ବିଜେଡିର ବିଶ୍ୱ ଆଦିବାସୀ ଦିବସ ‘କଟା ଘା’ରେ ଚୂନ ସଦୃଶ’ : ବିଜେପି

0
7

ଭୁବନେଶ୍ୱର,(ଓଟି): ବିଜେଡିର ଦୀର୍ଘ ୧୯ ବର୍ଷ ଶାସନ ମଧ୍ୟରେ ଆଦିବାସୀମାନଙ୍କର କୌଣସି ବିକାଶ ହୋଇପାରିଲା ନାହିଁ। ପୂର୍ବରୁ ୪୫ ବର୍ଷ ଧରି ଶାସନ କରୁଥିବା କଂଗ୍ରେସ ସରକାର ମଧ୍ୟ ଆଦିବାସୀମାନଙ୍କୁ ହୀନ ଦୃଷ୍ଟିରେ ଦେଖୁଥିଲା। ସବୁ ସମୟରେ ଆଦିବାସୀ ଭାଇ ଭଉଣୀମାନେ ତାତ୍ସଲ୍ୟ ଶିକାର ହୋଇ ଆସିଛନ୍ତି। ବିଶ୍ୱ ଜନଜାତି ଦିବସ ଅବ୍ୟବହିତ ପୂର୍ବରୁ ରାଜ୍ୟର ଶାସକ ବିଜୁ ଜନତାଦଳ ୧୯ ବର୍ଷର ଜନଜାତିଙ୍କୁ ଅଣଦେଖାରୁ ଦୃଷ୍ଟି ହଟାଇବାକୁ ଅପଚେଷ୍ଟା କରୁଛି। ନଗଡାର ନଗ୍ନ ଚିତ୍ର, କଳିଙ୍ଗ ନଗର ଆଦିବାସୀମାନମଙ୍କୁ ଗୁଳି କରିବା, ମେଳଘରାରେ ଛୋଟ ଶିଶୁଙ୍କଠୁ ଆରମ୍ଭ କରି ମହିଳାଙ୍କୁ ଗୁଳି କରିବା ଘଟଣା, ଦାନ ମାଝୀ କାନ୍ଧରେ ଶବ ବୁହା ଘଟଣା ଏବଂ ଗୁମୁଡୁମାହା ଗୁଳିକାଣ୍ଡ ଘଟଣା ରାଜ୍ୟସରକାରଙ୍କ ଆଦିବାସ ମାରଣ ନୀତିକୁ ସ୍ପଷ୍ଟ ଦର୍ଶାଉଛି। ବିଜେଡ଼ି ଜନଜାତି ସମାବେଶ କରି ରାଜ୍ୟର ଏହି ବିଶାଳ ଓ ବିଶେଷ ବର୍ଗଙ୍କୁ ଧୋକାରେ ରଖିବାକୁ ହୀନପ୍ରୟାସ କରୁଛି ବୋଲି ବିଜେପି ଜନଜାତି ମୋର୍ଚ୍ଚାର ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ରବି ନାଏକ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ଓଡ଼ିଶାର ଜନସଂଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଜନଜାତି ସଂପ୍ରଦାୟ। ୬୨ଟି ଜନଜାତି ବର୍ଗ ମଧ୍ୟରୁ ୧୩ଟି ଅତି ବିପଦସଙ୍କୁଳ ବର୍ଗରେ ବସବାସ କରୁଛନ୍ତି। ଦେଶର ମୋଟ ଜନଜାତି ଜନସଂଖ୍ୟାର ପାଖାପାଖି ୧୦ ପ୍ରତିଶତ ଓଡ଼ିଶାରେ ରହୁଛନ୍ତି। ରାଜ୍ୟର ୧୧୯ ବ୍ଲକର ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ହେଉଛି ଜନଜାତି ବର୍ଗର ସଂଖ୍ୟା। ସମାବେଶ ଓ ସରକାରଙ୍କ ପ୍ରଶସ୍ତିଗାନ ପୂର୍ବରୁ ରାଜ୍ୟର ଆଦିବାସୀ ସମାଜରେ ଥିବା ଗରିବୀ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ମହିଳା ବିକାଶ ଓ ଜୀବନ ଜୀବିକା ସମ୍ପର୍କରେ ଗତ ୧୯ ବର୍ଷରେ କାହିଁକି ଆଖି ଦୃଷ୍ଟିଆ ପ୍ରଗତି ହୋଇନାହିଁ ତାହା ସ୍ପଷ୍ଟ କରିବାକୁ ଶ୍ରୀ ନାଏକ ଆହ୍ୱାନ ଜଣାଇଛନ୍ତି। ଶ୍ରୀ ନାଏକ କହିଛନ୍ତି ଯେ, ରାଜ୍ୟର ଆଦିବାସୀମାନେ ଅପପୃଷ୍ଟିର ଶିକାର ହେଉଛନ୍ତି। ୧୯ ବର୍ଷ ଶାସନରେ ରାଜ୍ୟର ଏତେ ବଡ଼ ବର୍ଗ ସହ ରାଜ୍ୟସରକାର ଅନ୍ୟାୟ କରିଛନ୍ତି। ସମ୍ପୂର୍ଣ୍ଣ ଜନଜାତି ବର୍ଗରେ ୪୫ ପ୍ରତିଶତରୁ ଅଧିକ ପିଲାଙ୍କର ବୟସ ତୁଳନାରେ ଉଚ୍ଚତା କମ‌୍‍ ରହିଛି। ଜନଜାତି ଅଂଚଳର ୨୭ ପ୍ରତିଶତରୁ ଅଧିକ ପିଲାଙ୍କର ବୟସ ତୁଳନାରେ ଓଜନ ଓ ଉଚ୍ଚତା ଉଭୟ କମ‌୍‍ ରହିଛି ବୋଲି ରାଜ୍ୟ ସରକାର ସ୍ୱୀକାର କରିଥିବାବେଳେ ଏହାକୁ କଣ ଆଦିବାସୀ ବିକାଶର ମାପଦଣ୍ଡ ବୋଲି କୁହାଯାଇ ପାରିବ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି।

ଗତ ୧୮ ବର୍ଷରେ ଜନ୍ମ ହୋଇଥିବା ଶିଶୁ ଆଗାମୀ ୨୦୩୬ ମସିହାରେ ୧୮ରୁ ୩୬ ବର୍ଷ ମଧ୍ୟରେ ଥିବ। ଏକ ଦୁର୍ବଳିଆ, କମ‌୍‍ ଓଜନ ଉଚ୍ଚତାର ପିଲାମାନେ ମାନସିକ ଦୃଷ୍ଟିରୁ ଅନଗ୍ରସର ରହିଲେ ୨୩ ପ୍ରତିଶତର ଏପରି ଯୁବପିଢିଙ୍କୁ ନେଇ କି ଶ୍ରେଷ୍ଠ ଓଡ଼ିଶାର କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି। ଶ୍ରୀ ନାଏକ ଅଭିଯୋଗ କରିଛନ୍ତି ରାଜ୍ୟର ଜନଜାତି ଆବାସିକ ବିଦ୍ୟାଳୟଗୁଡ଼ିକରେ ରହୁଥିବା ଆଦିବାସୀ ଝିଅମାନଙ୍କୁ ଦୁଷ୍କର୍ମ ଓ ଇଜ୍ଜତ ଲୁଣ୍ଠନ ଯେତିକି ଲୋମହର୍ଷଣକାରୀ ଓ ଲଜ୍ଜାଦାୟକ, ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ସମଗ୍ର ଜନଜାତି ସମାଜ ପ୍ରତି ଅପମାନଦାୟକ ବୋଲି କହିବା ସହ ଏତେ ସବୁ ପରେ ମଧ୍ୟ ସରକାରଙ୍କର ଆଖି ଆଗରେ ଜନଜାତି ଝିଅଙ୍କ ଇଜ୍ଜତ ଲୁଣ୍ଠନ ବନ୍ଦ କରିବା ପାଇଁ ଦୃଢ ପଦକ୍ଷେପ ବଦଳରେ ସରକାର ଉଦାସୀନ କାହିଁକି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି।

ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି ସଚିବାଳୟରୁ ମୁଖ୍ୟମନ୍ତ୍ରୀ ୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତିରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ କରାଇବାକୁ କହୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ଏହି ଶ୍ରେଷ୍ଠ ରାଜ୍ୟରେ ଜନଜାତିଙ୍କର ସ୍ଥାନ ଅଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରିବା ପାଇଁ ଶ୍ରୀ ନାଏକ ଦାବି ଜଣାଇଛନ୍ତି। ଆଦିବାସୀ ଅର୍ଥନୀତିର ପ୍ରମୁଖ ଆୟୁଧ ଲଘୁବନଜାତ ଦ୍ରବ୍ୟକୁ କେନ୍ଦ୍ରସରକାରଙ୍କର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ସତ୍ୱେ ଏହାର ଲାଭ ରାଜ୍ୟର ଜନଜାତି ବର୍ଗଙ୍କୁ ମିଳୁନାହିଁ। ଅନେକ ବନଜାତ ଦ୍ରବ୍ୟ ଉପରେ ସଂଗ୍ରହ ଓ ପ୍ରକ୍ରିୟାକରଣ ଅଧିକାର ଏଯାଏଁ ଜନଜାତି ବର୍ଗଙ୍କୁ କାହିଁକି ରାଜ୍ୟସରକାର ଦେଉନାହାଁନ୍ତି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି।

ଜନଜାତି ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ବିଶେଷ ଭାବେ ଜନଜାତି ଛାତ୍ରଛାତ୍ରୀଙ୍କ ସ୍କଲାରସିପ‌୍‍ ଓ ଷ୍ଟାଇପେଣ୍ଡ‌୍‍ ଅର୍ଥକୁ ରାଜ୍ୟସରକାର ପ୍ରଦାନ କରିପାରୁନାହାଁନ୍ତି। ଅନ୍ୟପଟେ ଆଦିବାସୀମାନଙ୍କ ପାଇଁ ଆସିଥିବା ଅର୍ଥକୁ ରାଜ୍ୟସରକାର ସହରାଂଚଳ ବିକାଶରେ ଲଗାଇ ରାଜଧାନୀର ରାଜମହଲ ଓଭରବ୍ରିଜ ନିର୍ମାଣ କରିଛନ୍ତି। ଗତ ୪ ବର୍ଷ ଭିତରେ କେନ୍ଦ୍ର ସରକାର ଓଡିଶାରେ ବସବାସ କରୁଥିବା ଆଦିବାସୀମାନଙ୍କର ଉନ୍ନତି ପାଇଁ ୧୩ ଲକ୍ଷ ୨ଶହ ୧୧ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଏକଲବ୍ୟ ବିଦ୍ୟାଳୟ ଏବଂ ଛାତ୍ରାବାସ ପାଇଁ ମଧ୍ୟ କେନ୍ଦ୍ରରେ ମୋଦୀ ସରକାର ଅନୁଦାନ ପ୍ରଦାନ କରିଛନ୍ତି। ଏହା ସତ୍ୱେ ରାଜ୍ୟସରକାର ଏହି ଅର୍ଥକୁ ବିନିଯୋଗ କରିପାରୁ ନାହାଁନ୍ତି। ରାଜ୍ୟସରକାରଙ୍କ ଆବାସିକ ବିଦ୍ୟାଳୟ ଓ ସେବାଶ୍ରମ ଛାତ୍ରାବାସ ମାନଙ୍କରେ ଶିକ୍ଷକ ନାହାଁନ୍ତି। ୮୫ତମ ସମ୍ୱିଧାନ ସଂଶୋଧନ ଅନୁଯାୟୀ ଆଦିବାସୀମାନଙ୍କ ପାଇଁ ୨୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଥିବା ସମୟରେ ଏବେ ମାତ୍ର ତାହା ୧୨ ପ୍ରତିଶତ ରହିଛି। ରାଜ୍ୟର ୨୩ ପ୍ରତିଶତ ଜନସଂଖ୍ୟା ପାଇଁ ଆଦିବାସୀ ଉପଯୋଜନାରେ ଯେଉଁ ବ୍ୟୟବରାଦ କରାଯାଉଛି ଜନସଂଖ୍ୟା ଅନୁପାତରେ ବ୍ୟୟବରାଦ ବଢିବା ବଦଳରେ ବଜେଟର ଆକାର ତୁଳନାରେ ଏହି ବ୍ୟୟ ପ୍ରତିଶତ ହାରରେ ବର୍ଷ ପରେ ବର୍ଷ କମ‌୍‍ ହେବା ଆଦିବାସୀ ସମାଜ ପ୍ରତି ରାଜ୍ୟ ସରକାରଙ୍କ ଧୋକା ବୋଲି ଶ୍ରୀ ନାଏକ କହିଛନ୍ତି।

ସେହିପରି ଆଦିବାସୀ ମାନଙ୍କର ଉନ୍ନତି ପାଇଁ ଜନଜାତି ଉନ୍ନୟନ ପରିଷଦ ବୈଠକ ବର୍ଷକୁ ଦୁଇ ଥର ବସିବା କଥା। କିନ୍ତୁ ତାହା ନିୟମିତ ହେଉନାହିଁ। ଏ ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀମାନଙ୍କ ପାଇଁ କେତେ ଦରଦ ରହିଛି ଥିରୁ ସ୍ପଷ୍ଟ ଅନୁମେୟ ହେଉଛି। ଜଙ୍ଗଲ ଅଧିକାର ଆଇନରେ ହଜାର ହଜାର ଦରଖାସ୍ତ ପଡିକି ରହିଛି , ତାହା ଏପଯ୍ର୍ୟନ୍ତ କାଯ୍ର୍ୟକ୍ଷମ ହୋଇପାରୁନାହିଁ। ବସୁନ୍ଧରା ଯୋଜନାରେ ୪ ଡେସିମିଲ ଜାଗା ବଂଟନ ବର୍ତମାନ ସୁଦ୍ଧା କରାଯାଇ ନାହିଁ , ଯାହା ଫଳରେ ଆଦିବାସୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ରହୁଛନ୍ତି। ସେହିପରି ଜାତି ପ୍ରମାଣପତ୍ର ମାସ ମାସ ଧରି ତହସିଲ ଅଫିସରେ ପଡିରହୁଛି। ରାଜ୍ୟସରକାର ଆଦିବାସୀ କ୍ଷେତ୍ରରେ ବିକାଶର ନାଁରେ କୋଟି କୋଟି ଅର୍ଥକୁ ଆତ୍ମସାତ କରାଯାଉଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ନିକଟରେ ନିର୍ମାଣ ହୋଇଥିବା ଗୁରୁପ୍ରିୟା ସେତୁ। ଜିଲ୍ଲା ସ୍ତରରେ ହୋଇଥିବା ଆଦିବାସୀ ଉନ୍ନୟନ ପରିଷଦର ସଭ୍ୟ ଭାବେ କେବଳ ବିଜେଡି କର୍ମୀମାନଙ୍କୁ ରଖାଯାଉଛି। ସେମାନଙ୍କ କହିବା ଅନୁସାରେ ପ୍ରସ୍ତାବ ପାରିତ ହେଉଛି। ଆଦିବାସୀ ଉନ୍ନୟନ ନାଁରେ ଯେଉଁ ଅର୍ଥ ଖର୍ଚ୍ଚ ହେବା କଥା ସେହି ଅର୍ଥକୁ ବିଜେଡି କମୀର୍ମାନଙ୍କ ମଧ୍ୟରେ ବଂଟାଯାଉଛି। ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ‘ଆମ ଗାଁ ଆମ ବିକାଶ’ କାଯ୍ର୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧୀକୁ ଡକାନଯିବା ଏବଂ ସେହି କାଯ୍ର୍ୟକ୍ରମରେ ସାମିଲ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା।

ଜଙ୍ଗଲଜାତ ଉପିାଦିତ ଦ୍ରବ୍ୟ ପାଇଁ କେନ୍ଦ୍ରସରକାର ସର୍ବନିମ୍ନ ସହାୟତା ଘୋଷଣା ପରେ ବି ରାଜ୍ୟସରକାରଙ୍କ ଉଦାସୀନତା ଯୋଗୁଁ ତାହା ଆଜି କାଯ୍ର୍ୟକାରୀ ହୋଇପାରୁନାହିଁ। ଆଦିବାସୀ ଅର୍ଥନୀତିର ପ୍ରମୁଖ ଆୟୁଧ ଲଘୁବନଜାତ ଦ୍ରବ୍ୟକୁ କେନ୍ଦ୍ରସରକାରଙ୍କର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ସତ୍ୱେ ଏହାର ଲାଭ ରାଜ୍ୟର ଜନଜାତି ବର୍ଗଙ୍କୁ ମିଳୁନାହିଁ। ଅନେକ ବନଜାତ ଦ୍ରବ୍ୟ ଉପରେ ସଂଗ୍ରହ ଓ ପ୍ରକ୍ରିୟାକରଣ ଅଧିକାର ଏଯାଏଁ ଜନଜାତି ବର୍ଗଙ୍କୁ କାହିଁକି ରାଜ୍ୟସରକାର ଦେଉନାହାଁନ୍ତି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପାଇଁ ରାଜ୍ୟସରକାରଙ୍କ ବଜେଟରେ ମୋଟ ବ୍ୟୟବରାଦ ବଢିଥିବାବେଳେ ବଜେଟର ମୋଟ ବୃଦ୍ଧି ହିସାବରେ ରାଜ୍ୟର ଗରିବ ଲୋକଙ୍କ ପାଇଁ ଏହି ବିଭାଗରେ ତୁଳନାମିକ ଭାବେ କାହିଁକି କମ‌୍‍ ମିଳୁଛି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି। ୨୦୧୦-୧୧ ମସିହାରେ ମୋଟ ବଜେଟର ୩.୪୬ ପ୍ରତିଶତ ଅର୍ଥ ତଫସିଲଭୂକ୍ତ ଜାତି ଜନଜାତି ବିଭାଗ ପାଇଁ ଥିବାବେଳେ ୨୦୧୮-୧୯ ବଜେଟ ପ୍ରପୋଜାଲରେ ଏହା ୨.୮୪ ପ୍ରତିଶତକୁ ଖସି ଆସିଛି। ଏହା ଓଡ଼ିଶାର ଜନଜାତି ସମାଜ ପ୍ରତି ନବୀନ ସରକାରଙ୍କ ଧୋକା ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି।

ସେହିପରି ରାଜ୍ୟର ଅନ୍ୟାନ୍ୟ ବିଭାଗମାନଙ୍କର ଜନଜାତି ବିକାଶ ପାଇଁ ଆଦିବାସୀ ଉପଯୋଜନା ଖର୍ଚ୍ଚ ମୋଟ ବଜେଟ ତୁଳନାରେ ଆର୍ଥିକ ଆବଂଟନ କମ‌୍‍ ହୋଇଥିବାର ଶ୍ରୀ ନାଏକ ଅଭିଯୋଗ କରିଛନ୍ତି। ଶ୍ରୀ ନାଏକ କହିଛନ୍ତି ଆଦିବାସୀମାନଙ୍କୁ ଧୋକାରେ ରଖିବା ପାଇଁ ଜାଣିଶୁଣି ଆଦିବାସୀ ଉପଦେଷ୍ଟା ପରିଷଦ(ଟିଏସି) ବୈଠକ ଅନୁଷ୍ଠିତ ହେଉନାହିଁ। ୨୦୧୮ ମସିହାରେ ସାଢେ ୩ ବର୍ଷ ପରେ ଏହି ବୈଠକ ଅନୁଷ୍ଠିତ ହେଲା। ଜନଜାତି ନେତୃତ୍ୱକୁ ଜନଜାତି ବିକାଶ କାମରେ ସାମିଲ ହେବାରୁ ଦୂରରେ ରଖିବା ପାଇଁ ରାଜ୍ୟସରକାର ଷଡ଼ଯନ୍ତ୍ର କରିଛନ୍ତି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି।

Loading...