ବିଶ୍ୱବିଦ୍ୟଳୟକୁ ଅଟୋନମୀ: ଏକ ବିଶ୍ଳେଷଣ

0
5

ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଦେଶର ୬୨ଟି ନାଁକରା ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ପାହ୍ୟା ବା ଅଟୋନୋମୀ ଷ୍ଟାଟସ୍ ମଞ୍ୁର କରିଛନ୍ତି । ଏହାଦ୍ୱାରା ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ବା ଅନୁଷ୍ଠାନ ନିଜର ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥାକୁ ଅଧିକ ଶକ୍ତ କରିବାରେ ସମର୍ଥ ହେବେ । ୟୁଜିଜିଙ୍କ ନିୟନ୍ତ୍ରଣରୁ ମୁକ୍ତ ହେବା ଦ୍ୱାରା ବିଶ୍ୱସ୍ତରର ବିଶ୍ୱବିଦ୍ୟାଳୟ ହେବାରେ ସେମାନେ ନିଜ ପନ୍ଥା ନିର୍ଦ୍ଧାରଣ କରିବେ । ଗଲା କିଛିବର୍ଷଧରି ଭାରତରେ ଉଚ୍ଚଶିକ୍ଷାର ନିମ୍ନଗତିକୁ ନେଇ ଚାଲିଥିବା ଚର୍ଚ୍ଚା ତଥା ବିଶ୍ୱସ୍ତରରର ଶିକ୍ଷାନୁଷ୍ଠାନ ତାଲିକାରେ ଭାରତର କୌଣସି ଅନୁଷ୍ଠାନ ସ୍ଥାନ ନପାଇବା ବିଷୟକୁ ଲକ୍ଷ୍ୟ କରି ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହି ନୀତି ବା ପଦକ୍ଷେପ ଅନୁସାରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟମାନେ ଆବଶ୍ୟକ ଅନୁସାରେ ପାଠ୍ୟକ୍ରମ ପ୍ରଚଳନ, ଅଧ୍ୟାପକ ବା ପ୍ରଫେସନାଲ୍ ନିଯୁକ୍ତି, ବିଦେଶର ପ୍ରଫେସରଙ୍କୁ ନିଯୁକ୍ତି ଦେବାର ସ୍ୱାଧିନତା ପାଇବେ । ଏହାସହ ପୂର୍ବରୁ ଯେଉଁ ସ୍ୱତନ୍ତ୍ରତା ମିଳୁଥିଲା ତାହା ମଧ୍ୟ ଜାରି ରହିବ । କାନକୁ ଶୁଣିବା ଲାଗି ଏହା ଭଲ ଲାଗୁଥିଲେ ବି ଆଶଙ୍କା ଉପୁଜିଛି ଏହା ବିଶ୍ୱବିଦ୍ୟାଳୟରେ ଶିକ୍ଷା ବ୍ୟବସାୟୀଙ୍କ ପ୍ରାଧାନ୍ୟକୁ ଅଧିକ ପ୍ରୋତ୍ସାହନ ଦେବ । ଅପରପକ୍ଷେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ରାଜ୍ୟରେ ଅମଲାତାନ୍ତ୍ରିକ କାଟ୍ ଖାଇବାରେ ମଧ୍ୟ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

 

ପ୍ରଫେସର ଅମିତ ବାନାର୍ଜୀ
କୁଳପତି- ସୋଆ ବିଶ୍ୱବିଦ୍ୟାଳୟ

ଅଟୋନମୀ ମିଳିବା ଦ୍ୱାରା ଏକ ବିଶ୍ୱବିଦ୍ୟାଳୟ ଚାହିଁଲେ ଦୂର ଓ ନିରନ୍ତର ଶିକ୍ଷା ପ୍ରଚଳନ କରିପାରିବ, ସେ ଚାହିଁଲେ ମୂଳ କ୍ୟାମ୍ପସ୍ ବାହାରେ ନିଜର କ୍ୟାମ୍ପସ୍ ପ୍ରତିଷ୍ଠା କରିପାରିବ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଅଧିକ ସୁଯୋଗ ମିଳି. ବିଶ୍ୱବିଦ୍ୟାଳୟ ଚାହିଁଲେ ଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଦେଶୀ ପ୍ରଫେସରଙ୍କୁ ନିଯୁକ୍ତି ଦେଇପାରିବେ । ଏହାଦ୍ୱାରା ଶିକ୍ଷାର ଗୁଣାତ୍ମକମାନରେ ବିକାଶ ହେବ ବୋଲି କହନ୍ତି ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମିତ ବାନାର୍ଜୀ ।

“ଏହା ଠିକ୍ ଯେ, ଏହି ଅଟୋନମୀର ଦୂରୂପୋଯୋଗ ହେବ ବୋଲି ଅନେକ ଆଶଙ୍କା କରୁଛନ୍ତି । କିନ୍ତୁ ମୁଁ ସେସବୁକୁ ଗ୍ରହଣ କରେ ନାହିଁ । ଜଣେ ବିଜ୍ଞାନ ଛାତ୍ରଭାବେ ମୋର ଏହିପ୍ରକାର ଆଶଙ୍କାରେ କୌଣସି ଆଗ୍ରହ ନଥାଏ । ଏହି ଅଟୋନମୀ କେବେ ବି ବ୍ୟବସାୟିକ ହେବ ବୋଲି ମୋର ଆଶଙ୍କା ନାହିଁ’ । ଏବେ ଗ୍ଲୋବାଲ୍‍ ସିଟିଜେନ୍‍ଙ୍କୁ ତିଆରି କରିବା ସମ୍ଭବ ହେବ । ଯେଉଁମାନଙ୍କ ପାଇଁ ସାରା ବିଶ୍ୱ କାର୍ଯ୍ୟକ୍ଷେତ୍ର ହୋଇପାରିବ ବୋଲି ପ୍ରଫେସର ବାନାର୍ଜୀ କହିଛନ୍ତି ।

 

ପ୍ରଫେସର ପ୍ରକାଶଚନ୍ଦ୍ର ଷଡ଼ଙ୍ଗୀ
ପୂର୍ବତନ କୁଳପତି- ରେଭେନ୍ସା ବିଶ୍ୱବିଦ୍ୟାଳୟ

ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ପ୍ରକାଶଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଏହି ଅଟୋନୋମୀକୁ ସ୍ୱାଗତ କରିଛନ୍ତି ।ହେଲେ ପାରମ୍ପରିକ ପାଠ୍ୟକ୍ରମ ପଢ଼ାଉଥିବା ବିଶ୍ୱବିଦ୍ୟାଳୟଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ଲଗାଇଛନ୍ତି । ଅଟୋନୋମୀ ଦ୍ୱାରା ସରକାରୀ କଳର ହସ୍ତକ୍ଷେପ କମିବ ବୋଲି ତାଙ୍କ ବିଶ୍ୱାସ । ୟୁଜିସିଙ୍କ ନିୟନ୍ତ୍ରଣ କମିବ । ବିଶ୍ୱବିଦ୍ୟାଳୟ ନିଜର ନିୟମ ନିଜେ ପ୍ରଣୟନ କରିବେ । ଏହା ବହୁତ ଆଗରୁ ହେବାର ଥିଲା । ଅପରପକ୍ଷେ କେବଳ କିଛି ନିର୍ଦ୍ଦିଷ୍ଟ ବିଶ୍ୱବିଦ୍ୟାଳୟକୁ ଏହା ଦିଆଯାଇଛି । ସେମାନଙ୍କ ଉପରେ ନିର୍ଭର କରେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି । ଏହା ଏକ ଭଲ ପଦକ୍ଷେପ ଯଦି ବିଶ୍ୱବିଦ୍ୟାଳୟଗୁଡ଼ିକୁ ପ୍ରଶାସନିକ ଅଟୋନମୀ ସହ ଅର୍ଥନୀତିକ ଅଟୋନମୀ ମଧ୍ୟ ଦିଆଯିବ । ତା’ଛଡ଼ା ସେମାନଙ୍କ ଫି’ ନିର୍ଦ୍ଧାରଣ ପାଇଁ କ୍ଷମତା ରହିବ । ଏକ୍ଷେତ୍ରରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଭଳି ପାରମ୍ପରିକ ବିଷୟ ପଢ଼ାଉଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଅସୁବିଧା ସହିପାରନ୍ତି । କାରଣ ଏମାନଙ୍କ ପାଖରେ ଅର୍ଥ ଉପାର୍ଜନର ମାଧ୍ୟମ ନଥାଏ ଯେପରି ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଥାଏ । ଯଦି ଏଥିରେ ସରକାରୀ ହସ୍ତକ୍ଷେପ ରହିବ ତେବେ ଏପରି ଅଟୋନମୀର କିଛି ମୂଲ୍ୟ ରହିବ ନାହିଁ ବୋଲି ପ୍ରଫେସର ଷଡ଼ଙ୍ଗୀ କହିଛନ୍ତି ।

 

ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ
ସଭାପତି- ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ

ଉତ୍କଳ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘ ସଭାପତି ପ୍ରଫେସା ସନ୍ତୋଷ କୁମାର ତ୍ରିପାଠୀଙ୍କ ମତରେ, ଏହି ପ୍ରକାର ନିୟମର ଉଦ୍ଦେଶ୍ୟ ହେଉଛି ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣର ଗୁଣାତ୍ମକ ବିକାଶ । ସ୍ୱତନ୍ତ୍ରତା ଦ୍ୱାରା ଏହା ସମ୍ଭବ ବୋଲି ବିଶ୍ୱାସ କରାଯାଉଛି । ଯେହେତୁ ଭାରତର ବିଶ୍ୱବିଦ୍ୟାଳୟମାନେ ବିଶ୍ୱସ୍ତରର ବିଶ୍ୱବିଦ୍ୟାଳୟ ତାଲିକାରେ ରହୁ ନାହାନ୍ତି ଏବେ ସେମାନେ ବିଶ୍ୱସ୍ତରର ବିଶ୍ୱବିଦ୍ୟାଳୟ ହେବା ପାଇଁ ପ୍ରୟାସ କରିବେ । ଏହି ମାନ୍ୟତା ମିଳିବା ପରେ ଭାରତ ସରକାରଙ୍କ ମାନବସମ୍ବଳ ବିଭାଗ ସିଧାସଳଖ ତାଙ୍କୁ କିଛି ପାଣ୍ଠି ଯୋଗାଇବେ ଏବଂ ସେମାନେ ସମ୍ପୂର୍ଣ୍ଣ ଶୈକ୍ଷିକ ସ୍ୱତନ୍ତ୍ରତା ଭୋଗ କରିବେ । ଅର୍ଥାତ୍ ସେମାନେ ଯଦି କୌଣସି ବିଦେଶୀ ପ୍ରଫେସରଙ୍କୁ ଶିକ୍ଷାଦାନ ପାଇଁ ନିଯୁକ୍ତି କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଖରେ ଆଉ ଅର୍ଥର ଅଭାବ ରହିବ ନାହିଁ । ଏହି ପ୍ରଫେସରଙ୍କ ଦରମା କେନ୍ଦ୍ର ସରକାରଙ୍କ ଦ୍ୱାରା ଭରଣା ରକରାଯିବ । ସେହିପରି ବିଦେଶରୁ ଛାତ୍ରଛାତ୍ରୀଙ୍କୁ ମଧ୍ୟ କୌଣସି ବିଶ୍ୱବିଦ୍ୟାଳୟ ଚାହିଁଲେ ଗ୍ରହଣ କରିବା ସହ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିପାରିବ । ଅନେକ ଗୁଣାତ୍ମକ ବିକାଶର ସ୍ୱପ୍ନ ଦେଖାଯାୁଥିଲେ ମଧ୍ୟ ସନ୍ଦେହ ରହିଛି ରାଜ୍ୟ ସରକାରମାନେ ଏହାକୁ କେଉଁ ପ୍ରକାରେ ଗ୍ରହଣ କରୁଛନ୍ତି । ଯଦି ରାଜ୍ୟ ସରକାରମାନେ ଏହି ଭଳି ଏକ ନୀତିକୁ ସକରାତ୍ମକ ପଦକ୍ଷେପ ଭାବେ ଗ୍ରହଣ କରନ୍ତି ତେବେ ବିଶ୍ୱବିଦ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଅମଲାତନ୍ତ୍ରମୁକ୍ତ ହେବେ । ନିଜ ଇଚ୍ଛା ଅନୁସାରେ ପାଠ୍ୟକ୍ରମ, ବିଷୟ ଏବଂ ଶିକ୍ଷକ ନିଯୁକ୍ତି କରିପାରିବେ ।

 

 

ଡ. ସୁରେନ୍ଦ୍ର କୁମାର ଜେନା
ଅଧ୍ୟାପକ ତଥା ଶିକ୍ଷକ ନେତା

କିନ୍ତୁ ଏହାକୁ କେନ୍ଦ୍ର ସରକାରେଙ୍କ ଏକ ଅଯଥା ହସ୍ତକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ଶିକ୍ଷକ ନେତା ତଥା ଅଧ୍ୟାପକ ସୁରେନ୍ଦ୍ର କୁମାର ଜେନା । ତାଙ୍କ ମତରେ, କେନ୍ଦ୍ର ସରକାରଙ୍କ କ୍ଷମତା ରହିଛି ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ । କିନ୍ତୁ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ କେନ୍ଦ୍ର କିପରି ସ୍ୱତନ୍ତ୍ରତା ଦେବ, ଏହା ଏକ ମୂଳ ପ୍ରଶ୍ନ ହୋଇ ଏବେ ଠିଆ ହୋଇଛି । ଅପରପକ୍ଷେ ଯେଉଁ ପାଠ୍ୟକ୍ରମ ନିର୍ଦ୍ଧାରଣ, ଶିକ୍ଷକ ନିଯୁକ୍ତି, ପରୀକ୍ଷା ପରିଚାଳନା ଏବଂ ଦୂର ଶିକ୍ଷା ପ୍ରଚଳନ ଆଦି କଥା କୁହାଯାଉଛି ଏସବୁ କ୍ଷମତା ଏବେ ବି ବିଶ୍ୱବିଦ୍ୟଳୟ ହାତରେ ନ୍ୟସ୍ତ ରହିଛି । ଏଣୁ ଏଥିରେ ନୂତନତା ଆସୁଛି କେଉଁଠୁ? ଅପରପକ୍ଷେ ଯେଉଁ ଉଦ୍ଦେଶ୍ୟରେ ସ୍ୱତନ୍ତ୍ରତା କଥା କୁହାଯାଉଛି ସେଥିପାଇଁ ଆବଶ୍ୟକ ଆର୍ଥିକ ସ୍ୱତନ୍ତ୍ରତା ବିଶ୍ୱବିଦ୍ୟାଳୟ ବା କଲେଜମାନଙ୍କୁ କିଏ ଦେବ?

ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଗଭୀର ଭାବେ ଆର୍ଥିକ ଦୟନୀୟତା ଭିତରେ ଗତି କରୁଛନ୍ତି । କେନ୍ଦ୍ର ସରକାର ଦେଉଥିବା କିଛି ଅନୁଦାନ ବ୍ୟତୀତ ରାଜ୍ୟ ସରୀକାର ଅôଧକ ଅର୍ଥ ବ୍ୟବସ୍ଥା କରୁନାହାନ୍ତି । ଏଥିପାଇଁ ଅଧିକାଂଶ ଶିକ୍ଷକ ପଦବୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିପଡ଼ିଛି । ଠିକା ନିଯୁକ୍ତିରେ ବିଶ୍ୱବିଦ୍ୟାଳୟ ଚାଲିଛି । ବୋଧହୁଏ ଏପରି ସ୍ୱତନ୍ତ୍ରତା ଆପଣାଇ ରାଜ୍ୟ ଓ କେନ୍ଦ୍ର ସରକାର ନିଜକୁ ଦାୟିତ୍ୱମୁକ୍ତ କରିବାକୁ ଚାହୁଁଥିବେ! ଅର୍ଥାତ୍ ଏହାଦ୍ୱାରା ସ୍ଥାୟୀ ନିଯୁକ୍ତି କମିବ, ଠିକା ନିଯୁକ୍ତି ବଢ଼ିବ । ପରୋକ୍ଷ ବା ପ୍ରତ୍ୟକ୍ଷଭାବେ ଏହି ବ୍ୟବସ୍ଥା ବିଶ୍ୱବିଦ୍ୟାଳୟର ସତ୍ତା ହରାଇବାରେ ସହାୟକ ହେବ । ଘରୋଇ ବିଶ୍ୱବିଦ୍ୟଳୟଗୁଡ଼ିକୁ ସ୍ୱତନ୍ତ୍ରତା ଦେଲେ ସେମାନେ ବ୍ୟବସାୟ କରିବେ । ସ୍ୱତନ୍ତ୍ରତା ପାଇଲେ ୟୁଜିସିଙ୍କ କ୍ଷମତା ଗୌଣ ହେବ । ଏଣୁ ଏ ବ୍ୟବସାୟ ବଢ଼ିବ । କେବଳ ଘରୋଇ ନୁହେଁ ସରକାରୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ଘରୋଇ ମାଲିକାନା ବଢ଼ିବ । କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ତଥାଗବେଷଣା ପାଇଁ ଅର୍ଥ ନିବେଶ କରାନ୍ତୁ । ଗରିବ ଓ ମେଧାବୀ ପିଲାମାନଙ୍କ ପାଇଁ ଅଧିକରୁ ଅôଧକ ପ୍ରୋତ୍ସାହନ ତଥା ବୃତ୍ତି ବ୍ୟବସ୍ଥା କରନ୍ତୁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।