କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
PK JENA AND RATHYATRA

ସମୟ ପୂର୍ବରୁ ରଥଯାତ୍ରା ଶେଷ: କି ଗଦ ଶୁଙ୍ଘାଇଲେ ମୁଖ୍ୟ ପ୍ରଶାସକ ତାହାକୁ ନେଇ ଚର୍ଚ୍ଚା

ସୀମିତ ରାଜନୀତିକ ହସ୍ତକ୍ଷେପ ଓ ଦଇତା ସେବାୟତଙ୍କୁ ସରକାରଙ୍କ ନାଲିଆଖି ମୁଖ୍ୟକାରଣ

ଭୁବନେଶ୍ୱର,(ଓଟି): ମାତ୍ର ୧୨ଦିନରେ ସମୟ ନିର୍ଘଣ୍ଟ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଗୁରୁବାର ସନ୍ଧ୍ୟାରେ ଶେଷ ହୋଇଛି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ଗୋଟିକରି ରଥ ଉପରୁ ପହଣ୍ଡି କରି ରତ୍ନସିଂହାସନରେ ବିଜେ କରାଯିବା ପରେ ଅବଶିଷ୍ଟ ରୀତିନୀତି ଅନୁଷ୍ଠିତ ହୋଇଛି। ବିଗତ ବର୍ଷମାନଙ୍କରେ ଏମିତି କେବେ ହୋଇ ନଥିଲା। ଦିନ ଥାଉ ଥାଉ ଶ୍ରୀଜଗନ୍ନାଥଙ୍କ ବିଜେ ପହଣ୍ଡି ଅନୁଷ୍ଠିତ ହେବା ଏକ ସର୍ବକାଳୀନ ରେକର୍ଡ଼ ବୋଲି ମଧ୍ୟ ଆଲୋଚନା ହେଉଛି। ତେବେ ଏହା କିପରି ସମ୍ଭବ ହେଲା ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରିବା ସହ ନବନିଯୁକ୍ତ ଶ୍ରୀମନ୍ଦିର ପ୍ରଶାସକଙ୍କ ଭୂମିକାକୁ ଅନେକ ପ୍ରଶଂସା କରୁଛନ୍ତି। ଏପରିକି ପୂର୍ବରୁ ସୃଷ୍ଟି ହେଉଥିବା ବିଶୃଙ୍ଖଳାପାଇଁ ଯେଉଁ ଦଇତା ସେବକଙ୍କୁ ମୁଖ୍ୟତଃ ଦାୟୀ କରାଯାଉଥିଲା ସେମାନଙ୍କୁ ପ୍ରଶାସକ କିପରି ଶୃଙ୍ଖଳିତ କରିଲେ ତାହା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏବେ ପ୍ରଶ୍ନ ଉଠୁଛି ବିଗତ ଦିନର ବିବାଦ ପାଇଁ ପୂର୍ବ ନିଯୁକ୍ତ ପ୍ରଶାସକମାନେ ଦାୟୀ ଥିଲେ ତା ନବ ନିଯୁକ୍ତ ପ୍ରଶାସକ ଅଧିକ ଦକ୍ଷ ହୋଇଗଲେ?

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏବର୍ଷର ରଥଯାତ୍ରା ପାଇଁ ସ୍ଥିର ନୀତି ନିର୍ଘଣ୍ଟ ଅନୁସାରେ ସନ୍ଧ୍ୟା ସାଢ଼େ ଛଅଟା ସମୟରେ ନିଳାଦ୍ରୀବିଜେ ଗୋଟି ପହଣ୍ଡି କାର୍ଯ୍ୟ ଆରମ୍ଭ ହେବା କଥା। ପୂର୍ବ ବର୍ଷର ରେକର୍ଡ଼ଗୁଡ଼ିକୁ ଦେଖିଲେ ଏହି ସମୟ ବିଳମ୍ୱ ହେବାର ପରମ୍ପରା ସିନା ରହିଛି କିନ୍ତୁ ନୀତି ନିର୍ଘଣ୍ଟ ପୂର୍ବରୁ କେବେ ପହଣ୍ଡି ଆରମ୍ଭ ହୋଇନଥିଲା। କିନ୍ତୁ ଦଇତା ଓ ସେବାୟତମାନେ ବିଶେଷ ତତ୍ପରତା ଦେଖାଇ ଏହାକୁ ନିର୍ଦ୍ଧାରିତ ସମୟର ଦୁଇଘଣ୍ଟା ପୂର୍ବରୁ ଅର୍ଥାତ୍ ସାଢ଼େ ଚାରିଟା ସମୟରେ ଗୋଟି ପହଣ୍ଡି କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବେଶ‍୍‌ ଶୃଙ୍ଖଳିତ ଭାବରେ ଜଣେ ପରେ ଜଣେ ବିଗ୍ରହଙ୍କୁ ମନ୍ଦିର ବିଜେ କରାଯାଇଥିଲା। ସର୍ବଶେଷରେ ଜଗନ୍ନାଥଙ୍କୁ ରତ୍ନସିଂହାସନ ବିଜେ କରାଯାଇଥିଲା। ଏହାସହ ସେନାପଟା ଓଲାଗି, ରୁନ୍ଧା କାର୍ଯ୍ୟ ଓ ମହାସ୍ନାନ ହୋଇ ତ୍ରିମୂର୍ତ୍ତିଙ୍କ ପୌଢ଼ ନୀତି ହେବା ପାଇଁ ପ୍ରସ୍ତୁତି ହୋଇଛି। ସାଧାରଣ ଦିନମାନଙ୍କରେ ପୌଢ଼ ହେବା ଅନେକ ସମୟରେ ସମ୍ଭବ ହେଉ ନଥିବା ବେଳେ ନିଳାଦ୍ରୀବିଜେ ସମୟରେ ପୌଢ଼ ହେବା ଏକ ଚମତ୍କାରୀତା ବୋଲି ଆଲୋଚନା ହେଉଛି।

ଖାଲି ନୀଳାଦ୍ରୀ ବିଜେ ନୁହେଁ, ଏବର୍ଷ ନବଯୌବନ ଦର୍ଶନଠୁ ଆରମ୍ଭ କରି ରଥଯାତ୍ରା ଦିନର ପହଣ୍ଡି, ରଥଟଣା ଏବଂ ଗୁଣ୍ଡିଚାଘର ବିଜେ ସବୁ ନିର୍ଦ୍ଧାରିତ ସମୟର ପୂର୍ବରୁ ହିଁ ଅନୁଷ୍ଠିତ ହୋଇଥିଲା। ଗୁଣ୍ଡିଚାଘରେ ଦିଅଁପ୍ରବେଶ କରିବା ପରେ ୨ ଦିନ ଲାଗି ପ୍ରଶାସନ ଓ ଦଇତାଙ୍କ ଭିତରେ ପାରମାଣିକ ଟିକେଟ‍୍‌ ଦର୍ଶନ ନେଇ ଟଣାଓଟରା ଲାଗିଥିଲା। କିନ୍ତୁ ଶେଷରେ ପ୍ରଶାସନର ବିଜୟ ହୋଇଥିଲା। ଯଦିଓ କିଛି ଦଇତା ସେମାନଙ୍କ ନିଜସ୍ୱ ଟିକେଟ‍୍‌ ଦେଇ ଯାତ୍ରୀଙ୍କୁ ଠକିଥିବା ଚର୍ଚ୍ଚା ହେଉଥିଲା କିନ୍ତୁ ଅଧିକାଂଶ ଯାତ୍ରୀ ଟିକେଟ କାଉଁଣ୍ଟରରୁ ହିଁ ଟିକେଟ‍୍‌ କରିଥିଲେ। ନିୟମ ମୁତାବକ ସମସ୍ତ ଟିକେଟ‍୍‌ ଆୟ ଦଇତା ସେବାୟତମାନେ ନିଜ ଭିତରେ ନୀତି ମୁତାବକ ବଣ୍ଟିଥିଲେ। ପ୍ରଶାସନ ଏବଂ ପୁଲିସ ବିରୋଧରେ ଲେକାଙ୍କ ଅଭିଯୋଗ ହେବା ବ୍ୟତୀତ ରଥଯାତ୍ରାରେ ସେବାୟତଙ୍କ ଭୂମିକାକୁ ନେଇ କୌଣସି ବଡ଼ଧରଣର ବିବାଦ ସାମ୍ନାକୁ ଆସିନାହିଁ।

ପ୍ରଶ୍ନ ଉଠୁଛି ଏଥର ଶ୍ରୀଗୁଣ୍ଡିଚା ଏତେ ସୁରୁଖୁରରେ ହେଲା କେମିତି? ନୂଆ ପ୍ରଶାସକ କି ଗଦ ଦଇତା ସେବକଙ୍କୁ ଶୁଙ୍ଘାଇଲେ ଯାହା ସବୁ ବିବାଦକୁ ପାଣିଚିଆ କରିଦେଲା? ନା ଦିଅଁମାନେ ଏଥର ଦଇତାଙ୍କୁ ସାବାଡ଼୍ କରିଦେଲେ?

ଉତ୍ତରରେ ଅନେକ ସମୀକରଣ ସାମ୍ନାକୁ ଆସୁଥିଲେ ମଧ୍ୟ ପ୍ରଥମ କରି ପ୍ରଶାସକ ପ୍ରଦୀପ ଜେନାଙ୍କ ନିଷ୍ଠାକୁ ଅନେକ ପ୍ରଶଂସା କରିଛନ୍ତି। ଶ୍ରୀ ଜେନା ଦାୟିତ୍ୱ ନେବା ପରଠାରୁ ରୀତିନୀତିକୁ ଠିକଣା ଭାବେ ବୁଝିବା ଅପେକ୍ଷା ସେବାୟତଙ୍କୁ ଅମଲାତାନ୍ତ୍ରିକ ବନ୍ଧନ ଭିତରେ ଛନ୍ଦିବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ତା’ଛଡ଼ା ରୀତିନୀତି ଠିକଣା ସମୟରେ ସମାପନ କରିବା ପାଇଁ ପ୍ରତି ସମୟରେ ମନ୍ଦିରରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ବର୍ଷା ହେଉ ବା ଖରା କୌଣସି ସମୟରେ ଅନ୍ୟ କୌଣସି ତଳସ୍ତରର ଅଧିକାରୀଙ୍କୁ ସେଥିଲାଗି ମୁତ୍ତୟନ କରି ନିଜେ ଭୁବନେଶ୍ୱର ଫେରିନାହାନ୍ତି। ଯାହାଫଳରେ ସେ “ବହୁଦିନର ପୁରୀ ଜିଲ୍ଲାପାଳ’ ବା “ଶ୍ରୀମନ୍ଦିରର ମୁଖ୍ୟ ମୁଲିଆ’ଭାବେ ପରିଚୟ ସୃଷ୍ଟି କରିଥିବା ପ୍ରଶାସକମାନଙ୍କଠାରୁ ଭିନ୍ନ ବୋଲି ପରିଗଣିତ ହୋଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ସେ ଏମିତି ନିଷ୍ଠାର ସହ ସେବାୟତଙ୍କୁ ଶୃଙ୍ଖଳିତ କରିବେ ନା କିଛିଦିନ ପରେ ପୂର୍ବଧାରାକୁ ଫେରିଯିବେ?

ସେବାୟତ ମୁଖ୍ୟତଃ ଦଇତାମାନେ ଶୃଙ୍ଖଳିତ ହେବାର ଆଉ ଏକ କାରଣ କୋର୍ଟଙ୍କ ହସ୍ତକ୍ଷେପ ବୋଲି ଗ୍ରହଣ କରାଯାଉଛି। ବିଭିନ୍ନ ସମୟରେ ହାଇକୋର୍ଟଙ୍କ ହସ୍ତକ୍ଷେପ, ସଚେତନ ନାଗରିକଙ୍କ ଚାପ ଏବଂ ସଂସ୍କାର ପାଇଁ ନିଯୁକ୍ତ କମିଶନ ପ୍ରଭୃତିଙ୍କୁ ଦେଖି ସେବାୟତଙ୍କ ମୁଣ୍ଡ ଗୋଲ‍୍‌ ହୋଇଯାଇଥିବା ନେଇ ଆଲୋଚନା ହେଉଛି। ବିଶେଷକରି ଯେତେ ଚାପ ପକାଇଲେ ମଧ୍ୟ ନିଜ ଭାଇମାନଙ୍କୁ ମାମଲାରୁ ମୁକୁଳାଇବା ପାଇଁ ସେମାନେ ସକ୍ଷମ ହେଉ ନଥିବାରୁ କାଳେ ତାଙ୍କ ବେଳ ଖରାପ ହେବ ସେଥିଲାଗି ସେମାନେ ଆଉ ପ୍ରଶାସନ ବା ଗଣମାଧ୍ୟମକୁ ନାଲିଆଖି ଦେଖାଇବାକୁ ଉଚିତ ମଣିନାହାନ୍ତି। ସବୁ କାଳିଆର ମହିମା କହି ସେମାନେ ସମୟକୁ ଅପେକ୍ଷା କରିଥିବା ଚର୍ଚ୍ଚା ହେଉଛି।

ତୃତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ରାଜନୀତିକ ହସ୍ତକ୍ଷେପ। ନିଜର ସ୍ଥିତିକୁ ନେଇ ଟଳମଳ ଥିବା ବିଧାୟକ ମହେଶ୍ୱର ମହାନ୍ତି ଏଥର ରଥଯାତ୍ରା ମାମଲାରେ ଆଉ ହସ୍ତକ୍ଷେପ କରିନାହାନ୍ତି। ତାଙ୍କ ନାଁରେ ଅନେକ ଦୁର୍ନୀତି ମାମଲା ଥାଉଥାଉ ମୁଖ୍ୟମନ୍ତ୍ରୀ ତାଙ୍କୁ ରଥଯାତ୍ରାର କିଛିଦିନ ପୂର୍ବରୁ ମନ୍ତ୍ରୀପଦ ଦେଇଥିବାରୁ ଏଥର ତାଙ୍କ ନାଁରେ ଆଉ କୌଣସି ମାମଲା ସେ ଯୋଡ଼ିବାକୁ ଚାହୁ ନାହାନ୍ତି। ତାଙ୍କର ଏପରି ଭାବମୂର୍ତ୍ତି ସଜାଡ଼ିବା ଉଦ୍ୟମ ସହ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତ ମଧ୍ୟ ବେଶ‍୍‌ ପ୍ରଭାବ ପକାଇଛି। କୁହାଯାଉଛି ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ତୃତୀୟ ମହଲା ପକ୍ଷରୁ କାହାକୁ ନ ଶୁଣିବାକୁ କ୍ଷମତା ଦିଆଯାଇଛି। ଯିଏ ବି ହେଉନା କାହିଁକି ବିଶୃଙ୍ଖଳା ସୃଷ୍ଟି କଲେ ତା ବିପକ୍ଷରେ ମାମଲା ତିଆରି କରି ଜେଲରେ ପକାଇଦେବାକୁ ଅଲିଖିତ ନିଦ୍ଦେର୍ଶ ଦିଆଯାଇଥିବା ନେଇ ଯେଉଁ ଚର୍ଚ୍ଚା ସୃଷ୍ଟି ହୋଇଛି ତାହା କୋକୁଆ ଭୟ ସୃଷ୍ଟି କରିଛି। ଏପରିକି ପ୍ରତିପତି ସମ୍ପନ୍ନ ଦଇତା ସେବାୟତମାନଙ୍କ ବିରୋଧରେ ଥିବା ପୂର୍ବ ମାମଲାଗୁଡ଼ିକୁ କ୍ରିୟାଶୀଳ କରିବା ପାଇଁ ମଧ୍ୟ ଆଦେଶ ଦିଆଯାଇଛି। ଅର୍ଥାତ୍ ରାଜ୍ୟ ଓ ଶ୍ରୀମନ୍ଦିର ପ୍ରଶାସକ ବିଶୃଙ୍ଖଳା ସୃଷ୍ଟିକାରୀ ସେବାୟତମାନଙ୍କୁ ପରୋକ୍ଷରେ ଧମକ ଦେଇ ଶ୍ରୀମନ୍ଦିର ସଂସ୍କାର ଆଣିବାକୁ ଚାହୁଁଥିବାରୁ ସବୁ ସେବାୟତ ଶୃଙ୍ଖଳିତ ହୋଇ ନିଜକୁ ଶୃଙ୍ଖଳିତ ବୋଲି ପରିଚୟ ଦେବାକୁ ଚାହିଁଛନ୍ତି।

ଧମକ ହେଉ ବା ବ୍ଳାକମେଲିଂ ବା ଶ୍ରୀଜୀଉଙ୍କ ଆଶୀର୍ବାଦ ଏଥର ରେକର୍ଡ଼ ସୃଷ୍ଟିକାରୀ ରଥଯାତ୍ରା ପରିଚାଳନା ନିଶ୍ଚୟ ପ୍ରଶଂସନୀୟ ହୋଇଛି ଏଥିରେ ସନ୍ଦେହ ନାହିଁ। ଆଗକୁ ଏମିତି ଜାରି ରହିଲେ ଭକ୍ତଙ୍କ ମହଲରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ମଧ୍ୟ ପ୍ରିୟପାତ୍ର ହେବେ।

About admin

Check Also

12

ନବୀନ ହାୱାଲା ଘୋଟାଲ ମାମଲାରେ ଇଡ଼ିର ଦ୍ୱାରସ୍ଥ ହେଲା ବିଜେପି

-ନୋଡାଲ ଏଜେନ୍ସି ଇଣ୍ଡିଆଆଇଡିଆଜରୁ କୋଟି କୋଟି ଟଙ୍କା ବିଜେଡ଼ି ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରାଯାଇଛି। ଇଣ୍ଡିଆଆଇଡ଼ିଆଜ ସଂସ୍ଥା କାହାର ଓ ...

One comment

  1. Bhaskar parichha

    Excellent analysis.

Leave a Reply

Your email address will not be published. Required fields are marked *