BIGtheme.net http://bigtheme.net/ecommerce/opencart OpenCart Templates

ଧର୍ମ ନାଁରେ ତୁଷ୍ଟୀକରଣ ଯୋଜନା ଆପଣାଇଛି ବିଜେଡି: ତୀର୍ଥଯାତ୍ରୀ ଓ ହବିଷ ବ୍ରତ ଯୋଜନା ଏହାର ଜ୍ୱଳନ୍ତ ଉଦାହରଣ

ଭୁବନେଶ୍ୱର, (ଓଟି): ହିନ୍ଦୁ-ମୁସଲମାନ ପ୍ରସଙ୍ଗଯେ ଓଡ଼ିଶାରେ ଏକ ମୂଲ୍ୟହୀନ ବିଷୟ ତାହାକୁ କେହି ଏଡ଼ାଇ ଦେଇ ପାରିବେ ନାହିଁ । ଯଦିଓ ସମୟ ଅସମୟରେ ଏରାଜ୍ୟରେ ଦଙ୍ଗା ବିବାଦ ଦେଖା ଦେଇଛି କିନ୍ତୁ ତାହା ସଙ୍ଗେ ସଙ୍ଗେ ଥମିବାର ଉଦାହରଣ ମଧ୍ୟ ରହିଛି । ଏଠି ରାଜନୀତିକ ଦଳ ଏହି ପ୍ରସଙ୍ଗକୁ ନେଇ ଖେଳିବାକୁ ଚେଷ୍ଟା କରିନାହାନ୍ତି ତାହା ନୁହେଁ କିନ୍ତୁ ଶାନ୍ତିପୂର୍ଣ୍ଣ ରାଜ୍ୟରେ ତାହା ଫେଲ୍‍ ମାରିଛି । କିନ୍ତୁ ଓଡ଼ିଶାଯେ ସରକାରୀ ଭାବେ ଧର୍ମ, ତୀର୍ଥଯାତ୍ରା ଓ ଧର୍ମୀୟ ଅନୁଷ୍ଠାନକୁ ପ୍ରୋତ୍ସାହନ ଦେଉନାହିଁ ତାହା କହିବା ଅନୁଚିତ ହେବ । ଭୋଟ୍‍ ବ୍ୟାଙ୍କ୍‍ ତୁଷ୍ଟୀକରଣ ନାଁରେ ଓଡ଼ିଶା ସରକାର ପରମ୍ପରା ଭାବରେ ଚାଲିଥିବା ପ୍ରୋତ୍ସାହନ ବ୍ୟବସ୍ଥାକୁ ଜାରି ରଖିବା ସହ ନୂଆ ନୂଆ ଯୋଜନା ମଧ୍ୟ ଆରମ୍ଭ କରି ରାଜ୍ୟରେ ଚହଳ ପକାଇଛନ୍ତି । ଏହିକ୍ରମରେ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା, କାର୍ତ୍ତିକ ହବିଷବ୍ରତ ଯୋଜନା ଚର୍ଚ୍ଚା ପରିସରକୁ ଆସିଛି ।
ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଧର୍ମ ଓ ଧାର୍ମିକ ଅନୁଷ୍ଠାନକୁ ସରକାରୀ ନିୟନ୍ତ୍ରଣ ମୁକ୍ତ ରଖିବା ଲାଗି ସବୁବେଳେ ଚର୍ଚ୍ଚା ହୁଏ । ଏ ବାବଦରେ ଅନେକଥର ଦେଶର ବିଭିନ୍ନ କୋର୍ଟ ମଧ୍ୟ ଶୁଣାଣି କରିଛନ୍ତି ଆଉ ସରକାରଙ୍କୁ ଧର୍ମୀୟ ଅନୁଷ୍ଠାନ ପରିଚାଳନାରୁ ବିରତ ରଖିଛନ୍ତି । କିନ୍ତୁ ହିନ୍ଦୁ ଧର୍ମ ଅନୁଷ୍ଠାନ ମାନଙ୍କ ନାମରେ ଥିବା ସମ୍ପତ୍ତିକୁ ସରକାର ନିଜ ଆୟତ୍ତାଧୀନ କରି ଦେବଦେବୀଙ୍କୁ ଚଳିବା ଲାଗି ସରକାରଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ କରିଛନ୍ତି । ଏହିକ୍ରମରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଯେଉଁଧାରା ବ୍ରିିଟିଶଙ୍କ ପ୍ରବେଶ ପରେ ୧୮୭୮ରେ ଆରମ୍ଭ ହୋଇଥିଲା ତାହା ଏଯାଏ ପ୍ରଚଳିତ ରହିଛି । ଧର୍ମୀୟ ଅନୁଷ୍ଠାନଗୁଡ଼ିକୁ ସ୍ୱୟଂ ସମ୍ପନ୍ନ କରିବା ବଦଳରେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତ କରି ତାହାର ପରିଚାଳନା କରିବା ଓଡ଼ିଶାର ତହସିଲ୍‍ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ଯାଏ ବେଶ୍‍ ସକ୍ରିୟ ରହିଛି ।

ତହସିଲ୍‍ ସ୍ତରରେ ତହସିଲ୍‍ଦାର, ଉପ ଜିଲ୍ଲାପାଳମାନେ ବିଭିନ୍ନ ମନ୍ଦିର ପରିଚାଳନା ବୋର୍ଡର ମୁଖ୍ୟ ରହୁଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ରାଜ୍ୟ ସରକାର କମିଶନର ମଧ୍ୟ ନିଯୁକ୍ତ କରିଛନ୍ତି । ଅର୍ଥାତ୍‍ ଧର୍ମୀୟ ବ୍ୟବସ୍ଥାରେ ସିଧାସଳଖ ହସ୍ତକ୍ଷେପ କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ଏହାକୁ ସରକାରୀ ସହାୟତା ବୋଲି କହି ଲୋକଙ୍କ ଭାବାବେଗକୁ ରାଜନୀତିରେ ପରିଣତ କରିବାର ଧାରା ଜାରି ରହିଛି ।

ଏହିକ୍ରମରେ ବିଜେଡି ସରକାର ଚଳିତବର୍ଷ ଦୁଇଟି ଲୋକପ୍ରିୟ ଯୋଜନା କେବଳ ସରକାରୀ ଘୋଷଣାରେ ଆରମ୍ଭ କରିଛନ୍ତି । ସେଥିରେ ପ୍ରଥମ ହେଉଛି ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରା ଯୋଜନା । ଜିଲ୍ଲା ଓ ଆର୍‍ଡିସି ସ୍ତରରେ ଏହାକୁ ପରିଚାଳନା କରାଯାଉଛି । ଜୁଲାଇମାସରେ ଦକ୍ଷିଣ ଓଡ଼ିଶାର ପାଖାପାଖି ୯୭୭ ବୃଦ୍ଧ ବୃଦ୍ଧାଙ୍କୁ ଭାରତର ବିଭିନ୍ନ ଦେବସ୍ଥଳ ବୁଲିବା ପାଇଁ ନିଆଯାଇଥିଲା । ୯ ଦିନିଆ ଏହି ଟୁର୍‍ ପାଇଁ ବଜେଟ୍‍ ହୋଇଥିଲା ସାଢ଼େ ଛଅ କୋଟି ଟଙ୍କା । ଏହାପରେ ଗତ ନଭେମ୍ବର ମାସରେ ୧୦୨୪ ଯାତ୍ରୀଙ୍କୁ ରାଜସ୍ଥାନ ପୁସ୍କର ଯାତ୍ରା ପାଇଁ ଖୋଦ୍‍ ମୁଖ୍ୟମନ୍ତ୍ରୀ ଯାତ୍ରା ଶୁଭାରମ୍ଭ କରିଥିଲେ । ଏହାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଛବି ସଂସ୍କାର ଯୋଜନା ବୋଲି ମଧ୍‍ୟ କେହି କେହି କହିôଥଳେ । ଏପରିକି “ପୁଅ ଯାହା କରିନଥିଲା ତାହା ନବୀନ କଲେ’ ବୋଲି କୌଣସି ଜଣେ ତୀର୍ଥଯାତ୍ରୀଙ୍କ ବୟାନକୁ ସରକାର ପ୍ରଚାର କାର୍ଯ୍ୟରେ ଲଗାଇଥିଲେ ।
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ସହ ଗତବର୍ଷ ସରକାର ହବିଷ ବ୍ରତ ଯୋଜନା ଆରମ୍ଭ କରିଛନ୍ତି । ଏହାର ଉଦ୍ଦେଶ୍ୟ ପୁରୀ ଆସୁଥିବା କାର୍ତ୍ତିକ ବ୍ରତ ଶ୍ରଦ୍ଧାଳୁଙ୍କୁ ମାଗଣାରେ ରହିବା ଖାଇବା ଯୋଗାଇବା । ଏହାଛଡ଼ା ସରକାର ଏକ ବିଶାଳ କୋଠା ହବିଷ୍ୟାଳିଙ୍କ ପାଇଁ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ।

ତୀର୍ଥଯାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ବ୍ୟବସ୍ଥା କରିବା ସରକାରଙ୍କ କାର୍ଯ୍ୟ । କିନ୍ତୁ ତୀର୍ଥଯାତ୍ରୀଙକ୍‍ୁ ମାଗଣାରେ ରହିବା, ଖାଇବା ବ୍ୟବସ୍ଥା କରିବା ତଥା ତୀର୍ଥ ଯାତ୍ରା ପାଇଁ ଯାତ୍ରା ଖର୍ଚ୍ଚ ତୁଲାଇବା କ’ଣ ସରକାରଙ୍କ ଦାୟିତ୍ୱ? ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶକୁ ମାନି କେନ୍ଦ୍ର ସରକାର ହଜ୍‍ ଯାତ୍ରୀଙ୍କୁ ଦିଆଯାଉଥିବା ସବ୍‍ସିଡିକୁ ପ୍ରତ୍ୟାହାର କରିଥିବା ବେଳେ ରାଜ୍ୟ ସରକାର ଯେଉଁ ହବିଷ ଓ ତୀର୍ଥ ଯାତ୍ରୀଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି ତାହା ବନ୍ଦ କରିବା ଉଚିତ ନୁହେଁ କି?

About admin

Check Also

ବରଗଡ଼ ଗୁଳିମାଡ଼; କାହା ଦେହରେ ବାଜିନି ଗୁଳି : ଡାକ୍ତର

ବରଗଡ଼,(ଓଟି): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଗତକାଲି ବିଳମ୍ବିତ ରାତିରେ  ଦୁବୃର୍ତ୍ତଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ...

Leave a Reply