ମାଳର ସ୍ୱର୍ଗ: ବଣ୍ଡା ଘାଟି

0
21

ବେଳେ ବେଳେ ଇଚ୍ଛା ହୁଏ ମାଛଙ୍କ ସହ ଖେଳିବାକୁ। ଆକାଶରେ ତାରା ଗଣିବାକୁ ଆଉ ନିଜର ପୂର୍ବ ଜନ୍ମକୁ ବାସ୍ତବତା ଭିତରକୁ ଟାଣି ଆଣିବାକୁ। ଆପଣ ଏହାକୁ ସୃଜନଶୀଳତା କହନ୍ତୁ ବା ଉଦ୍ଭଟ ଚିନ୍ତାଧାରା କିନ୍ତୁ ଏମିତି ଭାବନା ଯେ ମନକୁ ଏତେ ପାଗଳ କରିଦିଏ ଆଉ ଏହା ନ ଘଟିଲାଯାଏଁ ମନ ଘାରି ହେଉଥାଏ ତାହ ସମସ୍ତେ ଜାରନ୍ତି । ହେଲେ ପ୍ରଶ୍ନ ଆସୁଛି ଏ ଗାଡିମଟର, କଳ କାରଖାନାର ଯୁଗରେ ଆକାଶର ଜହ୍ନ ତ ଦେଖିବା ମୁସ୍କିଲ ତାରା ଦିଶିବେ କେମିତି? ମଝିରେ ମଝିରେ ଭସା ବାଦଲର ଘୋଡଣୀ ଭିତରେ ପୁଣିଥରେ ଲୁଚିଯାଏ । ଏପରିସ୍ଥିତିରେ ମନ ଭିତରର ସେ ଅଙ୍କ କଷା କେମିତି ଶେଷ ହେବ ଯେ…?

ଏମତି ଭାବୁଭାବୁ ବଣ୍ଡା ଘାଟିର ନାଁ ସାମନାକୁ ଆସିଲା। ବଣ୍ଡା ଘାଟି ହେଲା ଜାଗାଟିର ନାଁ। ପାହାଡ଼ ଉପରେ ବସ୍ତିଟି । କହି କେଉଁ କାଳରୁ ଅଦିମ ଅଧିବାସୀ ବଣ୍ଡାଙ୍କ ରହିବା ଜାଗା ପାଲଟିଛି। ମାଲକାନଗିରି ଜିଲ୍ଲାରେ। ଆଉ ନିକଟସ୍ଥ ବସ ରହଣୀ ସ୍ଥାନ ହେଲା ଖଇରିପୁଟ।
ମାଲକାନଗିରିଠୁ ପ୍ରାୟ ୭୫ କିଲୋମିଟର। ଏଠି ୧୨୦୦୦ରୁ ଅଧିକ ଲୋକ ରହନ୍ତି। ସମସ୍ତେ ବଣ୍ଡା ପ୍ରଜାତିର। ବଣ୍ଡାଙ୍କ କଥା କହିଲେ ମନ ଭିତରେ ଏକ କ୍ଭୋତୁହଳ ଆସେ। ସେମାନେ କ’ଣ ଖାଆନ୍ତି ? କ’ଣ ପିନ୍ଧନ୍ତି ? କ’ଣ ସବୁ ଅଭ୍ୟାସ ତାଙ୍କର ଥାଏ ? ଏମିତି ଅନେକ।
ଯାହା ସବୁ ବିଭିନ୍ନ ବହି ଆଉ ମାଗାଜିନରୁ ପଢ଼ିଛି ସେ ଅନୁସାରେ ଏମାନେ ହେଲେ ଓଡ଼ିଶାର ସବୁଠୁ ପୁରୁଣା ଆଦିବାସୀ ପ୍ରଜାତି। ଓଡ଼ିଶାର କ’ଣ ସାରା ଭାରତରେ ଏମାନେ ଏକ ପୁରୁଣା ପ୍ରଜାତି ଭାବରେ ପରିଚିତ। ଯେଉଁମାନଙ୍କ ଠାରେ ସଭ୍ୟତା ଅଗ୍ରଗତିର ଛାପ ପଡିନି। ବର୍ତ୍ତମାନର ଟଙ୍କା ପଇସା ଅର୍ଥନୀତି ବିଷୟରେ ସେମାନେ ଅଜାଣତ। ଟେଲିଭିଜନର ବିଜ୍ଞାପନ କି ସରକାରଙ୍କ ଯୋଜନା କିଛି ବି ତାଙ୍କ ପାଖରେ ପହଞ୍ଚିନି। ଯାହାସବୁ ପ୍ରଚାର ହେଉଛି ତାହା କେବଳ କିଛି ଲୋକଙ୍କ ପାଇଁ । ଏଣୁ ବଣ ଜଙ୍ଗଲ, ପାହାଡ, ପର୍ବତ ହେଲା ତାଙ୍କର ଏନ୍ତୁଡିଶାଳ, ରୋଷେଇଶାଳ, ଗାଧୁଆଘର, ମନ୍ଦିର ଏମିତି। ଆଉ ଏଇଠୁ ତାଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ଓ୍ଭାଷଧ ସବୁକିଛି ମିଳେ। ଅର୍ଥାତ‌୍‍ ଜଙ୍ଗଲ ଆଉ ପାହାଡ ହେଲା ତାଙ୍କର ଜନ୍ମଦାତା, ଡାକ୍ତର ତଥା ଭଗବାନ ।
ଆଧୁନିକ ସଭ୍ୟତାଠାରୁ ଦୂରରେ ଥିବା ଏ ପ୍ରଜାତି କିନ୍ତୁ ନିଜ ସଂସ୍କୃତି ଆଉ ସଭ୍ୟତାକୁ ଧରି ରଖିବାରେ ବେଶ ଆଗୁଆ। ଯେଉଁଥିପାଇଁ ସେ ପ୍ରାଚୀନ ସଭ୍ୟତା ଆଜି ମଧ୍ୟ ବଞ୍ଚିଛି। ଅନେକ ଛି’ ଛା’କର ଆଉ ଅବହେଳା ମଧ୍ୟରେ ସେମାନେ ସମୂଦ୍ର ପତନଠାରୁ ୫୦୦୦ ଫୁଟ ଉଚ୍ଚରେ ବଞ୍ଚାଇଛନ୍ତି ତାଙ୍କ ଜୀବୀକା ଏବଂ ପରମ୍ପରାକୁ । ମନ ହେଲାଣିନା ଏ ବିଷୟରେ ଅଧିକ ଜାଣିବାକୁ। ତା ହେଲେ ଚାଲନ୍ତୁ ବୁଲିବା ବଣ୍ଡା ଘାଟି।
ଭୁବନେଶ୍ୱରଠୁ ଆପଣ ବାହାରିଲେ ଜୟପୁର ଯାଏଁ ଟ୍ରେନ‌୍‍ରେ ଆସନ୍ତୁ। ଟ୍ୟାକ୍ସିତ ଭଡା କରିପାରିବେ କିନ୍ତୁ ଟ୍ରେନ‌୍‍ରେ ଜୟପୁର ଆସିବାର ମଜା କିଛି ଅଲଗା। କାରଣ ଭାରତ ବର୍ଷରେ ସବୁଠୁ ରୋମାଣ୍ଟିକ‌୍‍ ଯାତ୍ରା ହେଉଛି ଟ୍ରେନ‌୍‍ର ଯାତ୍ରା ଏ ବିଷୟରେ ଆପଣ ବେଶ ଜାଣିଥିବେ। ଜୟପୁରରୁ ଟ୍ୟାକ୍ସି ଭଡାକରନ୍ତୁ। ମନେ ରଖନ୍ତୁ ସେ ଟ୍ୟାକ୍ସି ଡ୍ରାଇଭରର ଟିକେ ଟ୍ୟୁରିଷ୍ଟଙ୍କୁ ନେଇ ବଣ୍ଡାଘାଟି ଯିବାର ଅଭିଜ୍ଞତା ଥିଲେ ଭଲ। କାରଣ ସେ ଆପଣଙ୍କୁ ଅନେକ ସମୟରେ ସାହାଯ୍ୟ କରିପାରିବ ବୁଲିବାରେ। ତାଛଡ଼ା ଏବେ ସରକାରୀ ନିୟମ ମୁତାବକ ଆପଣ ଜିଲା ପ୍ରଶାସନଠୁ ଏ ବାବଦରେ ଅନୁମତି ସାଙ୍ଗରେ ନିଅନ୍ତୁ । କାରଣ ବର୍ତ୍ତମାନର ଆଇନ ଶୃଂଖଳା ପରିସ୍ଥିତିକୁ ଦେଖି ଏହି ନିୟମ କରାଯାଇଛି ।

 

ସଂକ୍ଷେପରେ 
ଭୁବନେଶ୍ୱର ରୁ ଜୟପୁର: ୫୨୮ କିଲୋମିଟର
ଜୟପୁରରୁ ଖଇରିପୁଟ ଘାଟି: ୭୦ କିଲୋମିଟର
ମାଳକାନଗିରିରୁ ଖଇରିପୁଟ- ୭୫ କିଲୋମିଟର
ଖଇରିପୁଟ- ବଣ୍ଡାଘାଟି: ୧୩ କିଲୋମିଟର
ନିକଟସ୍ଥ ରେଳ ଷ୍ଟେସନ‌୍‍: ଜୟପୁର
ନିକଟସ୍ଥ ବସ‌୍‍ଷ୍ଟାଣ୍ଡ: ଖଇରିପୁଟ
ରହଣିସ୍ଥଳ: ଜୟପୁର କିମ୍ୱା ମାଳକାନଗିରି
ପାଖ ଆଖ ଦେଖିବା ସ୍ଥାନ: ଆମ୍ମା କୁଣ୍ଡ, ପାଟ ଖଣ୍ଡା ସୀତା କୁଣ୍ଡ, ବଣ୍ଡା ହାଟ
ବିଭାଗ: ପ୍ରକୃତି ଓ ଆଦିବାସୀ
ଉପଯୁକ୍ତ ସମୟ: ୧୨ ମାସ

ଜୟପୁରରୁ ଖଇରିପୁଟ ପହଞ୍ଚିବାକୁ ପ୍ରାୟ ୨ଘଣ୍ଟା ସମୟ ଲାଗିବ। ପୁଣି ଯଦି ବଡି ଭୋର‌୍‍ରୁ ଜୟପୁର ଛାଡିଛନ୍ତି ତେବେ ଏମିତି ଅନେକ ଦୃଶ୍ୟ ଆପଣ ଦେଖିବାକୁ ପାଇବେ ଅପେକ୍ଷା କରି ରହିବା, ଚା ସହ ଦେହର ଥରାକୁ ରୋକିବା ଲାଗି ଦାଉ ଦାଉ ନିଆଁର ଆଞ୍ଚ ପରସି ଦେବ ରାସ୍ତାକଡ଼ର ବିଭିନ୍ନ ଚା ଦୋକାନ । ତାଛଡ଼ା ମୁହ ଅନ୍ଧାର ଛାଡ଼ିବା ବେଳକୁ ରାସ୍ତାକଡ଼ରେ ପିଲାଙ୍କ ଧୂନି ବି ଲାଗିଥିବା ଦେଖିବାକୁ ପାଇବେ। ୟାା ଭିତରେ ଦଳଦଳ ଆଦିବାସୀ କାଠୁରିଆ କୁହୁଡିର ଲହଡି ପରି କାଠ ଆଉ ଅଙ୍ଗାରର ଭାର ବୋହୁଥିବା ଦେଖିବକୁ ମିଳିବ । ଯେମିତି ଲାଗିବ ଶୀତର ଲହଡ଼ିକୁ ବୋଧ ହୁଏ ସେମାନେ ଜଙ୍ଗଲ ଭିତରୁ ଆମ ପାଇଁ ବୋହି ଆଣୁଛନ୍ତି। କାରଣ ଏ ହାଡ଼ ଭଙ୍ଗା ଶୀତରେ ଆମେ କାଚ ବନ୍ଦ ଗାଡି ଭିତରେ ଏତେ ଶୀତ ବସ୍ତ୍ର ପିନ୍ଧି ମଧ୍ୟ କମ୍ପୁଥିଲାବେଳେ ଖାଲି ଦେହରେ ମୁହଁରେ ଗାମୁଛା ମାରି ସେମାନେ ବେଶ ଉତ୍ସାହରେ ଚାଲୁଛନ୍ତି। ଖାଲି ଚାଲୁ ନାହାନ୍ତି ଦଉଡ଼ୁଛନ୍ତି । ଆକାଶରେ ସିନ୍ଦୁର ଫାଟିଲା ବେଳକୁ ରାସ୍ତା କଡ଼ରେ ଦିଶିବ କିଏ ଯେମିତି ହଳଦୀ ଲୁଗାଟିଏ ବିନ୍ଧି ଆମକୁ ଖଇରିପୁଟ ସ୍ୱାଗତ କରୁଛି । କହୁଛି ଆଉ ଅଳ୍ପ ବାଟରେ ରାସ୍ତା ସରିଯିବ । ଧୀରେ ଧୀରେ ଗାଡ଼ି ଗଳାନ୍ତୁ ଆଉ ଉପଭୋଗ କରନ୍ତୁ ପ୍ରକୃତିକୁ ।
ହଁ ରାସ୍ତାକଡ଼ରେ ଶୋରିଶ ଆଉ ଅଳସୀ ଫୁଲର ରଙ୍ଗ ବେଶ‌୍‍ ଆକର୍ଷିତ କରିଥିଲା ଆମକୁ । ତା ଭିତରେ ବୁଲିବାକୁ ମଉକାବି ଦେଲା । ଯେଉଁଥିପାଇଁ ଆଜି ବଣ୍ଡା ଘାଟି କଥା କହିଲେ ମୋ ଆଖିକୁ ପ୍ରଥମେ ସେହି ଦୃଶ୍ୟ ଆପେ ଆପେ ଚାଲିଆସୁଛି । ଏମିତି କିଛି ବାଟ ଗଲାପରେ ପହଞ୍ଚିଯିବେ ଖଇରିପୁଟ। ଖଇରିପୁଟ ହେଉଛି ଗୋଟେ ଜଂକ୍ସନ। ମାଲକାନଗିରି ଆଉ ଜୟପୁର ଯାଉଥିବା ବସ ଗୁଡିକ ଏଇଠି ଅଟକନ୍ତି। ଏଣୁ ଜୟପୁରୁ ଯଦି ଟ୍ୟାକ୍ସି ନ ନେଇଛନ୍ତି ତେବେ ଆପଣ ଏଇଠୁ ଟ୍ୟାକ୍ସି ଭଡା ବି ନେଇ ବାହାରି ପଡନ୍ତୁ ଘାଟି ଚଢ଼ିବା ପାଇଁ। ଘାଟି ଟିକେ ଚଢ଼ି ଆଗ ସୂର୍ଯ୍ୟୋଦୟକୁ ଅନୁଭବ କରି ନିଅନ୍ତୁ। କାରଣ ଏଇଠୁ ସୂର୍ଯ୍ୟ ଆହୁରି ସୁନ୍ଦର ଦେଖାଯାଆନ୍ତି। ଏତେ କୋମଳ ଆଉ ସରଳ ସୂର୍ଯ୍ୟଙ୍କୁ ଦେଖିଲେ ଆପଣ ଅନୁମାନ କରି ନେବେ ଯେ ଘାଟି ଉପରେ ଥିବା ଲୋକମାନେ କେତେ ସରଳ ଆଉ ନିସ୍କପଟ ହୋଇ ନଥିବେ। ହେଲେ ଭାବନାକୁ ବେଶି ପ୍ରଶ୍ରୟ ଦିଅନ୍ତୁନି କାରଣ ଅନେକ କଥା ଅଛି ଜାଣିବାକୁ ଆଉ ଦେଖିବାକୁ। ସେଠି ପୁଣି ଭାବନାର ସେ ପେଡିକୁ ଖୋଲିବାକୁ ତ ପଡ଼ିବ। ପା କଣ କହୁଛନ୍ତି…? ନହେଲେ ଏ ଉଦୟ ସୂର୍ଯ୍ୟ କେତେବେଳେ ଅସ୍ତ ହୋଇଯିବେ ଜଣା ପଡିବନି ଯେ।
ଏମତି ଭାବନାରେ ଆମେ ଆଗକୁ ଚାଲିବା ପାଇଁ ଗାଡି ଭିତରେ ପଶିଲୁ। ହେଲେ ମୋ ସାଙ୍ଗରେ ଯାଇଥିବା ଜିତେନ୍ଦ୍ର ବାବୁ ଆମ ଗାଡିକୁ ପୁଣିଥରେ ତଳକୁ ମୁହାଁଇଲେ। ଜିତେନ୍ଦ୍ର ବାବୁଙ୍କ ପୂରା ନାଁ ହେଲା ଜିତେନ୍ଦ୍ର ବେଉରିଆ। ଘର କେନ୍ଦ୍ରାପଡାରେ କିନ୍ତୁ ସେ ମାଲକାନଗିରିରେ ବହୁତ ଦିନ ହେଲା ରହିଲେଣି। ଆଉ ଏବେ ଏକ ଟେଲିଭିଜନ ପାଇଁ ସାମ୍ୱାଦିକତା କରୁଛନ୍ତି। ତାଙ୍କରି ନିଦ୍ଦେର୍ଶରେ ଆମେ ଚାଲୁଥିଲୁ। ହେଲେ ଆରମ୍ଭରୁ ଗାଡିକୁ ପଛକୁ ଫେରାଇବା ନିଷ୍ପତ୍ତି ବିଷୟରେ ଆମେ କିଛି ଜାଣି ପାରିଲୁନି। ଜିତେନ୍ଦ୍ର ବାବୁ କହିଲେ ଚାଲନ୍ତୁ ଆପେ ଜାଣିଯିବେ। ଅନ୍ଧ ଭଳି ମୁଁ ଆଉ ଡ୍ରାଇଭର ତାଙ୍କୁ ଅନୁସରଣ କରୁଥିଲୁ। ଘାଟି ଓହ୍ଲାଇ ସେ ହଠାତ ଗାଡିକୁ ରୋକିଦେଲେ। ଆଉ କହିଲେ ଏଇଠୁ ଚାଲିବାକୁ ହେବ। ହେଲେ ଜିତେନ୍ଦ୍ର ବାବୁ ଆମକୁ କହୁ ନାହାନ୍ତି ଏଠି କଣ ଅଛି କାହିଁକି ଆମକୁ ଓହ୍ଲାଇଦେଲେ। ଉତ୍ତର ଆସିଲା ଅପେକ୍ଷା କରନ୍ତୁ। ଆଉ ଆମେ ସମସ୍ତେ ଚାଲିଲୁ। ପାହାଡିଆ ରାସ୍ତା। ବାଟରେ ଏକ ବଡ଼ ଗଛ ଆସିଲା ଯେଉଁଟି ପୂର୍ବ ବର୍ଷାରେ ଓଲଟି ପଡିଛି। ଆଉ କଟା ହୋଇନି। ତାକୁ ଡେଇଁ ଆମେ ରାସ୍ତା ବାହାର କରିଦେଲୁ । ଆଉ ଆଗକୁ ଚାଲିଲୁ। ଶଣା ଗଲା ଝରଣାର କୁଳୁକୁଳୁ ଶବ୍ଦ। ମନ ବେଶ ଉତ୍ସାହିତ ହୋଇଗଲା। ପଚାରିଲି କ’ଣ ଏଠି ଝରଣା ବି ଅଛି? ଚାଲନ୍ତୁ…..ା ଜିତେନ୍ଦ୍ର ବାବୁ କିଛି କହୁ ନଥାନ୍ତି । ମନ ବି ଟିକେ ବିରକ୍ତ ଲାଗୁଥାଏ । କିନ୍ତୁ ତାଙ୍କ ମୁହଁରୁ ପଢ଼ି ହେଉଥିଲା ସେ କିଛି ସର୍ପରାଇଜ‌୍‍ ଦେବାକୁ ଚାହୁଛନ୍ତି ।
ପାହାଡ ଉପରୁ ତଳକୁ ଖସିଲା ଭଳି ଚିକÑଣ ପଥର ଗୁଡିକରେ ଆମେ ତଳକୁ ଖସୁଥିଲୁ। ଯେତିକି ତଳକୁ ଖସୁଥିଲୁ ସେତିକି ଆନନ୍ଦ ବି ମିଳୁଥିଲା। ଟିକେ ସାବଧାନ ହେବାକୁ ଅବଶ୍ୟ ପଡୁଥିଲା। କାରଣ ପଥର ଗୁଡିକ ଭିତରେ ସେ କୁଳୁକୁଳିଆ ନାଦର ଝରଣାଟି ବହୁଥିଲା। ବେଳେବେଳେ ତାର ଗତି ବେଶ ପ୍ରଖର ଥିଲା। ଏମିତି କିଛି ପାହାଚ ଓହ୍ଲାଇଲା ପରେ ଆସିଗଲା ଏକ କୁଣ୍ଡ। ଚାରିଆଡେ ପାହାଡ। ମଝିରେ ଏ କୁଣ୍ଡଟି। ବେଶ ପରିଷ୍କାର ପରିଛନ୍ନ। ଝରଣାର ପାଣି ସବୁ କାଚ ଭଳି ଚକଚକ କରୁଛି ଏଇଠି। ଉପରକୁ ଅନାଇଲେ ପାହାଡ, ଗୁଣ୍ଠା ଆଉ ଜଙ୍ଗଲ। ବେଶ‌୍‍ ଆନନ୍ଦ ଦାୟକ ପରିବେଶ। ଏଥିରେ ହଜିଗଲା ବେଳେ ଜିତେନ୍ଦ୍ର ବାବୁ କହିଲେ ଏବେ ଜାଣିଲେ ମୁଁ କାହିଁକି କିଛି କହୁ ନଥିଲି। ଏ ଜାଗାଟିର ନାଁ ହେଲା ଆମ୍ମା କୁଣ୍ଡ। ଆମ୍ମା ହେଲେ ବଣ୍ଡାଙ୍କ ଇଷ୍ଟଦେବୀ। ଆଉ ତାଙ୍କୁ ନ ଦେଖି କେମିତି ବା ପାହାଡ ଚଢ଼ି ଥାଆନ୍ତେ ? ହେଲେ ଆମେ ଏଠିକି ନ ଆସି ପାହାଡ କାହିଁକି ଚଢ଼ୁଥିଲେ? ଏ ପ୍ରଶ୍ନ ପଚାରିବାକୁ ଆଉ ଇଚ୍ଛା ହେଲାନି । ଖାଲି ମନ ହେଉଥିଲା ହଜିଯିବା ପାଇଁ। ସତରେ ଦେବତାଙ୍କ ରହଣୀ ସ୍ଥଳ ଇଏ। ନହେଲେ ଏତେ ସୁନ୍ଦର କାହିଁକି ହୋଇଥାନ୍ତା। ମୁଁ ତ ଏତେ ପାହାଡ ଆଉ ଝରଣା ଦେଖିଛି ହେଲେ ଇଏ କାହିଁକି ଏତେ ସୁନ୍ଦର ? ପୁଣି ଟିକେ ଭିତରକୁ ଗଲେ ଦେଖିବେ କୁଣ୍ଡ ଭିତରେ କିଛି ମାଛ ନିର୍ଭୟରେ ଖେଳୁଛନ୍ତି। ଆଉ ତାଙ୍କ ସହ ଖେଳିବାର ଏକେ ମଉକା ବି ଆମକୁ ମିଳିଗଲା। କନ୍ଧମାଳରେ ଏମିତି ଏକ ଜାଗା ଅଛି ଯାହା କଥା କନ୍ଧମାଳ ବୁଲିଲା ବେଳେ କହିବି। କିନ୍ତୁ ତାଠୁ ଅଧିକ ସୁନ୍ଦର ଏ ଜାଗାଟି। ମାଛଗୁଡିକ ଆମ ଆସିବାର ଶବ୍ଦ ପାଇଗଲେ। ଆମକୁ ଦେଖି ସେମାନେ ବି ଆନନ୍ଦିତ ହୋଇ ଖେଳିଲେ। ଜିତେନ୍ଦ୍ର ବାବୁ କହିଲେ ଏଠୁ କେହି ମାଛ ଧରନ୍ତିନି। ଲୋକ କଥା ରହିଛି ଭଗବାନ ଆମ୍ମାଙ୍କ ଏହା ଗାଧୁଆ ସ୍ଥଳୀ। ଏଣୁ ଏଠୁ ମାଛ ଧରିବା ପାପ। ଆଉ ଏ ବିଶ୍ୱାସକୁ ସମ୍ମାନ ଦେଇ କେହି ଏଥିରେ ଆଞ୍ଚ ଆଣନ୍ତିନି। ସେମାନଙ୍କ ଏ ବିଶ୍ୱାସ କିନ୍ତୁ ପ୍ରକୃତିକୁ ତା ସ୍ଭୋନ୍ଦର୍ଯ୍ୟ ବିନା ଆଘାତରେ ସାଇତି ରଖିବା ପାଇଁ ସାହାଯ୍ୟ କରିଛି। ଆହୁରି ଅଧିକ ଅନୁଭବ କରିବା ପାଇଁ ଜିତେନ୍ଦ୍ର ବାବୁ ସାଙ୍ଗରେ ଆଣିଥିବା ବ୍ୟାଗ‌୍‍ଟିକୁ ଖୋଲିଲେ ଆଉ କାଢ଼ିଲେ ମୁଢ଼ି ଏବଂ ବିସ୍କୁଟ ପ୍ୟାକେଟ‌୍‍ ଗୁଡିକୁ। ସମସ୍ତଙ୍କୁ ବାଣ୍ଟିଦେଇ କହିଲେ ଏଥର ଦେଖ ମାଛ ଗୁଡିକ କେମିତି ଆପଣଙ୍କ ହୋଇଯିବେ। ସତକୁ ସତ ଆମ ବିସ୍କୁଟକୁ ଦେଖି ମାଛଙ୍କ ଆଗ୍ରହ କହିଲେ ନସରେ। ପୁରା ଯେମିତି ଘର ଆକ୍ୱାରିୟମ‌୍‍ରେ ଦାନା ଦେଲା ବେଳକୁ ମାଛ ଗୁଡିକ ପାଖକୁ ଚାଲି ଆସନ୍ତି ଠିକ‌୍‍ ସେମିତି ସେମାନେ ଆମ ପାଖରେ ଖେଳିବାକୁ ଲାଗିଲେ। ପୁରୀ ଜାଗା ପୋଖରୀରେ ଗାଧୋଇବା ବେଳେ ମାଛ ଅବଶ୍ୟ ପାଖକୁ ମାଡ଼ି ଆସନ୍ତି । ଆମେ ତାଙ୍କୁ ଆଡେ଼ଇ ଦେଉ । କିନ୍ତୁ ଏମିତି ଅନୁଭବ ମୁଁ ପାଇ ନଥିଲି। ଏଣୁ ପୁରା ହଜିଗଲି ଏଥିରେ। ଯେତେ ବିସ୍କୁଟ ଆଉ ମୁଢ଼ି ଆସିଥିଲା ତାକୁ ମୁଁ ପକାଇବାକୁ ଲାଗିଲି। ଏମିତିକି ସେଥିରୁ କିଛି ମାଛଙ୍କ ନାଁ ବି ରଖିଦେଲି। ମାଛଙ୍କ ସହ ଖେଳିବାର ଏ ମଜ୍ଜା ଆଉ କେଉଁଠିବି ମିଳି ନ ପାରେ। ପୁଣି ଆପଣ ଯେତିକି ଭଲ ପାଇବେ ମାଛ ବି ଆପଣଙ୍କୁ ସେତିକି ଭଲ ପାଇବେ। ତାଙ୍କ ଭିତରେ ଖେଳର ନିଶା ଯେତିକି ଚଢ଼ୁଥିଲା ଆମେ ବି ବିନା ଆଲକହଲରେ ସେତିକି ନିଶାଡି ହୋଇସାରିଥିଲୁ। ମାଛ ଆଉ ଆମେ ଏତେ ଖେଳିଲୁ ଯେ ତା ଭିତରେ ପ୍ରାୟ ଏକ ଘଣ୍ଟା ବିତିଗଲା। କିନ୍ତୁ ସମୟ ଜଣା ପଡୁ ନଥିଲା। ହେଲେ ବାନ୍ଧି ହେବାର ମାଧ୍ୟମ ମୁଢ଼ି ଆଉ ବିସ୍କୁଟ ସବୁ ଧିରେଧିରେ ସରିବାରେ ଲାଗୁଥିଲା। ଅଳପ ଅଳ୍ପ ଖର୍ଚ୍ଚ କରି ସେଗୁଡିକୁ ଯେତିକି ବଞ୍ଚାଇବାକୁ ଚେଷ୍ଟା କରୁଥିଲୁ କିନ୍ତୁ ମାଛଙ୍କ ମାୟାରେ ସେ ଅଙ୍କ କାମ ଦେଉନଥିଲା। ବାସ ସରିଗଲା। ଜିତେନ୍ଦ୍ର ବାବୁ ୟା ଭିତରେ ବହୁତ ଥର ଆମକୁ ମନେ ପକାଇଲେଣି ଯେ, ଆମକୁ ଅନେକ କିଛି ଦେଖିବାର ଅଛି। ଏଣୁ ଉଠି ଆସନ୍ତୁ ।
ମାଛଙ୍କ ସହ ଖେଳିବାର ସେ ମଜା ମୁଁ ଆଗରୁ କେଉଁଠି ହେଲେ ପାଇ ନଥିଲି। ଏଣୁ ତାଙ୍କ କଥାକୁ ଧ୍ୟାନ ଦେଉ ନଥାଏ । ହେଲେ ଯେତେବେଳେ ସରିଗଲା ସେତେବେଳ ତାଙ୍କ କଥା ଆଡ଼କୁ କାନ ଗଲା । ଉଠିବାକୁ ବାଧ୍ୟ ହେଲି । ଫେରିଲା ବେଳକୁ ମାଛଙ୍କୁ ଟା ଟା ବି କଲୁ। ଆମେ ଯେମିତି ବିରହ ହେଉଥିଲୁ ସେମାନେ ବି ଆମ ଆଗ୍ରହକୁ ସେମିତି ସମ୍ମାନ ଦେଉଥିଲେ। କାହିଁକିନା ଆମ ଫେରିବା ଦେଖି ସେମାନେ ନିଜର ଖେଳ ବନ୍ଦ କରୁଥିଲେ। କେହି କେହି ଏମିତି ଲଣ୍ଠ ମାରୁଥିଲେ ଯେମିତି କହିଥିଲେ ଅନେକ କିଛି ବାକି ରହିଗଲା । ପୁଣି ଆସିବେ । ପ୍ରକୃତିର ସେ ଅଛୁଆଁ ସ୍ଭୋନ୍ଦର୍ଯ୍ୟକୁ ଅନ୍ୟମାନଙ୍କ ପାଇଁ ଛାଡି ଆମେ ଫେରି ଆସିଲୁ ଗାଡିକୁ। ବାସ ଗାଡି ପୁଣି ଚାଲିଲା ଆଗକୁ ଘାଟି ଉପରକୁ। କିନ୍ତୁ ମନେ ରଖିଲୁ ପୁଣି ଆସିବୁ ଏ ଅସରନ୍ତି ସୌନ୍ଦର୍ଯ୍ୟରେ ସାମିଲ ହେବାକୁ ।

ପାଟ ଖଣ୍ଡା, ଲଣ୍ଡା ମଣିଷ ଆଉ ବଣ୍ଡା ନାଚ

ଆମ୍ମା ଅର୍ଥାତ‌୍‍ ମା’ ହେଉଛନ୍ତି ବଣ୍ଡାଙ୍କ ସବୁ କିଛି । ଅର୍ଥାତ‌୍‍ ଓଡ଼ିଆ ସଂସ୍କୃତିର ଯେଉଁ ମାତୃ ପୂଜା ରହିଛି ତାରି ଭାବନାରେ ସେମାନେ ଅଭିଭୂତ । ଭିନ୍ନ ରୂପରେ ସେମାନେ ଏଠାରେ ଠାକୁରଙ୍କୁ ପୂଜା କରନ୍ତି । ଘାଟି ଉପରେ ,ସବୁ ଦେଖିବାକୁ ପାଇବେ ବୋଲି ଆମେ ଶୁଣିବାକୁ ପାଇଲୁ । ଆଉ ଉଠିବାକୁ ପ୍ରୟାସ କଳୁ ଖଇରିପୁଟର ବଣ୍ଡା ଘାଟି । ୧୩ କିଲୋମିଟର ଘଟି ରାସ୍ତା ଅତିକ୍ରମ କଲା ପରେ ହିଁ ଏହି ପାହାଡ଼ର ଶିଖରରେ ଆପଣ ପହଞ୍ଚିବେ । ବେଶ‌୍‍ ମନୋରମ ଦୃଶ୍ୟ ଆପଣଙ୍କୁ ପାହାଡ଼ ଚଢ଼ିବା ବେଳେ ଦେଖିବାକୁ ମିଳିବ । କେବେବି ଗାଡ଼ିର କାଚକୁ ବନ୍ଦ କରନ୍ତୁନି । ଏ ସବୁଜିମା ଆୁ ଝରଣାର କୁଳୁ କୁଳୁ ଶବ୍ଦ ତା ଭିତରେ ପାହାଡ଼ ଉପରୁ ବହି ଆସୁଥିବା ସୁଲୁ ସୁଲିଆ ପାବନ । ବେଶ‌୍‍ ଆନନ୍ଦ ଦାୟକ । ଏଣୁ କାରର ଏସି କଣ ଦରକାର?
ଆମ୍ମାକୁଣ୍ଡରୁ ଘାଟି ଆଡ଼କୁ ଆସିବା ବେଳକୁ ଆମେ ଏକ ଭିନ୍ନ ପରିବେଶ ଦେଖିଲୁ । ପୁରା ଅଲଗା । ପାଖାପାଖି ତିନି କିଲୋମିଟର ରାସ୍ତା ହେବ। ବୋଧ ହୁଏ ବଣ୍ଡା ପାହାଡ଼ର ଅଧିକାଂଶ ଅଧିବାସୀ ଏଠାକୁ ଚାଲି ଆସିଛନ୍ତି । ସାପ୍ତାହିକ ହାଟ ବସିଥିଲା । ବଣ୍ଡା ଦୈନନ୍ଦିନ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ହାଟ ଦେଖିବାକୁ ବେଶ‌୍‍ ରଙ୍ଗୀନ । ବିଭିନ୍ନ ରଙ୍ଗ ବେରଙ୍ଗର ଜିନିଷ ଏଇଠି ଦେଖିବାକୁ ମିଳିଲା । ଆମେ ବାଧ୍ୟ ହେଲୁ ସେଠି ଅଟକିବାକୁ ।
ଯେଉଁଠି ବିଦେଶୀ ପୁଞ୍ଜି ନିବେଶ, ୱାଲମାର୍ଟ ପ୍ରସଙ୍ଗକୁ ନେଇ ସାରା ଦେଶ ଥରହର ହେଉଛି ସେଠି ଏମିତି ହାଟ ଦେଖି ଆମେ କଣ ଦେଶର ବଡ଼ ବଡ ଼ଅର୍ଥନୀତିଜ୍ଞ ବି ଆଶ୍ଚିର୍ଯ୍ୟ ହେବେ । ଆଜି ବି ଏଇଠି ଅଦଳ ବଦଳ ପ୍ରଥା ଚାଲିଛି । ଯେତେ ଶସ୍ତା ଆଉ ପାଉଚ‌୍‍ରେ ବିକ୍ରୀ ହେଲେ ବି ଏଠି କୌଣସି ବ୍ରାଣ୍ଡର ସାବୁନ, ଲୁଗାଧୁଆ ପାଉଡର କି ମୁହଁ ଲଗା କ୍ରୀମ‌୍‍ ଦେଖିବାକୁ ମିଳେ ନା । ସମାନ ଦରରେ ଏଠି ମୁଣ୍ଡା ସାବୁନ‌୍‍ ମିଳେ । ହାତ ଖାଇଯାୁଥିବା କ୍ଷାର ଡିଟରଜେଣ୍ଟ ଆଉ ନକଲି ବ୍ରାଣ୍ଡର ବିଭିନ୍ନ ଉପିାଦ । ମୁଁ କଣ ଆପଣ ବି କହିବେ ସତରେ କେତେ ଠକୁଛନ୍ତି ଏଇ ନିରୀହ ଆଦିବାସୀଙ୍କୁ । ନିରକ୍ଷର ବୋଲି ଏଠି ଫେୟାର ଆଣ୍ଡ ଲଭ‌୍‍ଲି ବଦଳରେ ଫେସ‌୍‍ ଆଣ୍ଡ ଲଭ‌୍‍ଲି ଲୋକ କିଣୁଛନ୍ତି । ଆଉ ତାଙ୍କୁ ଠକିବା ପାଇଁ ଛତିଶଗଡ଼ରୁ ଟ୍ରକ‌୍‍ ଯୋଗେ ଜିନିଷ ପତ୍ରବି ବି ବୁହାହେଉଛି । ଅର୍ଥାତ‌୍‍ ଏମାନଙ୍କୁ ଠକି ଲାଭବାନ ହେଉଛନ୍ତି କିଛି ବ୍ୟବସାୟୀ । ଏଠି କଣ ଓଜନ ମାପ ବିଭାଗ ନାହିଁ ନା ଏଠି ସରକାରୀ କର୍ମଚାରୀ ବି ଚାହୁଛନ୍ତି ଏମିତି ଠକି ହୁଅନ୍ତୁ ଆମ ନିଜ ଲୋକମାନେ ।
ଏମିତି ଅନେକ ଭାବନା ମୁଣ୍ଡକୁ ଏପଟ ସେପଟ କରୁଥିଲା । ହେଲେ ଏସବୁରୁ ବହୁତ କିଛି ଶିଖିବାର ଅଛି । ଜାଣିବାର ଅଛି । ଏଣୁ ହାଟ ଭିତରେ ଧୀରେ ଧୀରେ ପ୍ରବେଶ କରିଚାଲିଥିଲୁ ଆମେ । କେତେବେଳେ ଦେଖୁଥିଲୁ ବଣ୍ଡା ସ୍ତ୍ରୀ ଲୋକଟିଏ ନିଜ ପିଲାଙ୍କୁ ଏକ ଲୁଗାରେ ବାନ୍ଧି କାନ୍ଧ ଉପରେ ପକାଇଛି ତ କେତେବେଳେ କୁକୁଡ଼ା ଧରି ଆସିଛି ଶୋରିଷ କିଣିବା ଲାଗି । ଏମିତି ଅନେକ କଥା… । ସତରେ ମୁଁ କେବେ ଏମିତି ଦୃଶ୍ୟ ଦେଖି ନଥିଲି । ଏଣୁ ଯେତିକି ଆଶ୍ଚର୍ଯ୍ୟ ମୁଁ ହେଉଥିଲି ସେତିକି ସୁଯୋଗ ପାଉଥିଲି ମନ ଭିତରେ ଏହାକୁ ସାଇତି ରଖିବା ପାଇଁ । ବଢ଼ିଆ ଅନୁଭୂତି । ଏମିତିରେ ପୁରୁଷ ଲୋକଙ୍କୁ ହାଟ ଭିତରେ ଦେସଖିବା କଷ୍ଟକର ଥିଲା । ଯେତେବେଳେ କେହି ଦିଶୁ ଥିଲେ ସମସ୍ତେ ଥିଲେ ବ୍ୟବସାୟୀ ।
ମୁଁ ଚାହିଁଲି କିଛି କଥା ହେବକୁ ବଣ୍ଡା ସମ୍ପ୍ରଦାୟର ଲୋକଙ୍କ ସହ । ହେଷଳ ଆମ ଭାଷା ଏଠି ସାଜିଥିଲା ବାଧକ । ମୁଁ ସ୍ଥିର କଲି କିଛି ସ୍ଥାନୀୟ ଲୋକଙ୍କୁ ଏ ବାବଦରେ ଜଣାଇ ତାଙ୍କୁ ମୋ ପକ୍ଷଭୁକ୍ତ କରାଇବି । ତାହାହିଁ ହେଲା । ମୋ ପାଇଁ ସେମାନେ ଭାଷାନ୍ତର କରାଇଦେଲେ । ତା ପରେ ସେମାନେ କହିଲେ ଘଟି ୁପରେ ଯେଉଁ ସୁଆଁ, ମାଣ୍ଡିଆ ଚାଷ କରନ୍ତି ତାହାକୁ ସେମାନେ ହାଟକୁ ଆଣନ୍ତି । ଏହାଛଡ଼ା ତାଙ୍କ ଦ୍ୱାରା ପାଳନ କରାଯାଉଥିବା ଜଙ୍ଗଲି କୁକୁଡ଼ା ବେଶ‌୍‍ ହାଟରେ ବେଶ‌୍‍ ଚାହିଦା ରଖେ । ଏହା ବଦଳରେ ଦରକାରୀ ସାମଗ୍ର କିଣି ନେଇଥାଉ । ବିଶେଷ କରି ପିଆଜ, ରସୁଣ ଶୁଖିଲା ଲଙ୍କା ତାଙ୍କ ପାଇଁ ବେଶ‌୍‍ ଜରୁରୀ ଥାଏ। ଏହାଛଡ଼ା ତାଙ୍କ ପିନ୍ଧା ବସ୍ତ୍ର ଏବଂ ମାଳି ଏଠା ଲୋକଙ୍କୁ ବେଶ‌୍‍ ଆକର୍ଷିତ କରିଥାଏ । ଏଣୁ ସେମାନେ ଏହାକୁ ମଧ୍ୟ ହାଟରେ ବିକି ଥାନ୍ତି ।
ଆମ ଭଳି ଅନେକ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି । ସେମାନେ ସମସ୍ତେ ଚାହାନ୍ତି କିପରି କିଛି ସ୍ମୃତି ଏଠାରୁ କିଣିବେ । ଆଉ ସେଥିରେ ମୁଖ୍ୟ ସାମଗ୍ର ପାଲଟେ ଏଇ ମାଳି ଓ ଲୁଗା । ଏମିତି ହାଟ ବୁଲୁ ବୁଲୁ ଦିନ ୧୧ଟା ବାଜିଗଲା । ଜିତେନ୍ଦ୍ର କହିଲେ ଚାଲନ୍ତୁ ଘାଟି ଉପର ବୁଲିବା । ଏବେ ତ ହାଟ ସରିବ । ଆମେ ଘଟି ଉପରକୁ ଯାଇ ନଥିବା ସେମାନେ ପହଞ୍ଚିଯିବେ । ପୁଣି ଶୀତ ଦିନ ଯଲ‌୍‍ଦି ସୂର୍ଯ୍ୟ ପାହାନରେ ଲୁଚିଯିବେ । ଏଣୁ ଏବେ ବାହାରିଯିବା ଉଚିତ‌୍‍ ହେବ । ଜିତେନ୍ଦ୍ରଙ୍କ କଥା ଅନୁସାରେ ମୁଁ ହାଟ ଛାଡ଼ିଲି । କିନ୍ତୁ ସେ ହାଟର ସ୍ମୃତି ଆଜି ଯାଏଁ ମୋ ମନରେ ଆଙ୍କି ହୋଇ ରହିଛି । ଆଉ ଯେତେବେଳେ ଏ ବିଷୟକୁ ପଢ଼େ ସେତେବେଳେ ସେ ସ୍ମୃତି ମୋ ମନକୁ ଆହୁରି ତାଜା କରିଦିଏ ।
ଏମିତି ଭାବନା ଭିତରେ ଆମେ ଚାଲିଲୁ ଘାଟି ଉପରକୁ । ଦୁଇକଡ଼ରେ ଜଙ୍ଗଲ । ମଝିରେ ଚିକÑଣ କଂକ୍ରିଟ‌୍‍ ରାସ୍ତା । ଚାଡ଼ି ଚଳାଇବାକୁ ବେଶ‌୍‍ ମଜାଦାର ଅନୁଭୂତି ଦିଏ । ୧୩ କିଲୋମିଟର ପରେ ଆସିଲା ମୁଦୁଲିପଡ଼ା । ଏଠି ରହୁଥିବା ଲୋକଙ୍କୁ ୁପର ବଣ୍ଡା ବୋଲି ମଧ୍ୟ କହନ୍ତି । ଏହିଠାରେ ଆମ୍ମା ଦେବୀଙ୍କ ପାଟ ଖଣ୍ଡା ରହିଛି ପୂଜା ପାଇଁ । ପ୍ରତି ବର୍ଷ ମାଘ ମାସରେ ଯେଉଁ ପର୍ବ ଏଠି ହୁଏ ସେତେବେଳେ ସବୁ ବଣ୍ଡା ଏଠି ଏକାଠି ହୁଅନ୍ତି । ଏକ ବରଗଛର କୋରଡ଼ରେ ଏହି ଖଣ୍ଡାକୁ ଲୁଚାଇ ରଖାଯାଇଛି । ସେହିଦିନ ସେ ଖଣ୍ଡାକୁ କଢ଼ାଯାଇ ପାରମ୍ପରିକ ପୂଜା ପାଠ କରାଯାଏ । ଏହାକୁ ପାଟଖଣ୍ଡାଯାତ୍ରା ବୋଲି କୁହାଯାଏ ।
ବଣ୍ଡା ଲୋକ କଥା ଅନୁସାରେ ପାଟ ଖଣ୍ଡା ହେଉଛି ବଣ୍ଡାଙ୍କ ପ୍ରମୁଖ ଅସ୍ତ । ବାହ୍ୟ ଶକ୍ତିର ଆକ୍ରମଣକୁ ରୋକିବା ପାଇଁ ବଣ୍ଡା ଦେବୀ ରାଜାଙ୍କୁ ଏହି ଖଣ୍ଡା ଦାନ ଦେଇଥିଲେ । ଯାହାକୁ ନେଇ ବଣ୍ଡାମାନେ ବିଜୟ ଲାଭ କଲାପରେ ରାଜା ଏହାକୁ ଗୋଟିଏ ଗଛର କୋରଡ଼ରେ ରଖିବାକୁ ସ୍ୱପ୍ନାଦେଶ ପାଇଲେ । ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏ ଖଣ୍ଡାରେ ଯେମିତି କିଛି ଅଘଟଣ ନ ଘଟେ । ସାଧାରଣ ଜୀବନ ଏହାଦ୍ୱାରା ଯେମିତି ଆଘାତ ନ ପାଆନ୍ତି ।
ଯେଉଁ ବର ଗଛର କୋରଡ଼ରେ ଏ ପାଟ କଣ୍ଡା ପୂଜା ପାଉଛି ତାହା ବି ଦେଖିବା ଭଳି । ଆମେ ସେ କଣ୍ଡାର ସନ୍ଧାନ ଏଠି ପାଇଲୁ ନାହିଁ । ପଚାରିଲାରୁ ଉତ୍ତର ଆସିଲା ତାହା ଗୁପ୍ତ ରଖାଯାଇଛି । ଏଣୁ କେହି ଏହାକୁ ଦେଖିବା ସମ୍ଭବ ନୁହେଁ । ଯଦି ଦେଖିବାକୁ ଚାହାନ୍ତି ତା ହେଲେ ମାଘ ମାସରେ ଆସନ୍ତୁ… ।
ମାଘ ମାସରେ ଆସିବା କେତେ ଦୂର ସମ୍ଭବ ତାହା ମୁଁ ଜାଣି ନଥିଲି । କିନ୍ତୁ ଯେଉଁ ସମୟରେ ଆସିଛି ତାର କିଛି ସାନ୍ନିଧ୍ୟ ପାଇବା ପାଇଁ ବେଶ‌୍‍ ଆଗ୍ରହୀ । ଏଣୁ ସେ ପରୁଣା ବର ଗଛର ଓହଳ ଆଉ ଛାଇରେ କିଛି ସମୟ ବସିଲି । ଖୁବ‌୍‍ ଶାନ୍ତିପୂର୍ଣ୍ଣ । ବୋଧ ହୁଏ ଏମିତି ଗଛର ଛାଇରେ ବସି ମହାପୁରୁଷମାନେ ସମାଜ ସଂସ୍କାରକରେ ପରିଣତ ହୋିଥିଲେ । …. ଛାଡ଼ନ୍ତୁ ଆମେ ସେ କଥା କହିବା ଧ୍ରୁଷ୍ଟତା ହେବ । କିନ୍ତୁ ସେ ଛାଇ ଶୀତ ଦିନର ଟାଣ ଖରାର ତାପକୁ ହାଲୁକା କରିବ ଏଥିରେ ସନ୍ଦେହ ନାହିଁ ।
କିଛି ସମୟ ସେଠି ମନକୁ ହାଲୁକା କଲାପରେ ଆମେ ଆଗକୁ ଚାଲିଲୁ । କିଛି ବାଟ ପରେ ଦେଖିଲୁ ଘାଟି ୁପରେ ହୋଟେଲ ଥିବାର ତୀର ଚିହ୍ନ ଦିଅଆଯାଇଛି । ମଧ୍ୟାହ୍ନ ଭୋଜନର ସମୟ ତ ହୋଇଯାଇଥିଲା । ଭାବିଥିଲୁ ଘାଟି ଉପରେ କିଛି ଖାଇବାକୁ ନ ମିଳିପାରେ । କିନ୍ତୁ ଏ ଚିହ୍ନ ଦେଖିଲା ପରେ ଭାବିଲୁ ଟିକେ ବୁଲିଆସିବା କେମିତ ହୋଇଛି ସେ ହୋଟେଲ । ଆଗରେ ଲେଖା ହୋଇଛି ‘ହୋଟେଲ ଟୁଲୁ, ଅର୍ଡ଼ର ଦେଲେ ମିଲସ‌୍‍ ରେଡି’। ମାନେ କଣ ବୁଝୁଛନ୍ତି ନା… । ହଁ ଠିକ‌୍‍ ସେଇଆ ଏ ହୋଟେଲ ଆମ ପରି ଆଗନ୍ତୁକଙ୍କୁ ଅପେକ୍ଷା କରିଛି । ଚେୟାର ଟେବୁଲ କିଛି ନାର୍ହି । କିନ୍ତୁ ବେଶ‌୍‍ ସଫା ସୁତୁରା । ହୋଟେଲ ପଛ କଡ଼ରେ ଏକ ଖୋଲା ଗଛ ଛାଇର ଜାଗା ରହିଛି । ଯେଉଁଠାରେ ଖାଇବାକୁ ପଡ଼ିବ । ମୁଁ କହିଲି ଏଇଠି ଖାଇବାକୁ ବରାଦ ଦିଆଯାଉ । କେତେ ସମୟ ଲାଗିବ…? ହୋଟେଲ ମାଲିକ କହିଲେ ମିନିମମ‌୍‍ ଅଧଘଣ୍ଟା । ଆପଣ ସୀତା କୁଣ୍ଡଢ ବୁଲି ଆସନ୍ତୁ ସବୁ ରେଡି ହୋଇଯିବ ।
ଟୁଲୁଙ୍କ କଥା ଶୁଣି ମନଖୁସି ହୋଇଗଲା । ପାହାଡ଼ ଉପରେ ବଣ ବୋଜି… ପୁଣି ବିନା କିଛି ଜିନିଷ ପତ୍ର ଆଣି.. । ଖୁବ‌୍‍ ଭଲ ସୁଯୋଗ। ଏହାକୁ ବା ହାତ ଛଡ଼ା କାହିଁକି କରିବା । ଗାଡ଼ିରେ ଯାହା ଶୁଖିା ଖାଦ୍ୟ ଥିଲା ସବୁ ଆଡେ଼ଇ ଦେଇ ଗାଡ଼ି ଗଡ଼ାଇଲୁ ସୀତା କୁଣ୍ଡ ଆଡେ଼ ।
ସୀତା କୁଣ୍ଡରେ ଝରଣାର ବହିଯାଉଥିବା ପାଣି କିଛି ସମୟ ଅଟକିଯାଏ । ବେ‌୍‍ ସ୍ୱଚ୍ଛ ଆଉ ସୁନ୍ଦର । ଏଠି ପ୍ରଶାସନ ପକ୍ଷରୁ ପାହାଚ ବ୍ୟବସ୍ଥା କରାଯାଇଛି । ଏକ ଗେଟ ବି କରାଯାଇଛି । ଏ କୁଣ୍ଡ ଏବେ ବଣ୍ଡା ମାନଙ୍କ ପାିଇଁ ପିଇବା ପାଣିର ଏକ ଉତ୍ସ ପାଲଟିଛି ।
ସୀତା କୁଣ୍ଡ ସହ ଏକ ବଢ଼ିଆ ଲୋକ କଥା ଯୋଡ଼ା । ତାହା ହେଲା ବନବାସ ସମୟରେ ସୀତା ଏଇଠି ଗାଧୋଉଥିଲେ । ଉଲଗ୍ନ ସୀତାଙ୍କ ସୌନ୍ଦର୍ଯ୍ୟକୁ ଦେଖି ବଣ୍ଡା ସ୍ତ୍ରୀ ଳୋକମାନେ ଅଭିଭୂତ ହୋଇଗଲେ । ଏମିତିକି ଛୁପି ଛୁପି ସୀତାଙ୍କ ଗାଧୁଆ ଦୃଶ୍ୟକୁ ଦେଖିବାକୁ ଲାଗିଲେ । ହେଲେ ସେମାନଙ୍କ ହସୁଥିବା ଶବ୍ଦରେ ସୀତା ଅସ୍ତବ୍ୟସ୍ତ ହୋଇପଡ଼ିଲେ । ତା ପରେ ତାଙ୍କୁ ହସୁଥିବା ଦେଖି ସୀତା ଅଭିଶାପ ଦେଲେ । ଯେ ସେମାନେ ଜୀବନ ସାରା ଏମିତି ଉଲଗ୍ନ ରହିବେ । ଲଣ୍ଡା ହୋଇ ବୁଲିବେ । ଏହାଶୁଣି ଜଣେ ବଣ୍ଡା ସ୍ତ୍ରୀଲୋକ ସୀତାଙ୍କ ପାଖରେ ଗୁହାରି ପଡ଼ିଲେ । କହିଲେ ଆମକୁ କ୍ଷମା କରିଦିଅ । ସୀତା ଏହାଙ୍କ ସରଳତା ଦେଖି ନିଜେ ଲୁଗାର କାନିରୁ କିଛି ଅଂଶକୁ ଚିରିଦେଲେ । ଆଉ ତାକୁ ହିଁ ପିନ୍ଧିବା ପାଇଁ ଆଦେଶ ଦେଲେ । ଯାହାକି ଏବେ ଏକ ପରମ୍ପରା ପାଲଟିଛି । ଶିକ୍ଷା ଦୀକ୍ଷା ହେଳେ ବି କିଛି ପାରମ୍ପରିକ ବେଶ ପୋଷାକରେ ନିଜକୁ ସଜ୍ଜିତ କରି ରଖିଛନ୍ତି । ଦେହ ଘୋଡ଼ାଇବା ପାଇଁ ମାଳି ବା ଲୁବେଡ଼ାହିଁ ବସ୍ତ୍ର ପାଲଟିଛି ଏଇଠି ।
ଏମିତି ପାରମ୍ପରିକ ବେଶ ପୋଷାକ ଆମେ ଦେଖିଥିଲୁ ଘାଟିତଳ ମୁଣ୍ଡିଗୁଡ଼ା ହାଟରେ । ଏବେ କିନ୍ତୁ ମୁଦୁଲିପଡ଼ା ସହ ଏଠିଥିବା ଡୁମୁରିପଡ଼ା, ବୋଡ଼ାପଡ଼ା ଏବଂ ବଡ଼ଭେଲ ଗାଁର ସବୁ ଘରେ ଏମିତି ବେଶ ପୋଷାକ ଓ ପରମ୍ପରା ଦେଖିବାକୁ ମିଳିଲା । ଏହି ଚାଲି ଚଳଣରେ ସାମିଲ ହେବା ପାଇଁ ଆମେ ଗାଁ ଆନେ ବୁଲିବା ପାଇଁ ସ୍ଥିର କଲୁ । ଏହି ଆଗ୍ରହରେ ଟୁଲୁ ହୋଟେଲରେ ଖାଇବା ଅର୍ଡ଼ର ଦେଇଥିବା ଆମେ ଭୁଲିଯାଇଥାଉ । ଝାଟିମାଟି ଘର । କିନ୍ତୁ ସୁନ୍ଦର ପାରମ୍ପରିକ ରଙ୍ଗ ଆଉ ଚିତାରେ ସଜ୍ଜା ଯାଇଛି । ଘର ପଛଆଡେ଼ ରହିଛି ବଗିଚା । ବଣ୍ଡାଙ୍କ ଭାଷରୋ ଡଙ୍ଗର । ବିଭିନ୍ନ ପ୍ରକାରର ପନିପରିବା ଏଇଠି ଚାଷ ହୁଏ । ଏମିତି କାମ କଲାବେଳେ ଆମେ ଜଣଙ୍କ ଡଙ୍ଗରେ ପହଞ୍ଚି ତାଙ୍କ ସହ କଥା ହେଲୁ । ତାଙ୍କ ବସ୍ତ୍ର ବିଷୟରେ ଜାଣିବା ପାଇଁ ଆଗ୍ରହ ଥିଲା । ହେଲେ ଆରମ୍ଭ କଲୁ ସେ ସୀତା କୁଣ୍ଡ ପାଖ୍ୟାନରୁ । ହେଲେ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କଲେ । କହିଳେ ଏ ଲୋକ କଥାରେ ଆମର ବିଶ୍ୱାସ ନାହିଁ । ହେଳେ ପାରମ୍ପରିକ ଭାବେ ଆମେ ଏମିତି ପିନ୍ଧୁଛୁ । କିନ୍ତୁ ଏବେ ତ ବଣ୍ଡା ପିଲାମାନେ ସୁନ୍ଦର ଶାଢ଼ୀ ଆଉ ପ୍ୟାଣ୍ଟ ଶାର୍ଟ ପିନ୍ଧୁଛନ୍ତି… ।ଏଣୁ ଆଉ କିଛି ଦିନ ପରେ ଏହି ବେଶ ପୋଷାକ ବି ଲୁପ୍ତ ହୋଇଯିବ । ଆଦିବାସୀ ସଂଗ୍ରହାଳୟରେ ହିଁ ସ୍ଥାନ ପାଇବ ।
ହଁ ଏ ବେଶ ପୋଷାକର ନିର୍ଦ୍ଦିଷ୍ଟ ନାଁ ରହିଛି । ଯାହା କିଛି ନା କିଛି ନାଁ ରହିଛି ଯାହା କିଛି ନିର୍ଦ୍ଦିଷ୍ଟ ଅଳଙ୍କାରକୁ ସୂଚିତ କରାଏ । ଯେମିତି ମୁଣ୍ଡରେ ଲଗାଯାଇଥିବା ମାଳିର ନାଁ ହେଲା ରିନାମ୍ୱୋ । ଯାହା ମାଳି ବ୍ୟବହାର କରାଯାଇଛି ତାହା ହେଲା ଲୁବେଡ଼ା । ବେକରେ ଯେଉଁ ଆଲୁମିନିୟମ‌୍‍ ବଳା ରହିଛି ତାହା ହେଲା ଭବୋ । ଯଦି ଏହି ଭବୋ ପତ୍ତଳରେ ହୋଇଛି ତା ହେଲେ ତା ନାଁ ସଙ୍ଗୁ । ନାକରେ ଥୁନୁଙ୍ଗୁ । ଆଉ କାନରେ ଝୁଙ୍ଗଝୁଙ୍ଗଲୁ । ଝୁମୁକା ଭଳି ଏହା ହୋଇଥାଏ ଯଦି ଝୁମୁକା ଛୋଟ ହୁଏ ତା ହେଲେ ତାହାହେଉଛି ଲୁବିଲୁ । ଯେଉଁ ବସ୍ତ୍ର ସେମାନେ ପିନ୍ଧିଥାନ୍ତି ତାର ନାଁ ହେଲା ରିଙ୍ଗା । ମାଳିରେ ତିଆରି ହୋଇଥାଏ । ମୋଟା ସୂତା ମଧ୍ୟ ଏଥିରେ ବ୍ୟବହୃତ ହୁଏ । ସବୁ କିଛି ହାତ ତିଆରି ସାମଗ୍ରୀ । ହାତରେ ଯେଉଁ ଆଲୁମିନିୟମ‌୍‍ ବଳା ରହିଛି ତାହା ହେଲା ମୁଗୁରାଇ । କୌଣସି ପ୍ରକାରେ ସୁନା କିମ୍ୱା ରୂପା ଏଠି ସ୍ଥାନ ପାଇନି ଗହଣା ପାଇଁ । ଯାହାକି ଏ ଅଞ୍ଚଳର ଅର୍ଥନୈତିକ ଅବସ୍ଥାର ସୂଚନା ଦେଇଥାଏ । ତେବେ ଏ ଅଞ୍ଚଳରେ ମହିଳାମାନେ ହେଉଛନ୍ତି ସବୁକିଛି । ଯେମିତି ଆମେ ହାଟରେ ଦେଖିଥିଲୁ ଏହି ବଣ୍ଡା ମହିଳାମାନେ ଶପିଂ କରନ୍ତି ଏଠି ସେମିତି ଚାଷ କରନ୍ତି ମହିଳା, ଡଙ୍ଗର କନ୍ତି ମହିଳା ଆଉ ଘର ଚଳାନ୍ତି ବି ମହିଳା । ପୁରୁଷମାନେ କେବଳ ସଲପ ପିଅନ୍ତି ଆଉ ଦିନ ରାତି ଶୁଅନ୍ତି… ।
ସନ୍ଧ୍ୟାବେଳେ କିନ୍ତୁ ଆସର ଜମେ । ନାଚଗୀତର ଆସର । ବଣ୍ଡା ପରମ୍ପରାର ଏହା ଏକ ପରିଚୟ । ଡଙ୍ଗର ଭିତରେ କଥା ହେଉଥିବା ବେଳେ ଆମେ ଯେମିତି ତାଙ୍କ କଥା ପଚାରୁଥିଲୁ ସେମାନେ ମଧ୍ୟ ଆମ କଥା ପଚାରୁଥିଲେ । ପରେ ଆମକୁ ତାଙ୍କ ଘର ବୁଲାଇଲେ । ଘରେ କେମିତି ହାତ ତିଆରି ଢିଙ୍କିରେ ମାଣ୍ଡିଆ ଗୁଣ୍ଡ ହୁଏ ତାହା ଦେଖିଲୁ । ସତରେ କେବେ ଏମିତି ଢିଙ୍କି ଆଉ ଘୋରଣା ଆମେ ଦେଖି ନଥିଲୁ । ପଥରର ଘୋରଣା ଆମେ ଦେଖିଥିଲୁ କିନ୍ତୁ।କଠ ଗଣ୍ଡିରେ ଘୋରଣା ହେବା କେବେ ଶୁଣିବି ନଥିଲୁ । ଏଠି କିନ୍ତୁ ସବୁ ବାସ୍ତବ । ଏ ସବୁରେ ଆମ ଆଗ୍ରହକୁ ଦେଖି ମହିଳା ଜଣକ ଆମକୁ ସନ୍ଧଶବେଳେ ନିମନ୍ତ୍ରଣ କଲେ । ନାଚରେ ସାମିଲ ହେବାକୁ । ଏ କଥା ଶୁଣି ଆମେ ବେଶ‌୍‍ ଉତ୍ସାହିତ ହୋଇଗଲୁ । ଆଉ କୁଆଡେ଼ ଯିବାକୁ ଇଚ୍ଛା ହେଲାନି । ବାଖରେଥିବା ବଣ୍ଡା ଉନ୍ନୟନ ଅଧିକାରୀ ଜଣକ କହିଲେ ଏଠି ପାଖାପାଖି ୩୨ଟି ଗାଁ ରହିଛି । ଯେଉଁଠାରେ ୧୪୩୬ଟି ବଣ୍ଡା ପରିବାର ରହିଛନ୍ତି । ଆଉ ସେଥିରେ ପାଖାପାଖି ୧୨ ହଜାର ଲୋକ ବାସ କରନ୍ତି । ଗୋଟେ ସମୟରେ ଏମାନଙ୍କ ଜନ ସଂଖ୍ୟା କମୁଥିଲା । କିନ୍ତୁ ଏବେ ସେଥିରେ ଉନ୍ନତି ଆସିଛି ।
ଏମିତି କଥା ଭିତରେ ଆମେ ହୋଟେ ଟୁଲୁରେ ପହଞ୍ଚିଲୁ । ସେଠାରେ ଆମ ପାଇଁ ସବୁ ପ୍ରସ୍ତୁତି ସରିଥାଏ । ଗଛ ମୂଳରେ ଆମ ପାଇଁ ଭୋଜନର ବ୍ୟବସ୍ଥା ହେଲା । ଭାତ ଡାଲି ଯାହାବି ହୋିଥିଲା ସବୁ ଅମୃତ ଭଳି । ଭୋକରେ ଥିବା ଲୋକକୁ ଯେମିତି ସବୁ କିଛି ସୁଆଦିଆ ଲାଗେ ସେମିତି ଆମ ପାଇଁ ଏହା ବେଶ‌୍‍ ସ୍ୱାଦିଷ୍ଟ ଥିଲା । ତା ପରେ ଟୁଲୁ ବାବୁ ପଚାରିଲେ ବାବୁ ଭଲ ଲାଗିଲା ତ? ଏ ସବୁ ଆମେ ଘାଟି ତଳୁ ହିଁ ଆଣୁ । ଏଠାରେ କିଛି ମିଳେନି । ଯାହା ଥିଲା କରିଦେଇଛି । ଆଉ ଯଦି ଆମିଷ ଖାଇବାକୁ ଚାହିଥାନ୍ତେ ତା ହେଲେ କୁକୁଡ଼ାଟେ ମାରି ଥାନ୍ତି । କିନ୍ତୁ ଆପଣତ ସମ୍ପୂର୍ଣ୍ଣ ନିରାମିଷାସୀ ଏଣୁ ଯାହାଥିଲା କରିଦେଲି ।
ବହୁତ ବଢ଼ିଆ ତାଙ୍କ ବ୍ୟବହାର । ସରଳତା ଯେମିତି ତାଙ୍କ ମନରେ ଖୁନ୍ଦି ହୋଇ ରହିଛି । ଖାଇବା ଶେଷରେ ସେ ଆମକୁ ଏକ ପାହାଡ଼ି ଆମ୍ୱ ଦେଲେ ଖାଇବାକୁ । ଯାହା ବଣ୍ଡା ଘାଟିରେ ଫଳିଥିବା ସେ କହନ୍ତି । ତା ସ୍ୱାଦ ଆମେ ଯେତେ ଆମ୍ଭ ଖାଇଛୁ ସବୁଠାରୁ ଭିନ୍ନ । କମ‌୍‍ ରସଯୁକ୍ତ ଏ ଆମ୍ୱ ସେତେବେଳେ ଆମକୁ ଖାଦ୍ୟ ପରର ମିଠା ଖାଇବା ପରମ୍ପରାକୁ ପୁରଣ କଲା । ଖାଇ ସାରି ଚାଲିଲୁ ସିଧା ନାଚ ମଣ୍ଡପ ଆଡେ଼ । ବଣ୍ଡା ନୃତ୍ୟରେ ସାମିଲ ହେବାକୁ ।
ଧୀରେ ଧୀରେ ସୂର୍ଯ୍ୟ ନଇଁ ଆସୁଥିଲେ । ଉତ୍କଣ୍ଠା ବଢ଼ି ଚାଲିଥାଏ । ଏମିତିରେ ରଙ୍ଗୀନ ଶାଢ଼ୀ ଆଉ ଝୁମାକା, ମାଳି ପାଉଁଜି ପିନ୍ଧି ଆସିଲେ କିଛି ଝିଅ । ଖାସ ଆମ ପାଇଁ ସେମାନଙ୍କୁ ଯେମିତି ନାଚିବାକୁ ପ୍ରସ୍ତୁତ କରାଯାଇଥିବା ମନେ ହେଲା । ପାରମ୍ପରିକ ବାଦ୍ୟ ଆଉ ଝୁମୁକାର ତାଳେ ତାଳେ ସେମାନେ ଗୀତ ଗାଇ ଗାଇ ନାଚିବାକୁ ଲାଗିଲେ । ସେ ଧୂନରେ ଆମ ଗୋଡ଼ବୁ ଉଠୁଥିଲା ପଡ଼ୁଥିଲା । ପାଖାପାଖି ୪୫ ମିନିଟ‌୍‍ର ନାଚଭିତରେ ଆମେ କେତେବେଳ ସାମିଲ ହୋଇଯାଇଥିଲୁ ଜଣାନାହିଁ । ସେ ପାଦ ସହ ମୋ ପାଦବି ପଡ଼ୁଥିଲା ଉଠୁଥିଲା । ବିନା ମାଦକରେ ମଦକଭରା ହୋଇପଡ଼ିଥିଲା ମୋ ମନ । ୟା ଭିତରେ ସୂର୍ଯ୍ୟ ଲୁଚିଯାଇଥିଲେ ପାହାନ କୋଳରେ । ବଣ୍ଡାଘାଟି ଧୂନିର ନିଆଁରେ ଆଲୋକିତ ହେଉଥିଲା । ଏଇଠି ବିଦାୟ ଦେଲୁ ବଣ୍ଡା ଘାଟିକୁ । ଅଭୁଲା ଏ ସ୍ମୃତକୁ ମନେ ପକାଇ ଘାଟି ଓହ୍ଲାଇ ଫେରିଚାଲିଲୁ ।