ଭାଷା ପ୍ରତିଷ୍ଠାନକୁ ଘର ମିଳିବ କେବେ?

ଓଡିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ସହିତ ସରକାରୀ ସ୍ତରରେ ଆମଭାଷାର ବ୍ୟାପକ ପ୍ରଚଳନ ପାଇଁ ଉଦ୍ୟମ ଚାଲିଥିବାବେଳେ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଘର ଖଣ୍ଡେ ନଥିବାରୁ ଏହି ସଂସ୍ଥା ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛି । ଏଥିଘେନି ଭାଷାପ୍ରେମୀମାନେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ବିଶେଷକିଛି ଲାଭ ହେଉନାହିଁ ।

ଓଡିଆ ଭାଷା ପ୍ରତିଷ୍ଠାନ ପୂର୍ବରୁ ଶିକ୍ଷା ବିଭାଗ ଅଧିନରେ ଥିଲା । ଜନଶିକ୍ଷାସାଧନକେନ୍ଦ୍ର ସୌଧରେ ଏହା କିଛିବର୍ଷ ଧରି ଚାଲୁଥିଲା । ତେବେ ଓଡିଆଭାଷା ପ୍ରତିଷ୍ଠାନକୁ ସଂସ୍କୃତି ବିଭାଗ ଅଧିନକୁ ଅଣାଯିବାପରେ ଏହି ସଂସ୍ଥା ଜନଶିକ୍ଷାସାଧନକେନ୍ଦ୍ରରୁ ବିଦାହୋଇ ସଂସ୍କୃତି ନିର୍ଦ୍ଦେଶାଳୟର ଶରଣାର୍ଥୀ ଭଳି ରହିଛି । ଓଡିଆ ଭାଷା ପ୍ରତିଷ୍ଠାନ ଲାଗି ଭାଷାଭବନ ନିର୍ମାଣପାଇଁ ସରକାର ରାଜଧାନୀରେ ପ୍ରାୟ ୧୪ହଜାର ବର୍ଗଫୁଟ ଜମି ଯୋଗାଇଥିଲେ ।

ଏହି ଜମି ଉପରେ ଭାଷାଭବନ ନିର୍ମାଣପାଇଁ ୨୦୦୫-୦୬ବର୍ଷରେ ବି ରାଜ୍ୟ ସରକାର ଏକ କୋଟି ୫ହଜାର ଟଙ୍କା ଦେଇଥିଲେ । ୟୁକୋବ୍ୟାଙ୍କ୍‍ର କରେଣ୍ଟ ଆକାଉଣ୍ଟରେ ଏହି ଅର୍ଥ ପ୍ରାୟ ୬ବର୍ଷ ଧରି ପଡିରହିବାପରେ ୨୦୧୧-୧୨ ବର୍ଷରେ ଏହି ଅର୍ଥକୁ ସେଭିଙ୍ଗ୍‍ସ ଆକାଉଣ୍ଟରେ ରଖାଯାଇଛି । ବିନା ବିନିଯୋଗରେ ଓଡିଶା ଭାଷା ଭବନ ଅର୍ଥ ବ୍ୟାଙ୍କ୍‍ରେ ପଡିରହି ଏବେ ସୁଧ ସହ ପ୍ରାୟ କୋଟିଏ ୩୫ଲକ୍ଷ ଟଙ୍କା ହେଲାଣି । କିନ୍ତୁ ଜମି ଓ ଟଙ୍କା ଥାଇ ବି ଭାଷାଭବନ ନିର୍ମାଣ ହୋଇପାରୁନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ଭାଷାଭବନ ନିର୍ମାଣପାଇଁ ଯେତେ ଅର୍ଥ ଆବଶ୍ୟକ ହେବ ତାହା ସରକାର ଯୋଗାଇଦେବାକୁ ସଙ୍କଳ୍ପବଦ୍ଧ ବୋଲି ସଂସ୍କୃତିମନ୍ତ୍ରୀ ବିଧାନସଭାରେ ବାରମ୍ବାର କହିଛନ୍ତି । କିନ୍ତୁ ଅଧିକ ଅର୍ଥ ବରାଦ କରିବା ତ ଦୂରରକଥା ଯେତିକି ଅର୍ଥ ଅଛି ତାହାର ପ୍ରାୟ ୧୩ବର୍ଷ ଧରି ଉପଯୋଗ ହୋଇପାରିନାହିଁ । ପୂର୍ତ୍ତ ବିଭାଗ ଉକ୍ତ ଜମିର ମୃତ୍ତିକା ପରୀକ୍ଷଣ କରିବା ସହିତ ନକ୍ସା ଓ ବ୍ୟୟ ଅଟକଳ ପ୍ରସ୍ତୁତ କରିଥିଲା ଏବଂ ତାହାର ବି ପ୍ରଶାସନିକ ଅନୁମୋଦନ ସରକାର ଦେଇଥିଲେ ।

ଏହି ଆଧାରରେ ପ୍ରାୟ ୩କୋଟି ଟଙ୍କା ବ୍ୟୟ ଅଟକଳରେ ଭାଷାଭବନ ନିର୍ମାଣପାଇଁ ଟେଣ୍ଡର ପ୍ରକ୍ରିୟା ବି ଶେଷ ହୋଇଥିଲା । କିନ୍ତୁ ଏହି ଜମି ଉପରେ ଅନ୍ୟକାହାର ନଜର ଲାଗିଯିବାରୁ ଭାଷା ଭବନ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ସଚିବାଳୟ ପଛପଟେ ନିର୍ମିତ ହେଉଥିବା ନୂଆ ୧୧ମହଲା ସୌଧର ଗୋଟିଏ ମହଲା ଭାଷାଭବନକୁ ଦିଆଯିବବୋଲି ବି ଏକଦା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ଏହି ନୂଆ ସୌଧରେ ସଚିବାଳୟର କେତେକ ବିଭାଗ ଚାଲିବ ବୋଲି ସ୍ଥିର ହେବାରୁ ଓଡିଆ ଭାଷା ପ୍ରତିଷ୍ଠାନ ତ୍ରିଶଙ୍କୁ ଅବସ୍ଥାରେ ଅଛି । ଇତି ମଧ୍ୟରେ ଭାଷା ଭବନ ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ଉଚ୍ଚ କର୍ତ୍ତୃପକ୍ଷ ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ କଲିକତାରେ ସୁଦୃଶ୍ୟ ବିଶ୍ୱ ବାଙ୍ଗଲା ଭବନ ନିର୍ମାଣ ସହିତ ଏକ ପ୍ରମୁଖ ରାସ୍ତାକୁ ବିଶ୍ୱ ବାଙ୍ଗ୍‍ଲା ସରଣୀ ନାମରେ ନାମିତ କରାଯାଇଥିବାବେଳେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ପ୍ରାଚୀନ ଓଡିଆଭାଷା ଲାଗି ଭବନ ନିର୍ମାଣପାଇଁ ଜମି ଓ ଟଙ୍କା ଥିବାବେଳେ ବର୍ଷ ବର୍ଷ ଧରି ଇଟାଖଣ୍ଡେ ବି ଯୋଡାହୋଇ ପାରୁନାହିଁ ।  

Leave a Reply

Your email address will not be published.