ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ର ୨ ହଜାରରୁ ଅଧିକ ପ୍ରକଳ୍ପ : ମହାନଦୀ ପ୍ରଭାବିତ

0
3

ଭୁବନେଶ୍ୱର,(ଓଟି): ଗୋଟିଏ କି ଦୁଇଟି ନୁହେଁ, ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ୨୨୬୮ଟି ପ୍ରକଳ୍ପ ନିର୍ମାଣ କରିସାରିଥିବା ବେଳେ ଆଉ ୪୪୩ଟି ପ୍ରକଳ୍ପ ନିର୍ମାଣାଧିନ ଅବସ୍ଥାରେ ଅଛି। ବ୍ରାହ୍ମଣୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ସରକାର ୧୫ଟି ବନ୍ଧ ନିର୍ମାଣ କରିସାରିଥିବା ବେଳେ ଆଉ ୩ଟି ବନ୍ଧର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି।

ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକ ମଧ୍ୟରୁ କାହାର ଉପରମୁଣ୍ଡରେ ଓ ତଳମୁଣ୍ଡରେ କେଉଁଠାରେ କେଉଁ କେଉଁ ରାଜ୍ୟ ସରକାର ବନ୍ଧ ବାନ୍ଧିଛନ୍ତି ଓ ଆଉ କେଉଁଠି ବନ୍ଧ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଛନ୍ତି ଏବଂ ତଦ୍ୱାରା ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକ ଉପରେ କ’ଣ ପ୍ରଭାବ ପଡ଼ୁଛି ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁବା ସହିତ ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏ ସଂକ୍ରାନ୍ତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସଂକ୍ରାନ୍ତରେ ପ୍ରଶ୍ନ ଉଠାଇଥିଲେ।

ଏହାର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ପୂଜାରୀ ଉଲ୍ଲେଖ କରିଛନ୍ତି ଯେ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ୮ଟି ବୃହତ, ୨୯ଟି ମଧ୍ୟମ, ୧୮୬୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ୩୭୧ଟି ଆନିକଟ ନିର୍ମାଣ କରିଥିବା ବେଳେ ୪ଟି ବୃହତ, ୩ଟି ମଧ୍ୟମ, ୩୦୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୧୨୫ଟି ଆନିକଟ‌୍‍ ଓ ୬ଟି ଶିଳ୍ପ ଭିତ୍ତିକ ବ୍ୟାରେଜ‌୍‍ ନିର୍ମାଣାଧିନ ରହିଛି।

ବର୍ତ୍ତମାନ ଛତିଶଗଡ଼ ସରକାର ମହାନଦୀ ଉପରେ ନିର୍ମାଣ କରିଥିବା ପ୍ରକଳ୍ପଗୁଡ଼ିକର ଜଳ ବ୍ୟବହାର କ୍ଷମତା ୮.୩୧ ନିୟୁତ ଏକର ଫୁଟ ଥିବା ବେଳେ ଏହା ୨୭.୪୮ ନିୟୁତ ଏକର ଫୁଟକୁ ବଢ଼ିପାରେ। ଛତିଶଗଡ଼ ସରକାରଙ୍କ ଶିଳ୍ପ ଭିତ୍ତିକ ବ୍ୟାରେଜ‌୍‍ ପାଇଁ ମହାନଦୀ ଜଳକୁ ଅବରୋଧ କରାଯିବାରୁ ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବାହ ହ୍ରାସ ପାଇଛି। ଏଥିଯୋଗୁ ଓଡ଼ିଶାରେ ବିଦ୍ୟୁତ‌୍‍ ଉତ୍ପାଦନ, ଜଳସେଚନ, ଶିଳ୍ପଭିତ୍ତିକ ପ୍ରକଳ୍ପକୁ ଜଳଯୋଗାଣ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅସୁବିଧା ଉପୁଜିବା ସମ୍ଭାବନା ଅଛି। ଏବେ ଅଣମୌସୁମୀ ଋତୁରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମୁଛି। ଛତିଶଗଡ଼ର ଏହି ପ୍ରକଳ୍ପଗୁଡ଼ିକ ଯୋଗୁ ମହାନଦୀର ତଳମୁଣ୍ଡରେ ଥିବା ସାତକୋଶିଆ ଗଣ୍ଡ ଅଭୟାରଣ୍ୟ, ଚିଲିକା ହ୍ରଦ, ଭିତରକନିକା ହେନ୍ତାଳ ବଣ, ଗହିରମଥା ଆଦି ପ୍ରାକୃତିକ ସମ୍ୱଳ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଓଡ଼ିଶା ସରକାର ମହାନଦୀ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଯେଉଁ ମାମଲା ରୁଜୁ କରିଥିଲେ ସେଥିରେ ଏକ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଓଡ଼ିଶାରେ ପ୍ରବାହିତ କୋଲାବ‌୍‍ (ସାବେରୀ) ନଦୀ ଆନ୍ଧ୍ରପ୍ରଦେଶରେ ଗୋଦାବରୀରେ ମିଶିଛି। ଆନ୍ଧ୍ର ସରକାର ଗୋଦାବରୀ ଉପରେ ପୋଲାଭରମ‌୍‍ ଡ୍ୟାମ‌୍‍ କାମ ଚାଲୁ ରଖିଛନ୍ତି। ଏଥିଯୋଗୁ ଓଡ଼ିଶାର ବ୍ୟାପକ କ୍ଷତି ହେବ। ଏ ସଂକ୍ରାନ୍ତରେ ବି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଝାଡ଼ଖଣ୍ଡରୁ ପ୍ରବାହିତ ଶଙ୍ଖ ଓ କୋଏଲ‌୍‍ ନଦୀର ମିଶ୍ରଣରେ ରାଉରକେଲା ନିକଟରେ ବ୍ରାହ୍ମଣୀ ନଦୀ ସୃଷ୍ଟି ହୋଇଛି। ଶଙ୍ଖ ଓ କୋଏଲ‌୍‍ ନଦୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ସରକାର ୧୫ଟି ବନ୍ଧ ନିର୍ମାଣ କରିସାରିଥିବା ବେଳେ ଆଉ ତିନୋଟିର କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଛି।

ବାଂଶଧାରା ଓ ନାଗାବଳୀ ନଦୀର ତଳମୁଣ୍ଡରେ ଆନ୍ଧ୍ରପ୍ରଦେଶ ସରକାର କେତେଗୁଡ଼ିଏ ବନ୍ଧ ନିର୍ମାଣ କରିଛନ୍ତି। ବାଂଶଧାରା ଉପରେ ଆନ୍ଧ୍ର କରିଥିବା ଗୋଟା ବ୍ୟାରେଜ‌୍‍ ଯୋଗୁ ଉପରମୁଣ୍ଡରେ ପଟୁମାଟି ଜମିବା ଫଳରେ ଓଡ଼ିଶାର କାଶୀନଗର ବ୍ଲକ‌୍‍ ଓ ଗୁଣପୁର ସହର ପ୍ରତି ବନ୍ୟା ଆଶଙ୍କା ରହିଛି। ମେରେଡି ବ୍ୟାରେଜ‌୍‍ ଯୋଗୁ ମଧ୍ୟ ଓଡ଼ିଶାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ଗୁଣପୁର ପ୍ରତି ବନ୍ୟା ଆଶଙ୍କା ବଢ଼ିବ। ଆନ୍ଧ୍ରପ୍ରଦେଶର କାଟ୍ରାଗୁଡ଼ାଠାରେ ନିର୍ମାଣାଧିନ ବନ୍ଧ ଯୋଗୁ ବି ସମସ୍ୟା ଉପୁଯିବ। ମହେନ୍ଦ୍ରତନୟା ଉପରେ ଆନ୍ଧ୍ର ଚାପ୍ରାଠାରେ ଯେଉଁ ବନ୍ଧ ନିର୍ମାଣ କରୁଛି ସେଥିଯୋଗୁ ପାରଳାଖେମୁଣ୍ଡି ସହରକୁ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସଙ୍କଟ ଉପୁଜିବା ଆଶଙ୍କା ରହିଛି। ନାଗାବଳୀର ଉପନଦୀ ଝଞ୍ଜାବତୀ ଉପରେ ଆନ୍ଧ୍ର ବନ୍ଧ ନିର୍ମାଣ କଲେ ରାୟଗଡ଼ା ଜିଲ୍ଲାର କେତେକ ଗ୍ରାମ ଜଳମଗ୍ନ ହୋଇପାରେ। ସେହିପରି ପାର୍ବତୀପୁରମ‌୍‍ ନିକଟରେ ନାଗାବଳୀ ଉପରେ ଛୋଟାପଲ୍ଲୀ ବ୍ୟାରେଜ‌୍‍ ପ୍ରଭାବ ଯୋଗୁ ରାୟଗଡ଼ା ଜିଲ୍ଲାରେ ବନ୍ୟା ଆଶଙ୍କା ବଢ଼ିବ। ବାଂଶଧାରା ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗତ ସେପ୍ଟେମ୍ୱର ମାସରେ ଦେଇଥିବା ରାୟ ବିରୋଧରେ ସରକାର ଏକ ରିଭ୍ୟୁ ପିଟିସନ‌୍‍ ଦାଖଲ କରିଛନ୍ତି।

ପାଣି, ପବନ ଓ ସୂର୍ଯ୍ୟାଲୋକ ଉପରେ ସମସ୍ତଙ୍କର ସମାନ ଅଧିକାର ଥିବା ଏବଂ ଭାରତରେ ସଂଘୀୟ ଗଣତନ୍ତ୍ରର ବ୍ୟବସ୍ଥା ବଳବତ୍ତର ଥିବା ବେଳେ କେତେକ ପଡ଼ୋଶୀ ରାଜ୍ୟ ଯେପରି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପ୍ରତି ଆଖି ବୁଜିଦେଇ ବ୍ୟାପକ ସଂଖ୍ୟକ ବନ୍ଧ ନିର୍ମାଣ କରୁଛନ୍ତି ସେଥିଘେନି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଗଭୀର ଉଦବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଦଳମତ ନିର୍ବିଶେଷରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଭିନ୍ନ ରାଜନୈତିକ ଦଳ, ଗଣ ସଙ୍ଗଠନ ଓ ସଚେତନ ବ୍ୟକ୍ତି ବିଶେଷ ପ୍ରକୃତି, ପରିବେଶ ଓ ମଣିଷ ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନଦୀ ମାତୃକାର ସୁରକ୍ଷା ପ୍ରସଙ୍ଗରେ “ଆଗ ମାଟି ଓ ତା’ପରେ ପାର୍ଟି’ ନୀତିକୁ ଆପଣାଇବାକୁ ନିବେଦନ କରିଛନ୍ତି।