କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ମହାନଦୀର ସୁରକ୍ଷା ପାଇଁ ଏକାଠି ଲଢ଼ିବାକୁ ନରସିଂହଙ୍କ ଆହ୍ୱାନ

ଭୁବନେଶ୍ୱର,(ଓଟି):  ମହାନଦୀ  ଏକ ନୂତନ ପ୍ରସଙ୍ଗ ନୁହେଁ । ପୂର୍ବରୁ ବିଧାନସଭାରେ ବହୁବାର ଏନେଇ ବିତର୍କ ହୋଇଛି । ରାଜ୍ୟ ସରକାରଙ୍କୁ ଅତୀତରେ ବହୁବାର ସତର୍କ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏପରିକି ଓଡ଼ିଶାର ସ୍ୱାର୍ଥ ଓ ମହାନଦୀର ସୁରକ୍ଷା ପାଇଁ ସର୍ବଦଳୀୟ ବୈଠକ ମଧ୍ୟ ଡକାଗଲା ନାହିଁ । ବାଧ୍ୟହୋଇ ସେ ନିଜେ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଶାସକ ଦଳର କୌଣସି ପ୍ରତିନିଧି ଯୋଗ ଦେଇନଥିଲେ ବୋଲି  ମହାନଦୀ ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ ଗଠନ ଓ ଶୁଣାଣୀ ପର୍ଯ୍ୟନ୍ତ ଛତିଶଗଡ଼କୁ କାମ କରିବାର ସୁଯୋଗ ନଦିଆଯିବା ଆଦି ଦାବି ନେଇ ସର୍ବଦଳୀୟ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ । କଂଗ୍ରେସ ବିଧାୟକ ଦଳ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଏସଂକ୍ରାନ୍ତରେ ଆଲୋଚନା କରିଥିଲେ । ୨୦୦୧ରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ, କୌଣସି ପରିସ୍ଥିତିରେ ବି ମହାନଦୀ ଉପରମୁଣ୍ଡରେ ଛତିଶଗଡ଼କୁ ବ୍ୟାରେଜ୍ ନିର୍ମାଣ କରିବାକୁ ଦେବେ ନାହିଁ ।

ବ୍ୟାରେଜ୍ ନିର୍ମାଣ ଆରମ୍ଭ ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେଡ଼ି-ବିଜେପି ସରକାର ଥିଲା । ବିଜେଡ଼ି ସାଂସଦ ଅର୍ଜୁନ ଚରଣ ସେଠୀ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ମଧ୍ୟ ଥିଲେ । ହେଲେ ଛତିଶଗଡ଼କୁ ରୋକିବାରେ ସରକାର ବିଫଳ ହୋଇଥିଲେ । ଅତୀତରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ପ୍ରଶ୍ନ କରାଯାଇଥିଲା । ତେବେ ଏହାଦ୍ୱାରା ମହାନଦୀରେ ଜଳପ୍ରବାହ ହ୍ରାସ ପାଇବ ନାହିଁ ଓ ପୂର୍ବାପେକ୍ଷା ଏବେ ୨୪ ପ୍ରତିଶତ  ଅଧିକ ଜଳ ପ୍ରବାହିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଉତର ଦେଇଥିଲେ। ସେତେବେଳେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିଥିଲେ ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିନଥା’ନ୍ତା ବୋଲି ନରସିଂହ କହିଛନ୍ତି। ନରସିଂହ କହିଲେଯେ, ମହାନଦୀ ପ୍ରସଙ୍ଗରେ ଷୋହଳ ବର୍ଷ ତଳୁ ଟ୍ରିବୁନାଲ ଗଠନ କରିବା କଥା । ଏବେ ରାଜ୍ୟ ସରକାର ଟ୍ରିବୁନାଲ ଗଠନ ପାଇଁ ଦାବି କରିଛନ୍ତି ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ନରସିଂହ କହିଲେ, ଆନ୍ତଃ ଜଳ ବିବାଦ ଆଇନ୍ ଅନୁସାରେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ନହେଲେ କେନ୍ଦ୍ର ସରକାର ଟ୍ରିବୁନାଲ ଗଠନ କରିବା କଥା । ଅଭିଯୋଗର ବର୍ଷକ ମଧ୍ୟରେ ଟ୍ରିବୁନାଲ ଗଠନ କରିବାକୁ କେନ୍ଦ୍ର ସରକାର ବାଧ୍ୟ । ରାଜ୍ୟ ସରକାର ୨୦୧୬ ନଭେମ୍ବର ୧୯ରେ କେନ୍ଦ୍ର ନିକଟରେ ମହାନଦୀ ଜଳବିବାଦ ସଂକ୍ରାନ୍ତରେ ଉପସ୍ଥାପନ କରିଥିଲେ । ତେଣୁ ୨୦୧୭ ନଭେମ୍ବର ୧୯ ସୁଦ୍ଧା କେନ୍ଦ୍ର ସରକାର ଟ୍ରିବୁନାଲ ଗଠନ କରିବା କଥା । ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଛତିଶଗଡ଼ ଯେଉଁ ବ୍ୟାରେଜ୍ ନିର୍ମାଣ କରୁଛି ତାହା ଜଳସେଚନ ପାଇଁ ଉଦ୍ଧିଷ୍ଟ ନୁହେଁ । ଛତିଶଗଡ଼ ନିର୍ମାଣ କରିଥିବା ୬ ବ୍ୟାରେଜ୍ କମ୍ପାନୀମାନଙ୍କ ଅର୍ଥରେ ନିର୍ମାଣ କରାଯାଇଛି । କମ୍ପାନୀମାନଙ୍କ ସହ ଛତିଶଗଡ଼ ସରକାରଙ୍କ ଚୁକ୍ତି ନାମା ଅନୁଯାୟୀ କମ୍ପାନୀର ବିନା ଅନୁମତିରେ ବୁନ୍ଦାଏ ବି ଜଳ ପାନୀୟ ଜଳ ବା ଜଳସେଚନ ପାଇଁ ବ୍ୟବହାର କରାଯାଇପାରିବ ନାହିଁ । ତେବେ ଆଇନ ଉଲ୍ଲଂଘନ କରି ମଧ୍ୟ ଛତିଶଗଡ଼ ସରକାର ତାଙ୍କ ରାଜ୍ୟ ପାଇଁ କେଲୋ ଭଳି ଭଲ ପ୍ରକଳ୍ପ କରିଛନ୍ତି । ଓଡ଼ିଶାର ସ୍ୱାର୍ଥ ହାନି କରି ଛତିଶଗଡ଼ ବେଆଇନ୍ ଭାବେ ବ୍ୟାରେଜ୍ ନିର୍ମାଣ କରୁଛି ବୋଲି ସ୍ପଷ୍ଟ ହୋଇଯାଇଛି । ତେବେ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ହିଁ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ଦରକାର ।

ଆଲୋଚନାରେ ନରସିଂହ ସୁପ୍ରିମକୋର୍ଟରେ ଦାଏର ମାମଲାକୁ ନେଇ ସମାଲୋଚନା କରିଥିଲେ । ସେ କହିଥିଲେଯେ, ସୁପ୍ରିମକୋର୍ଟରେ ଲକ୍ଷ ଲକ୍ଷ ମାମଲା ପଡ଼ିରହିଛି । ମାମଲା ଦାଏର କଲେ ତାହା ସରିବାକୁ ବହୁତ ସମୟ ଆସେ । ତେଣୁ ସରକାରଙ୍କୁ ଏଭଳି ପରାମର୍ଶ କିଏ ଦେଲା ସେ ନେଇ ନରସିଂହ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ତେଣୁ ଏହି ମାମଲାରେ ସରକାର ତୁରନ୍ତ ଅନ୍ତରୀଣ ଆଦେଶ ପାଇଁ ପ୍ରୟାସ କରିବା ଦରକାର । ମହାନଦୀ ଟ୍ରିବ୍ୟୁନାଲ ଗଠନ ସହ ଛତିଶଗଡ଼ର ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଆଣିବାକୁ ସେ ପରାମର୍ଶ ଦେଇଥିଲେ । ସେ କହିଲେ ଯେ ଏହି ପ୍ରସଙ୍ଗରେ ପରସ୍ପରକୁ କାଦୁଅ ନଫିଙ୍ଗି ମିଳିତ ଭାବେ କାର୍ଯ୍ୟ କରିବା ଦରକାର । କଂଗ୍ରେସ ସବୁବେଳେ ରାଜ୍ୟ ସ୍ୱାର୍ଥ ପାଇଁ ଲଢେ଼ଇ କରିଆସିଛି । ଆମେ ଯେକୌଣସି ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ । ଅତୀତରେ ସେ ନିଜେ ଓଡ଼ିଶା ପାଇଁ କେନ୍ଦ୍ରର କଂଗ୍ରେସ ସରକାର ବିରୋଧରେ ମଧ୍ୟ ଲଢ଼ିଥିଲେ । ବିଜେପି ମଧ୍ୟ ରାଜ୍ୟର ସ୍ୱାର୍ଥ ପାଇଁ ସମାନ ଢଙ୍ଗରେ କାର୍ଯ୍ୟ କରିବା ଉଚିତ୍ । ଏଥିରୁ ରାଜନୈତିକ ଫାଇଦା ଆଶା ନରଖି ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଲଢେ଼ଇ କରିବାକୁ ସବୁ ଦଳ ଏକାଠି ହେବାକୁ ନରସିଂହ ଆହ୍ୱାନ ଦେଇଥିଲେ ।

ଛତିଶଗଡ଼ ପ୍ରକଳ୍ପ କାମ ଯୋଗୁଁ ୪୧ପ୍ରତିଶତ ଜଳପ୍ରବାହ କମିଛି: ଅମର ଶତପଥୀ

ମହାନଦୀ ମହାବିବାଦ ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ  ମୋସନ ଆଣି ମୁଖ୍ୟ ସଚେତକ ଅମର ଶତପଥୀ ଏ ସମ୍ପର୍କରେ ଗୃହରେ ବିବୃତି ରଖିଛନ୍ତି । ସେ କହିଛନ୍ତି, ମହାନଦୀ ଜଳ ପ୍ରଭାହ ଉପରେ ରାଜ୍ୟର ଆଇନଗତ ଅଧିକାର ଅଛି। ମହାନଦୀ ଉପରେ ବର୍ତ୍ତମାନ ୧୨ଟି ପ୍ରକଳ୍ପ ତିଆରି କରୁଛି ଛତିଶଗଡ଼। ନିୟମ ଉଲଘଂନ କରି ୮ଟି ବୃହତ ପ୍ରକଳ୍ପ କାମ କରୁଛି। ୨୯ଟି ମଧ୍ୟମ ପ୍ରକଳ୍ପ କାମ ତିଆରି ଚାଲିଛି। ଯହା ଫଳରେ ଡିସେମ୍ବର ସୁଦ୍ଧା ୪୧ ପ୍ରତିଶତ ଜଳ ପ୍ରବାହ କମିଛି । ଏହା ବୃଦ୍ଧି ପାଇଁ ମାର୍ଚ୍ଚ ଓ ଏପ୍ରିଲ ବେଳକୁ ୭୩ ପ୍ରତିଶତ ଓ ମେ ବେଳକୁ ୭୮ ପ୍ରତିଶତ ହେବା ଆଶଙ୍କା ରହିଛି ବୋଲି ଶ୍ରୀ ଶତପଥି ବିବୃତି ରଖିଛନ୍ତି । ଏପରି ହେଲେ ରାଜ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇପାରେ । ଏପରି ପରିପ୍ରେକ୍ଷୀରେ ସିଡବ୍ଲ୍ୟୁସି ଓ ଜଳ ସମ୍ପଦ ମନ୍ତ୍ରାଳୟ ନିରବଦ୍ରଷ୍ଟା ସାଜିଥିବା ସେ କହିଛନ୍ତି ।

 

 

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :