ପୁରୁଣା ରାସ୍ତାକୁ ମରାମତି କରି ବିଜୁ ଏକ୍ସପ୍ରେସ ଓ୍ବେ ନାମକରଣ କରିବା ଦୁର୍ଭାଗ୍ୟଜନକ : ବିଜେପି

0
2

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିବାକୁ ପ୍ରୟାସ କରିଛନ୍ତି। ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଏକ୍ସପ୍ରେସ ଓ୍ବେ ଘୋଷଣା କରି କେବଳ ମିଥ୍ୟା ତଥ୍ୟ ଦେଇ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ମୁଖ୍ୟମନ୍ତ୍ରୀ ପୁରୁଣା ରାସ୍ତାକୁ ମରାମତି କରି ନୂଆ ଏକ୍ସପ୍ରେସ ଓ୍୍ବେ ରାସ୍ତା ଉଦଘାଟନ କରିବାର ଡ୍ରାମା କରୁଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଯେଉଁ ରାଉରକେଲା – ସମ୍ୱଲପୁର ୧୬୩ କିମିର ରାସ୍ତାକୁ ଲୋକାର୍ପଣ କରିଛନ୍ତି ତାହା ପୂର୍ବରୁ ରାଜ୍ୟ ରାଜମାର୍ଗ ଥିଲା। ପୁରୁଣା ରାସ୍ତାକୁ ନୁଆ ନାମ ବିଜୁ ଏକ୍ସପ୍ରେସ ଓ୍ବେ ରେ ନାମିତ କରି ଲୋକାର୍ପଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ବିଜୁ ଏକ୍ସପ୍ରେସ ଓ୍ବେ ନାମରେ ବିଭିନ୍ନ ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଛି। ବାସ୍ତବରେ ଜାତୀୟ ରାଜମାର୍ଗ ଉପରେ କିଛି ପୁରୁଣା ରାସ୍ତାକୁ ମରାମତି ଏବଂ ନବୀକରଣ କରି ନୂଆ ବିଜୁ ଏକ୍ସପ୍ରେସ ଓ୍ବେରେ ନାମିତ କରାଯାଇଛି। ତଥାକଥିତ ବିଜୁ ଏକ୍ସପ୍ରେସ ଓ୍ବେରେ ୧୮୩ କିମିର ଜାତୀୟ ରାଜମାର୍ଗ ରହିଛି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସଡକ ଯୋଜନାରେ ଚାନ୍ଦିନୀ- ବୋରିଗମା ଜାତୀୟ ରାଜମାର୍ଗ ନମ୍ୱର -୬୩ରେ ରହିଛି ୪୧ କିମି। ସେହିପରି ବୋରିଗମା – ଆମପାଣି ଜାତୀୟ ରାଜମାର୍ଗ ନମ୍ୱର -୨୬ ରେ ରହିଛି ୫୯ କିମି.। ଘଟିପଡା – ନୂଆପଡା ଜାତୀୟ ରାଜମାର୍ଗ ନମ୍ୱର -୩୫୩ରେ ୯ କିମି ରହିଛି। ଅନ୍ୟପଟେ ସୋହେଲା – ସମ୍ୱଲପୁର ଜାତୀୟ ରାଜମାର୍ଗ ନମ୍ୱର ୫୩ରେ ୭୪ କିମି ରହିଛି। ଏହିପରି ମୋଟ ଜାତୀୟ ରାଜମାର୍ଗର ଦୈଘ୍ର୍ୟ ୧୮୩ କମି ରୁ ଅଧିକ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବିକାଶ ପାଇଁ ବଦ୍ଧ ପରିକର। ରାଜ୍ୟରେ ନୂତନ ଜାତୀୟ ରାଜମାର୍ଗ ନିର୍ମାଣ ସହ ଉନ୍ନତୀକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅବଦାନ ଅତୁଳନୀୟ। କିନ୍ତୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କେବଳ କେନ୍ଦ୍ରସରକାରଙ୍କ କାର୍ଯ୍ୟକୁ ଲୋକାର୍ପଣ କରି ନିଜେ ବାହା ବାହା ନେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ରାଜ୍ୟରେ ବିଭିନ୍ନ ଗ୍ରାମକୁ ଏଯାବତ‌୍‍ ରାସ୍ତା ନଥିବା ବେଳେ କେବଳ ମିଥ୍ୟା ପ୍ରଚାର କରି ମୁଖ୍ୟମନ୍ତ୍ରୀ ନିଜର ଆତ୍ମ ପ୍ରଚାର କରିବା କେତେ ଦୂର ଯଥାର୍ଥ ତାହାର ଉତର ଆଗାମୀ ଦିନରେ ରାଜ୍ୟବାସୀ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।