୨୦୨୪ ଲକ୍ଷ୍ୟରେ ଅମିତ୍ ଶାହା

ଭୁବନେଶ୍ୱର, (ଓଟି): ୨୦୦୯ ନିର୍ବାଚନରେ ବିଜେପି କ୍ଷମତା ନ ଫେରିବାରୁ ୫ବର୍ଷରୁ ଯେପରି ନରେନ୍ଦ୍ର ମୋଦିଙ୍କୁ ଦଳ ତରଫରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଗଲା ସେହିଭଳି ଆଗାମୀ ୨୦୧୯ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ମଧ୍ୟ ୨୦୨୪ରେ ନୂଆ ନେତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢିବ। ଏହି ନୂଆ ନେତା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଅମିତ୍ ଶାହା। ଏକଥା ଦଳ ସଭାପତି ଅମିତ୍ ଶାହା ରାଜ୍ୟସଭାରେ ଦେଇଥିବା ପ୍ରଥମ ଭାଷଣରୁ ଆଭାସ ମିଳିସାରିଛି।

ରାଜ୍ୟସଭାରେ ଅମିତ୍ ଶାହାଙ୍କ ଭାଷଣ

ବିଜେପି ସଭାପତି ଅମିତ୍ ଅନିଲ ଚନ୍ଦ୍ର ଶାହା ଗତ ଫେବୃୟାରୀ ମାସରେ ତାଙ୍କ ପ୍ରଥମ ପଦାର୍ପଣ ଭାଷଣରେ କହିଲେ, ‘ଏହି ଐତିହାସିକ ଗୃହ ମାଧ୍ୟମରେ ମୁଁ ଦେଶ ନିର୍ମାଣରେ ଅଂଶୀଦାର ହେବାକୁ ଯାଉଛି’।

୨୦୧୭ ଅଗଷ୍ଟ ମାସରେ ଅମିତ୍ ଶାହା ଯେତେବେଳେ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହେଲେ, ସେହି ସମୟ ତାଙ୍କ ଜୀବନର ମୋଡକୁ ବଦଳାଇ ଦେଇଛି। ସେ ବିଜେପିର ପରଦା ପଛର ନାୟକ ନ ହୋଇ ଦଳର ସମ୍ମୁଖରେ ଛିଡା ହୋଇ ରାଜନୈତିକ ଲଢେଇ ଲଢୁଛନ୍ତି। ସେ ଆଉ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ (ନରେନ୍ଦ୍ର ମୋଦି)ଙ୍କ ନିର୍ବାଚନ ଜିତିବା ପାଇଁ ଚାଣକ୍ୟ ହୋଇ ରହିନାହାଁନ୍ତି। ସେ ଏବେ ଦେଶ ନିର୍ମାଣର ଅଂଶଭାବେ ପରିଗଣିତ ହେବାକୁ ଚାହୁଁଛନ୍ତି।

ଅମିତ୍ ଶାହା ରାଜ୍ୟସଭାରେ ଯେଉଁ କେତେକ ଭାଷଣ ଦେଇଛନ୍ତି; ସେଥିରୁ ଜଣାପଡୁଛି ସେ କେବଳ ବିଜେପି ନୁହେଁ, ମୋଦି ସରକାରର ପ୍ରବକ୍ତା ଭାବେ ଉଭା ହୋଇଛନ୍ତି। ତାଙ୍କ ପ୍ରଥମ ଭାଷଣରେ ସରକାରଙ୍କ ନୀତି, ସରକାର, ଜିଏସଟି, ବେକାରୀ, ସ୍ୱଚ‍୍‌ଛ ଭାରତ, ଗ୍ରାମାଞ୍ଚଳ ବିଦ୍ୟୁତକରଣ ଆଦି ପ୍ରସଙ୍ଗ ରହିଥିଲା।

ଏହା ପୂର୍ବରୁ ଅମିତ୍ ଶାହା ଯେଉଁ ଭାଷଣ ଦେଉଥିଲେ ତାହା ଜଣେ ଦଳ ସଭାପତି ଭାବେ ଦେଉଥିଲେ। ସେ ଦଳର ସଦସ୍ୟତା ଓ ଦଳର ସଂଗଠନ ବୃଦ୍ଧି, ନିର୍ବାଚନ ଯୋଜନା ଭଳି ରାଜନୈତିକ ଭାଷଣ ଦେଉଥିଲେ। କିନ୍ତୁ ସେ ଅଚାନକ ମୋଦି ସରକାରଙ୍କ ସଫଳତା ପ୍ରଧାନମନ୍ତ୍ରୀ ଭାବେ ବଖାଣୁଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୃହରେ ଉପସ୍ଥିତ ରହି ତାଙ୍କ ଆସନ ନିକଟରେ ବସିଥିଲେ।

ଅରୁଣ ଜେଟଲୀଙ୍କ ଉତ୍ତରାଧିକାରୀ

ରାଜ୍ୟସଭାରେ ଅମିତ୍ ଶାହା ଯେଭଳି ସରକାରଙ୍କ ଗୁଣଗାନ କରି ଭାଷଣ ରଖିଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ଦଳ ଅରୁଣ ଜେଟଲୀଙ୍କ ଉତ୍ତରାଧିକାରୀ ପାଇଛି। ଗତ ସପ୍ତାହରେ ଆସାମର ଏନଆରସି ପ୍ରସଙ୍ଗରେ ବିରୋଧିଦଳ ସରକାରଙ୍କୁ ଯେପରି ଘେରିଥିଲେ ସେଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଚିନ୍ତିତ ହୋଇପଡିଥିଲେ। ଏତିକି ବେଳେ ବିଜେପି ସଭାପତି ଅମିତ୍ ଶାହା ଏହି ପ୍ରସଙ୍ଗରେ କଂଗ୍ରେସ ମୁଣ୍ଡରେ ଅଠା ବୋଳି ଏହାକୁ ରାଜନୈତିକ ପ୍ରସଙ୍ଗରେ ବଦଳାଇ ଦେଇଥିଲେ। ଆସାମରୁ ବିଦେଶୀମାନଙ୍କୁ ଦେଶାନ୍ତର କରିବା ପାଇଁ କଂଗ୍ରେସର ସତ ସାହାସ ନାହିଁ ବୋଲି ଶ୍ରୀ ଶାହା କହିଥିଲେ।

ବିଜେପି ସଭାପତି ହିସାବରେ ଏଭଳି ମନ୍ତବ୍ୟ ଦେବାରେ କିଛି ଅସ୍ୱାଭାବିକତା ନାହିଁ। କିନ୍ତୁ ସେ ଏହା ସଂସଦରେ କହିଛନ୍ତି, ଯାହାକି ଏହା ସରକାରଙ୍କ ମନ୍ତବ୍ୟ ବୋଲି ଧରାଯିବ। ବିଜେପି ସଭାପତି ହିସାବରେ ଥିବା ପରିଚୟକୁ ଶାହା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। କାରଣ ସେ ବର୍ତ୍ତମାନ ଦେଶର ଦ୍ୱୀତିୟ ସର୍ବାଧିକ କ୍ଷମତାଶାଳୀ ବ୍ୟକ୍ତି।

ଶାହା ନିଜର ଚାଣକ୍ୟ ପରିଚୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ନିଜକୁ ଜଣେ ବୁଦ୍ଧିଜିବୀ, ଜନନେତା ଯିଏକି ଭବିଷ୍ୟତରେ ଦେଶ ଶାସନ କରିବାକୁ ଇଚ୍ଛୁକ ବୋଲି ପରିଚିତ ହେବାକୁ ଚାହୁଁଛନ୍ତି। ବୋଧହୁଏ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କଠାରୁ ସେଇ କଥା ଚାହୁଁଛନ୍ତି।

ସରକାରରେ ଶାହାଙ୍କ ପ୍ରଭାବ

ଅମିତ୍ ଶାହା ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସରକାରୀ କଳ ଉପରେ ତାଙ୍କର ପ୍ରଭାବ ବଢିଛି। ଯେତେବେଳେ ଦଳୀୟ ସାଂସଦମାନେ ରାଜ୍ୟସଭାରେ ଅନୁପସ୍ଥିତ ରହୁଥିଲେ ଅମିତ୍ ଶାହା ସେମାନଙ୍କୁ ଗୃହରେ ରହିବାକୁ ବାଧ୍ୟ କରିଛନ୍ତି। ଗତ ବର୍ଷ ମନ୍ତ୍ରିମଣ୍ଡଳର ସଂପ୍ରସାରଣବେଳେ ପ୍ରଦାନମନ୍ତ୍ରୀଙ୍କ ପରିବର୍ତେ ଦଳ ସଭାପତି ୪ଜଣ ମନ୍ତ୍ରୀଙ୍କୁ ଡାକି ଇସ୍ତଫା ଦେବାକୁ କହିଥିଲେ। ତେଣୁ ଏଥିରୁ ଜଣାପଡୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଅମିତ୍ ଶାହାଙ୍କ ଉପରେ ବହୁତ ନିର୍ଭର କରୁଛନ୍ତି। ତେଣୁ ବର୍ତ୍ତମାନର ସରକଙ୍କୁ ମୋଦି-ଶାହା ସରକାର ବୋଲି କୁହାଗଲାଣି।
ଅମିତ୍ ଶାହା ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଭଳି ତାଙ୍କୁ ଦଳୀୟ ମହଲରେ ଗୁରୁତ୍ୱ ଦେବା ଆରମ୍ଭ ହୋଇଛି। କାରଣ ଶ୍ରୀ ଶାହା କେବଳ ନିର୍ବାଚନ ଜିତିବା ମେସିନ। ଏହି ପରିଚୟରୁ ଉଦ୍ଦ୍ର୍ୱକୁ ଉଠିବା ପାଇଁ ଶ୍ରୀ ଶାହା ଚାହୁଁଛନ୍ତି। ତେଣୁ ଶ୍ରୀ ଶାହା ଦଳ ଓ ସରକାରର ସଫଳତାର ଶ୍ରେୟ ନିଜ ଉପରକୁ ନେବା ଚାହୁଁଛନ୍ତି।

ଗୁଜରାଟର ଗତ ନିର୍ବାଚନ ପୁର୍ବରୁ ଅମିତ୍ ଶାହାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କିଛି ନେତା ଚାହୁଁଥିଲେ ହେଁ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ରାଜି ହୋଇନଥିଲେ। ତେଣୁ ଆନନ୍ଦିବେନ ପଟେଲଙ୍କୁ ହଟାଇ ତାଙ୍କ ଅନୁଗତ ବିଜୟ ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

ଯୋଗୀ ନୁହଁନ୍ତି-ଅମିତ୍ ଶାହା କାହିଁକି?

୫୩ ବର୍ଷ ବୟସ୍କ ଆଧୁନିକ ଚାଣକ୍ୟ ଅମିତ୍ ଶାହା ଏ ପର୍ଯ୍ୟନ୍ତ ନିଜ ରାଜ ଖୋଲୁନାହାନ୍ତି। ଦେଶ ଆଗାମୀ ଦିନରେ ତାଙ୍କର ଅନେକ ସଫଳ କାହାଣୀ ଦେଖିବାକୁ ପାଇବ। ମୋଦିଙ୍କଠାରୁ ୧୪ବର୍ଷ ସାନ ଅମିତ୍ ଶାହା ପ୍ରଧାନମନ୍ତ୍ରୀ ଅଫିସରେ ମୋଦିଙ୍କ ଉତ୍ତରାଧିକାରୀ ବୋଲି ଆଲୋଚନା ହେଲାଣି। ତେଣୁ ସେ ଏବେଠାରୁ ସରକାରଙ୍କ ସ୍ୱର ଭାବେ ନିଜକୁ ପ୍ରତିପାଦିତ କରିବାରେ ଲାଗିଲେଣି।

କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ଠାରୁ ଦଳ ଯାହା ଆଶ କରୁଥିଲା, ସେ ତାହା ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି। ତେଣୁ ଅମିତ୍ ଶାହାଙ୍କ ବ୍ୟତୀତ ଦଳ ପାଖରେ ବିକଳ୍ପ ନାହିଁ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply