କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ମଶାଣୀ ନାହିଁ-ରାସ୍ତା ମଝିରେ ହେଲା ଶବ ସତ୍କାର

ଜଗତସିଂହପୁର,(ଓଟି): ପୁରୀ ସ୍ୱର୍ଗଦ୍ୱାର ଜମିକୁ ଗିଳି ଦେଇଛନ୍ତି ଜମି ଦଲାଲମାନେ । ଏହି ଜମିରେ ହୋଟେଲ ଏବଂ ଲଜ୍‌ ତିଆରି ହୋଇ ବେଶ‍୍‌ ମୁନାଫା କମାଉଛନ୍ତି ବ୍ୟବସାୟୀ । ଏହା ସହରର ସ୍ଥିତି ହୋଇଥିଲା ବେଳେ ଜମି ଦଲାଲମାନଙ୍କ ଲୋଲୁପ ଦୃଷ୍ଟି ମଧ୍ୟ ପଡ଼ିଛି ଗାଁ ଉପରେ । ଆଉ ଗାଁ ମଶାଣିକୁ ଗିଳିବାରେ ସେମାନେ ବି କରୁନାହାନ୍ତି କୌଣସି ଅବହେଳା । ତେଣୁ ମଶାଣି ବିନା ଏବେ ରାସ୍ତା ମଝିରେ ଶବ ସତ୍କାର କରାଯାଉଛି ଓଡ଼ିଶାରେ । ଏହା ଏକ ଭୟଙ୍କର ବିଷୟ ହୋଇଥିଲା ବେଳେ ଏହି ଘଟଣା ଘଟିଛି ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ୍ ଓଷକଣା ପଞ୍ଚାୟତର ଅଣିଅଙ୍କ ଗ୍ରାମରେ ।

ଓଡ଼ିଶାର ପ୍ରତିଟି ଗ୍ରାମର ମଶାଣୀ ନିର୍ଦ୍ଦିଷ୍ଟ ସ୍ଥାନରେ ପୂର୍ବ ପୁରୁଷ ଅମଳରୁ ରହିଆସିଛି । ତେଣୁ ଅନେକ ପିତୃପୁରୁଷଙ୍କୁ ଯେଉଁ ମଶାଣୀରେ ସତ୍କାର କରାଯାଇଥାଏ ସେଠାରେ ନିଜ ଆତ୍ମୀୟଙ୍କୁ ସତ୍କାର କରିବା ପାଇଁ ନିଷ୍ପତ୍ତି ନେଇଥାନ୍ତି । ହେଲେ ଏହି ଅଣିଅଙ୍କ ଗ୍ରାମରେ ଜଣେ ବୟସ୍କାଙ୍କ ଶବକୁ ମିଳିଲାନି ପିତୃପୁରୁଷ ଗାଁର ମଶାଣୀ । ଆଉ ବାଧ୍ୟରେ ଚଉଦପା’ ମାଟି ନମିଳିବାରୁ ପରିବାର ଲୋକେ ରାସ୍ତା ମଝିରେ ଗାତଖୋଳି କଲେ ଶବ ସତ୍କାର ।

ଏହି ଗାଁର ନିତ୍ୟାନନ୍ଦ ବିଶ୍ୱାଳଙ୍କ ୭୪ ବର୍ଷୀୟ ମା’ଙ୍କ ମଙ୍ଗଳବାର ସକାଳ ୯ଟାରେ ପରଲୋକ ହୋଇଥିଲା । ପରିବାର ଓ ଜ୍ଞାତି କୁଟୁମ୍ୱ ପହଞ୍ଚିବା ପରେ ସଜଡ଼ା ଯାଇଥିଲା କୋକେଇ । ମାଲଭାଇ ଶବ ବୋହି ରାମ ନାମ‍୍‌ ସତ୍ୟ ହେ କହି ବାହାରିଥିଲେ ଶ୍ମଶାନ ଅଭିମୁଖେ । ହେଲେ ଏହି ଗାଁର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଶ୍ମଶାନ ଜମିକୁ ନିଜ ଅକ୍ତିଆରକୁ ନେଇ ବାଡ଼ ବୁଜି ରଖିଥିଲେ । ଫଳରେ ଶବ ପହଞ୍ଚି ପାରିନଥିଲା ଶ୍ମଶାନ ମାଟିରେ । ବହୁ ସମୟ ଧରି ଆଲୋଚନା ହୋଇଥିଲେ ମଧ୍ୟ ପ୍ରଭାବଶାଳୀ ବ୍ୟକ୍ତି ସତ୍କାର ପାଇଁ ଜାଗା ଛାଡ଼ିବେ ନାହିଁ ବୋଲି ନିଜ ଜିଦ‍୍‌ରେ ଅଟଳ ରହିଥିଲେ ।

ଦୀର୍ଘ ୮ଘଣ୍ଟା ଧରି ମାଲଭାଇ ଏବଂ ପରିବାର ଲୋକେ ଶବକୁ ଧରି ଜଗିଥିଲେ । ଶେଷରେ କୌଣସି ନିଷ୍ପତ୍ତି ନହେବାରୁ ପ୍ରତିବାଦ ଦର୍ଶାଇବାକୁ ଯାଇ ଗାଁ ରାସ୍ତା ମଝିରେ ଗାତ ଖୋଳି ଶବ ସତ୍କାର କରି ଫେରିଥିଲେ ବିଶ୍ୱାଳ ପରିବାର ଓ ମାଲଭାଇମାନେ । ଯାହା ଏବେ ଅଞ୍ଚଳରେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି । ଆଉ ଏହି ଘଟଣାକୁ ପ୍ରଶାସନର ଦୃଷ୍ଟିକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ରାଜ୍ୟରେ ଜମି ଦଲାଲଙ୍କ ଉପଦ୍ରବ ବଢ଼ିଥିବା ରାଜ୍ୟ ସରକାରଙ୍କର ହୃଦ‍୍‌ବୋଧ ହୋଇଛି । ତେବେ ଆଖିଦୃଶିଆ ଗୋଟିଏ ଦୁଇଟି ପଦକ୍ଷେପ ନେଇ ନିରବ ରହୁଛି ପ୍ରଶାସନ । ରାଜସ୍ୱ ବିଭାଗ, ଗୃହ ବିଭାଗ, ଜିଲା ପ୍ରଶାସନ ଅନେକ ମାମଲାରେ ଆଖି ବୁଜିଦେଉଥିବାରୁ ବିଶ୍ୱାଳ ପରିବାରର ବୁଢ଼ୀମା’ଙ୍କୁ ମିଳିପାରିଲାନି ଶେଷ ସମ୍ମାନ ।

ଖାଲି ଏହି ବୁଢ଼ୀମା’ ଜଣକ ନୁହେଁ ରାଜ୍ୟର ଅନେକ ସ୍ଥାନରେ ଜମି ମାଫିଆଙ୍କ ଜମିଗିଳା ନୀତି କାରଣରୁ ଅନେକ ଶେଷ ସମ୍ମାନ ଟିକକ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ରାଜସ୍ୱ ବିଭାଗ, ପ୍ରଶାସନ, ବିଶେଷ କରି ସରକାର ଏହି
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :