କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ବିଜେଡିର ଥ୍ରୀ-ଇନ‍୍‌-ୱାନ‍୍‌ ଗୋଟିଚାଳନା

ଭୁବନେଶ୍ୱର,(ଓଟି): ବିଜେଡିର ଗୋଟିଏ ଲକ୍ଷ୍ୟ ହେଉଛି କଳେବଳେ ଆଗାମୀ ନିର୍ବାଚନକୁ ଜିଣିବା। ହେଲେ ଗୋଟିଚାଳନା କିନ୍ତୁ ତିନି ପ୍ରକାରର, ମାନେ ଥ୍ରୀ-ଇନ‍୍‌-ୱାନ‍୍‌ ରଣନୀତି ପ୍ରସ୍ତୁତ କରିଛି ଦଳ। ଏଥିରେ ଓଡିଶାକୁ ତିନିଭାଗରେ ବିଭକ୍ତ କରିବା ସହିତ ମହାନଦୀ-ଚାଷୀ-ପୋଲାଭରମ ଭଳି ତିନି ପ୍ରସଙ୍ଗକୁ ନେଇ ଲୋକଙ୍କ ନିକଟକୁ ଯିବ ଦଳ। ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ଆଲୋଚନାକୁ ଜୋର ଧରାଯାଉ ଥିବାବେଳେ ବିଜେପି ବାଟ ଓଗାଳିବା ପାଇଁ ବିଜେଡିର ଏହା ସୁଚିନ୍ତିତ ଗୋଟିଚାଳନା ବୋଲି କୁହାଯାଉଛି।

ତିନି ପ୍ରସଙ୍ଗ ମହାନଦୀ-ଚାଷୀ-ପୋଲାଭରମ ପାଇଁ ବିଜେଡି ରାଜ୍ୟକୁ ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳ ଓ ଉପକୂଳରେ ବିଭକ୍ତ କରିଛି। ମହାନଦୀ ପ୍ରସଙ୍ଗକୁ ଦଳ ଉପକୂଳରେ ଉଠାଉଛି। କାରଣ ଅନ୍ୟ ଦୁଇ ପ୍ରସଙ୍ଗ ସହିତ ଉପକୂଳବାସୀ ଜଡିତ ନୁହନ୍ତି। ଯଦିଓ ଉପକୂଳରେ ଚାଷବାସ ଅଧିକ ରହିଛି କିନ୍ତୁ ରୋଗପୋକ, ମରୁଡି ଓ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ପଶ୍ଚିମାଞ୍ଚଳର ଚାଷୀମାନେ। ମହାନଦୀ ହେଉଛି ଉପକୂଳବାସୀଙ୍କ ଜୀବନରେଖା। ତେଣୁ ମହାନଦୀ ଆନ୍ଦୋଳନକୁ ଉପକୂଳରେ ଚଳାଇବାପାଇଁ ଦଳ ରଣନୀତି ପ୍ରସ୍ତୁତ କରିଛି। ଛତିଶଗଡର ବିଜେପି ଓ କେନ୍ଦ୍ର ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ ଚାଲିବ। ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖିବାପାଇଁ ରଣନୀତି ପ୍ରସ୍ତୁତ ହେଉଛି। ମହାନଦୀ ପ୍ରସଙ୍ଗରେ ପୂର୍ବରୁ ଆନ୍ଦୋଳନ ଡାକରା ଦେଇ ଫେଲ‍୍‌ ମାରିଥିବା ବିଜେଡି ଏଥର କିନ୍ତୁ ଏହାକୁ ହାତଛଡା କରିବାକୁ ଚାହୁଁନାହିଁ। କାରଣ ମହାନଦୀ ଛଡା ଅନ୍ୟ କୌଣସି ପ୍ରସଙ୍ଗ ନେଇ ଦଳ ଉପକୂଳ ଓଡିଶାରେ ବିଜେପିକୁ ମାତ୍ ଦେଇପାରିବନାହିଁ ବୋଲି ଭାବୁଛି।

ସେହିଭଳି ପଶ୍ଚିମଓଡିଶାରେ ଚାଷୀ ପ୍ରସଙ୍ଗ ଉପରେ ଦଳ ଜୋର ଦେଉଛି। ଏଠାରେ ବିଜେପି ଧିରେ ଧିରେ ତାହାର ପାଦ ମଝବୁତ କରୁଥିବାବେଳେ ଏବେ ଧାନର ସହାୟକ ମୂଲ୍ୟବୃଦ୍ଧି ପ୍ରସଙ୍ଗରେ ବିଜେଡି ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଏହାର ଏକମାତ୍ର କାରଣ ହେଉଛି ପଶ୍ଚିମାଞ୍ଚଳରେ ଚକଡା ପୋକରେ କ୍ଷତିଗ୍ରସ୍ତ ଚାଷୀମାନେ ନିଜ ନିଜ ଜମିରେ ନିଆଁ ଲଗାଇ ଦେଇଥିବାବେଳେ ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣାରେ ବିଜେଡି ଅକଳରେ ରହିଛି। ବିଜେପି ସେଠାରେ ଚାଷୀଙ୍କୁ ମତାଇ ବିଜେଡି ବିରୁଦ୍ଧରେ ନେଉଥିବାବେଳେ ବିଜେପି ଉଦ୍ୟମକୁ ପ୍ରତିହତ ସହିତ ପଶ୍ଚିମଓଡିଶା ଚାଷୀଙ୍କୁ ଧାନଦର ବୃଦ୍ଧି ଲୋଭ ଦେଖାଇ ନିଜ ପଟକୁ ନେବାପାଇଁ ବିଜେଡି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି।

ଦକ୍ଷିଣଓଡିଶାରେ ମହାନଦୀ ଓ ଚାଷୀ ପ୍ରସଙ୍ଗର କୌଣସି ପ୍ରଭାବ ନଥିବାରୁ ବିଜେଡି ଏଠାରେ ପୁଣିଥରେ ପୋଲାଭରମ ପ୍ରସଙ୍ଗକୁ ଉତ୍ଥାପନ ପାଇଁ ଯୋଜନା କରିଥିବା ସୂଚନା ମିଳିଛି। ଯଦି ଦଳ ଏଥିରେ ସଫଳ ହୁଏ ତେବେ ଦକ୍ଷିଣଓଡିଶାରେ ବିଜେଡି ପୋଲାଭରମକୁ ଆଳକରି କେନ୍ଦ୍ର ଓ ବିଜେପିର ରାସ୍ତା ଓଗାଳିବ। ଇତି ମଧ୍ୟରେ ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ସରକାର ଜାତୀୟ ମାନ୍ୟତା ଦେଇଥିବାବେଳେ ଏଥିରୁ ଆଉ ପଛକୁ ଘୁଞ୍ଚିବାର ନାହିଁ। ଏହା ବିଜେଡି ବି ଜାଣିଛି। ହେଲେ ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦକ୍ଷିଣଓଡିଶାବାସୀଙ୍କୁ ମତାଇବାକୁ ହେଲେ ପୋଲାଭରମ ହିଁ ଦଳପାଇଁ ଏକମାତ୍ର ବାଟ।

ବିଜେଡିର ଏହି ଥ୍ରୀ-ଇନ‍୍‌-ୱାନ ରାଜନୈତିକ ଗୋଟିଚାଳନାରେ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଯେ କଂଗ୍ରେସ ବିଜେଡି ସହ ସ୍ୱର ମିଳାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଏଥିରୁ କଂଗ୍ରେସକୁ କେତେ ଫାଇଦା ମିଳିବ ତାହା ପ୍ରଶ୍ନବାଚୀ ହୋଇଥିବାବେଳେ ଏହା କିନ୍ତୁ ବିଜେଡିକୁ ବେଶ‍୍‌ ସୁହାଇଛି।

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :