କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
opcc-web-banner-design_we-2

ରାଜ୍ୟ କଂଗ୍ରେସର ଗତି କୁଆଡେ: ସଂଗଠନ ସଜାଡିବା ପରିବେର୍ତ୍ତ ଗୋଷ୍ଠୀ କନ୍ଦଳରେ ବ୍ୟସ୍ତ

ଭୁବନେଶ୍ୱର,(ଓଟି): ଗତକିଛି ବର୍ଷ ହେଲା ରାଜ୍ୟ କଂଗ୍ରେସର ନେତାମାନଙ୍କ ମଧ୍ୟରେ ସଂଗଠନ ସ୍ଥିତି ଦିନକୁ ଦିନ ଭୁଷୁଡିବାରେ ଲାଗିଛି। ଫଳରେ ସେମାନେ ଦୀର୍ଘ ୧୭ ବର୍ଷ ହେଲା ଶାସନ କ୍ଷମତାରେ ନାହାନ୍ତି। ଶାସନ କ୍ଷମତାକୁ କିପରି ଫେରିବେ ନା କଂଗ୍ରେସ ହାଇକମାଣ୍ଡ ନା ସ୍ଥାନୀୟ ନେତା କେହି ଚିନ୍ତିତ ଥିବା ପରି ମନେହୁଏ ନାହିଁ। କେବଳ ସେମାନେ ପରସ୍ପର ବିରୋଧି ଗୋଷ୍ଠୀ ତିଆରି କରି ନିଜ ନିଜ ଭିତରେ ଲଢ଼ିବାରେ ଲାଗିଛନ୍ତି। ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ଯେଉଁ ସ୍ଥିତିକୁ ଆସିଲାଣି ୨୦୧୯ ବେଳକୁ ଆଉ ତାର ଚିହ୍ନ ବର୍ଣ୍ଣ ନ ଥିବ।ବର୍ତ୍ତମାନର ପିସିସି ସଭାପତି ପରିବର୍ତ୍ତନ ପାଇଁ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ବିଧାୟକମାନେ ଏଆଇସିସି ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ନିକଟରେ ଦାବି କରିଆସୁଛନ୍ତି। ରାହୁଳ ଗାନ୍ଧୀ ରାଜ୍ୟ ନେତୃବୃନ୍ଦଙ୍କ କଥା ବିଚାର କରିବେ ବୋଲି କହି ପିସିସି ପରିବର୍ତ୍ତନ ଝୁଲାଇ ରଖିଛନ୍ତି। ଯାହାକୁ ନେଇ ରାଜ୍ୟରେ କଂଗ୍ରେସ ସଂଗଠନ ସ୍ଥାଣୁ ଅବସ୍ଥାକୁ ଆସିଯାଇଛି।ରାଜ୍ୟ ନେତାମାନଙ୍କର କଥା ନଶୁଣି ରାହୁଳ ଗାନ୍ଧୀ ନିଜ ମନମୁତାବକ ପିସିସି ସଭାପତି ନିଯୁକ୍ତି କରୁଥିବାରୁ ତାକୁ ରାଜ୍ୟରେ ବିଦ୍ରୋହ ସୃଷ୍ଟି ହେଲାଣି। ଅନେକ ନେତା ନିଜ ଭବିଷ୍ୟତ ପାଇଁ ବିଜେଡ଼ି ଓ ବିଜେପିରେ ଯୋଗ ଦେଲେଣି। ତଥାପି ମଧ୍ୟ ରାହୁଳ ଗାନ୍ଧୀଙ୍କର ନିଦ ଭାଙ୍ଗୁନାହିଁ। ରାଜ୍ୟର ନେତାମାନଙ୍କୁ ବିଶ୍ୱାସକୁ ନନେଇ ରାହୁଳ ଗାନ୍ଧୀ ନିଜର ଅନୁଗତ ଭକ୍ତ ଦାସଙ୍କୁ ପିସିସି ସଭାପତି କରୁଛନ୍ତି ବୋଲି ଶନିବାର ଦିନ ପ୍ରଚାରିତ ହୋଇଥିଲା।
ଏହି ଖବର ପ୍ରଚାର ହେବା ପରେ ଶନିବାର ଦିନ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଭକ୍ତଙ୍କୁ ଛାଡ଼ି ୩ ଜଣ ବିଧାୟକ ଓ ୩-୪ ଜଣ ବରିଷ୍ଠ ନେତା ଏକାଠି ହୋଇଥିଲେ। ଏମାନଙ୍କ ଭିତରୁ କେହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟ କହି ନଥିଲେ ହେଁ ଭକ୍ତଙ୍କୁ ନେଇ ଚାଲିଥିବା ପ୍ରଚାର ସହ ଏହାର ସମ୍ପର୍କ ଥିବା ଅନୁମାନ କରାଯାଉଛି। ଯୋଗ ଦେଇଥିବା ବିଧାୟକମାନେ ହେଲେ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ଦେବେନ୍ଦ୍ର ଶର୍ମା ଏବଂ ନବ ଦାସ। ଅନ୍ୟ ନେତାମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ନିରଞ୍ଜନ ପଟ୍ଟନାୟକ, ଅନନ୍ତ ସେଠୀ ଏବଂ ଜଗନ୍ନାଥ ପଟ୍ଟନାୟକ। କିନ୍ତୁ ବାହାରେ ତାରା ଓ ନବ ଗଣମାଧ୍ୟମକୁ କହିଥିଲେ ଯେ, ୧୭ ତାରିଖ ଦିନ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ସମମ୍ପର୍କରେ ସେମାନେ ଆଲୋଚନା କରୁଥିଲେ। କିନ୍ତୁ ଆହୁରି ବି ୧୨ ଜଣ ବିଧାୟକ ଅଛନ୍ତି। ତା’ଛଡ଼ା ରାଷ୍ଟ୍ରପତି ଭୋଟ‍୍‌ରେ ନିରଞ୍ଜନ ଓ ଅନନ୍ତଙ୍କ ପରି ନେତାଙ୍କର କୌଣସି ଭୂମିକା ନାହିଁ।

ବୈଠକ ପୂର୍ବରୁ ତାରା ଯେଉଁ ଟିପ୍ପଣୀ ଦେଇଥିଲେ, ତାହାର ଏକ ରାଜନୈତିକ ପ୍ରଭାବ ଅଛି। ସେ କହିଥିଲେ, ସଂଖ୍ୟାଧିକ ନେତା ଏବଂ ବିଧାୟକ ନିରଞ୍ଜନଙ୍କୁ ସଭାପତି ଭାବେ ଦେଖିବାକୁ ଚାହାନ୍ତି। ଭକ୍ତ ଦାସଙ୍କୁ ପ୍ରଚାର କମିଟିର ମୁଖ୍ୟ କରାଯାଇପାରେ। ମାତ୍ର ତାଙ୍କୁ ସଭାପତି ଭାବେ ଦଳର ନେତା ଓ କର୍ମୀମାନେ ଗ୍ରହଣ କରିବେ ନାହିଁ। ଏହା କାରଣ ବି ଅଛି।

ମେ’ ୪ ତାରିଖରେ ରାହୁଲ ଗାନ୍ଧୀଙ୍କ ଡାକରା ପାଇ ନିରଞ୍ଜନ, ଭକ୍ତ ଓ ପ୍ରଦୀପ ମାଝୀ ଯାଇଥିଲେ ଦିଲ୍ଲୀ। ସଂଗଠନ ସମ୍ପର୍କରେ ଆଲୋଚନା ହେଲା। ନିରଞ୍ଜନଙ୍କ ପ୍ରସ୍ତାବ କ୍ରମେ ୮ ତାରିଖ ଦିନ ରାଜ୍ୟର ଅନ୍ୟ ବରିଷ୍ଠ ନେତା ଏବଂ ବିଧାୟକମାନେ ରାହୁଲଙ୍କ ସହିତ ଆଲୋଚନା କଲେ। ୯୦ ଭାଗ ନେତା ନିରଞ୍ଜନଙ୍କ ସପକ୍ଷରେ ମତ ଦେଇଥିଲେ। କିନ୍ତୁ ସେତେବେଳେ କୌଣସି ନିଷ୍ପତ୍ତି ନେଲେ ନାହିଁ ହାଇକମାଣ୍ଡ। ମେ’ ୩୦ ସୁଦ୍ଧା ପିସିସି ନେତୃତ୍ୱ ପରିବର୍ତ୍ତନ ହେବ ଏବଂ ନିରଞ୍ଜନଙ୍କୁ ସଭାପତି କରାଯିବ ବୋଲି ସଗ୍ଧେତ ଦେଇଥିଲେ ରାହୁଲ ଗାନ୍ଧୀ। କିନ୍ତୁ ତାହା ମଧ୍ୟ ହେଲା ନାହିଁ।
ତେଣୁ ବାଧ୍ୟ ହୋଇ ଜୁନ‍୍‌ ୮ ତାରିଖରେ ବିଧାୟକମାନେ ଦିଲ୍ଲୀ ବାହାରିଲା ବେଳକୁ ରାହୁଲ ବିଦେଶ ଗସ୍ତରେ ଚାଲିଗଲେ। ଫଳରେ ସମୟ ଗଡ଼ିଲା। ବିଧାୟକମାନଙ୍କ ଅସନ୍ତୋଷ ବଢ଼ିଲା। ହତାଶ ଭାବ ଏତେ ଉପର ସ୍ତରକୁ ଚାଲିଗଲାଣି ଯେ, ବିଧାୟକମାନେ ପରିବର୍ତ୍ତନ ନହେଲେ ବହୁ ପରିବର୍ତ୍ତନ ଘଟିବ ବୋଲି ଧମକ ଦେଲେ। ରାହୁଲଙ୍କ ଆଗରେ ଦୁଇଟି ପ୍ରସ୍ତାବ ଆସିଥିଲା। ନିରଞ୍ଜନଙ୍କୁ ସଭାପତି କରାଯାଉ ଏବଂ ଦିଆଯାଉ ପୂର୍ଣ୍ଣ କ୍ଷମତା। ଦ୍ୱିତୀୟ ପ୍ରସ୍ତାବଟି ଥିଲା ନିରଞ୍ଜନ ସଭାପତି ହୁଅନ୍ତୁ ଏବଂ ଭକ୍ତଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ କରାଯାଉ।
କିନ୍ତୁ ନିରଞ୍ଜନ ରାହୁଲଙ୍କୁ କହିଥିଲେ ଯେ, ସେ ଅଥବା ଭକ୍ତ, ଯାହାକୁ ବି ସେ ସଭାପତି କରିବା ପାଇଁ ଚାହୁଁଛନ୍ତି, ତାଙ୍କୁ ପୂର୍ଣ୍ଣ କ୍ଷମତା ସହ ତୁରନ୍ତ ଦାୟିତ୍ୱଦିଆଯାଉ। କାରଣ ସମୟ ଗଡ଼ିଲେ ସମସ୍ୟା ବି ବଢ଼ିବ। ଅଥଚ ଏହା ଭିତରେ ଦୁଇମାସ ବିତି ଗଲାଣି। ମାତ୍ର ହାଇକମାଣ୍ଡ ପ୍ରସାଦଙ୍କ ଉତ୍ତରାଧିକାରୀ ନିଯୁକ୍ତ କଲେ ନାହିଁ କିମ୍ୱା ପ୍ରଭାରୀ ପଦରୁ ହରି ପ୍ରସାଦଙ୍କୁ ହଟାଇଲେ ନାହିଁ। ଏବେ ଭକ୍ତଙ୍କ ନାମ ଉଠିଛି ସଭାପତି ପଦ ଲାଗି। ମାତ୍ର ବିଧାୟକ ଦଳ ନିରଞ୍ଜନଙ୍କ ପଛରେ। କେବଳ ବିଧାୟକମାନେ ନୁହଁନ୍ତି, ବରିଷ୍ଠ ନେତାମାନେ ମଧ୍ୟ ଏହା ହିଁ ଚାହୁଁଛନ୍ତି। ଯେଉଁ ବ୍ୟକ୍ତି ଯୋଜନାବଦ୍ଧ ଭାବରେ ଉଭୟ ନବୀନ ସରକାର ଓ ମୋଦୀ ସରକାରଙ୍କର ମୁକାବିଲା କରିାରିବ ଓ ସହଜରେ ନେତା ଓ କର୍ମୀଙ୍କ ସହ ମିଶି ପାରିବ, ସେ ହିଁ କଂଗ୍ରେସ ଭାଗ୍ୟରେ କିଛି ପରିବର୍ତ୍ତନ ଆଣି ପାରିବ। ତେଣୁ ଯେହେତୁ ସଂଖ୍ୟାଗରିଷ୍ଠ ମତ ନିରଞ୍ଜନଙ୍କ ପଛରେ ଅଛି, ମାତ୍ର ହାଇକମାଣ୍ଡ ଭକ୍ତଙ୍କୁ କରିବାକୁ ଯାଉଛନ୍ତି, ସେପରିପ୍ରେକ୍ଷୀରେ ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ୱାଭାବିକ। ଏହାହେଲେ ଦଳର ଗୋଟିଏ ବଡ଼ ଗୋଷ୍ଠୀ ବିଜେପି କିମ୍ୱା ବିଜେଡ଼ି ଆଡ଼କୁ ମୁହାଁଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ଭକ୍ତଙ୍କୁ ନେଇ ଆରମ୍ଭରୁ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଇଲାଣି, ତାହା କଂଗ୍ରେସକୁ ଆହୁରି ପଛକୁ ଠେଲିଦେବ।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *