ନିର୍ବାଚନୀ ହିଂସା: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ

0
2

ବରଗଡ଼,(ଓଟି): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଗତକାଲି ବିଳମ୍ବିତ ରାତିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ଆକ୍ରମଣ ହୋଇଛି। ସୁବ୍ରତଙ୍କ ସମେତ ୪ଜଣ ଏକ ଚାରିଚକିଆ ଗାଡ଼ିରେ ଯାଉଥିବାବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହେବା ସହ ଗାଡ଼ି ଭଙ୍ଗାରୁଜା ହୋଇଛି। ଆହତ ୪ଜଣଙ୍କୁ ପ୍ରଥମେ ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।  ବୁର୍ଲାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଆହତ ୪ଜଣଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଅଛି।  ଅନ୍ୟ ୩ ଆହତ ହେଲେ କାର୍ତ୍ତିକ ନାଗ, ମାଜି ସାହୁ ଓ ଖଗେଶ୍ୱର ମହାମଲ୍ଲିକ।  ଆକ୍ରମଣ ସମୟରେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି।

ତେବେ କାହିଁକି ଏବଂ କେଉଁମାନେ ଆକ୍ରମଣ କରିଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।  ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ତାସହ ଘଟଣାସ୍ଥଳରୁ ଗୋଟିଏ ଅଫୁଟା ଗୁଳି ସହ ୨ଟି ଖୋକା ଜବତ ପୋଲିସ କରିଛି।

ଅନ୍ୟପକ୍ଷରେ ଏହି ଆକ୍ରମଣ ପଛରେ ବିଜେପି କର୍ମୀଙ୍କ ହାତ ରହିଥିବା ବିଜେଡି ମୁଖପାତ୍ର  ପ୍ରତାପ ଦେବ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କାଲି ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁଶାନ୍ତ ସିଂହଙ୍କୁ ଟାର୍ଗେଟ କରିଥିଲେ। ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି। ବିଜେପୁରରେ ପରାଜୟ ଭୟରେ ବିଜେପି ଏପରି କରିଛି ବୋଲି ପ୍ରତାପ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ରାଜ୍ୟ ରାଜନୀତି ପୁଣି ସରଗରମ ହୋଇଯାଇଛି  ।  ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତିଯେ, ଏହି ଘଟଣାରେ ଏବେ ୩ ଜଣଙ୍କୁ ଅଟକ ରଖାଯାଇଛି  । ଅଟକଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଗତ ପଂଚାୟତ ନିର୍ବାଚନରେ ବିଜେପିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ  । ସେହିପରି ଆକ୍ରମଣ ସ୍ଥଳରେ ଛତିଶଗଡ଼ ଓ ଜିଲ୍ଲା ବାହାରର କେତେକ ଲୋକ ମଧ୍ୟ ଥିଲେ ବୋଲି ପ୍ରସନ୍ନ କହିଛନ୍ତି  ।

ଅପରପକ୍ଷରେ ବିଜେଡ଼ିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ  । ସେ କହିଛନ୍ତିଯେ, ଏହାର ଟେଣ୍ଡର ଫିକ୍ସିଂ ନେଇ ଥିବା ପୂର୍ବ ବିବାଦର ପ୍ରତିଫଳନ  । ଲୋକଙ୍କୁ ଭୂଆଁ ବୁଲାଇବାକୁ ବିଜେପି ବିରୋଧରେ ମିଛ ଅଭିଯୋଗ ଅଣାଯାଉଛି  । ସେମାନେ ରାତି ୧୨ଟାରେ ସେଠାରେ କ’ଣ କରୁଥିଲେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି  ।

ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଛି  । ତେବେ ଗତକାଲିର ଏହି ଘଟଣାକୁ ନେଇ ବିଜେପି ଓ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି  ।