏହା ପୂର୍ବରୁ ସମ୍ବିଧାନର ଧାରା ୮୦ ଅନୁସାରେ ରାଜ୍ୟସଭାଙ୍କ ଦ୍ୱାରା ମନୋନୀତ ପ୍ରତିନିଧିଙ୍କ ତାଲିକାରେ ଓଡ଼ିଶା କେବେ ସ୍ଥାନ ପାଇ ନଥିଲା । ସମ୍ବିଧାନର ଧାରା ୮୦ ଅନୁୂସାରେ ୧୨ ଜଣଙ୍କୁ ରାଷ୍ଟ୍ରପତି ମନୋନୟନ କରିଥାନ୍ତି । କଳା, ସାହିତ୍ୟ, ସମାଜ ସେବା, ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖ ନୀୟ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଦେଶର ଆଇନ ନିର୍ମାଣରେ ସହାୟକ କରାଇବା ଉଦ୍ଦେଶ୍ୟରେ ଏହି ଧାରାକୁ ସମ୍ବିଧାନରେ ଯୋଡ଼ା ଯାଇଛି। ହେଲେ ବାସ୍ତବରେ ଏହାକୁ ରାଜନୀତିକ ଫାଇଦା ତଥା ଥଇଥାନ ଉଦ୍ଦେଶ୍ୟରେ ବିଭିନ୍ନ ସମୟର ସରକାରମାନେ ବ୍ୟବହାର କରିଥିବା ନଜୀର ରହିଛି । ଏଠାରେ ବି ତାହା ହୋଇ ନାହିଁ କହିଲେ ଭୁଲ୍‍ ହୋଇପାରେ ।

ଶେଷକଥା

ନିର୍ବାଚନ ଯେତିକି ପାଖଉଛି ବିଜେପି ବିଜ୍ଞ ବ୍ୟକ୍ତି ତଥା ବୁଦ୍ଧିଜୀବୀ ମହଲରେ ସେତିକି ଆଦୃତ ହେବାର ଉଦ୍ୟମ ରଖିଛି । ଘର ଘର ବୁଲି କ୍ୟାମ୍ପେନ୍‍ କରିବା ଗୋଟିଏ ବି ହେଲେ ଅଧିକ ଲୋକସଭା ଆସନ ଜିତିଲେ ତାହା ବିଜେପି ପାଇଁ ଅମୃତ ସଦୃଶ ହୋଇପାରେ । କିନ୍ତୁ ଏହା କ’ଣ ବିଜେପିକୁ ସଫଳତା ଦେବ? ଓଡ଼ିଶାର ପୁରପଲ୍ଲୀରେ ସଂଗଠିତ ଦଳର ନେତୃତ୍ୱ ନେଉଥିବା ନବୀନଙ୍କ ଭାବମୂର୍ତ୍ତିରେ ଏହା କ’ଣ ଆଞ୍ଚ ସୃଷ୍ଟି କରିପାରିବ? ଅପରପକ୍ଷେ ମହାନଦୀ ପ୍ରସଙ୍ଗରେ ରାଜ୍ୟରେ ଛନ୍ଦି ହୋଇପଡ଼ିଥିବା ବିଜେପି ନିଜର ଭାବମୂର୍ତ୍ତିକୁ କ’ଣ ଏହି ଉପହାର ଦ୍ୱାରା ସୁରଧାରି ପାରିବ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କିମାରୁଛି ରାଜନୀତିକ ମହଲରେ ଯାହାର ଉତ୍ତର କେବଳ ନିର୍ବାଚନ ହିଁ ଦେଇପାରିବ ।

Loading...