କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
SAT

ସ୍ୟାଟ‌୍‍ ଉଚ୍ଛେଦ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବଚାରାଧିନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଟି): ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ‌୍‍) ସ୍ଥାପନର ମୂଳ ଉଦ୍ଦେଶ୍ୟ ସଫଳ ହେଉନଥିବାରୁ ରାଜ୍ୟ ସରକାର ଏହାକୁ ଉଚ୍ଛେଦ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରି ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ସ୍ୟାଟ‌୍‍ ଉଚ୍ଛେଦ ପ୍ରସ୍ତାବ ଏବେ କେନ୍ଦ୍ର ସରକାରଙ୍କ ବିଚାରାଧିନ। ଆଜି ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତଥ୍ୟ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ସ୍ୟାଟ‌୍‍ ଉଚ୍ଛେଦ ପାଇଁ ରାଜ୍ୟ ସରକାର ଗତ ସେପ୍ଟେମ୍ୱର ୯ ତାରିଖରେ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହାର ପରିସୀମା ଉଚ୍ଚ ନ୍ୟାୟାଳୟର ସମକକ୍ଷ ଥିଲା। ତେବେ ପରବର୍ତ୍ତୀ ସମୟରେ ୧୯୯୭ର ଏଲ‌୍‍. ଚନ୍ଦ୍ରକୁମାର ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ କ୍ରମେ ସ୍ୟାଟ‌୍‍ ଆଦେଶରେ ସନ୍ତୁଷ୍ଟ ହେଉନଥିବା ପକ୍ଷମାନେ ସର୍ବୋଚ୍ଚ ନ୍ୟାୟାଳୟକୁ ସିଧାସଳଖ ଯିବା ସାମ୍ୱିଧାନିକ ନୁହେଁ ବୋଲି ଘୋଷଣା କରିଛନ୍ତି। ତେଣୁ ସମ୍ପୃକ୍ତ ପକ୍ଷମାନେ ତଦନୁଯାୟୀ ହାଇକୋର୍ଟରେ ଅପିଲ‌୍‍ ରୁଜୁ କରୁଥିବାରୁ ସ୍ୟାଟ‌୍‍ ଗଠନର ମୂଳ ଉଦ୍ଦେଶ୍ୟ ସଫଳ ହେଉନାହିଁ।
ଅନ୍ୟ ଅଦାଲତଗୁଡ଼ିକ ତୁଳନାରେ ଏଠାରେ ମାମଲା ଫଇସଲା ହାର ଅଧିକ ଥିବାରୁ ସରକାର ଏହି ସଂସ୍ଥାକୁ ସୁଦୃଢ଼ କରିବା ପାଇଁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ଶ୍ରୀ ରାୟ ନିର୍ଦ୍ଦିଷ୍ଟ ଭାବେ ପ୍ରଶ୍ନ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ନ ରଖି ପୂର୍ବରୁ ଯେଉଁ ସରକାରୀ ଓକିଲମାନେ ଦକ୍ଷତା ଓ ସଚ୍ଚୋଟତାର ସହିତ ସରକାରୀ ମାମଲା ପରିଚାଳନାରେ ଦୀର୍ଘ ଅଭିଜ୍ଞତା ହାସଲ କରିଛନ୍ତି ସେମାନଙ୍କ ମଧ୍ୟରୁ କେତେକଙ୍କୁ ପୁନର୍ବାର ସ୍ୟାଟ‌୍‍ରେ ମାମଲା ପରିଚାଳନା ପାଇଁ ନିଯୁକ୍ତି ଦେବାକୁ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି।

ପୂର୍ବରୁ ଶ୍ରୀ ରାୟ ପଚାରିଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ପ୍ରତିଷ୍ଠା ଠାରୁ ଗତ ନଭେମ୍ୱର ଶେଷ ପର୍ଯ୍ୟନ୍ତ ୨,୭୦,୬୮୦ ମାମଲା ସ୍ୟାଟ‌୍‍ରେ ରୁଜୁ ହୋଇଥିବା ବେଳେ ଏଥିରୁ ୨,୧୦,୫୨୨ ମାମଲାର ଫଇସଲା ହୋଇଛି ଓ ଏବେ ୮,୮୬୨ ଅଦାଲତ ଅବମାନନା ମାମଲା ସମେତ ୬୦,୧୫୮ ମାମଲା ବିଚାର ପାଇଁ ବାକି ରହିଛି। ସ୍ୟାଟ‌୍‍ରୁ ମାମଲା ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର କରିବା ଓ ସେଠାରେ ଅଧିକ ବିଚାରପତି ପଦବୀ ସୃଷ୍ଟି ନିମନ୍ତେ ହାଇକୋର୍ଟଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ତେବେ ସ୍ୟାଟ‌୍‍ ଉଚ୍ଛେଦ ନିଷ୍ପତ୍ତିର ପ୍ରତ୍ୟାହାର ପାଇଁ ଓଡ଼ିଶା ରାଜ୍ୟ ବାର‌୍‍ କାଉନ‌୍‍ସିଲ‌୍‍ ଓ ବିଭିନ୍ନ ଓକିଲ ସଂଘଙ୍କ ପ୍ରସ୍ତାବ ପରିପ୍ରେକ୍ଷୀରେ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ହୋଇଥିବା ପ୍ରଶ୍ନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏଡ଼ାଇ ଯାଇଛନ୍ତି।

ରେକର୍ଡ ସଂଖ୍ୟକ ମାମଲା ଫଇସଲା କରୁଥିବା ଦୃଷ୍ଟିରୁ ସରକାର ସ୍ୟାଟ‌୍‍କୁ ଉଚ୍ଛେଦ ନ କରି ଏଠାରେ ଖାଲିପଡ଼ିଥିବା ବିଚାରପତି ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବା ଓ ଏହି ସଂସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି। ସେ ପୁଣି କହିଛନ୍ତି ଯେ ଓଡ଼ିଶା ହାଇକୋର୍ଟଙ୍କ ଉପରେ ଏବେ ପ୍ରାୟ ୩ ଲକ୍ଷ ମାମଲାର ଚାପ ଥିବା ବେଳେ ଏଠାରେ ୬ଟି ବିଚାରପତି ପଦବୀ ଖାଲି ପଡ଼ିଛି। ହାଇକୋର୍ଟର ବକେୟା ମାମଲା ସହିତ ନୂଆ ମାମଲାର ତ୍ୱରିତ ଫଇସଲା ପାଇଁ ଆଉ ୮ଟି ନୂଆ ବିଚାରପତି ପଦବୀ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଯଦି ସ୍ୟାଟ‌୍‍କୁ ଭାଙ୍ଗି ହାଇକୋର୍ଟକୁ ମାମଲା ସ୍ଥାନାନ୍ତର କରନ୍ତି ତା’ ହେଲେ ହାଇକୋର୍ଟ ପାଇଁ ଅନ୍ୟୁନ ଆଉ ୨୦ଟି ବିଚାରପତି ପଦବୀ ଆବଶ୍ୟକ ପଡ଼ିବ। ପୂର୍ବରୁ ହିମାଚଳ ପ୍ରଦେଶ ସ୍ୟାଟ‌୍‍ ଉଚ୍ଛେଦ କରିଥିଲେ ମଧ୍ୟ ଏହାର ଗୁରୁତ୍ୱ ଉପଲବ୍ଧି କରି ଏବେ ପୁଣି ତାହା ପ୍ରଚଳନ କରିଛନ୍ତି। ତେଣୁ ଘଟଣାର ଗମ୍ଭୀରତା ଦୃଷ୍ଟିରୁ ରାଜ୍ୟ ସରକାର ସମ୍ମାନଜନକ ଭାବେ ତାଙ୍କ ନିଷ୍ପତ୍ତି ବଦଳାଇ ସ୍ୟାଟ‌୍‍କୁ ଅଧିକ ସକ୍ରିୟ କରିବା ପାଇଁ ଶ୍ରୀ ରାୟ ପ୍ରସ୍ତାବ ଦେଇଛନ୍ତି।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *