କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ରାଜ୍ୟରେ ଶୀତ ଲହରୀ ଅବ୍ୟାହତ:ହାଡ଼ ଭେଦିଲାଣି ଜାଡ଼

ଫୁଲବାଣୀ,(ଓଟି): ରାଜ୍ୟରେ ଶୀତ ଲହରୀ ଅବ୍ୟାହତ ରହିଛି। ଫୁଲବାଣୀରେ ରାତିର ସର୍ବନିମ୍ନ ତାପମାତ୍ରା ୭.୬ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। କ୍ରମାଗତ ଭାବେ ଗତ ୪ଦିନ ହେଲା ଏଠାରେ ପାରଦ ୭ରୁ ୮ଡ଼ିଗ୍ରୀ ମଧ୍ୟରେ ରହୁଛି। ପ୍ରଚଣ୍ଡ ଶୀତରେ ସାରା ରାଜ୍ୟ ଥରୁଛି। ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ଭବାନୀପାଟଣାରେ ବି ଅନୁରୂପ ସ୍ଥିତି। ଏଠାରେ ଦୁଇ ଦିନ ହେଲା ପାରଦ ୮ରୁ ୯ଡ଼ିଗ୍ରୀ ମଧ୍ୟରେ ରହିଛି। ଦାରିଙ୍ଗବାଡ଼ିରେ ପାରଦ ୧୦ଡ଼ିଗ୍ରୀ ଥିବାବେଳେ କୋରାପୁଟ, ହୀରାକୁଦ, ସମ୍ୱଲପୁରରେ ସର୍ବନିମ୍ନ ତାପମାତ୍ରା ୧୦ରୁ ୧୧ଡ଼ିଗ୍ରୀ ମଧ୍ୟରେ ରହିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମରେ ଅସମ୍ଭାଳ ଥଣ୍ଡା ଅନୁଭୂତ ହେଉଛି।

ଅନୁଗୋଳ, ସମ୍ୱଲପୁରରେ ପାରଦ ଖସି ୧୧ଡ଼ିଗ୍ରୀରେ ପହଞ୍ଚିଥିବାବେଳେ ଝାରସୁଗୁଡ଼ା, କେନ୍ଦୁଝରରେ ୧୨, ବଲାଙ୍ଗିରରେ ୧୩ ଓ ଟିଟିଲାଗଡ଼ରେ ୧୩ରୁ ୧୪ଡ଼ିଗ୍ରୀ ମଧ୍ୟରେ ରହିଛି। ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୧୧ଡ଼ିଗ୍ରୀ ମଧ୍ୟରେ ଥିବାବେଳେ ୧୨ଟି ସ୍ଥାନରେ ୧୪ଡ଼ିଗ୍ରୀ ମଧ୍ୟରେ ରହିଛି। ଆସନ୍ତା ୪ଦିନ ଧରି ଶୀତ ଲହରୀ ଅପରିବର୍ତ୍ତିତ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।

କନ୍ଧମାଳ ଜିଲାକୁ ପୁଣି ଥରେ ଲେଉଟିଛି ଶୀତ। ଜିଲା ସାରା ଘନ କୁହୁଡି ସହିତ କୋହଲା ପବନ ଏବଂ ପ୍ରବଳ ଜାଡରେ ଜାଡେଇ ଯାଉଛନ୍ତି ଲୋକେ। ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲ‍୍‌ସିୟସ‍୍‌ ରେକର୍ଡ କରାଯାଇଛି। ୨୩ ତାରିଖରେ ୭.୪ ଡିଗ୍ରୀ ଥିବା ବେଳେ ୨୨ ତାରିଖରେ ୮ ଡିଗ୍ରୀ ସେଲ‍୍‌ସିୟସ ଥିଲା । ଗତ ତିନିଦିନ ଧରି ଜିଲାରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ହାଡଭଙ୍ଗା ଶୀତ ସହିତ କୋହଲା ପବନ ଜିଲାରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ପୂର୍ବରୁ ଜିଲାରେ ହାରାହାରି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହୁଥିବା ବେଳେ ଗତ ତିନିଦିନ ଧରି ତାପମାତ୍ର ହାରାହାରି ୩ ଡିଗ୍ରୀ ହ୍ରାସ ପାଇ ୭ ଡିଗ୍ରୀ ମଧ୍ୟରେ ରହୁଛି। ତେବେ ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଗତ କିଛିଦିନ ଧରି ମେଘୁଆ ପାଗ ଯୋଗୁଁ ଫୁଲବାଣୀ ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି।

କନ୍ଧମାଳର ଜାଡ ଅନୁଭବ କରୁଛନ୍ତି ଲୋକେ। ହାଡଭଙ୍ଗା ଶୀତର ପ୍ରକୋପ ଏତେ ମାତ୍ରାରେ ବଢିଯାଇଛି ଯେ ଲୋକଙ୍କ ଜୀବନଚର୍ଯ୍ୟା ପରିବର୍ତ୍ତନ ହୋଇଯାଇଛି। ବିଭିନ୍ନ‌୍‍ ସ୍ଥାନରେ ଲୋକେ ନିଆଁ ଜାଳି ବସି ରହୁଛନ୍ତି। ଜଳବାୟୁରେ ଆଦ୍ର୍ରତା ପରିମାଣ ମଧ୍ୟ ହ୍ରାସ ହେବାରେ ଲାଗିଛି। ଏପରି ପରିବେଶ ଲାଗି ରହିଲେ ଲଗାତାର ପାରଦ ଖସିବା ସହିତ ଥଣ୍ଡାର ପ୍ରକୋପ ମଧ୍ୟ ବଢିବ ବୋଲି କହିଛନ୍ତି ଜିଲାପାଳଙ୍କ କାର୍ଯ୍ୟାଳୟର ପାଣିପାଗ ପର୍ଯ୍ୟବେକ୍ଷକ ସନ୍ତୋଷକୁମାର ପଟ୍ଟନାୟକ। ସେହିପରି ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ କୋହଲା ପବନ ଓ ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି। ବାଲିଗୁଡା, ତୁମୁଡିବନ୍ଧ, ବେଲଘର କୋଟଗଡ ଓ ରାଇକିଆ ପ୍ରଭୃତି ସ୍ଥାନରେ ଶୀତର ପ୍ରକୋପ ଏବେ କ୍ରମଶଃ ବଢୁଛି। ଜିଲାର ଆଭ୍ୟନ୍ତରୀଣ ଗାଁ ଗଣ୍ଡା ତଥା ସମୁଦ୍ର ପତ୍ତନ ଠାରୁ ଅପେକ୍ଷାକୃତ ଉଚ୍ଚରେ ଥିବା ଗାଁ ଗୁଡିକରେ ଶୀତର ପ୍ରକୋପ ଅଧିକ ରହିଛି । ଜିଲାର ବିଭିନ୍ନ ସହରରେ ଦିନ ଦଶ ଘଣ୍ଟା ଯାଏଁ ଖୋଲୁନାହିଁ ଦୋକାନବଜାର। ରାତିରେ ମଧ୍ୟ ଶିଘ୍ର ଦୋକାନବଜାର ବନ୍ଦ ହୋଇଯାଉଛି ।

ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଲୋକେ ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ଶୀତ ଆରମ୍ଭ ହେବା ମାତ୍ରେ ଶୀତ କାଳୀନ ଆଶ୍ରୟସ୍ଥଳ ବ୍ୟବସ୍ଥା କରିବା କଥା; କିନ୍ତୁ ଆଜି ସୁଦ୍ଧା ଶୀତକାଳୀନ ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇନାହିଁ। ଫୁଲବାଣୀ, ବାଲିଗୁଡାରେ ଆଶ୍ରୟସ୍ଥଳ ବ୍ୟବସ୍ଥା ଦାବି ହୋଇଛି। ଶୀତର ଆଗମନ ସହିତ ଜିଲାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି। ଶୀତର ଆନନ୍ଦ ନେବାକୁ ଆଗନ୍ତୁକ ଇଚ୍ଛୁକ ଥିବା ବେଳେ ଗାଁ ଗଣ୍ଡାର ଗରିବଗୁରୁବା କିନ୍ତୁ ହାଡଭଙ୍ଗା ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ କରୁଛନ୍ତି। ଶୀତର ପ୍ରକୋପ ବୃଦ୍ଧି ସହିତ ଖଟିଖିଆ ମଜୁରିଆଙ୍କ କାର୍ଯ୍ୟ ନିର୍ଘଣ୍ଟରେ ମଧ୍ୟ ଏହା ପ୍ରଭାବ ପକାଇଛି। ଗୃହପାଳିତ ପଶୁପକ୍ଷୀଙ୍କୁ ମଧ୍ୟ ନିସ୍ତାର ନାହିଁ।

About admin

Check Also

ଚାଷୀ ଆତ୍ମହତ୍ୟା ସମାଲୋଚନାରୁ ବଞ୍ଚିବା ପାଇଁ ବିଜେଡିର ଆଗୁଆ ଯୋଜନା!

ଭୁବନେଶ୍ୱର,(ଓଟି): ବରଗଡ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣାରେ ଶାସକ ବିଜେଡିକୁ ବିଧାନସଭାରେ ଘେରିବା ଲାଗି ...

Leave a Reply

Your email address will not be published. Required fields are marked *

   Update :