କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଓଡ଼ିଶାରେ ଥିବା ସଂଖ୍ୟାଧିକ କୃଷିଭିତ୍ତିକ ଶିଳ୍ପ ବନ୍ଦ ହୋଇ ପଡ଼ିଛି ନୂଆ ସମବାୟ ଶିଳ୍ପ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ନାହିଁ

ଭୁବନେଶ୍ୱର, (ଓଟି) : ସମବାୟ ମାଧ୍ୟମରେ ରାଜ୍ୟରେ ଥିବା ପ୍ରମୁଖ କୃଷି ଭିତ୍ତିକ ଶିଳ୍ପଗୁଡ଼ିକରୁ ଅଧିକାଂଶ ବର୍ଷ ବର୍ଷ ଧରି ବନ୍ଦ ହୋଇପଡ଼ିଛି। ଏବେ ନୂତନ ସମବାୟ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ବିଜେପି ବିଧାୟକ ଦିଲିପ ରାୟ ସମବାୟ ସୂତାକଳ, ବୟନଶିଳ୍ପ, ଚିନିକଳ ଓ ଶୀତଳ ଭଣ୍ଡାର ପ୍ରସଙ୍ଗରେ ବିଧାନସଭାରେ ପଚାରିଥିବା ପ୍ରଶ୍ନର ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯେଉଁ ଲିଖିତ ଉତ୍ତର ଦେଇଛନ୍ତି ସେଥିରୁ ଏହା ସ୍ପଷ୍ଟ ଜଣାପଡ଼ୁଛି।

ସମବାୟ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନରେ ସମବାୟ ଭିତ୍ତିକ ୬ଟି ସୂତାକଳ ଓ ୧୨ଟି କଳତନ୍ତ ସମବାୟ ସମିତି ରହିଛି। ଏହି ସମସ୍ତ ଶିଳ୍ପଗୁଡ଼ିକ ବନ୍ଦ ରହିଛି। ଏଗୁଡ଼ିକ ହେଲା ବରଗଡ଼ ତୋରାର ଓଡ଼ିଶା ବୁଣାକାର ସମବାୟ ସୂତାକଳ, ଢେଙ୍କାନାଳର କଳିଙ୍ଗ ବୁଣାକାର ସମବାୟ ସୂତାକଳ, ବାଲେଶ୍ୱରର ଗୋପୀନାଥ ବୁଣାକାର ସମବାୟ ସୂତାକଳ, ଜଗତ‌୍‍ସିଂହପୁରର ଶାରଳା ବୁଣାକାର ସମବାୟ ସୂତାକଳ, ଆଠଗଡ଼ର ଜଗନ୍ନାଥ ବୁଣାକାର ସମବାୟ ସୂତାକଳ ଓ ଖୋର୍ଦ୍ଧାର ଉତ୍କଳ ବୁଣାକାର ସମବାୟ ସୂତାକଳ। ଏହାଛଡ଼ା କେନ୍ଦ୍ରାପଡ଼ା, ବାରିପଦା, ଖୋର୍ଦ୍ଧା, ବ୍ରହ୍ମପୁର, ଛତିଆ, ଆଠଗଡ଼, ରାହାମା, ବରଗଡ଼, ଢେଙ୍କାନାଳ, ସୁନ୍ଦରଗଡ଼, ଭବାନୀପାଟଣା ଓ କଟକର ୧୨ଟି କଳତନ୍ତ ସମବାୟ ସମିତି ମଧ୍ୟ ଅଚଳ ହୋଇପଡ଼ିଛି।

ମନ୍ତ୍ରୀ ଶ୍ରୀ ପାତ୍ର ପୁଣି କହିଛନ୍ତି ଯେ ରାଜ୍ୟରେ ଥିବା ୫ଟି ସମବାୟ ଭିତ୍ତିକ ଚିନିକଳ ମଧ୍ୟରୁ ଆସିକା ସମବାୟ ଚିନିକଳ ୭ କୋଟି ୭୯ ଲକ୍ଷ ଓ ବରଗଡ଼ ସମବାୟ ଚିନିକଳ ୩ କୋଟି ୬୫ ଲକ୍ଷ ଟଙ୍କା କ୍ଷତିରେ ସ୍ଖଲୁଛି। ବଲାଙ୍ଗୀରର ବିଜୟାନନ୍ଦ ସମବାୟ ଚିନିକଳ ଏବଂ ନୟାଗଡ଼ ଓ ବଡ଼ମ୍ୱାର ସମବାୟ ଚିନିକଳକୁ ବିଭିନ୍ନ ସଂସ୍ଥା ନେଇଥିଲେ ମଧ୍ୟ ଏଗୁଡ଼ିକ ବନ୍ଦ ହୋଇ ପଡ଼ିଛି।
ରାଜ୍ୟରେ ସମୁଦାୟ ୧୮ଟି ସମବାୟ ଶୀତଳ ଭଣ୍ଡାର ନିର୍ମିତ ହୋଇଥିବା ବେଳେ ସେଥିରୁ ୧୩ଟି ବନ୍ଦ ରହିଛି ଓ ମାତ୍ର ୫ଟି ଚାଲୁଛି। ବନ୍ଦ ଶୀତଳ ଭଣ୍ଡାର ମଧ୍ୟରୁ ୨ଟିକୁ ପିପିଟି ମୋଡ‌୍‍ରେ ଚଳାଇବା ପାଇଁ ଉଦ୍ୟମ ଚାଲୁଛି। ରାଜ୍ୟରେ ନୂତନ ସମବାୟ ଶିଳ୍ପ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ ଓଡ଼ିଶା ଭଳି ଏକ ଗ୍ରାମ ବହୁଳ କୃଷି ପ୍ରଧାନ ରାଜ୍ୟର ବିକାଶ ସହିତ କୃଷି ଓ କୃଷି ଶିଳ୍ପର ପ୍ରସାରଣ ଜରୁରୀ ଥିବା ବେଳେ ସରକାର ଏ ଦିଗପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଫଳରେ କୃଷି ଅର୍ଥନୀତି ତଥା ରାଜ୍ୟର ସାମଗ୍ରିକ ବିକାଶ ପ୍ରଭାବିତ ହେଉଛି। ବନ୍ଦ ହୋଇ ରହିଥିବା ସମବାୟ ସୂତାକଳ, ବୟନଶିଳ୍ପ, ଚିନିକଳ ଓ ଶୀତଳ ଭଣ୍ଡାରଗୁଡ଼ିକୁ ତୁରନ୍ତ ପୁନଃକାର୍ଯ୍ୟକ୍ଷମ କରାଇବା ସହିତ ରାଜ୍ୟର ଆଭ୍ୟନ୍ତରୀଣ ଚାହିଦାକୁ ଆଖିଆଗରେ ରଖି ସରକାର ପଞ୍ଚାୟତ ଓ ବ୍ଲକ‌୍‍ ସ୍ତରରେ ଅଧିକରୁ ଅଧିକ ସଂଖ୍ୟକ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରନ୍ତୁ। ଏହାଫଳରେ ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି ହେବା ସହିତ କୃଷକଙ୍କ ରୋଜଗାର ବଢ଼ିବ ଓ ରାଜ୍ୟର ଆର୍ଥିକ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଶ୍ରୀ ରାୟ କହିଛନ୍ତି।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :