ବନୀକରଣ ଯୋଜନା : କର୍ପୋରେଟ ମୁଣ୍ଡରେ ଅଠା

ଭୁବନେଶ୍ୱର,(ଓଟି): ସହରାଞ୍ଚଳରେ ବନୀକରଣ ଲାଗି ଏବେ କର୍ପୋରେଟ୍‍ ସଂସ୍ଥାଙ୍କ ଉପରେ ସରକାର ନିର୍ଭରଶୀଳ । ଓଏମ୍‍ସି, ଏମ୍‍ସିଏଲ୍‍ ଭଳି କର୍ପୋରେଟ୍‍ ସଂସ୍ଥାକୁ ଏଥିପାଇଁ ଅର୍ଥ ଦେବାକୁ କୁହାଯାଉଛି । ରାଜ୍ୟ ସରକାର ୨୦୧୭-୧୮ ବଜେଟ୍‍ରେ ସବୁଜ ବଳୟ ସୃଷ୍ଟି ଲାଗି ବରାଦ ଅର୍ଥ ପରିମାଣକୁ ଯଥେଷ୍ଟ କମାଇ ଦେଇଛନ୍ତି । ଏହା ୧୨୫ କୋଟିରୁ ୪୪ କୋଟି ୫୩ ଲକ୍ଷ ଟଙ୍କାକୁ ହ୍ରାସ ପାଇଥିବାରୁ ସହରାଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କ୍ଷେତ୍ରରେ ସମସ୍ୟା ଦେଖାଦେଇଛି ।

ଅର୍ଥାଭାବ ଯୋଗୁ ଜଙ୍ଗଲ ବିଭାଗ ବୃକ୍ଷରୋପଣ ଲାଗି କର୍ପୋରେଟ୍‍ ସଂସ୍ଥାଗୁଡ଼ିକ ଉପରେ ଅଧିକ ଭାବେ ନିର୍ଭର କରିବାକୁ ବାଧ୍ୟ ହେଉଛି । ତେଣୁ ସହରାଞ୍ଚଳରେ ସବୁଜ ବଳୟ ସୃଷ୍ଟି ଲାଗି ବଜେଟ୍‍ରେ ୨୦ କୋଟି ଟଙ୍କା ମଞ୍ଜୁର କରିବାକୁ ବିଧାନସଭାର ସ୍ଥାୟୀ କମିଟି ସୁପାରିଶ କରିଛି ।

ବିଧାୟକ ପୁଷ୍ପେନ୍ଦ୍ର କୁମାର ସିଂଦେଓଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ଓ ପରିବେଶ ପାଇଁ ଗଠିତ ବିଧାନସଭାର ସ୍ଥାୟୀ କମିଟି ଅନୁଧ୍ୟାନ ସମୟରେ ଏହା ନଜରକୁ ଆସିଛି । ସବୁଜ ବଳୟ ପାଇଁ ଅର୍ଥ ବରାଦ ସହିତ ହେନ୍ତାଳ ବଣ ଅଞ୍ଚଳରେ ସାମୁଦ୍ରିକ ପାଟ୍ରୋଲିଂ ଲାଗି ଦ୍ରୁତଗାମୀ ନୂତନ ବୋଟ୍‍ ଖରିଦ୍‍ ସକାଶେ କମିଟି କହିଛନ୍ତି । ବର୍ତ୍ତମାନ ଥିବା ପୁରୁଣାକାଳିଆ ବୋଟ୍‍ଗୁଡ଼ିକରେ ପାଟ୍ରୋଲିଂ କରିବା ସମ୍ଭବପର ହେଉନଥିବାରୁ ସେଗୁଡ଼ିକ ସ୍ଥାନରେ ନୂତନ ବୋଟ୍‍ ମୁତୟନ ଲାଗି କୁହାଯାଇଛି ।

ସେହିଭଳି ଧାମରା ପୋର୍ଟର ବିପରୀତ ଦିଗରେ ଥିବା କାଳିଭଞ୍ଜଡ଼ିଆ ଓ କନିକା ଦ୍ୱୀପକୁ ଯେଭଳି ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସିପାରିବେ ସେଥିପାଇଁ ବ୍ୟବସ୍ଥା ଲାଗି କୁହାଯାଇଛି । ବିଶେଷ କରି ଏହିସବୁ ସ୍ଥାନକୁ ପର୍ଯ୍ୟଟକ ଆସି ଯେଭଳି ଅଧିକ ସମୟ ରହିପାରିବେ ସେଥିପାଇଁ ସୁବନ୍ଦୋବସ୍ତ କରିବାକୁ କମିଟି କହିଛନ୍ତି ।

ରାଜ୍ୟରେ ଜଙ୍ଗଲଗୁଡ଼ିକରେ ବିଭିନ୍ନ ଫଳ ଜାତୀୟ ବୃକ୍ଷ ବିଶେଷକରି ବେଲ, ମହୁଲ, କେନ୍ଦୁ ଆଦି ଗଛ ଲଗାଇବାକୁ କୁହାଯାଇଛି । ଜଙ୍ଗଲରେ ଏହି ପ୍ରଜାତିର ଗଛ ରହିଲେ ପଶୁପକ୍ଷୀମାନଙ୍କର ଖାଦ୍ୟ ଆବଶ୍ୟକତା ପୂରଣ ହୋଇପାରିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ସେହିଭଳି ଜଙ୍ଗଲ ଭିତରେ ଥିବା ରାସ୍ତାଗୁଡ଼ିକର ମରାମତି ଲାଗି ବର୍ତ୍ତମାନ କିଲୋମିଟର ପିଛା ମାତ୍ର ୫୦ ହଜାର ଟଙ୍କା ବ୍ୟବସ୍ଥା ଥିବାରୁ ସେଥିରେ ରାସ୍ତାଘାଟ ମରାମତି କରିବା ସହଜ ହେଉନି । ଜଙ୍ଗଲ ଭିତରେ ଥିବା ଦୁର୍ଗମ ଆଦିବାସୀ ଗାଁଗୁଡ଼ିକର ଯୋଗାଯୋଗ ବ୍ୟବସ୍ଥା ଲାଗି ବଜେଟ୍‍ରେ ଅତିକମ୍‍ରେ ୫୦ କୋଟି ଟଙ୍କା ବରାଦ ଲାଗି କମିଟି ସୁପାରିଶ କରିଛି

About admin

Check Also

ବର୍ଷା ଆସିଲେ ଡ୍ରେନ୍‍ ଚିନ୍ତା: ବିଡିଏ କହିଲା ତଳିଆ ଅଞ୍ଚଳରେ ଏଣିକି କୋଠା ଅନୁମତିରେ ହେବ କଟକଣା

ଭୁବନେଶ୍ୱର, (ଓଟି): ସହର ଜବର ଦଖଲ ଓ ବିଲ୍‍ଡରଙ୍କ ପ୍ରତି ଗୋଡ଼ାଣିଆ ଥିବା ଭୁବନେଶ୍ୱର ଉନ୍ନୟନ ନିଗମ ( ବିଡିଏ)ର …

Leave a Reply