୫ ବର୍ଷ ଧରି ଖତ ଖାଉଛି କୃଷକ କମିଶନ ରିପୋର୍ଟ

0
3

ଭୁବନେଶ୍ୱର,(ଓଟି): ରାଜ୍ୟର କୃଷକମାନଙ୍କ ସମସ୍ୟାର ଅନୁଧ୍ୟାନ କରି ତାହାର ପ୍ରତିକାର ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ପ୍ରାୟ ୮ ବର୍ଷ ତଳେ ସରକାର ବସାଇଥିବା ୪ ଜଣିଆ କମିଶନଙ୍କ ରିପୋର୍ଟ ଉପରେ ଚାଲିଥିବା ଅନୁଧ୍ୟାନ ଶେଷ ହେଉନାହିଁ। ବିଜେପି ବିଧାୟକ ଦିଲିପ ରାୟଙ୍କ ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୦୨.୦୧.୨୦୧୦ରେ ରାଜ୍ୟ ସରକାର ବସାଇଥିବା ଏହି କମିଶନ‌୍‍ରେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ଦେବୀପ୍ରସାଦ ରାୟ ଆବାହକ ଥିବା ବେଳେ ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ସୁଧାକର ପଣ୍ଡା ଓ ଖ୍ୟାତନାମା ମୃତ୍ତିକା ବିଜ୍ଞାନୀ ଡ. ନିରଞ୍ଜନ ପଣ୍ଡା ଏହାର ଅନ୍ୟତମ ସଦସ୍ୟ ଥିଲେ।

ଏହି କମିଶନ ବ୍ୟାପକ ଅନୁଧ୍ୟାନ କରି ୧୫.୧୨.୨୦୧୨ରେ ସରକାରଙ୍କୁ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ଦେଇଥିବା କଥା ପୂର୍ବରୁ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦିଆଯାଇଥିଲା। ଏହି ରିପୋର୍ଟକୁ ଅନୁଧ୍ୟାନ କରିବା ଲାଗି ରାଜ୍ୟ ସରକାର କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ୧୭.୦୧.୨୦୧୪ରେ ଗଠନ କରିଥିଲେ। ଏହି କମିଟିରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଆବାହକ ଥିବା ବେଳେ ଉଦ୍ୟାନ କୃଷି ନିର୍ଦ୍ଦେଶକ, କୃଷି ବିଶ୍ୱବିଦ୍ୟାଳୟର ୨ ଜଣ ଡିନ‌୍‍ ଓ ଜଣେ ନିର୍ଦ୍ଦେଶକ ଏବଂ କୃଷି ବିଭାଗର ଅନ୍ୟ ଜଣେ ଅଧିକାରୀ ସଦସ୍ୟ ରହିଥିଲେ। ଏହି ବିଶେଷଜ୍ଞ କମିଟିର ବୈଠକ ୨୦୧୪ ଓ ୧୫ ରେ ଥରେ ଲେଖାଏଁ ଅନୁଷ୍ଠିତ ହୋଇଛି। ଏହି ବିଶେଷଜ୍ଞ ତାଙ୍କ ଚୂଡ଼ାନ୍ତ ରିପୋର୍ଟ ସରକାରଙ୍କୁ କେବେ ଦେଇଛନ୍ତି ଓ ତଦନୁଯାୟୀ କୃଷକ କମିଶନଙ୍କ ରିପୋର୍ଟର ସୁପାରିଶକୁ ସରକାର କେବେ ମାନି ନେଇଛନ୍ତି ବୋଲି ବିଧାୟକ ଶ୍ରୀ ରାୟ ନିର୍ଦ୍ଦିଷ୍ଟ ଭାବେ ଜାଣିବାକୁ ଚାହିଁଥିଲେ ମଧ୍ୟ ସେ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ।

ରାଜକୋଷର ବ୍ୟାପକ ସମ୍ୱଳ, ସମୟ ଓ ଶକ୍ତି ଖଟାଯାଇ ସରକାର ବସାଇଥିବା କୃଷକ କମିଶନଙ୍କ ରିପୋର୍ଟ ଅମଲାତନ୍ତ୍ରର ଶୀତଳ ଭଣ୍ଡାରରେ ୫ ବର୍ଷ ଧରି ପଡ଼ି ରହିଛି ନା ଏହାକୁ ଚକଡ଼ା ପୋକ ଚରି ଯାଇଛନ୍ତି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି। ଓଡ଼ିଶାର ବିକାଶ ସହିତ କୃଷି ଓ କୃଷକଙ୍କ ବିକାଶ ଜଡ଼ିତ ଥିବା ପରିପ୍ରେକ୍ଷୀରେ ସରକାର ସମନ୍ୱିତ ଯୋଜନା ପ୍ରଣୟନ କରି କୃଷିଭିତ୍ତିକ ଶିଳ୍ପମାନ ପ୍ରତିଷ୍ଠା କରିବା ଏବଂ ଆଳୁ, ଡାଲି, ତୈଳବୀଜ, ଫୁଲ, ଫଳ, ଚିନି, ତେଲ ସମେତ ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ୱନଶୀଳ କରିବା ପାଇଁ ସମୟଭିତ୍ତିକ ସକରାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଶ୍ରୀ ରାୟ ଦାବି କରିଛନ୍ତି।