କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ମାଦଲ ବାଜିଲାରେ ମାଦଲ ବାଜିଲା…

ମାଦଲ ବାଜିଲାରେ ମାଦଲ ବାଜିଲା
ଆମେ ସବୁ ଅଟୁ ଭାଇ ବାଜିରାଉତ ଚେଲା
ଗୁଳିଚୋଟେ ପ୍ରାଣ ଯେହୁ ଦେଲା
ମାଦଲ ବାଜିଲାରେ ମାଦଲ ବାଜିଲା।
ସଙ୍ଗିନୀର ମୂନ ତାଙ୍କ ବୁକୁ ବରୀ ନେଲା
ଗୁଳି ଚୋଟେ ପ୍ରାଣ ତାଙ୍କ ଗଲା
ଇତିହାସ ପୃଷ୍ଠା ଲେଖା ହେଲାରେ
ଯୁଗେ ଯୁଗେ କୀର୍ତ୍ତି ରହିଗଲା
ମାଦଲ ବାଜିଲାରେ ମାଦଲ ବାଜିଲା।
ଏବେ ଜଣାଗଲା ତୁମ କଥା ବିଲାତିବାଲା
ବେଳ ଆସିଲାଣି ବାନ୍ଧ ତୁମ ପୁଡ଼ାପୁଟୁଳା।

ଭୁବନେଶ୍ୱର(ଓଟି): ଗୀତଟିକୁ ଗାଇ ଗାଇ ଦିନେ ଗାଁ ଗାଁରେ ବୁଲୁଥିଲେ ଓଡ଼ିଶା ମାଟିର ସଂଗ୍ରାମୀ ବହ୍ନିକନ୍ୟା। ପୂଜ୍ୟା ରମାଦେବୀ ଚୌଧୁରୀଙ୍କ ଝିଅ ଚୁନିଅପା (ଅନ୍ନପୂର୍ଣ୍ଣା ମହାରଣା)ଙ୍କ ନେତୃତ୍ୱରେ ସେଦିନ ଗାଁ ଗାଁରେ ଏହି ଗୀତ ଗାଇ ବୁଲୁଥିବା କିଶୋରୀମାନେ ଆଜି ବର୍ଷୀୟାନ ସଂଗ୍ରାମୀ। ଅନେକ ଇହଧାମରୁ ବିଦାୟ ନେଲେଣି, ଅଳ୍ପ କେତେଜଣ ଅଛନ୍ତି। ମନରେ କିନ୍ତୁ ସେଦିନର ସ୍ମୃତି ତାଜା ଅଛି।

ଦେଶ ଦିନକ ପରେ ୭୦ତମ ସ୍ୱାଧୀନତା ଦିବସ ପାଳିବାକୁ ଯାଉଛି। ଚାହୁଁ ଚାହୁଁ ସ୍ୱାଧୀନତାର ୬୯ ବର୍ଷ ବିତିଗଲାଣି। ବୟସର ଅପରାହ୍ନରେ ପହଞ୍ଚିଥିବା ବର୍ଷୀୟାନ ସଂଗ୍ରାମୀଙ୍କ ଆଖିରେ ଆଜି ବି ଆଖିଏ ସ୍ୱପ୍ନ ରହିଛି। ସେହି ଦମ୍ଭ, ସେହି ସାହସ, ସେହି ଇଚ୍ଛାଶକ୍ତି ସବୁ ଯେମିତି ଅତୁଟ ଅଛି। ସଂଗ୍ରାମର କଥା ମନେପକାଇଲା ବେଳକୁ ଆପେ ଆପେ ଓଠରୁ ଝରିଆସୁଛି ସେଦିନର ଏଭଳି କେତେକ ବିପ୍ଳବୀ କବିତା।

୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନ କାଳରେ ଯାଜପୁର ଜିଲ୍ଲାର ବରୀ କଳାମାଟିଆରେ ପୋଲିସ ଗୁଳିରେ ୪ ଜଣ ସଂଗ୍ରାମୀ ଟଳି ପଡ଼ିଥିଲେ। ସେମାନେ ସହିଦ ହେଲେ। କିନ୍ତୁ ସ୍ୱାଧୀନତା ଆନ୍ଦୋଳନକୁ ନେଇ ସମଗ୍ର ଅଞ୍ଚଳରେ କୋକୁଆଭୟ ଖେଳି ଯାଇଥିଲା। ଲୋକଙ୍କ ମନରୁ ଭୟ ଦୂର କରିବାକୁ ଅନ୍ନପୂର୍ଣ୍ଣା ମହାରଣାଙ୍କ ନେତୃତ୍ୱରେ ବରୀ ଆଶ୍ରମର କନ୍ୟା ମଙ୍ଗଳା ଅପା (ମଙ୍ଗଳା ସେନଗୁପ୍ତ), ଗୋଦାବରୀ ଅପା (ଗୋଦାବରୀ ଦାସ), ସୁଶୀଳା ଅପା, ସରସ୍ୱତୀ ଦେବୀ, ମାଳ ଅପା (ମାଳତୀ ଦେବୀ) ପ୍ରଭୃତି ଗାଁ ଗାଁରେ ବୁଲି ଏହି ଗୀତ ଗାଉଥିଲେ। କଳାମାଟିଆରେ ସହିଦ ହୋଇଥିବା ସଂଗ୍ରାମୀ ସାଉଁଟି, ସାନନ୍ଦ, ହାଡ଼ିବନ୍ଧୁ ଓ ମାୟାଧରଙ୍କ ନାଁ ନେଇ କିଭଳି ସେମାନେ ଦେଶ ପାଇଁ ସହିଦ ହେଲେ ତାହା ଲୋକଙ୍କୁ ଜଣାଉଥିଲେ। ଆଜି ସେସବୁ ଇତିହାସ।

TQIij8qhACai_bW9w7PBXNk7i9tlGUgT-1

 

 

 

ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ସରସ୍ୱତୀ ଦେବୀ ୮୮ ବର୍ଷ ବୟସରେ ପହଞ୍ଚିଛନ୍ତି। ଆଜି ବି ସେଦିନର ସ୍ମୃତିକୁ ମନେପକାଇ କେମିତି ଗୀତ ଗାଇ ଗାଁ ଗାଁ ବୁଲୁଥିଲେ ସେକଥା କୁହନ୍ତି। ମନରେ ଆଶା ଅଛି ଗାନ୍ଧିଜୀଙ୍କ ପରିକଳ୍ପିତ ରାମରାଜ୍ୟ ପ୍ରତିଷ୍ଠା ହେବ। ଗାନ୍ଧିଜୀ ଦେଖାଇଥିବା ବାଟରେ ଦେଶ ଚାଲିବ। ହିଂସା, ଦ୍ୱେଷ ରହିବ ନାହିଁ।

ସ୍ୱାଧୀନତାର ୭୦ତମ ଉତ୍ସବ ଅବସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଦେଶ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଭବାନୀ ଚରଣ ପଟ୍ଟନାୟକ କୁହନ୍ତି ଯେ, ଯୁବପୀଢ଼ି ହାତରେ ଦେଶର ଦାୟିତ୍ୱ ରହିଛି। ତାଙ୍କର ଦୃଢ଼ ଆଶା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଆଜିର ଯୁବପୀଢ଼ି କେବେ ନିରାଶ କରିବେ ନାହିଁ। ଦେଶକୁ ରକ୍ଷା କରିବାର ପୂର୍ଣ୍ଣ ଦାୟିତ୍ୱ ଆଗାମୀ ପୀଢ଼ିର। ସ୍ୱାଧୀନ ଭାରତ ଚିରଦିନ ସ୍ୱାଧୀନତାର ଗୌରବ ବହନ କରିବ ବୋଲି ଦମ୍ୱୋକ୍ତି ସେ ପ୍ରକାଶ କରନ୍ତି।

ସେହିଭଳି ୯୬ ବର୍ଷ ବୟସରେ ପହଞ୍ଚିଥିବା ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ସ୍ୱାଧୀନତା ସଂଗ୍ରାମୀ ରବୀନ୍ଦ୍ରନାଥ ରାୟ ସ୍ୱାଧୀନ ଭାରତର ସମୃଦ୍ଧ ଭବିଷ୍ୟତକୁ ନେଇ ଦୃଢ଼ ଆଶା ପୋଷଣ କରନ୍ତି। ତାଙ୍କ ମତରେ ଭାରତକୁ ସ୍ୱାଧୀନ କରିବାପାଇଁ ଅନେକ ତ୍ୟାଗ ଓ ବଳିଦାନ ଦିଆଯାଇଛି। ଭାରତମାତାର ସୁଯୋଗ୍ୟ ସନ୍ତାନମାନଙ୍କର ସେହି ତ୍ୟାଗ ଏବଂ ବଳିଦାନ କେବେ ବ୍ୟର୍ଥ ଯିବନି। ସାରା ବିଶ୍ୱରେ ଭାରତ ତା’ର ଶ୍ରେଷ୍ଠତା ନିଶ୍ଚୟ ବଜାୟ ରଖିବ।

ସେହିଭଳି ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ୱର୍ଦ୍ଧିତ ହୋଇଥିବା ବର୍ଷୀୟାନ ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ, ଭିକାରୀ ଚରଣ ମହାନ୍ତି ଓ ନୀଳମଣି ସାମଲ ପ୍ରମୁଖ କୁହନ୍ତି ଯେ, ଦେଶର ସାମ୍ପ୍ରତିକ ପରିସ୍ଥିତି ଅନେକ ସମୟରେ ତାଙ୍କୁ ଦୁଃଖ ଦେଇଥାଏ। ହୃଦୟ ବିଦାରିତ ହୋଇଯାଏ। କିନ୍ତୁ ଆଜି ବି ତାଙ୍କର ଭରସା ତୁଟିନି। ଦେଶର ନେତୃତ୍ୱ ଉପରେ, ଦେଶର ଯୁବଛାତ୍ରଙ୍କ ଉପରେ ଓ ସର୍ବୋପରି ପ୍ରତ୍ୟେକ ନାଗରିକଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରହିଛି। ଭାରତର ତ୍ରିରଙ୍ଗା କେବେ ବି ନତମସ୍ତକ ହେବନି।

ଦେଶ ୭୦ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ସାରା ଭାରତରେ ମାଦଲ ବାଜି ଉଠିଲାଣି। ସହିଦ ହୋଇଥିବା ବାଜି ରାଉତ, ସାଉଣ୍ଟି ମଳିକ, ସାନନ୍ଦ ସ୍ୱାଇଁ ଓ ହାଡ଼ିବନ୍ଧୁଙ୍କ ତ୍ୟାଗ-ବଳିଦାନକୁ ଦେଶ ସ୍ମରଣ କଲାଣି। ଆଉ ଦିନକ ପରେ ସାରା ଦେଶରେ ଏହି ମାଦଲ ଦୃପ୍ତ ସ୍ୱରରେ ଶବ୍ଦାୟିତ ହେବ। ଗଗନ ପବନ କମ୍ପିବ। ସବୁଠି ଶୁଭିବ ଭାରତ ମାତା କି ଜୟ, ବନ୍ଦେ ମାତରଂ, ଜହ ହିନ୍ଦ‌୍‍।

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :