ବିଜେପି ବିରୁଦ୍ଧରେ ବିଜେଡି-କଂଗ୍ରେସ ଏକଜୁଟ

ଭୁବନେଶ୍ୱର,(ଓଟି): ବିଜେପିର ପଥରୋଧ ପାଇଁ ଏବେ ରାଜ୍ୟରେ ବିଜେଡି-କଂଗ୍ରେସ ଏକାଠି ହୋଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେଉ କିମ୍ୱା ମହାନଦୀଜଳ ପ୍ରସଙ୍ଗ ହେଉ, କଂଗ୍ରେସ ସହାୟତାରେ ବିଜେପିକୁ ପାନେ ଦେବାପାଇଁ ବିଜେଡି ଏବେ ରଣନୀତି ପ୍ରସ୍ତୁତ କରିଛି। କଂଗ୍ରେସ ବି ଦେଉଛି ନିରବ ସମର୍ଥନା ଆଗାମୀ ଦିନରେ ପୋଲାଭରମକୁ ଅସ୍ତ୍ର କରି ବିଜେଡି-କଂଗ୍ରେସ ବିଜେପିକୁ ଘେରିବାପାଇଁ ବି ଯୋଜନା ହୋଇଛିା

ଏଥର ବିଧାନସଭାରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ବିଜେଡି-କଂଗ୍ରେସ ହାତ ମିଳାଇ ବିଜେପିକୁ ଗୃହରେ ଏକଘରକିଆ କରିଦେଇଛନ୍ତି। ଦୁଇଦଳ ମିଶି ଗୃହରେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ମନଇଚ୍ଛା ଗାଳି କରିଛନ୍ତି। ଏଥିରେ ବିଜେଡିର ଲକ୍ଷ୍ୟ ପୂରଣ ହୋଇଥିବାବେଳେ କଂଗ୍ରେସ ବି ବିଜେପିର ବାଟ ଓଗାଳିବାରେ ସକ୍ଷମ ହୋଇଛି। ବିଧାନସଭା ଆରମ୍ଭରୁ ଦୁଇ ଦଳ ମିଶି ବିଜେପି ନେତାମାନଙ୍କ ମନୋବଳକୁ ଭାଙ୍ଗି ଦେଇଛନ୍ତି।

ଧାନ ପରେ ବିଜେଡି ଆଣିଛି ମହାନଦୀ ଜଳ ମୋସନ। ଏହି ପ୍ରସଙ୍ଗ ଅଦାଲତରେ ବିଚାରାଧିନ ଥିବା ଜାଣିଥିଲେ ବି ବିଜେଡି ଏହାକୁ ଗୃହରେ ଆଗତ କରିଥିଲା । ଆଉ ବିଜେଡିର ଏହି ମୋସନକୁ ସମର୍ଥନ ଦେଇଥିଲା କଂଗ୍ରେସ। ଧାନ ଦର ବୃଦ୍ଧି ଭଳି ମହାନଦୀ ପ୍ରସଙ୍ଗରେ ବି ବିଜେଡି-କଂଗ୍ରେସ ମିଶି ବିଜେପିର ରାଜ୍ୟ ଓ କେନ୍ଦ୍ର ନେତାମାନଙ୍କୁ ମନଇଚ୍ଛା ଗାଳିଦେଇଥିଲେ । କେନ୍ଦ୍ରର ଅବହେଳାକୁ ଦର୍ଶାଇଲେ। କାହିଁକି ଟ୍ରିବ୍ୟୁନାଲ ଗଠନ ହୋଇପାରିଲାନାହିଁ ତାହାର ଉତ୍ତର ମାଗିଲେ।

ବିଜେଡି ବି ପୋଲାଭରମ ପ୍ରସଙ୍ଗରେ ବିଜେପିକୁ ଘେରିବାପାଇଁ ଯୋଜନା କରିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଆଉ ଏଥିରେ ବିଜେଡିକୁ ସହାୟତା କରିବ କଂଗ୍ରେସ। ଦୁଇଦଳ ମିଶି ପୋଲାଭରମ ପାଇଁ ବିଜେପି ଦାୟୀ ବୋଲି କହିବେ। ଏହି ଆଳରେ ଦୁଇଦଳ ମିଶି କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିବାପାଇଁ ଯୋଜନା ଚଳାଇଥିବାର ସୂଚନା ମିଳୁଛି।

ଧାନ ଦର ବୃଦ୍ଧି ହେଉ କି ନହେଉ, ମହାନଦୀ ଓ ପୋଲାଭରମରେ ଜଳ ଆସୁ କି ନଆସୁ, ରାଜ୍ୟରେ ବଦଳୁଥିବା ରାଜନୀତି ସମୀକରଣ କିନ୍ତୁ ଚର୍ଚ୍ଚା ପାଲଟିଛି। ପୂର୍ବରୁ ବିଧାନସଭାରେ ବିଜେପି-କଂଗ୍ରେସ ମିଳିତଭାବେ ବିଜେଡିକୁ ବହୁ ପ୍ରସଙ୍ଗରେ ନାକେଦମ କରୁଥିବାବେଳେ ଏବେ କଂଗ୍ରେସ ବିଜେପିର ହାତ ଛାଡି ଦେଇଛି। ଫଳରେ ମାତ୍ର ୧୦ ବିଧାୟକଙ୍କୁ ନେଇ ଦଳ କିଭଳି ବିଜେଡି-କଂଗ୍ରେସ ଅଘୋଷିତ ମେଣ୍ଟକୁ ମୁକାବିଲା କରିବ ସେ ନେଇ ଚିନ୍ତାରେ ପଡିଥିବା ଲକ୍ଷ୍ୟ କରାଯାଉଛି। ମୋସନ ଆଲୋଚନାରେ ଦୁଇଦଳ ବିଜେପି ପଛରେ ପଡିଥିବାବେଳେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇନପାରିବା ଏବେ ଚିନ୍ତାର କାରଣ ହୋଇଛି।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply