କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
SONY DSC

୧୪-ନଭେମ୍ୱର-୧୯୪୭: ଓଡ଼ିଶାରୁ ରାଜତନ୍ତ୍ର ଶେଷର ଆରମ୍ଭ

୧୪, ନଭେମ୍ୱର-୧୯୪୭, ଭାରତ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଲା। ସ୍ୱାଧୀନ ଭାରତର ଘା’ ଗୁଡ଼ିକୁ ଅପରେସନ‍୍‌ କରି କାଟି ଫୋପାଡ଼ି ଦେବାର ପ୍ରକ୍ରିୟା ଆରମ୍ଭ ହେଲା। ଆଉ ଏଇ ପ୍ରକ୍ରିୟା କେଉଁଠୁ ଆରମ୍ଭ ହୋଇଥିଲା ଜାଣନ୍ତି? ଓଡ଼ିଶାରୁ। ହଁ, “ନୀଳଗିରି’ର ଆଦିମ ଅଧିବାସୀ ତଥା ପ୍ରଜାମାନେ ତାହା କରିଦେଖାଇଥିଲେ। ରାଜାଙ୍କଠାରୁ ଶାସନକୁ ଛଡ଼ାଇ ଓଡ଼ିଶା ପ୍ରଦେଶ ସହ ମିଶାଇଲେ। ଏହା ଭାରତର କୂଟନୀତି ତଥା ଆଭ୍ୟନ୍ତରୀଣ ବ୍ୟାପାରକୁ ନୂଆ ମୋଡ଼ ଦେଲା। ଆରମ୍ଭ ହେଲା ଗଡ଼ଜାତ ମିଶ୍ରଣ ପ୍ରକ୍ରିୟା। ସାରା ଭାରତବର୍ଷର ୫୬୨ ଗଡ଼ଜାତ ରାଜ୍ୟକୁ ଭାରତ ସରକାର ନିଜ ଅଧୀନକୁ ଆଣିଲେ-କଳେବଳେ କୌଶଳେ। ପ୍ରକ୍ରିୟା ଶେଷ ହେଲା ୧୯୪୮ମସିହା ସେପ୍ଟେମ୍ୱର ୧୮ ତାରିଖରେ- ଯେତେବେଳେ ହାଇଦ୍ରାବାଦର ସପ୍ତମ ନିଜାମ‍୍‌ ଓସ‍୍‌ମାନ ଅଲୀ ଖାଁ ଆସଫ‌୍‍ ଜାହାଁ ଭାରତ ସରକାରଙ୍କ ସହ ନିଜ ରାଜ୍ୟର ମିଶ୍ରଣ ପାଇଁ ସହମତି ଦେଲେ।

୧୭,ସେପ୍ଟେମ୍ୱର ୧୯୪୮।

ସନ୍ଧ୍ୟା ନଇଁ ଆସୁଥାଏ। ହାଇଦ୍ରାବାଦ‍୍‌ ସେନାର ମେଜର ଜେନେରାଲ‍୍‌ ସୟଦ‍୍‌ ଅହମ୍ମଦ ଏଲ‍୍‌ ଏଦ୍ରୁଶ‍୍‌ ଭାରତୀୟ ସେନାର ଜେନେରାଲ‍୍‌ ଜୟନ୍ତ ନାଥ ଚୌଧୁରୀଙ୍କ ନିକଟରେ ଆତ୍ମସମର୍ପଣ କଲେ। ସୋଲାପୁରର ନଳଦୁର୍ଗଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ଅନ୍ତ ହେଲା। ଜେନେରାଲ‍୍‌ ଚୌଧୁରୀ ଅପେକ୍ଷା କଲେ ସକାଳକୁ- ହାଇଦ୍ରାବାଦ ଦଖଲ ପାଇଁ। ସକାଳର ସୂର୍ଯ୍ୟ ତାଙ୍କର ଏବଂ ଭାରତ ସରକାରଙ୍କ ଆଶାକୁ ପୂରଣ କଲା। ୧୦୮ ଘଣ୍ଟାର “ଅପରେସନ ପୋଲୋ’ ଶେଷ ହେଲା। ପାଖାପାଖି ୮୦୦ ଲୋକଙ୍କ ପ୍ରାଣବଳୀରେ ହାଇଦ୍ରାବାଦ‍୍‌ ସ୍ୱାଧୀନ ଭାରତର ଅଙ୍ଗ ହେଲା। କିନ୍ତୁ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ‍୍‌ ହେଲା ନାହିଁ। ନିଜର ସ୍ୱତନ୍ତ୍ର ବିଧାନସଭା, ସ୍ୱତନ୍ତ୍ର ଆଇନ ଦ୍ୱାରା ସପ୍ତମ ନିଜାମ‍୍‌ଙ୍କ ନେତୃତ୍ୱରେ ପରିଚାଳିତ ହେଲା ହାଇଦ୍ରାବାଦ‌୍‍ ପ୍ରଭିନ୍ସ- ଯେମିତି ଜମ୍ମୁ ଓ କଶ୍ମୀର।

ଏ ଭିତରେ ଭାରତ ସରକାରଙ୍କ କୂଟନୀତିକ ଓ ରାଜନୀତିକ ଉଦ୍ୟମ ରହିଲା ନିଜାମ‍୍‌ଙ୍କୁ ଭାରତୀୟ ଗଣତାନ୍ତ୍ରିକ ଧାରା ତଥା ସମ୍ୱିଧାନ ତିଆରି କାର୍ଯ୍ୟରେ ସାମିଲ‍୍‌ କରିବା ଲାଗି। କିନ୍ତୁ ତାହାକୁ ଅଣଦେଖା କରି ନିଜାମ‍୍‌ ଜାତିସଙ୍ଘ, ଜାତିସଙ୍ଘ ସୁରକ୍ଷା ପରିଷଦ ଏବଂ ଆମେରିକୀୟ ସରକାରଙ୍କ ସହାୟତା ମାଗିଲେ ଭାରତଠାରୁ ବିଚ୍ଛିନ୍ନ ହେବା ଲାଗି। ସବୁଥିରେ ବିଫଳ ହେବା ପରେ ନିଜାମ‍୍‌ ସ୍ଥିର କଲେ ଏକୁଟିଆ ହୋଇ ରହିବା ଅପେକ୍ଷା ଭାରତ ସହ ସାମିଲ‍୍‌ ହେବା ବରଂ ଭଲ ।ଏହିକ୍ରମରେ ୬, ଡିସେମ୍ୱର ୧୯୪୮ରେ ଏକ ଫର୍ମାନ‍୍‌ ଜାରି କଲେ। ଏହି ଫର୍ମାନ‍୍‌ ଅନୁସାରେ ହାଇଦ୍ରାବାଦର ନିଜସ୍ୱ ବିଧାନସଭା ଭଙ୍ଗ ହେଲା। ଆଉ ଏକ ଫର୍ମାନ‍୍‌ ମାଧ୍ୟମରେ ହାଇଦ୍ରାବାଦ‌୍‍ର ସମ୍ୱିଧାନକୁ ରଦ୍ଦ କରାଯାଇ ଭାରତର ସମ୍ୱିଧାନକୁ ହାଇଦ୍ରାବାଦ‌୍‍ରେ ପ୍ରଚଳନ ଲାଗି ଆଦେଶ ଦିଆଗଲା। ସେହି ଆଦେଶ ବଳରେ ହାଇଦ୍ରାବାଦ‍୍‌ ଭାରତ ସହ ମିଶିଲା ୫୬୨ତମ ସାମନ୍ତ ରାଜ୍ୟ ଭାବେ। ଶେଷ ହେଲା ଭାରତରେ ଗଡ଼ଜାତ ବା ସାମନ୍ତ ରାଜ୍ୟ ମିଶ୍ରଣର ପର୍ବ। ସାମନ୍ତ ରାଜ୍ୟଗୁଡ଼ିକୁ ଭଙ୍ଗକରି ଏକକ ଭାରତ ଗଠନ କରିବାର ଯେଉଁ ମିଶନ‍୍‌ ଡିପାର୍ଟମେଣ୍ଟ ଅଫ୍ ଷ୍ଟେଟ୍ସ ଆରମ୍ଭ କରିଥିଲା ତାହାର ଅନ୍ତ ହେଲା। ହେଲେ ଏ ଅନ୍ତର ଆରମ୍ଭ କେଉଁଠୁ ହୋଇଥିଲା ଜାଣନ୍ତି? ଓଡ଼ିଶାରୁ ଏକ ଛୋଟ ଗଡ଼ଜାତ ରାଜ୍ୟ ନୀଳଗିରିରୁ, ୧୪, ନଭେମ୍ୱର ୧୯୪୭ ମସିହାରେ।

ନୀଳଗିରି

ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ସବ‍୍‌ଡିଭିଜନ‍୍‌ ଭାବେ ପରିଚିତ ନୀଳଗିରି ଗଡ଼ଜାତ ବ୍ରିଟିଶ‍୍‌ ଇଣ୍ଡିଆରେ ଏକ ବି’ ଶ୍ରେଣୀୟ ଗଡ଼ଜାତ ରାଜ୍ୟ ଥିଲା। ସମୁଦାୟ ୨୮୪ ବର୍ଗମାଇଲ‍୍‌ ଅଞ୍ଚଳ ପରିମିତ ଏ ରାଜ୍ୟରେ ସେତେବେଳେ ଲୋକସଂଖ୍ୟା ଥିଲା ୬୮ହଜାର ୫୯୫ ଜଣ। ୧୯୩୮ ମସିହାରେ ଏ ରାଜ୍ୟରୁ ମାତ୍ର ୧ଲକ୍ଷ ୭୩ ହଜାର ଟଙ୍କା ରାଜସ୍ୱ ଆଦାୟ କରାଯାଉଥିଲେ ମଧ୍ୟ ସଂସ୍କୃତି, ପରିବେଶ ଓ ଶାସନ ଦୃଷ୍ଟିକୋଣରୁ ଏହି ରାଜ୍ୟର ଗୁରୁତ୍ୱ ବ୍ରିଟିଶ‍୍‌ ଶାସନରେ ଯଥେଷ୍ଟ ଥିଲା। ବିଶେଷକରି ୧୯୩୫ ଭାରତ ଶାସନ ଆଇନପରେ ଗଡ଼ଜାତ ରାଜ୍ୟଗୁଡ଼ିକୁ ଯେଉଁ ଅପାର କ୍ଷମତା ଦିଆଯାଇ ବ୍ରିଟିଶ‍୍‌ ଇଣ୍ଡିଆ ଶାସନଠୁ ଅଲଗା ରଖାଯାଇଥିଲା, ତାହାଦ୍ୱାରା ପ୍ରଜାମାନଙ୍କ ଉପରେ ରାଜାମାନଙ୍କର କ୍ଷମତା ବି କିଛି କମ‍୍‌ ନଥିଲା। ଏକଚ୍ଛତ୍ରବାଦ କ୍ରମଶଃ ବଢ଼ିବାରେ ଲାଗିଥିଲା। ସେହି ଅନୁପାତରେ ବଢ଼ୁଥିଲା ଗଡ଼ଜାତ ଭିତରେ ପ୍ରଜାଙ୍କ ଦୁର୍ଦ୍ଦଶା। ବେଠି, ବର୍ତ୍ତନ ଭଳି ନିର୍ଯାତନାରେ ପ୍ରଜା କାଳ କାଟୁଥିଲେ। ଏହି ନିର୍ଯାତନା ତାଙ୍କୁ କ୍ରମଶଃ ଏକାଠି କରୁଥିଲା ରାଜାଙ୍କ ବିରୋଧରେ।

କମ୍ୟୁନିଷ୍ଟ ପାର୍ଟି ଓ ପ୍ରଜା ଆନ୍ଦୋଳନ

ଓଡ଼ିଶା ଇତିହାସରେ ନୀଳଗିରିର ସ୍ୱତନ୍ତ୍ରତା ଏହାର ପ୍ରଜା ଆନ୍ଦୋଳନ ଯୋଗୁ ଅଧିକ ସ୍ୱୀକୃତ। ଆଉ ଏହି ଆନ୍ଦୋଳନର ମଙ୍ଗ ନେଉଥିଲା କମ୍ୟୁନିଷ୍ଟ ପାର୍ଟି। ୧୯୪୩ ମସିହାରେ ବ୍ରିଟିଶ‍୍‌ ସରକାରଙ୍କ ନିଷିଦ୍ଧାଦେଶର ପ୍ରତ୍ୟାହାର ପରେ କମ୍ୟୁନିଷ୍ଟ ନେତାମାନେ ବିଭିନ୍ନଆଡେ଼ ପ୍ରଜା ଆନ୍ଦୋଳନ ଆରମ୍ଭ କଲେ। ରାଜ୍ୟ ଓ ଜିଲ୍ଲା ସ୍ତରରେ ସେମାନଙ୍କ କାର୍ଯ୍ୟାଳୟସବୁ ଆରମ୍ଭ ହେଲା। ଠିକ୍ ଏହି ସମୟରେ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପୁରୋଧା ଭଗବତୀଚରଣ ପାଣିଗ୍ରାହୀଙ୍କ ମୃତ୍ୟୁ ହେଲା। କିନ୍ତୁ ତାଙ୍କରି ଆଦର୍ଶରେ ଅନ୍ୟମାନେ ତଥା ଗୁରୁଚରଣ ପଟ୍ଟନାୟକ, ପ୍ରାଣନାଥ ପଟ୍ଟନାୟକ ପ୍ରଭୃତି ପ୍ରତିଷ୍ଠାତା ସଦସ୍ୟ ଇଂରେଜ ଶାସନ ଓ ଭାରତୀୟ ଜାତୀୟ କଂଗ୍ରେସର ସାଲିସ ମନୋବୃତ୍ତି ବିରୋଧରେ ସଂଗ୍ରାମ ଜାରି ରଖିଲେ। ନୀଳଗିରି, ଢେଙ୍କାନାଳ, ରଣପୁରରେ ସଂଗ୍ରାମ ଏତେ ଆଗକୁ ଯାଇଥିଲା ଯେ, ସାଧାରଣ ଲୋକେ ସ୍ୱତଃ ଏଥିରେ ସାମିଲ‍୍‌ ହେଉଥିଲେ।

 

ନୀଳଗିରି କଥା ଅଧିକ ବିବାଦ ଆଡ଼କୁ ଯାଉଥିଲା କାରଣ ଏହି ପ୍ରଜା ଆନ୍ଦୋଳନ ଯୋଗୁ ରାଜା କିଶୋରଚନ୍ଦ୍ରଙ୍କୁ ୪ ବର୍ଷ ରାଜ୍ୟବାହାରେ ରହିବାକୁ ପଡ଼ିଥିଲା। ଇଂରେଜମାନେ ତାଙ୍କଠାରୁ କ୍ଷମତା ପ୍ରତ୍ୟାହାର କରିନେଇଥିଲେ। ଫେରିବା ପରେ ଯଦିଓ ସେ ପ୍ରଜାଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ରାଜି ହୋଇଥିଲେ ଏବଂ ମୟୂରଭଞ୍ଜ ଢାଞ୍ଚାରେ ଦାୟିତ୍ୱ ସମ୍ପନ୍ନ ପ୍ରଜାସଭା (ବିଧାନସଭା) ପାଇଁ ରାଜି ହୋଇଥିଲେ କିନ୍ତୁ ପ୍ରଜା ଆନ୍ଦୋଳନ ଏତେ ଆଗକୁ ବଢ଼ିଥିଲା ଯେ, ତାହାକୁ ନିୟନ୍ତ୍ରଣ କରିବା ସମ୍ଭବପର ନଥିଲା। ରାଜା କିଛି ହିଂସ୍ର ଓ ଅସାମାଜିକ ଆଦିବାସୀ ନେତାଙ୍କ ସହାୟତାରେ ପ୍ରଜା ଆନ୍ଦୋଳନ ନେତାଙ୍କ ଘର ପୋଡ଼ିଦେବା, ସେମାନଙ୍କ ଜମି ଅକ୍ତିଆରକୁ ନେବା ପ୍ରଭୃତିକୁ ପ୍ରୋତ୍ସାହିତ କଲେ। ଆଦିବାସୀମାନେ ସାଧାରଣ ପ୍ରଜାଙ୍କ ଜମିକୁ ଜବରଦଖଲ କରି ଚାଷ କଲେ। ଯାହାକୁ ଦଖଲ କଲେ ସେଥିରେ ନୀଳ ପତାକା ଖେସିଦେଲେ। ଯେଉଁମାନେ ଏହାର ବିରୋଧ କଲେ ସେମାନଙ୍କ ଜୀବନ ନେଉଥିଲେ ଆଦିବାସୀ। ଫଳରେ ପ୍ରଜା ସବୁଆଡ଼ୁ ହଇରାଣ ହେଲେ। ରାଜାଙ୍କ କର୍ମଚାରୀମାନେ ପ୍ରଜାଙ୍କୁ ଅନେକ ଧମକ ଚମକ ଦେଲେ। ରାଜା ଇଷ୍ଟର୍ଣ୍ଣ ଷ୍ଟେଟସ‌୍‍ ୟୁନିୟନ‌୍‍ ସହାୟତାରେ ପ୍ରାସାଦକୁ ସୁରକ୍ଷିତ କରିବା ପାଇଁ ରାଜକୋଷରୁ ଅର୍ଥ ଦେଇ ସ୍ୱତନ୍ତ୍ର ଗୁର୍ଖା ବାହିନୀ ମୁତ୍ତୟନ କଲେ। କିନ୍ତୁ ରାଜାଙ୍କ ଏହି ଷଡ଼ଯନ୍ତ୍ର ଧରାପଡ଼ିବା ପରେ ପରିସ୍ଥିତି ରାଜାଙ୍କ ବିରୋଧରେ ହିଁ ପ୍ରେରିତ ହୋଇଥିଲା। ଏହାକୁ ମୁକାବିଲା କରିବାରେ ଅକ୍ଷମ ହେଲେ ରାଜା କିଶୋରଚନ୍ଦ୍ର। ଏହି ଖବର ପ୍ରଜାମଣ୍ଡଳ ନେତାଙ୍କ ମାଧ୍ୟମରେ ପ୍ରିମିୟର ହରେକୃଷ୍ଣ ମହତାବଙ୍କ ପାଖରେ ପହଞ୍ଚିଲା। ଯଦିଓ ନୀଳଗିରି ଓଡ଼ିଶା ଭିତରେଭୌଗୋଳିକ ଦୃଷ୍ଟିରୁ ଥିଲା କିନ୍ତୁ ପରିସ୍ଥିତି ଏପରି ହୋଇଥିଲା ଯେ, ସମ୍ପୃକ୍ତ ଗଡ଼ଜାତ ଭିତରକୁ ଓଡ଼ିଶା ପୁଲିସ ପହଞ୍ଚିବା ସମ୍ଭବ ହୋଇନଥିଲା। ଅର୍ଥାତ‌୍‍ ଲୋକଙ୍କ ଦୁର୍ଦ୍ଦଶାକୁ ବୁଝିବାରେ ଅକ୍ଷମ ହେଉଥିଲେ ଓଡ଼ିଶାର ସରକାର ତଥା ପ୍ରିମିୟର।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ସରକାର ଗଡ଼ଜାତ ମିଶ୍ରଣର ଯୋଜନା କେନ୍ଦ୍ରକୁ ଜଣାଇଲେ। ସେତେବେଳେ ଶ୍ରୀ ମହତାବ ପ୍ରମିୟର ଭାବେ ସର୍ଦ୍ଦାର ପଟେଲ‍୍‌ ଓ ତାଙ୍କ ବିଭାଗକୁ ଚିଠି ଲେଖି ସବୁ ବିଷୟ ଜଣାଇଲେ। କିନ୍ତୁ ଭାରତର ପରିସ୍ଥିତି ଯାହା ଥିଲା ସେଥିରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେନା ପଠାଇବା ଅସମ୍ଭବ ଥିଲା। କାରଣ ଜମ୍ମୁକଶ୍ମୀର ବିବାଦ ସାଙ୍ଗକୁ ଦକ୍ଷିଣରେ ନିଜାମ‍୍‌ଙ୍କ ଶାସନ ବିରୋଧରେ ସେନାର ଆବଶ୍ୟକତା ତୁଳନାରେ ନୀଳଗିରି କମ‍୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ଅପରପକ୍ଷେ ନୀଳଗରିର ହିଂସା କାଣ୍ଡ ଆଉ କୌଣସି ନୂଆ ରୂପ ନ ନେଉ ବା ସ୍ୱାଧୀନ ଭାରତରେ ପୁଣି ଏକ ସମସ୍ୟା ସୃଷ୍ଟି ନକରୁ ତହା ଚାହୁଁଥିଲେ ଭାରତ ସରକାର। ଏହାଛଡ଼ା ରାଜାମାନଙ୍କୁ ଗାଦିଚ୍ୟୁତ କରି ଶାସନ ଛଡ଼ାଇନେବା ପକ୍ଷରେ ନଥିଲେ ଭାରତ ସରକାର। କିନ୍ତୁ ପରିସ୍ଥିତିକୁ ଆୟତକୁ ଆଣିବା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଡିପାର୍ଟମେଣ୍ଟ ଅଫ‌୍‍ ଷ୍ଟେଟ୍ସ ନିର୍ଦେଶ ଦେଲା। ରାଜାଙ୍କୁ ଅପସାରଣ କରିବା ଏହାର ଉଦ୍ଦେଶ୍ୟ ନଥିଲା। ଏହା ପୂର୍ବରୁ ବ୍ରିଟିଶ‌୍‍ ସରକାର ମଧ୍ୟ ଏହିପରି ନୀତି ଅନେକଥର ଆପଣାଇଥିଲେ। ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ଏପରି ଏକ ନିଷ୍ପତ୍ତି ନେଇ ସର୍ଦ୍ଦାର ପଟେଲ‌୍‍ ଓଡ଼ିଶା ପ୍ରିମିୟରଙ୍କ ମତାମତକୁ ପରୀକ୍ଷା କରିବାକୁ ଚାହିଁଥିଲେ।

ଇଷ୍ଟର୍ଣ୍ଣ ଷ୍ଟେଟସ‍୍‌ ୟୁନିୟନ

ସ୍ୱାଧୀନତା ଘୋଷଣାର କିଛିମାସ ପୂର୍ବରୁ ଭାରତ ବ୍ରିଟିଶ‍୍‌ ଶାସନ ତନ୍ତ୍ରରୁ ଅଲଗା ହେବ ବୋଲି ପ୍ରାୟତଃ ସ୍ପଷ୍ଟ ହୋଇ ସାରିଥିଲା। କ୍ୟାବିନେଟ‍୍‌ ମିଶନ‍୍‌ ଏନେଇ ଇଙ୍ଗିତ ଦେଇଥିଲା। ଏହିକ୍ରମରେ ଗଡ଼ଜାତଗୁଡ଼ିକର ଶାସନ ସ୍ୱତନ୍ତ୍ର ଭାବରେ କରିବା ପାଇଁ ସୁପାରିସ‍୍‌ ହୋଇଥିଲା। ସେଠାରେ ଉତ୍ତରଦାୟୀ ଶାସନ ପ୍ରତିଷ୍ଠା କରିବା ତଥା ଆଇନର ଶାସନ ପ୍ରଣୟନ ପାଇଁ ମତ ପ୍ରକାଶ ପାଇଥିଲା। ରାଜାମାନେ ନିଜର ମର୍ଯ୍ୟାଦା ରକ୍ଷା ତଥା ଆଡ଼ମ୍ୱର ବଜାୟ ରଖିବା ପାଇଁ ଚିନ୍ତିତ ଥାଆନ୍ତି। ଏହିକ୍ରମରେ ସେମାନଙ୍କ ଭିତରେ ଘମାଘୋଟ ଆଲୋଚନା ଚାଲିଥାଏ। ୧୯୩୩ ରେ ଗଠିତ ଡେକାନ‍୍‌ ଷ୍ଟେସ‍୍‌ ଏଜେନ୍ସୀ ଭଳି ଓଡ଼ିଶାରେ ମଧ୍ୟ ଏକ ଗଡ଼ଜାତ ଏଜେନ୍ସୀ ଗଢ଼ାଗଲା। ଏଥିରେ ଓଡ଼ିଶା ଛତିଶଗଡ଼ର ଗଡ଼ଜାତମାନେ ରହିଲେ। ୨୬ଟି ଗଡ଼ଜାତର ସୁରକ୍ଷା ପାଇଁ ଗଢ଼ାଗଲା ଇଷ୍ଟର୍ଣ୍ଣ ଷ୍ଟେସ‍୍‌ ୟୁନିୟନ। ପାଟଣା, କଳାହାଣ୍ଡି, ମୟୂରଭଞ୍ଜ, ଷଢ଼େଇକଳା ପ୍ରମୁଖ ଏଥିରେ ପ୍ରମୁଖ ଅଂଶ ହୋଇଥିଲେ।

ଅପରପକ୍ଷେ ନିଜର ସ୍ୱତନ୍ତ୍ରତା ରକ୍ଷା କରିବା ପାଇଁ ପ୍ରଜା ଆନ୍ଦୋଳନର ନେତାମାନେ ପଟ୍ଟାଭୀ ସୀତାରାମାୟାଙ୍କ ନେତୃତ୍ୱରେ ୧୯୪୭ ଏପ୍ରିଲ‍୍‌ ମାସରେ ଏକାଠି ହେଲେ। ଗୋଆଲିୟରଠାରେ ଆୟୋଜିତ ଏହି ସମାବେଶର ନାଁ ରହିଥିଲା ନିଖିଳ ଭାରତ ଗଡ଼ଜାତ ପ୍ରଜା ସମ୍ମିଳନୀ। ଏହି ସମ୍ମିଳନୀରେ ସୌରାଷ୍ଟ୍ର ରାଜାମାନେ ଏକାଠି ହୋଇ ଏକ ପ୍ରଦେଶ ଗଠନ ପାଇଁ ମତ ପ୍ରକାଶ ପାଇଥିଲା। ଏହାପରେ ସେଠାରେ ଓଡ଼ିଶାର ଗଡ଼ଜାତମାନେ ମିଶି ଯେଉଁ ଇଷ୍ଟର୍ଣ୍ଣ ଷ୍ଟେଟ୍ସ ୟୁନିୟନ‍୍‌ ଗଠନ ହୋଇଥିଲା ତାହାକୁ ସମର୍ଥନ ମଧ୍ୟ ମିଳିଥିଲା। ଅର୍ଥାତ୍ ଉଭୟ ପ୍ରଜା ଓ ରାଜା ପ୍ରାୟତଃ ଗୋଟିଏ ମତରେ ଥିଲେ। ଉଭୟଙ୍କ ଲକ୍ଷ୍ୟ ଥିଲା ଆଦିବାସୀଙ୍କୁ ହଟାଇବା।

ନିଜ ନିଜର ସୁରକ୍ଷା ପାଇଁ ଏହି ଇଷ୍ଟର୍ଣ୍ଣ ଷ୍ଟେଟ୍ସ ୟୁନିୟନ‍୍‌ ଏକ ନିଜସ୍ୱ ମିଲିଟାରୀ ପୁଲିସ ମଧ୍ୟ ରଖିଥିଲେ। ତାହାର ମୁଖ୍ୟାଳୟ ସେତେବେଳର କଲିକତାରେ ଥିଲା। ଏହି ମିଲିଟାରୀ ପୁଲିସ ବଳର ସହାୟତାରେ ନୀଳଗିରି ପ୍ରାସାଦକୁ ସେତେବେଳେ ସୁରକ୍ଷା ଯୋଗାଇ ଦିଆଯାଉଥିଲା। ଏହାଛଡ଼ା ନୀଳଗିରି ରାଜା କିଶୋରଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ମଧ୍ୟ କିଛି ଗୁର୍ଖାଙ୍କୁ ସୁରକ୍ଷା ଓ ରାଜ ଉଆସ ତଥା କଚେରି ରକ୍ଷା ପାଇଁ ନିୟୋଜିତ କରିଥିଲେ। ଗୁର୍ଖାଙ୍କ ସହ ଲଢ଼େଇ କରିବାରେ ଆଦିବାସୀମାନେ ସମର୍ଥ ହେଉ ନଥିଲେ। କିନ୍ତୁ ଉତ୍ତେଜନା କମୁ ନଥିଲା।

ମିଲିଟାରୀ ମାର୍ଚ୍ଚ

ଭାରତ ସରକାରଙ୍କଠାରୁ ଅନୁମତି ପାଇବା ପରେ ବାଲେଶ୍ୱର ଜିଲ୍ଲାପାଳ ନୀଳଗିରିର ଶାସନକୁ ନିଜ ଅଧୀନକୁ ନେବା ପାଇଁ ପ୍ରସ୍ତୁତ ହେଳେ। ନଭେମ୍ୱର ୧୪ ତାରିଖ ସକାଳୁ ସକାଳୁ ବାଲେଶ୍ୱରରୁ ନୀଳଗିରି ଅଭିମୁଖେ ଓଡ଼ିଶା ମିଲିଟାରୀ ପୁଲିସ ମାର୍ଚ୍ଚ ଆରମ୍ଭ କଲେ। ବାଟରେ ପ୍ରଜା ଆନ୍ଦୋଳନର ନେତୃତ୍ୱ ତାଙ୍କୁ ସମ୍ୱର୍ଦ୍ଧନା କଲେ। ଏହା ପୂର୍ବରୁ ନୀଳଗିରିର କଲିକତା ସହ ସମସ୍ତ ସମ୍ପର୍କକୁ ଚ୍ଛିନ୍ନ କରାଯାଇଥିଲ। ଡାକ ତାର ବନ୍ଦ ହୋଇଥିଲା। ପ୍ରବେଶ କଲା ଓଡ଼ିଶା ମିଲିଟାରୀ ପୁଲିସ। ଏହି କୂଟନୀତିରେ ହାର ମାନିଗଲା ନୀଳଗିରିର ଶାସନ। ପ୍ରାସାଦକୁ ପୁଲିସ ଆୟତ୍ତାଧୀନ କରାଗଲା। ସେହିଦିନ ପ୍ରାସାଦ ଭିତରେ ରାଜାଙ୍କୁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଭେଟିଲେ। ନୀଳଗିରିର ଶାସନକୁ ହସ୍ତାନ୍ତର କରିବା ସବୁଠାରୁ ଭଲ ଓ ସମ୍ମାନଜନକ ବିକଳ୍ପ ବୋଲି ସେମାନେ ବୁଝାଇଲେ। ଏହାଦ୍ୱାରା ପ୍ରଜା ଓ ରାଜା ଉଭୟ ଶାନ୍ତିରେ ରହିବେ ବୋଲି ଆଶ୍ୱାସନା ଦିଆଗଲା। ରାଜା କିଛି ସର୍ତ୍ତ ରଖିଲେ ଆଉ ନୀଳଗରି ଭାରତର ଶାସନ ବ୍ୟବସ୍ଥାରେ ସାମିଲ‍୍‌ ହେବାକୁ ରାଜି ହେଲେ। ଭାଙ୍ଗିପଡ଼ିଲା ନୀଳଗିରିରେ ରାଜା ଶାସନ। ରାଜା କେବଳ ଯେ କେବଳ ନାମକୁମାତ୍ର ତାହା ହିଁ ହୋଇ ରହିଲା। ଆଗକୁ ଯେ, ରାଜା ଆଉ କଚେରି କରିପାରିବେ ନାହିଁ, ଖଜଣା ଆଦାୟ କରିବେ ନାହିଁ ମାଲି ମକଦ୍ଦମା ସମାଧାନ କରିବେ ନାହିଁ ତାହା ସ୍ପଷ୍ଟ ହେଲା।


ସ୍ୱାଧୀନ ଭାରତ ଇତିହାସରେ ଏହା ପ୍ରଥମ ଘଟଣା ଥିଲା। ଅର୍ଥାତ୍ ନୀଳଗିରି ରାଜାଙ୍କ ଏହି ସ୍ୱୀକୃତି ଭାରତକୁ ଏକତ୍ର କରିବା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ‍୍‌ଙ୍କ ଆଭିମୁଖ୍ୟକୁ ଅଧିକ ଶାଣିତ କଲା। ଆଉ ସର୍ଦ୍ଦାର ଆରମ୍ଭ କଲେ ଭାରତ ଏକତ୍ରୀକରଣ ପର୍ବ। ରାଜାମାନଙ୍କ ଥଇଥାନ ପାଇଁ ସ୍ୱତନ୍ତ୍ର ପ୍ରିଭି ପର୍ସ ଓ ଅନ୍ୟ କିଛି ସୁବିଧା ସୁଯୋଗ ଦେବା ସର୍ତ୍ତରେ ରାଜି ହୋଇ ପ୍ରସ୍ତୁତ ହେଲା ଗଡ଼ଜାତ ମିଶ୍ରଣ ପର୍ବ, ଠିକ୍ ଏକମାସ ପରେ। ଡିସେମ୍ୱର, ୧୪ ତାରିଖ। କଟକର ରାଜଭବନଠାରେ ଓଡ଼ିଶାର ରାଜାମାନଙ୍କ ସହ ସର୍ଦ୍ଦାର ପଟେଲ‍୍‌ଙ୍କ ଆଲୋଚନା ସ୍ଥିର ହେଲା। ଅନେକ ତର୍କ, ଆଲୋଚନା ଭିତରେ ରାଜାମାନଙ୍କୁ ମିଶ୍ରଣ ଚୁକ୍ତିପତ୍ର ପ୍ରଦାନ କରାଗଲା। ଆଉ ସନ୍ଧ୍ୟା ବେଳକୁ ସମସ୍ତ ରାଜ୍ୟ ସେହି ଚୁକ୍ତିରେ ସ୍ୱାକ୍ଷର କରି ଭାରତୀୟ ଗଣତନ୍ତ୍ରକୁ ମଜଭୁତ କରିବା ଲାଗି ବ୍ରତୀ ହେଲେ। ପ୍ରଜାଙ୍କ ମନରେ ଆନନ୍ଦ ଖେଳିଗଲା । ସର୍ଦ୍ଦାର ପଟେଲ‍୍‌ ତାଙ୍କ ଅଧିକାରୀଙ୍କ ସହ ଛତିଶଗଡ଼ ହୋଇ ଦିଲ୍ଲୀ ଗଲେ। ଡିସେମ୍ୱର ୨୪ ତାରିଖରେ ଏ ନେଇ ଭାରତ ସରକାରଙ୍କ ପକ୍ଷରୁ ଏକ ରାଜପତ୍ର ପ୍ରକାଶ କରାଗଲା। ଏକ୍ସଟ୍ରା ପ୍ରଭିନ୍ସିଆଲ‍୍‌ ଜୁରିସ‍୍‌ଡିକ୍ସନ‍୍‌ ଆକ୍ଟ ୧୯୪୭ର ଭାଗ-୩ ଓ ଉପଭାଗ ୨ ଅନୁସାରେ ଭାରତ ସରକାର ଓଡ଼ିଶା ସରକାରଙ୍କୁ ଗଡ଼ଜାତଗୁଡ଼ିକର ଶାସନ ଭାର ଅର୍ପଣ କଲେ। ଯଦିଓ ଏହାକୁ ନେଇ ସମାଲୋଚନା ହେଲା କିନ୍ତୁ ଓଡ଼ିଶାର ଲୋକଙ୍କ ଆନନ୍ଦ ଅପାର ହେଲା। ଯେଉଁ ପ୍ରଜାମାନେ ଯେଉଁ ପଦ ଧାରଣ କରି ଯେଉଁ ସେବା କରୁଥିଲେ ସେମାନଙ୍କୁ ତାହା ପ୍ରଦାନ କରାଗଲା। ଗଡ଼ଜାତଗୁଡ଼ିକ ଜିଲ୍ଲା ପରି ପରିଚାଳନା କରାଗଲା। ସବୁ ଠାରୁ ବଡ଼ କଥା ହେଲା କଟକରୁ ସମ୍ୱଲପୁର ଯିବାକୁ ହେଲେ ଆଉ ବାଟରେ ପଡ଼ୁଥିବା ଗଡ଼ଜାତଗୁଡ଼ିକଠାରୁ ରାସ୍ତା ଅନୁମତି ନେବାକୁ ପଡ଼ିଲା ନାହିଁ। ଏ ରାଜ୍ୟ ଗୋଟିଏ ବୋଲି ଭାବନା ସୃଷ୍ଟି ହେଲା।

‘ନୀଳଗିରି ଓଡ଼ିଶା ପ୍ରଭିନ୍ସ ସହ ମିଶିବ ବୋଲି କାହାକୁ ଜଣା ନଥିଲା। ସାରା ଭାରତ, ଡିପାର୍ଟମେଣ୍ଟ ଅଫ‌୍‍ ଷ୍ଟେଟ୍ସ ଏବଂ ଗଡ଼ଜାତ ରାଜ୍ୟମାନଙ୍କ ପାଇଁ ଏହା ଏକ ଆକସ୍ମିକ ଘଟଣା ଥିଲା। ସ୍ୱାଧୀନତା ପରେ ଗଡ଼ଜାତମାନଙ୍କ ସହ ଭାରତ ଶାସନର ସମ୍ୱନ୍ଧ କ’ଣ ହେବ ସେ ବିଷୟରେ ଆଲୋଚନା ତଥା ଚୁକ୍ତି ସ୍ଥାପନ ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ‌୍‍ ଓଡ଼ିଶା ଆସିବାକୁ ମାସେ ବାକି ଥାଏ; ତା’ ଭିତରେ ନୀଳଗିରିରେ ହଠାତ‌୍‍ ରାଜାଙ୍କ ବିରୋଧରେ ପ୍ରଜାଙ୍କ ଆନ୍ଦୋଳନ ତୀବ୍ରତର ହୋଇ ଉଠିଥିଲା। ଏହି ଆନ୍ଦୋଳନର କିଛିଦିନ ପୂର୍ବରୁ ପ୍ରଜାମଣ୍ଡଳର ନେତୃତ୍ୱଙ୍କୁ ପ୍ରଶମିତ କରିବା ପାଇଁ ରାଜା କିଛି ଆଦିବାସୀ ଅସାମାଜିକ ବ୍ୟକ୍ତିଙ୍କ ସହାୟତା ନେଇଥିଲେ। ସେମାନେ ପ୍ରଜାମଣ୍ଡଳ ନେତୃତ୍ୱଙ୍କ ଘର ପୋଡ଼ି ଦେଲେ। ଯେତେବେଳେ ଏହି କାଣ୍ଡରେ ରାଜାଙ୍କ ହାତ ଥିବା ସ୍ପଷ୍ଟ ହେଲା ସେତେବେଳେ ଆନ୍ଦୋଳନ ତୀବ୍ରତର ହେଲା। ପ୍ରଜାମାନଙ୍କ ନେତୃତ୍ୱ ସେତେବେଳେ ବନମାଳି ଦାସ ଏବଂ କୈଳାସ ଚନ୍ଦ୍ର ମହାନ୍ତି ନେଉଥିଲେ। ଯଦିଓ ବନମାଳି ଦାସ ବାମପନ୍ଥୀ ଚିନ୍ତାଧାରା ଓ ଓ କୈଳାସଚନ୍ଦ୍ର ମହାନ୍ତି ଦକ୍ଷିଣପନ୍ଥୀ କଂଗ୍ରେସ ଚିନ୍ତାଧାରାରେ ବିଶ୍ୱାସ କରୁଥିଲେ କିନ୍ତୁ ପ୍ରଜାଙ୍କ ପାଇଁ ସେମାନେ ଏକାଠି କାମ କରୁଥିଲେ। ଏହାହିଁ ନୀଳଗିରି ଆନ୍ଦୋଳନର ବିଶେଷତ୍ୱ ଥିଲା। ଉଭୟ ଆଦିବାସୀ ଓ ଅଣଆଦିବାସୀମାନେ ଏହିଦୁହିଁଙ୍କ ନେତୃତ୍ୱରେ କଚେରୀ ଦଖଲ କରିବାକୁ ଉଦ୍ୟମ କଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ବଦଳରେ ଡିପାର୍ଟମେଣ୍ଟ ଅଫ‌୍‍ ଷ୍ଟେଟ‌୍‍ସ‌୍‍ ଏହାକୁ ଏକ ପରୀକ୍ଷାଗାର ଭାବେ ଗ୍ରହଣ କଲେ। ଜିଲ୍ଲାପାଳଙ୍କୁ ନିଦ୍ଦେର୍ଶ ଦିଆଗଲା ରାଜ୍ୟର ଶାସନ ଅଧିଗ୍ରହଣ କରିବା ପାଇଁ। ଆଉ ତାହା ସଫଳ ହେଲା ଏବଂ ରାଜା ବି ପ୍ରଜାଙ୍କ ଦାବି ଆଗରେ ସମର୍ପଣ କଲେ। ସ୍ୱାଧୀନ ଭାରତ ପାଇଁ ଏହା ଏକ ନୂଆ ଦିଗ ସୃଷ୍ଟି କଲା ଆଉ ଗଡ଼ଜାତକୁ ସ୍ୱତନ୍ତ୍ର କ୍ଷମତା ଦେବା ବଦଳରେ ମିଶ୍ରଣ ପାଇଁ ଚିନ୍ତା ହେଲା’।

– ବିଜୟଚନ୍ଦ୍ର ରଥ, ପ୍ରାକ୍ତନ ପ୍ରଫେସର- ଇତିହାସ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ

ନଭେମ୍ୱର୧୪ରେ ମହତାବଙ୍କ ପରାମର୍ଶରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନୀଳଗିରି ରାଜ୍ୟର ପ୍ରଶାସନିକ କ୍ଷମତା ଅଧିଗ୍ରହଣ ପାଇଁ ଭାରତ ସରକାର ନିଦ୍ଦେର୍ଶ ଦେଇଥିଲେ। ଏହା ଗଡ଼ଜାତ ମିଶ୍ରଣ ଦିନ ନୁହେଁ। ନୀଳଗିରି ସେଇଦିନ ଭାରତ ସହ ମିଶି ହୋଇଥିଲା ଯେଉଁଦିନ ମୟୁରଭଞ୍ଜକୁ ଛାଡ଼ି ଓଡ଼ିଶାର ଅନ୍ୟ ରାଜାମାନେ ସର୍ଦ୍ଦାର ପଟେଲଙ୍କ ସହ ଆଲୋଚନା କରି ‘ମର୍ଜର ଏଗ୍ରିମେଣ୍ଟ’ବା ମିଶ୍ରଣ ଚୁକ୍ତି ସ୍ୱାକ୍ଷର କଲେ। ପୁଣି ଏହି ଚୁକ୍ତି ଜାନୁୟାରୀ ୧, ୧୯୪୮ରୁ ଲାଗୁ ହୋଇଥିଲା। ଭାରତ ସହ ମିଶିବା ଦ୍ୱାରା ଲୋକଙ୍କ ମଙ୍ଗଳ ସାଧନ ଅଧିକ ତୀବ୍ର ହୋଇପାରିବ, ଲୋକଙ୍କ ପାଇଁ ଆଶ୍ୟାକ ଭିତ୍ତିଭୂମି ସୃଷ୍ଟି ହୋଇପାରିବ ତାହା ଆଶାଥିିଲା। କିନ୍ତୁ ଏଯାଏ ଗଡ଼ଜାତଗୁଡ଼ିକରେ ବିଶେଷ କିଛି ପରିତ୍ତର୍ବନ ଲକ୍ଷ୍ୟ କରାଯାଇପାରୁ ନାହିଁ। ସେଇ ସମାନ ଘରଗୁଡ଼ିକରେ ସରକାରୀ କାର୍ଯ୍ୟାଳୟ ଚାଲୁଛି। ଏପରିକି ଅନେକ କୋଠାବାଡ଼ିର ରକ୍ଷଣାବେକ୍ଷଣ ବି କରାଯାଇପାରୁ ନାହିଁ; ସେଗୁଡ଼ିକ ଯଦି ରକ୍ଷଣାବେକ୍ଷଣ କରାଯାଇ ପାରିଥାଆନ୍ତା ଆମ ଐତିହ୍ୟଭାବେ ଅନ୍ୟକୁ ଆକର୍ଷିତ କରିପାରିଥାଆନ୍ତା। ଭବିଷ୍ୟତ ପିଢ଼ି ଏହାଦ୍ୱାରା ଇତିହାସକୁ ଅନୁଭବ କରିପାରୁ ଥାଆନ୍ତେ।

ଐତିହ୍ୟର ସୁରକ୍ଷା ପାଇଁ ଭାରତ ସରକାର ଅର୍ଥ ଖର୍ଚ୍ଚ କରୁନାହାନ୍ତି ତାହା ନୁହେଁ, କିନ୍ତୁ ଆମ ରାଜ୍ୟରେ ସେଇ ଅର୍ଥକୁ ଖର୍ଚ୍ଚ କରିବା ପାଇଁ ଏପରି ନୀତି ସୃଷ୍ଟି ହୋଇଛିଯେ, ସେଥିରେ ଐତିହ୍ୟ ବଞ୍ଚିବା ସମ୍ଭବପର ହୋଇପାରୁ ନାହିଁ। ରାଜବାଟୀର ସମ୍ପତ୍ତିକୁ ଘରୋଇ ସମ୍ପତ୍ତି ଭାବେ ବିଚାର କରି ସରକାର ଏହାର ରକ୍ଷଣରାବେକ୍ଷଣ କରିବେ ନାହିଁ ବୋଲି କହୁଛନ୍ତି। କିନ୍ତୁ ଯେଉଁ ମଠ, ମନ୍ଦିର, ମସ‌୍‍ଜିଦ‌୍‍ର ରକ୍ଷଣାବେକ୍ଷଣ କରୁଛନ୍ତି ତାହା ବି ରାଜା ମହାରାଜାଙ୍କ ଦ୍ୱାରା କେବେ ତିଆରି ହୋଇଥିଲା। ତାହା ମଧ୍ୟ ଘରୋଇ ଦେବୋତ୍ତର ଦ୍ୱାରା ପରିଚାଳିତ। ସରକାର ତାହାର ରକ୍ଷଣାବେକ୍ଷଣ କାହିଁକି କରୁଛନ୍ତି? ଏପରି ଆଭିମୁଖ୍ୟ ବଦଳାଇବା ଦରକାର। ନହେଲେ ଯାହା କିଛି ଅଛି ଆଉ ୫୦ ବର୍ଷ ପରେ ହୁଏ ତ ତାହା ନିଶ୍ଚିହ୍ନ ହୋଇଯିବ! ପ୍ରଶ୍ନ ଉଠେ ରାଜାମାନେ କାହିଁକି ତାର ରକ୍ଷଣାବେକ୍ଷଣ କରୁନାହାନ୍ତି। ଏହାର ଉତ୍ତର ସ୍ପଷ୍ଟ- ମିଶ୍ରଣ ଚୁକ୍ତି ଅନୁସାରେ ରାଜ୍ୟର ମୂଲ୍ୟବାନ ସମ୍ପତ୍ତି ସରକାରଙ୍କ ହାତକୁ ଚାଲିଗଲା। ପରେ ପରେ ରାଜାମାନଙ୍କୁ ଦିଆଯାଉଥିବା ପ୍ରିଭି ପର୍ସ ମଧ୍ୟ ବନ୍ଦ କରିଦିଆଗଲା। ତେବେ ସେମାନେ ଆୟ କରିବେ କେଉଁଠୁ ଯେ, ଏସବୁର ରକ୍ଷଣାବେକ୍ଷଣ କରିବେ? ଋଣ ନେଇ ରକ୍ଷଣାବେକ୍ଷଣ କରିବା ସମ୍ଭବ ନୁହେଁ।

 

ଜୟନ୍ତଚନ୍ଦ୍ର ମର୍ଦ୍ଦରାଜ, ରାଜପରିବାର ଦାୟାଦ- ନୀଳଗିରି

 

 

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :