କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
sambalpur

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସମ୍ୱଲପୁର ମହାନଗର ନିଗମ ନିର୍ବାଚନ ରହିବ ଟାର୍ଗେଟରେ

ସମ୍ୱଲପୁର, (ଓଟି): ଲୋକସଭା, ବିଧାନସଭା, ସମବାୟ ଓ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରେ ଏବେ ସମ୍ୱଲପୁର ମହାନଗର ନିଗମ ନିର୍ବାଚନ ପାଇଁ ରାଜନୈତିକ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୪ ମସିହା ନଭେମ୍ୱର ୨୧ ତାରିଖ ଦିନ ତତ୍କାଳୀନ ସମ୍ୱଲପୁର ପୌରାଞ୍ଚଳ, ହୀରାକୁଦ ଓ ବୁର୍ଲା ଏନ‌୍‍ଏସି, ମାନେଶ୍ୱର ବ୍ଲକର ୭ଟି ଗ୍ରାମପଞ୍ଚାୟତ ଓ ଧନକଉଡ଼ା ବ୍ଲକର ୫ଟି ଗ୍ରାମପଂଚାୟତର ୫୧ଟି ମୌଜାକୁ ନେଇ ପ୍ରାୟ ଦେଢ଼ଶହ ବର୍ଷ ପୁରାତନ ସମ୍ୱଲପୁର ମ୍ୟୁନିସିପାଲିଟିକୁ ରାଜ୍ୟ ସରକାର ମହାନଗର ନିଗମର ମାନ୍ୟତା ଦେଇଥିଲେ। ତା’ପୂର୍ବ ବର୍ଷ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଆନ୍ଦୋଳନ ପାଇଁ ଭୋଟ ବର୍ଜନ ଯୋଗୁଁ ତତ୍କାଳୀନ ସମ୍ୱଲପୁର ପୌର ପରିଷଦ ପାଇଁ ଅଞ୍ଚଳର ଅନ୍ୟାନ୍ୟ ସ୍ୱାୟତ ଶାସନ ସଂସ୍ଥା ଭଳି ନିର୍ବାଚନ ଅନୁଷ୍ଠିତ ହୋଇନଥିଲା। ଏହା ପରେ ପରେ ମହାନଗର ନିଗମ ଗଠନ କରାଯାଇଛି। ହେଲେ ଗଠନ ଦିନ ଠାରୁ ଏଠାରେ ନିର୍ବାଚିତ ପ୍ରତିନିଧି ସଭା ଗଠନ ହୋଇପାରି ନାହିଁ।

ଏବେ ଏ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଯଦି ନିକଟରେ ନିର୍ବାଚନ ହୁଏ ଖାସକରି ଶାସକ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳର ଫୋକସ‌୍‍ ତଥା ଟାର୍ଗେଟ‌୍‍ରେ ସମ୍ୱଲପୁର ମହାନଗର ନିଗମ ନିର୍ବାଚନ ରହିବ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସମ୍ୱଲପୁରରେ ହେବାକୁ ଥିବା କଥିତ ନଗର ନିଗମ ନିର୍ବାଚନ ସେମିଫାଇନାଲ ସଦୃଶ ହେବ। ହେଲେ ରାଜନୈତିକ ଦୃଷ୍ଟିରୁ ପ୍ରମୁଖ ଦଳମାନଙ୍କରେ ଗୋଷ୍ଠୀ କନ୍ଦଳ ଓ ମତଭେଦ ଗୁରୁତର ଆକାର ଧାରଣ କରିଛି। ଏହି ପୃଷ୍ଠଭୂମିରେ ନିର୍ବାଚନ ସବୁ ପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଏହି ଚ୍ୟାଲେଞ୍ଜର ସଫଳ ମୁକାବିଲା କରି ଦଳମାନଙ୍କର ତୁଙ୍ଗ ନେତୃବୃନ୍ଦ କର୍ମୀ ଓ ନେତାମାନଙ୍କୁ କିଭଳି ଏକଜୁଟ କରି ନିର୍ବାଚନ ଅଭିଯାନରେ ସାମିଲ କରିବେ ତାହା ଦେଖିବାକୁ ବାକି ରହିଲା।

ସମ୍ୱଲପୁର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ସମ୍ପୂର୍ଣ୍ଣ ଓ ରେଙ୍ଗାଲି ଏବଂ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ୫୧ଟି ଗ୍ରାମ ମହାନଗର ନିଗମରେ ରହିଛି। ଏହି ତିନିଟି ଆସନରେ ବିଜେଡ଼ି ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ଏପରିକି ସମ୍ୱଲପୁର ଲୋକସଭା ଆସନଟି ମଧ୍ୟ ବିଜେଡ଼ି ସପକ୍ଷରେ ଯାଇଥିଲା। ହେଲେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ଓ ବିଭିନ୍ନ ପଞ୍ଚାୟତ ସମିତି ଗଠନ କରି ବିଜେଡ଼ିର ଅଗ୍ରଗତିରେ ବ୍ରେକ‌୍‍ ଲଗାଇବାରେ ସକ୍ଷମ ହୋଇଛି। ଇତିମଧ୍ୟରେ ବିଜେଡ଼ି ଓ ବିଜେପିର ଜିଲ୍ଳା ଶାଖାରେ ନୂଆ ସଭାପତି ମାନେ ଦାୟିତ୍ୱ ନେଇଛନ୍ତି। ଏହି ଦୁଇ ଦଳ ସାରା ଜିଲ୍ଳା ଭଳି ସମ୍ୱଲପୁର ସହରରେ ମଧ୍ୟ ବିଭିନ୍ନ ଗୋଷ୍ଠୀରେ ରହିଥିବା କଥା କାହାକୁ ଅଛପା ନାହିଁ। ବିଜେଡ଼ିରେ ସ୍ଥାନୀୟ ବିଧାୟକ ଡା. ରାସେଶ୍ୱର ପାଣିଗ୍ରାହୀଙ୍କ ନିଜ କ୍ୟାମ୍ପ ରହୁଥିବା ବେଳେ ଦଳ ଜିଲ୍ଲା ଶାଖାର ପୂର୍ବତନ ସଭାପତି ତଥା ବର୍ତ୍ତମାନର ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ କ୍ୟାମ୍ପରେ ମଧ୍ୟ ଦଳର ଅନ୍ୟ ଏକ ସମର୍ଥକ ଗୋଷ୍ଠୀ ରହିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ପକ୍ଷରୁ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସୂର୍ଯ୍ୟନାରାୟଣ ପାତ୍ର, ରବିନାରାୟଣ ପାଣି ପ୍ରମୁଖ ଜିଲ୍ଲାରେ ପର୍ଯ୍ୟବେକ୍ଷକ ଭାବେ ରହିଥିଲେ। ହେଲେ ବିଜେଡ଼ିର ଏହି ଉଦ୍ୟମ ନିର୍ବାଚନୀ ଫଳାଫଳକୁ ବିଶେଷ ଭାବରେ ପ୍ରଭାବିତ କରିପାରି ନଥିଲା।

ସେହିଭଳି ବିଜେପିରେ ମଧ୍ୟ ଗୋଷ୍ଠୀ ସଂଖ୍ୟା କମ‌୍‍ ନୁହେଁ। କିଛି ନେତା ନିଜ ଶିଙ୍ଗରେ ନିଜେ ମାଟି ହାଣିବାକୁ ପ୍ରସ୍ତୁତ। ଏଠାରେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଏବଂ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ଭିନ୍ନ ଭିନ୍ନ କର୍ମୀ ଓ ସମର୍ଥକ ଗୋଷ୍ଠୀ ରହିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ପରାଜୟ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଜିଲ୍ଳାକୁ ପ୍ରଚାର ପାଇଁ ଆସିଥିଲେ। ତେବେ ଜୟନାରାୟଣ ଏବଂ ସୁରେଶଙ୍କ ପକ୍ଷ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଜିଲ୍ଲା ପରିଷଦ ଜୋନରେ ନିରପେକ୍ଷ ଭାବେ ଉଦ୍ୟମ କରିବାରୁ ବିଜେପି ବାଜିମାତ‌୍‍ କରିବାରେ ସଫଳ ହୋଇଥିଲା। ହେଲେ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ସମୟରେ ଦଳର କାର୍ଯ୍ୟାଳୟରେ ବିଜେପି ପର୍ଯ୍ୟବେକ୍ଷକଙ୍କ ଉପରେ ଆକ୍ରମଣ ଘଟଣା କନ୍ଦଳକୁ ପୁନର୍ବାର ଉଜାଗର କରିଥିଲା। ସେ ସମୟରେ ସଦର ମହକୁମାରେ ଥିବା ବିଜେପିର ବରିଷ୍ଠ ବିଧାୟକ ରବିନାରାୟଣ ନାଏକ ନିରପେକ୍ଷ ରହିବା ପାଇଁ ଛବି ତୈୟାର କରିଥିଲେ। ହେଲେ ଏହାବାଦ ୨ଟି ଦଫାରେ ବିଜେପି ନେତା ଶ୍ରୀ ମିଶ୍ର, ନୂଆକରି ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କ ସମେତ ୧୯ ଜଣଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ୱିତ କରାଯାଇଥିଲା। ଏହାବାଦ ରାଜନୈତିକ ପାଣିପାଗ ବିଜେପି ପରିପ୍ରେକ୍ଷୀରେ ସ୍ଥିର ରହିଥିଲେ ମଧ୍ୟ ଉଭୟ ପକ୍ଷ ଦଳର ରାଜ୍ୟସ୍ତରୀୟ ନେତାମାନଙ୍କ ସହ ଭଲ ସମ୍ପର୍କଥିବାର ଚିତ୍ର ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି।

ସ୍ଥାନୀୟ ସ୍ତରର ନିର୍ବାଚନରେ ବିଧାୟକ ଏବଂ ସାଂସଦଙ୍କ ସାଂଗଠନିକ ଦକ୍ଷତା ସହିତ ଜନସମ୍ପର୍କ ମହତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଏବେ ସମୟ ଗଡ଼ି ଗଡ଼ି ଚାଲିଥିବାରୁ ମହାନଗର ନିଗମ ନିର୍ବାଚନରେ ଭବିଷ୍ୟତ ନେଇ ପୂର୍ବାନୁମାନରେ ଭଟ୍ଟା ପଡ଼ିଛି। ହେଲେ ମହାନଗର ନିର୍ବାଚନରେ ଜାତୀୟ ଓ ରାଜ୍ୟସ୍ତରରୁ ସଂପୃକ୍ତ ଦଳମାନଙ୍କର ନେତୃବୃନ୍ଦଙ୍କ ଲୋକପ୍ରିୟତା, ଦଳର ସଂଗଠନ, ନିର୍ବାଚନୀ ପ୍ରସଙ୍ଗ, ଇସ୍ତାହାର, ସହର ପାଇଁ କରିଥିବା ବିକାଶମୂଳକ ଯୋଜନାର କାର୍ଯ୍ୟକାରିତା ସହିତ ଐକ୍ୟବଦ୍ଧ ଅଭିଯାନ ଓ ପ୍ରାର୍ଥୀ ଚୟନ ଗୁରୁତ୍ୱପୂର୍ଣ୍ଣ ହେବ। ଏଥିରେ ମଧ୍ୟ ଯଦି ରାଜ୍ୟ ନେତୃବୃନ୍ଦ କଡ଼ା ଆଭିମୁଖ୍ୟ ପୋଷଣ ନ କରନ୍ତି ବର୍ତମାନ ପରିସ୍ଥିତିରେ ମହାନଗର ନିଗମ ନିର୍ବାଚନରେ ଅଧିକରୁ ଅଧିକ ପ୍ରାର୍ଥୀଙ୍କୁ ଟିକଟ ଦେବାପାଇଁ ଭିନ୍ନ ଭିନ୍ନ ପକ୍ଷ ଉଦ୍ୟମ କରିବା ସ୍ୱାଭାବିକ। ସୂଚନାଯୋଗ୍ୟ ଯେ, ଏବେ ମହାନଗର ନିଗମ ଗଠନ ଦିନଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ବିଭିନ୍ନ କାର୍ଯ୍ୟପାଇଁ ଅନେକ ଥର ସମ୍ୱଲପୁର ଆସି ସାରିଛନ୍ତି। ନବଗଠିତ ମହାନଗର ନିଗମରେ ୪୨ଟି କର୍ପୋରେଟର ପଦ ସୃଷ୍ଟି କରାଯାଇଛି।

About admin

Check Also

12

ନବୀନ ହାୱାଲା ଘୋଟାଲ ମାମଲାରେ ଇଡ଼ିର ଦ୍ୱାରସ୍ଥ ହେଲା ବିଜେପି

-ନୋଡାଲ ଏଜେନ୍ସି ଇଣ୍ଡିଆଆଇଡିଆଜରୁ କୋଟି କୋଟି ଟଙ୍କା ବିଜେଡ଼ି ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରାଯାଇଛି। ଇଣ୍ଡିଆଆଇଡ଼ିଆଜ ସଂସ୍ଥା କାହାର ଓ ...

Leave a Reply

Your email address will not be published. Required fields are marked *