ସମ୍ ହସ୍ପିଟାଲରେ ବିରଳ ସ୍କଲ୍ ସର୍ଜରୀ ସଫଳ ହେଲା

ଭୁବନେଶ୍ୱର, (ଓଟି) : ଶିଶୁର ମୁଣ୍ଡର ଅସ୍ୱାଭିବିକତାକୁ ଏକ୍ସପାନ୍ସିଆଲ୍ କ୍ରାନିଓପ୍ଲାଷ୍ଟି ଅସ୍ତ୍ରୋପଚାର ଜରିଆରେ ସ୍ୱାଭାବିକ କରିବାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ସଫଳ ହୋଇଛି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ ।

ପ୍ରଖ୍ୟାତ ନ୍ୟୁରୋସର୍ଜନ୍ ପ୍ରଫେସର ଅଶୋକ ମହାପାତ୍ର ଫ୍ରୋଣ୍ଟୋ-ଅର୍ବିଟାଲ୍ ଆଡଭାନସମେଣ୍ଟ ପ୍ରକିୟାରେ ସମରେ ଏହି ସଫଳ ଅସ୍ତ୍ରୋପଚାର କରିଛନ୍ତି । ୭ ମାସର ଶିଶୁଟି କ୍ରାନିଓଷ୍ଟେନୋସିସ୍ ସମସ୍ୟାରେ ଆକ୍ରାନ୍ତ ହୋଇଥିଲା ବୋଲି ସେ କହିଛନ୍ତି ।

କ୍ରାନିଓଷ୍ଟେନୋସିସ୍ ଏଭଳି ଏକ ସମସ୍ୟା ଯାହା ଦ୍ୱାରା ଶିଶୁର ଖପୁରୀରେ ଅସ୍ୱାଭିବିକତା ଦେଖାଦିଏ ଓ ଫଳରେ ଏହା ମସ୍ତିଷ୍କ ବିକାଶରେ ବାଧା ସୃଷ୍ଟି କରିଥାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି । ଦିଲ୍ଲୀ    ଏମସଠାରେ ଓଡ଼ିଶାର ଯୋଡା ମୁଣ୍ଡ ଥିବା ଶିଶୁ ଜଗା-ବଳିଆଙ୍କର ସଫଳ ଅସ୍ତ୍ରୋପଚାର କରି ଦୁଇଜଣକୁ ଅଲଗା କରିବାରେ ଯେଉଁ ଡାକ୍ତରୀ ଟିମ୍ ନିୟୋଜିତ ହୋଇଥିଲେ ତାହାର ନେତୃତ୍ୱ ପ୍ରଫେସର ମହାପାତ୍ର ନେଇଥିଲେ ।

ପ୍ରଫେସର ମହାପାତ୍ର ବର୍ତମାନ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ନିର୍ଦ୍ଦେଶକ (ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ) ଭାବେ କାର୍ଯ୍ୟରତ ଅଛନ୍ତି । ମୟୁରଭଞ୍ଜ ଜିଲ୍ଲାରୁ ଆସିଥିବା ଏବଂ କ୍ରାନିଓଷ୍ଟେନୋସିସରେ ପିଡିତ ଥିବା ଶିଶୁଟିର ଦୁଇ ସପ୍ତାହ ତଳେ ଅସ୍ତ୍ରୋପଚାର କରାଯାଇଥିଲା । ବର୍ତମାନ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଫ୍ରୋଣ୍ଟୋ-ଅର୍ବିଟାଲ୍ ଆଡଭାନସମେଣ୍ଟ ପ୍ରକିୟାର ମୂଳ ଲକ୍ଷ୍ୟ ହେଉଛି ଖପୁରୀକୁ ଏକ୍ସପାଣ୍ଡ କରାଇବା ଯାହା ଦ୍ୱାରା ମସ୍ତିଷ୍କ ବଢ଼ିବା ନିମନ୍ତେ ଅଧିକ ସ୍ଥାନ ମିଳିପାରିବ । ଶିଶୁଟିଏ ୫ ବର୍ଷ ହେବା ବେଳକୁ ମୁଣ୍ଡ ୩୫ ସେମିରୁ ବୃଦ୍ଧି ପାଇ ୬୦ ସେମି ହୋଇଥାଏ ।

ଏଭଳି ଅସ୍ତ୍ରୋପଚାର ଖୁବ୍ କମ୍ କରାଯାଇଥାଏ ବୋଲି ପ୍ରକାଶ କରି ପ୍ରଫେସର ମହାପାତ୍ର ପ୍ରତ୍ୟେକ ବର୍ଷ ନୂଆ ଦିଲ୍ଲୀ ଏମ୍ସରେ ମାତ୍ର ୬ ରୁ ୮ଟି ଏଭଳି ଅସ୍ତ୍ରୋପଚାର କରାଯାଇଥାଏ ବୋଲି କହିଥିଲେ । ବିଶ୍ୱରେ ୨୦ରୁ ୨୫ ଜଣ ସର୍ଜନ ଏହି ଅସ୍ତ୍ରୋପଚାର କରିଥାନ୍ତି । ପ୍ରଫେସର ମହାପାତ୍ର ଏପର୍ଯ୍ୟନ୍ତ ୩୦୦ ରୁ ୩୫୦ଟି ଏଭଳି ଅସ୍ତ୍ରୋପଚାର କରିଥିବା ସୂଚନା ଦେଇଛନ୍ତି ।

ଶିଶୁଟିକୁ ଯେତେବେଳେ ୬ ରୁ ୯ ମାସ ହୋଇଥାଏ ସେହି ସମୟରେ ହିଁ ଏକ୍ସପାନ୍ସିଆଲ୍ କ୍ରାନିଓପ୍ଲାଷ୍ଟି ଅସ୍ତ୍ରୋପଚାରର ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି । ଏହି ଅପରେସନରେ ବିଶେଷତଃ ଟାଇଟାନିୟମ୍, ଷ୍ଟେନ ଷ୍ଟିଲ୍ କିମ୍ବା ଆଲୟ ପ୍ଲେଟ ବ୍ୟବହାର କରାଯିବା ସହ ସ୍କୃ ଜରିଆରେ ଫିକ୍ସ କରାଯାଇଥାଏ ବୋଲି ସେ ସୂଚନା ଦେଇଛନ୍ତି । ୭୦ ଦଶକରେ ଏଭଳି ଅପରେସନରେ ୧୨ ରୁ ୧୫ ଘଣ୍ଟା ସମୟ ଲାଗୁଥିବା ବେଳେ ବର୍ତମାନ ମାତ୍ର ୩ ଘଣ୍ଟାରେ ଏହା ସମ୍ପୂର୍ଣ୍ଣ ହୋଇପାରୁଛି ବୋଲି ଏହି ବିଶିଷ୍ଟ ସ୍ନାୟୁ ବିଶେଷଜ୍ଞ ଜଣକ ସୂଚନା ଦେଇଛନ୍ତି ।

 

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply