ନିଳାଦ୍ରୀ ବିଜେରେ ରତ୍ନବେଦୀକୁ ବାହୁଡ଼ିଲେ ମହାବାହୁ

0
9

ପୁରୀ,(ଓଟି): ରଥଯାତ୍ରାର ଶେଷ ପର୍ଯ୍ୟାୟ ନୀଳାଦ୍ରିବିଜେରେ ଆଜି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି। ୨୫ ତାରିଖ ଶ୍ରୀଗୁଣ୍ଡିଚା ଠାରୁ ଆଜିପର୍ଯ୍ୟନ୍ତ ୧୨ଦିନ ପ୍ରଭୁ ଶ୍ରୀମନ୍ଦିର ଛାଡ଼ିଯାଇଥିଲେ। ଆଜି ମହାପ୍ରଭୁଙ୍କ ରତ୍ନ ସିଂହାସନ ବିଜେ ପରେ ନୀଳକନ୍ଦରରେ ଗହଳି ଲାଗିଲା। ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କଲେ ମହାବାହୁ। ଗତ ନିଳାଦ୍ରୀ ବିଜେବେଳେ ବିଶୃଙ୍ଖଳା ଘଟିଥିବାରୁ ଏଥର ସଅଳ ପହଣ୍ଡି ହୋଇଛି। ଆଜି ନୀତି ନିର୍ଘଣ୍ଟର ଦେଢ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା । ସନ୍ଧ୍ୟାଧୂପ ନୀତି ଶେଷହେବ ପରେ ତିନିରଥରେ ଚାରମାଳ ବନ୍ଧାଯାଇଥିଲା। ଭୋଇ ଓ ମହାରଣା ସେବାୟତମାନେ ଏହି ଚାରମାଳ ବାନ୍ଧିଥିଲେ। ବିଜେକାହାଳୀ ବାଜିଥିଲା। ପରେ ପରେ ବନ୍ଦାପନା ଓ ଡୋରଲାଗି ନୀତି ସମାପନ କରିଥିଲେ ପାଳିଆ ସେବାୟତ।

Niladri Bije2
ପୁଷ୍ପାଞ୍ଜଳି ନୀତି ୪ଟା ୫୦ ରେ ସମ୍ପନ୍ନ ପରେ ପହଣ୍ଡିର ପ୍ରଥମ ପର୍ଯ୍ୟାୟରେ ଅପରାହ୍ନ ୪ଟା ୫୦ ମିନିଟରେ ପ୍ରଭୁ ମଦନମୋହନ ଓ ରାମକୃଷ୍ଣ ଚଳନ୍ତି ପ୍ରତିମାକୁ ମହାଜନ ସେବକମାନେ ହାତରେ ଧରି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ପରେ ପ୍ରଭୁ ଚକ୍ରନାରାୟଣ ସୁଦର୍ଶନ ସନ୍ଧ୍ୟା ୬ଟାରେ ଗମ୍ଭୀରା ଘରକୁ ବିଜେ କରିଥିଲେ। ପରେ ପ୍ରଭୁ ବଳଭଦ୍ର ୬ଟା ୩୦ରେ ଓ ମା’ ସୁଭଦ୍ରାଙ୍କୁ ରାତି ୭ଟା ୨୫ ମିନିଟରେ ଗୋଟି ପହଣ୍ଡିରେ ବିଜେକରି ଗମ୍ଭୀରା ଘରକୁ ନିଆଯାଇଥିଲା। ଶେଷରେ ରାତି ୮ଟା ସମୟରେ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପହଣ୍ଡି ହେବା ସମୟରେ ଶ୍ରୀମନ୍ଦିରରେ ମା’ ମହାଲକ୍ଷ୍ମୀ ଭେଟମଣ୍ଡପକୁ ଆସି ପ୍ରଭୁଙ୍କୁ ଦର୍ଶନ କରିଥିଲେ। ମା’ ଲକ୍ଷ୍ମୀଙ୍କ ପାଇଁ ଭିତରଛୁ ସେବାୟତ ପ୍ରଭୁଙ୍କୁ ବନ୍ଦାପନା କରିଥିଲେ। ପ୍ରଭୁ ଚାରମାଳ ଦେଇ ସିଂହଦ୍ୱାର ଆଗରେ ପହଞ୍ଚିବା ସମୟରେ ହଠାତ ସିଂହଦ୍ୱାର ମୁଖ୍ୟ ଦରଜା କିଛି ସମୟ ବନ୍ଦ କରାଯାଇଥିଲା। ପୁଣି ପ୍ରଭୁ ଜୟବିଜୟ ଦ୍ୱାର ନିକଟରେ ପହଞ୍ଚିବାରେ ଭିତରପଟୁ ବନ୍ଦ କରାଯାଇଥିଲା। ମା’ ଲକ୍ଷ୍ମୀଙ୍କ ତରଫରୁ ଜଣେ ଦଇତାପତି ଭିତରେ ଓ ପ୍ରଭୁଙ୍କ ପାଇଁ ଜଣେ ଦଇତାପତିଙ୍କ ମଧ୍ୟରେ ବାଚନିକା କିଛି ସମୟ ଧରି ଚାଲିଥିଲା। ପ୍ରଭୁ ଭିତରକାଠ ନିକଟରେ ପହଞ୍ଚିବା ପରେ ଚାରମାଳ ଫିଟିବା ସହ ବନ୍ଦାପନା ହୋଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ହୋଇଥିଲା। ଶ୍ରୀମନ୍ଦିରରେ ଅନେକ ଭୋଗ ମଧ୍ୟରେ କେବଳ ଏହିଦିନ ରସଗୋଲା ଭୋଗ ଲାଗି ପରମ୍ପରା ରହିଛି।
ଚାରିଠାକୁର ଗମ୍ଭୀରାଘରେ ରହିଥାନ୍ତି। ପରେ ରତ୍ନସିଂହାସନ ମାଜଣା, ତ୍ରିମଣ୍ଡିରେ ନୂଆ ଚାନ୍ଦୁଆ, ୨ ପଟେ ମାଜଣା ହୋଇଥିବା ଅଖଣ୍ଡଦୀପ ଝୁଲିଥାଏ। ସମସ୍ତ ପ୍ରସ୍ତୁତି ଶେଷପରେ ରତ୍ନ ସିଂହାସନ ଉପରକୁ କୋଠସୁଆଁ ସିଆମାନେ ଚାରମାଳ ବାନ୍ଧିଥିଲେ। ପ୍ରଭୁ ଚାରମାଳ ଦେଇ ରତ୍ନ ସିଂହାସନ ଉପରକୁ ଯାଇ ସ୍ୱସ୍ୱ ସ୍ଥାନରେ ବିରାଜମାନ କରିଥିଲେ। ଦଇତାପତିମାନେ ରତ୍ନ ସିଂହାସନ ଉପରେ ରନ୍ଧାକାର୍ଯ୍ୟ କରିଥିଲେ। ଶେଷ ହୋଇଥିଲା ରଥଯାତ୍ରା ଜୟ ଜଗନ୍ନାଥ ଧ୍ୱନୀରେ ସବୁଆଡ଼ ପ୍ରକମ୍ପିତ ହୋଇଥିଲା। ଗୁରୁବାରଦିନ ଭକ୍ତମାନେ ନୀଳାଞ୍ଚଳ ଅଭଡ଼ା ପାଇପାରିବେ।