ନବୀନଙ୍କ ନିଷ୍ପତ୍ତିକୁ ଜିଲ୍ଳା ନେତାଙ୍କ ଚ୍ୟାଲେଞ୍ଜ

ପ୍ରବୀଣଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡ଼ି ସଫଳତା ହାସଲ କରିବା ସମ୍ଭବପର ନୁହେଁ: ଲକ୍ଷ୍ମଣ ଟୁଡୁ

ବାରିପଦା,(ଓଟି): ନିକଟରେ ସଦ୍ୟ ସମାପ୍ତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡ଼ି ଜିଲ୍ଲାରୁ ମୂଳପୋଛ ହେବାପରେ ଗତକାଲି ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିର ନୂତନ ସଭାପତି ଭାବେ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କୁ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । କ୍ରମାଗତ ଦୁଇଥର ଜିଲ୍ଲା ସଭାପତି ଥିବା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କୁ ପଦବୀରୁ ଅବ୍ୟାହତି ଦିଆଯାଇଛି ।

ବିଜେଡ଼ି ଜିଲ୍ଲା ସଭାପତି ପରିବର୍ତ୍ତନ ନିଷ୍ପତ୍ତିକୁ ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ସ୍ୱାଗତ କରିଛନ୍ତି । ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡ଼ିର ବିପର୍ଯ୍ୟୟ ପାଇଁ ସଂଗଠନକୁ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ଲକ୍ଷ୍ମଣ ଟୁଡୁ କହିଛନ୍ତି । ମାତ୍ର ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡ଼ିର ବିପର୍ଯ୍ୟୟ ପାଇଁ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କୁ ଲକ୍ଷ୍ମଣ ଦାୟୀ କରିଛନ୍ତି। ଏପରି ସ୍ଥଳେ ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯିବା ଠିକ ନୁହେଁ ବୋଲି ଶ୍ରୀ ଟୁଡ଼ୁ ମତ ଦେଇଛନ୍ତି।
ବିଧାୟକ ପ୍ରବୀଣଙ୍କର ମୋରଡ଼ା ନିର୍ବାଚନମଣ୍ଡଳୀରୁ ଜିଲ୍ଳାପରିଷଦ ନିର୍ବାଚନ ଫଳାଫଳ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିଲା । ମୋରଡ଼ା ନିର୍ବାଚନ ମଣ୍ଡଳୀର ୭ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ମାତ୍ର ଗୋଟିଏରେ ବିଜେଡ଼ି ବିଜୟଲାଭ କରିଥିଲା। ଏହାର ପ୍ରଭାବ ପରବର୍ତ୍ତି ପର୍ଯ୍ୟାୟ ଜିଲ୍ଲା ପରିଷଦ ନିର୍ବାଚନରେ ପଡିଥିଲା ବୋଲି ଲକ୍ଷ୍ମଣ କହିଛନ୍ତି । ଯଦି ପ୍ରଥମ ପର୍ଯ୍ୟାୟରେ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଭଲ ସଫଳତା ଲାଭ କରିଥାନ୍ତା ତେବେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ିର ବିପର୍ଯ୍ୟୟ ଘଟି ନଥାନ୍ତା ବୋଲି ପୂର୍ବତନ ସାଂସଦ ଲକ୍ଷ୍ମଣ କହିଛନ୍ତି ।

ବିଧାୟକ ଭାବେ ବିଫଳ ହୋଇଥିବା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କୁ ଜିଲ୍ଲା ବିଜେଡ଼ି ସଭାପତି କରାଯିବା ଠିକ୍ ହୋଇନାହିଁ ବୋଲି ଲକ୍ଷ୍ମଣ ମତ ପ୍ରକାଶ କରିଛନ୍ତି । ଜିଲ୍ଲା ପରିଷଦ ନିର୍ବାଚନରେ ଆଦିବାସୀମାନେ ବିଜେଡ଼ି ବିପକ୍ଷରେ ଓ ବିଜେପି ସପକ୍ଷରେ ମତଦାନ କରିଥିବାରୁ ଜଣେ ଦକ୍ଷ ଆଦିବାସୀ ବ୍ୟକ୍ତିଙ୍କୁ ଜିଲ୍ଲା ବିଜେଡ଼ି ସଭାପତି ଦାୟିତ୍ୱ ପ୍ରଦାନ ପାଇଁ ଲକ୍ଷ୍ମଣ କହିଛନ୍ତି । ଆଗାମୀ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ଜିଲ୍ଲାରେ ବିଜେଡ଼ିର ସଫଳତା ପାଇଁ ଜିଲ୍ଲା ବିଜେଡ଼ି ସଭାପତି ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁର୍ନବିଚାର କରିବାକୁ ଲକ୍ଷ୍ମଣ ଟୁଡୁ ନିବେଦନ କରିଛନ୍ତି । ଜିଲ୍ଲା ବିଜେଡ଼ି ସଭାପତି ଭାବେ ବିଧାୟକ ପ୍ରବୀଣଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜଦ ସଫଳତା ହାସଲ କରିବା ସମ୍ଭବପର ନୁହେଁ ବୋଲି ପୂର୍ବତନ ସାଂସଦ ଟୁଡ଼ୁ କହିଛନ୍ତି।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply