କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
bjd

ବିଜେଡ଼ିର କ୍ରସ ଭୋଟିଂ ସଫେଇ କାହା ଉଦେଶ୍ୟରେ?

ଭୁବନେଶ୍ୱର,(ଓଟି): ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡ଼ି ୨୦ ବର୍ଷର ଦଳ। ୧୭ବର୍ଷରୁ ଅଧିକ କାଳ କ୍ଷମତାରେ ରହିଛି। ୮ବର୍ଷରୁ ଅଧିକ ସମୟ ଏକାକୀ ରାଜ୍ୟ ଶାସନରେ ରହିଛି। ଏବେ ହାତରେ ବିପୁଳ ସଂଖ୍ୟା ଗରିଷ୍ଠତା। ବିଧାନସଭାରେ ୧୧୭ ଏବଂ ସଂସଦରେ ୨୯। ଏହାପରେ ମଧ୍ୟ ବିଜେଡ଼ିକୁ କହିବାକୁ ପଡ଼ୁଛି ଯେ, ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଦଳର କେହି କ୍ରସ‍୍‌ ଭୋଟିଂ କରିବେ ନାହିଁ। ପୂର୍ବରୁ ମଧ୍ୟ ଏହି କଥା କହୁଥିଲେ। ଏନ‍୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଗତକାଲି ବିଜେଡ଼ି ବିଧାୟକ ଓ ସାଂସଦମାନଙ୍କୁ ଭେଟିବା ପରେ ମଧ୍ୟ ଦଳର ନେତାମାନେ ‘ଆମ ଦଳରୁ କେହି କ୍ରସ‍୍‌ ଭୋଟିଂ କରିବେ ନାହିଁ’ ବୋଲି କହିଛନ୍ତି।
ଏହା ଭୟର ସଗ୍ଧେତ ନା ବିଭ୍ରାନ୍ତ ହୋଇଯାଇଥିବା ଏକ ଦଳର ପ୍ରତିକ୍ରିୟା? ରାମନାଥ କୋବିନ୍ଦ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିଜେଡ଼ି ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦେଇଥିଲା। ସଚିବାଳୟ ସମ୍ମିଳନୀ କକ୍ଷରେ ସେ ବିଜେଡ଼ି ସାଂସଦ ଓ ବିଧାୟକଙ୍କୁ ଭେଟିଥିଲେ ।
ବିଜେଡ଼ି ନେତାମାନେ କୋବିନ୍ଦଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଦଳ ଏକାଠି ଅଛି ଏବଂ ନବୀନଙ୍କ ନିଦ୍ଦେର୍ଶ ସର୍ବୋପରି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କହିବାକୁ ପଡ଼ିଲା ଯେ, ବିଜେଡ଼ିରେ କ୍ରସ‍୍‌ ଭୋଟିଂ ହେବ ନାହିଁ। ବିଜେଡ଼ିର ସବୁକିଛି ବ୍ୟବସ୍ଥା ଦଳର ଏକତା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାର ପ୍ରମାଣ ଭାବେ ଦେଖାଯାଇ ପାରେ। କିନ୍ତୁ ବୈଠକରେ ମଧ୍ୟ ତଥାଗତ ସତପଥି, ଭର୍ତ୍ତୃହରି ମହତାବ, ବୈଜୟନ୍ତ ପଣ୍ଡାଙ୍କ ପରି ସାଂସଦମାନେ ସ୍ପଷ୍ଟ କରିବାକୁ ଉଦ୍ୟମ କରିଥିଲେ ଯେ, ନବୀନ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାହିଁ ହେଉଛି ଦଳର ନିଷ୍ପତ୍ତି। ସମସ୍ତେ ଏନ‍୍‌ଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଭୋଟ‍୍‌ ଦେବେ। କିନ୍ତୁ ତା’ଭିତରେ ବି ଢେଙ୍କାନାଳ ସାଂସଦ ତଥାଗତ ସତପଥିଙ୍କ ଏକ ବକ୍ରୋକ୍ତି ଯଥେଷ୍ଟ ରାଜନୈତିକ ଗୁରୁତ୍ୱ ବହନ କରୁଛି। ସେ ହିଁ ପ୍ରଥମେ ଏଭଳି ସନ୍ଦେହର ବାତାବରଣ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନେଇଥିଲେ।

ପ୍ରଥମେ ପଦାଧିକାରୀ ବୈଠକରେ ମେଣ୍ଟ କଥା ଉଠାଇଥିଲେ ଏବଂ ପରେ କୋବିନ୍ଦଙ୍କୁ ସମର୍ଥନ ନେଇ ନିଜ ସମ୍ପାଦକୀୟରେ ଆପତ୍ତି ଉଠାଇ ଥିଲେ। ମାତ୍ର ତାଙ୍କୁ କହିବାକୁ ପଡ଼ିଛି ଯେ, ସେ ଜଣେ ନିରୀହ ପ୍ରାଣୀ। ନବୀନଙ୍କ ବିବେକ ଯାହା, ଦଳର ବିବେକ ତାହା। ଦଳର ସମସ୍ତେ ନବୀନଙ୍କ ନିଦ୍ଦେର୍ଶ ମାନି ଭୋଟ ଦେବେ। କ୍ରସ‍୍‌ ଭୋଟିଂ ହେବ ନାହିଁ। ଯଦି ବା ହୁଏ, ତାହାହେଲେ ବିଜେପି କିମ୍ୱା କଂଗ୍ରେସ କରିପାରନ୍ତି। ବିଜେଡ଼ି ସାଂସଦ ଓ ବିଧାୟକମାନଙ୍କ ନିଜସ୍ୱ ବିବେକ ନାହିଁ। ତଥାଗତଙ୍କର ଏହି ଉକ୍ତି ପଛରେ ଅସନ୍ତୋଷ ନା ଅଭିମାନ, ତାହା ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖୁଛି।

ଆଉ ଜଣେ ସାଂସଦ କଟକର ଭର୍ତ୍ତୃହରି ମହତାବ। ସେ ମଧ୍ୟ ସୃଷ୍ଟି ହୋଇଥିବା ସନ୍ଦେହ ପାଇଁ ବହୁ ପରିମାଣରେ ଦାୟୀ। କୋବିନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଘୋଷଣାକୁ କଟକ ସାଂସଦ ଆଦୌ ଗ୍ରହଣ କରିପାରି ନଥିଲେ। କାହିଁକି ତରବରିଆ ନିଷ୍ପତ୍ତି ନିଆଗଲା, ସେ ପ୍ରଶ୍ନ ଉଠାଇଥିଲେ ନିଜ ଲେଖାରେ। ଏହା ମଧ୍ୟ କହିଥିଲେ ଯେ, ସବୁ ପ୍ରଶ୍ନର ଉତ୍ତର ଖୋଜାଯାଏ ନାହିଁ। ସେ ଯେଉଁ ଗୋପାଳକୃଷ୍ଣ ଗାନ୍ଧୀଙ୍କ କଥା ଭାବୁଥିଲେ, ସେ ଏବେ ବିରୋଧୀ ଦଳର ଉପରାଷ୍ଟ୍ରତି ପ୍ରାର୍ଥୀ ହୋଇଛନ୍ତି। ବିଜେଡ଼ି ନେତୃତ୍ୱ ପ୍ରତି ଭର୍ତ୍ତୃହରିଙ୍କର ଏହି ଅନାସ୍ଥା ଭାବ କ୍ରସ‍୍‌ ଭୋଟିଂ ଆଶଙ୍କାକୁ ବଢ଼ାଇ ଦେଇଥିଲା।

ଅନ୍ୟ ପକ୍ଷରେ କେନ୍ଦ୍ରାପଡ଼ା ସାଂସଦ ମୂଳରୁ ମୋଦୀ ସରକାରଙ୍କୁ ପ୍ରଶଂସା କରିଆସୁଛନ୍ତି। ତେଣୁ ବିଜେପି ପ୍ରାର୍ଥୀଙ୍କୁ ସେ ବିରୋଧ କରିବାର ପ୍ରଶ୍ନ ହିଁ ଉଠୁନାହିଁ। କିନ୍ତୁ ଯେହେତୁ ଗୋପନ ଭୋଟ‍୍‌ ହେଉଛି, ସେହେତୁ ଦଳ ଭିତରେ ଆଶଙ୍କା ବଢ଼ିଛି ଯେ, ମୁଖ୍ୟମନ୍ତ୍ରୀଙ୍କୁ ନିଚ୍ଚା ଦେଖାଇବା ପାଇଁ ଗୋଟିଏ ଗୋଷ୍ଠୀ ହୁଏତ କ୍ରସ‍୍‌ ଭୋଟିଂ କରିପାରନ୍ତି। ଏମାନଙ୍କୁ ନା ଧରିହେବ, ନା ମାରିହେବ। ମାତ୍ର ନବୀନଙ୍କ ଇଜ୍ଜତ ବାରଣ୍ଡା ଦି’କଡ଼ା ହୋଇଯିବ। ଦୋଷ ତଥାଗତ, ଭର୍ତ୍ତୃହରି କିମ୍ୱା ବୈଜୟନ୍ତଙ୍କ ମୁଣ୍ଡରେ ବୋଳାଯାଇ ପାରିବ। ଏଭଳି ଉଦ୍ୟମ ନବୀନଙ୍କ ଅନୁଗତ ଗୋଷ୍ଠୀ ପକ୍ଷରୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଇତିମଧ୍ୟରେ ଏହି ଅନୁଗତ ଗୋଷ୍ଠୀର ଏକାଧିକ ବୈଠକ ବସିଛି। ଚୌଦ୍ୱାର ସେଚ ଆଇବିରେ ଖୁବ‍୍‌ ନିକଟରେ ଏକ ବୈଠକ ବସିଥିବା ସୂଚନା ମିଳିଛି। ତେଣେ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ନିଜ ଦଳର ଅବସ୍ଥା ଉପରୁ ଦୃଷ୍ଟି ହଟାଇବାକୁ ଯାଇ ବିଜେଡ଼ିରେ କ୍ରସ‍୍‌ ଭୋଟିଂ ହୋଇପାରେ ବୋଲି କହିବା ପରେ ବିଜେଡ଼ିରେ ଆତଙ୍କ ଖେଳିଯାଇଛି। ଏହି ଆତଙ୍କକୁ ଆହୁରି ବଢ଼ାଇଛନ୍ତି ଏହି ଦଳର ନେତାମାନେ। ତାରାଙ୍କ ମନ୍ତବ୍ୟ ଉପରେ ଏତେ ଟିପ୍ପଣୀ ବିଜେଡ଼ି ନେତାମାନେ ଦେଇସାରିବା ପରେ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ବାଧ୍ୟ ହୋଇଛନ୍ତି କହିବାକୁ ଯେ, ବିଜେଡ଼ିରେ କ୍ରସ‍୍‌ ଭୋଟିଂ ହେବ ନାହିଁ। ଏହା ଦଳର ଭୟ ନା ବିଭ୍ରାନ୍ତି? ଦଳ ଉପରୁ ହୁଗୁଳା ହୋଇଯାଉଛି କି ନବୀନଙ୍କ ହାତମୁଠା? ସେ ନିଜେ ଡରିବା କାହିଁକି ଆରମ୍ଭ କରିଛନ୍ତି?

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *