ଜଣେ ରାଣୀଥିଲେ: ମୟୂରଭଞ୍ଜର ରାଣୀ ସୁମିତ୍ରା ଦେବୀ

0
32
ମୟୁରଭଞ୍ଜ ରାଜପରିବାରର ଜଣେ ମହିଳା ସଦସ୍ୟ

[author title=”ହରିହର ପଣ୍ଡା” image=”http://”]ହରିହର ପଣ୍ଡା ଏମ‍୍‌ଆଇଜି-୫୧, ଅନନ୍ତ ବିହାର ପୋଖରୀପୁଟ ଭୁବନେଶ୍ୱର-୨୦[/author]

[toggle title=”ରାଣୀ ସୁମିତ୍ରା ଦେବୀ” state=”open”]ଆଧୁନିକ ଓଡ଼ିଶା ଇତିହାସରେ ଯେତେବେଳେ ଏକ ପରିବର୍ତ୍ତନର ସମୟ ଦୁଆର ଠକ୍ଠକ୍ କରୁଥିଲା ସେତେବେଳେ କିଛି ରାଣୀ ଚାରିକାନ୍ଥ ଭିତରୁ ଶାସନର ମଙ୍ଗ ଧରିଥିଲେ। ସେମାନଙ୍କୁ କେହି ରାଜ ଟୀକା ପିନ୍ଧାଇ ନଥିଲେ ସତ କିନ୍ତୁ ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ଓ ଦକ୍ଷତା ବଳରେ ସେମାନେ ସାରା ରାଜ୍ୟକୁ ଶାସନ କରିବାରେ ସକ୍ଷମ ହୋଇଥିଲେ। ଖାଲି ସେତିକି ନୁହେଁ, ଶତ୍ରୁ ପକ୍ଷ ସହ ଯୁଦ୍ଧ ଓ କୂଟନୀତି ପରିଚାଳନାରେ ମଧ୍ୟ ସିଦ୍ଧହସ୍ତ ଥିଲେ। ଏମିତି ଜଣେ ରାଣୀ ହେଉଛନ୍ତି ମୟୂରଭଞ୍ଜର ସୁମିତ୍ରା ଦେବୀ। ଏପ୍ରିଲ‍୍‌ ୧୭୯୬ରୁ ଏପ୍ରିଲ‍୍‌ ୧୮୧୧ ଯାଏଁ ସେ ମୟୂରଭଞ୍ଜରେ ଶାସନ କରିଛନ୍ତି। ଏ ସମୟରେ ଓଡ଼ିଶାରୁ ମରହଟ୍ଟାଙ୍କ ଶାସନ ଉଭେଇଛି ଆଉ ଇଂରେଜଙ୍କ ଶାସନ ପ୍ରତିଷ୍ଠା ହୋଇଛି। ପଡ଼ୋଶୀ କେନ୍ଦୁଝର ଆକ୍ରୋଶ ସହିବାକୁ ପଡ଼ିଥିଲା ମୟୂରଭଞ୍ଜକୁ। ପୁଣି ସେତେବେଳେ ସୁମିତ୍ରାଙ୍କ ସଉତୁଣୀ ଷଡ଼ଯନ୍ତ୍ରର ଜାଲ ବୁଣିଥିଲେ ରାଜ୍ୟ ଭିତରେ। [/toggle]
ସାତ ଏପ୍ରିଲ‍୍‌ ୧୭୯୬; କଲିକତାର ଫୋର୍ଟ ୱିଲିୟମ‍୍‌କୁ ଏକ ଚିଠି ଅସି ପହଞ୍ଚିଲା। ମିଦିନାପୁରର କଲେକ୍ଟର ତଥା ମାଜିଷ୍ଟ୍ରେଟ‍୍‌ ମିଷ୍ଟର ଅର୍ନେଷ୍ଟ ଏହି ଚିଠିଟି ଲେଖିଥିଲେ। ବିଷୟ ଥିଲା ମିଦିନାପୁର‍୍‌ ପଡ଼ୋଶୀ ମୟୂରଭଞ୍ଜ ରାଜ୍ୟର ଶାସକ ମହାରାଜା ଦାମୋଦର ଭଞ୍ଜଙ୍କ ପରଲୋକ ହୋଇ ଯାଇଛି।
ମରହଟ୍ଟାଙ୍କ ଅଧୀନରେ ଥିବା ମୟୁରଭଞ୍ଜକୁ ଅଧିକାର କରିବାଲାଗି ସେତେବେଳେ ବ୍ରିଟିଶ‍୍‌ ଇଷ୍ଟ ଇଣ୍ଡିଆ କମ୍ପାନୀ ବେଶ‍୍‌ ତପିର ଥିଲା। କାରଣ ମୟୁରଭଞ୍ଜ ସେତେବେଳେ ଏକ ବିତ୍ତଶାଳୀ ରାଜ୍ୟ ଥିଲା। ତା’ଛଡ଼ା ଏ ରାଜ୍ୟର ଏକ ବଡ଼ ଅଂଶ ନୟାବସନ‍୍‌ ଜମିଦାରୀ ଇଂରେଜମାନେ ଦଖଲ କରିସାରିଥିଲେ। ଦ୍ୱିତୀୟତଃ ଏ ରାଜ୍ୟ ଦେଇ ଅନ୍ୟ ରାଜ୍ୟଗୁଡ଼ିକୁ ଦଖଲ କରିବା ସହଜ ହେବ ବୋଲି ସେମାନେ ଭାବିଥିଲେ।

ମୟୂରଭଞ୍ଜ ରାଜପ୍ରାସାଦର ଅଂଶ ବିଶେଷ
ମୟୂରଭଞ୍ଜ ରାଜପ୍ରାସାଦର ଅଂଶ ବିଶେଷ

ଚିଠିଟି ପାଇବା କ୍ଷଣି ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଜିଲ୍ଲାପାଳ ଓ ସମ୍ପୃକ୍ତ ଥାନାଦାରଙ୍କୁ ନିଦ୍ଦେର୍ଶ ଦିଆଗଲା। କମ୍ପାନୀଠାରୁ ପରୱାନା ପାଇଲା ପରେ ଥାନାଦାର ଯାଞ୍ଚ ଆରମ୍ଭ କଲେ। ଖବର ଆସିଲା, ପରଲୋକରେ ଥିବା ରାଜା ଦାମୋଦର ଭଞ୍ଜ ୧୧ ଜଣଙ୍କୁ ରିତୀନୀତି ଅନୁସାରେ ବିବାହ କରିଥିଲେ। ଅର୍ଥାତ୍ମୟୂର ଭଞ୍ଜର ରାଣୀ ସଂଖ୍ୟା ହେଉଛନ୍ତି ୧୧। ପ୍ରଥମ ରାଣୀହେଉଛନ୍ତି ରାଣୀ ସୁମିତ୍ରା ଦେବୀ। ଯିଏକି ପାଟ ରାଣୀ ଭାବେ ପରିଚିତ। ତାଙ୍କୁ ଏବେ ୩୫ ବର୍ଷ ବୟସ। ସେ ଦେଖିବାକୁ ସୁନ୍ଦର। ଆଉ ବେଶ‍୍‌ ସିଦ୍ଧହସ୍ତା। ରାଜ କର୍ମଚାରଙ୍କୁ ସେ ଚିହ୍ନନ୍ତି। ଆଉ ତାଙ୍କୁ କାମଦେଇ ପାରନ୍ତି। କର୍ମଚାରୀମାନେ ତାଙ୍କ କଥା ମାନି ଶାସନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅର୍ଥାତ୍ ରାଣୀ ସୁମିତ୍ରା ଦେବୀ ଶାସନ କାର୍ଯ୍ୟ ଭଲ ଭାବେ ପରିଚାଳନା କରିପାରନ୍ତି। ଏବେ ସେ ହରିପୁର ଗଡ଼ରେ ରହୁଛନ୍ତି, ଯାହା ହେଉଛି ମୟୁରଭଞ୍ଜ ରାଜ୍ୟର ରାଜଧାନୀ। ଅନ୍ୟ ରାଣୀମାନଙ୍କ ଭିତରୁ ୪ଜଣ ରାଣୀ ରାଜାଙ୍କ ସହ ସତୀ ଭାବେ ନିଜକୁ ଚିତାରେ ଜାଳି ଦେଇଛନ୍ତି। ଅର୍ଥାତ୍ ଏବେ ସୁମିତ୍ରାଙ୍କ ସହ ୬ଜଣ ରାଣୀ ହରିହରପୁର ଗଡ଼ରେ ଅବସ୍ଥାନ କରୁଛନ୍ତି। ସେମାନଙ୍କ ଭିତରୁ ଜମୁନା ଦେବୀ ଜଣାଶୁଣା ଥିଲେ। ସେ ମହାରାଜାଙ୍କ ଦ୍ୱିତୀୟ ପତ୍ନୀ। ସୁମିତ୍ର ଦେବୀଙ୍କ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ୧୭/୧୮ ବର୍ଷ ବୟସରେ ସେ ପୁତ୍ର ସନ୍ତାନଙ୍କ ମୃତ୍ୟୁ ହୋଇଯିବାରୁ ଦାୟାଦ ନେଇ ରାଜ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁତ୍ର ଆଶାରେ ମହାରାଜା ଦ୍ୱିତୀୟ ପତ୍ନୀ ଭାବେ ଜମୁନାଙ୍କୁ ବିବାହ କରିଥିଲେ । ତାଙ୍କ ଗର୍ଭରୁ ଦୁଇଟି ପୁତ୍ର ସନ୍ତାନ ଜନ୍ମ ନେଇଥିଲେ। ଜଣେଥିଲେ ଜୟକୃଷ୍ଣ ଭଞ୍ଜ ଏବଂ ଅନ୍ୟ ଜଣେ ହେଉଛନ୍ତି ଶ୍ୟାମସୁନ୍ଦର ଭଞ୍ଜ। ବଡ଼ପୁଅ ଜୟକୃଷ୍ଣ ପରବର୍ତ୍ତୀ ଶାସକ ହେବା ନିଶ୍ଚିତ ଥିଲା। ତାଙ୍କ ନାମରେ ଭୂମି ମଧ୍ୟ ଦାନ କରାଯାଇଥିଲା। କିନ୍ତୁ ସେ ଦୁଇଜଣଙ୍କ ଅକାଳରେ ମୃତ୍ୟୁ ଘଟିଲା। ପରେ ରାଜା ଚମ୍ପା ଦେବୀଙ୍କ ସତେ ଆହୁରି ୯ ଜଣଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ଲାଭ ହୋଇ ନଥିଲା। କେହି ଛୁଆ ଜନ୍ମରେ ରାଜାଙ୍କୁ ସହାୟକ ହୋଇ ନଥିଲେ। ଫଳରେ ରାଜା ପଡ଼ୋଶୀ କେନ୍ଦୁଝର ରାଜା ବଳଭଦ୍ର ରାୟଙ୍କ ଜଣେ ପୁଅକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ସ୍ଥିର କରିଥିଲେ। ଏ ସମ୍ପର୍କରେ ଦାମୋଦର ଭଞ୍ଜଙ୍କଠାରୁ ଚିଠି ପାଇଲା ପରେ ସେ ତାଙ୍କ ଗୋଟିଏ ପୁଅଙ୍କୁ ମୟୂରଭଞ୍ଜ ପଠାଇଥିଲେ କିନ୍ତୁ ବାଟରେ ତାଙ୍କର ବି ମୃତ୍ୟୁ ଘଟିଥିଲା। ଅନ୍ୟ କୌଣସି ପୁତ୍ରକୁ ମୟୂର ଭଞ୍ଜ ପଠାଇବେ କି ନା ଚିନ୍ତା କରିବା ବେଳେ ରାଜା ଦାମୋଦରଙ୍କ ଦେହାନ୍ତ ହୋଇଥିଲା। ଏହି ସମୟରେ ବଳଭଦ୍ର ଦେଓଘରେ ଥିଲେ। ଦୂତଠାରୁ ଏ ଖବର ମହାରାଜାଙ୍କ ଦେହାନ୍ତ ଖବର ପାଇବା ପରେ ତୁରନ୍ତ ମୟୂରଭଞ୍ଜ ଆାସିଲେ। ସାଙ୍ଗରେ ତାଙ୍କ ପୁଅ ତ୍ରିବିକ୍ରମଙ୍କୁ ମଧ୍ୟ ଆଣିଥିଲେ।

ପ୍ରାସାଦ ପଛ ପାଖରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ଯାହାକୁ ସୁମିତ୍ରା ଦେବୀ ତିଆରି କରିଥିବା କୁହାଯାଏ
ପ୍ରାସାଦ ପଛ ପାଖରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ଯାହାକୁ ସୁମିତ୍ରା ଦେବୀ ତିଆରି କରିଥିବା କୁହାଯାଏ

ଯେହେତୁ ରାଜା ଦାମୋଦର ଭଞ୍ଜ ତାଙ୍କ ପୁଅଙ୍କୁ ପୋଷ୍ୟଭାବେ ଗ୍ରହଣ କରିବାଲାଗି ଇଚ୍ଛୁକ ଥିଲେ ଏଣୁ ସେ ରାଜ୍ୟ ଏବେ ତାଙ୍କର ବୋଲି ଦାବି କଲେ। ବଳଭଦ୍ରଙ୍କ ଉଦ୍ଦେଶ୍ୟ କିନ୍ତୁ ରାଣୀ ସୁମିତ୍ରାଙ୍କୁ ମନ୍ଦ ଲାଗିଲା। ମୟୂରଭଞ୍ଜକୁ ଅକ୍ତିଆର କରିବା ଲାଗି ସେମାନେ ଯୋଜନାବଦ୍ଧ ଭାବେ ଆସିଥିବା ସେ ଜାଣିପାରିଲେ। ଆଉ ସେଥିରେ ତାଙ୍କୁ କିଛି ରାଜ କର୍ମଚାରୀ ମଧ୍ୟ ସହାୟତା କରୁଥିବା ହୃଦ‍୍‌ବୋଧ ହେଲା। ଏମିତି ଆଶଙ୍କା ଭିତରେ ରାଣୀ ଦ୍ୱନ୍ଦ୍ୱରେ ପଡ଼ିଲେ। ଆଉ ରାଜା ଭାବେ ତ୍ରିବିକ୍ରମଙ୍କ ଟୀକାକରଣ କାର୍ଯ୍ୟକ୍ରମକୁ ଟାଳିବାକୁ ଚାହିଁଲେ।
ପାଟରାଣୀ ସୁମିତ୍ରା ଦେବୀ ସେତେବେଳେ ଜଣେ ଦୃଢ଼ମନା ବ୍ୟକ୍ତିତ୍ୱ ଭାବେ ପରିଚିତ ହୋଇଥିଲେ। ମୟୂରଭଞ୍ଜର ରାଣୀମାନେ ଯେମିତି ପ୍ରାସାଦର ସ୍ୱତନ୍ତ୍ର ଅଂଶରେ ଚାରି କାନ୍ଥ ଭିତରେ ଆବଦ୍ଧ ରହୁଥିଲେ ସେମିତି ସେ ଚଳୁ ନଥିଲେ। ସବୁ ପରମ୍ପରା ଓ ବିଧି ବ୍ୟବସ୍ଥାକୁ ଭାଙ୍ଗି ସେ ରାଜ୍ୟର ସ୍ୱାର୍ଥ ରକ୍ଷାରେ ଲାଗି ପଡ଼ିଥିଲେ। ରାଜ୍ୟର ପ୍ରଜାମାନେ ଯେମିତି କେନ୍ଦୁଝର ଦ୍ୱାରା ଲୁଣ୍ଠିତ ନହୁଅନ୍ତୁ ସେ ବିଷୟ ପ୍ରତି ଧ୍ୟାନ ଦେଉଥିଲେ। ପାଟରାଣୀଙ୍କ ଏପରି ଆଚରଣକୁ ଅନେକ କର୍ମଚାରୀ ଇର୍ଷା ଓ ଅହଙ୍କାରର ଆଖ୍ୟା ଦେଇଥିଲେ ମଧ୍ୟ ରାଣୀ ଏହାକୁ ଭ୍ରୁକ୍ଷେପ କରୁ ନଥିଲେ। ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ସେ ଶାସନଭାର ନେଲାକ୍ଷଣି ମରହଟ୍ଟା ଓ ଇଂରେଜ ଶାସକଙ୍କ ସହ ସମନ୍ୱୟ ପ୍ରତିଷ୍ଠା ପାଇଁ ଆଗଭର ହେଲେ। ଦାୟିତ୍ୱ ନେବାର ଦୁଇ ମାସ ଭିତରେ ଅର୍ଥାତ୍ ୧୧ ଜୁନ‍୍‌ ୧୭୯୬ରେ ମିଦିନାପୁର‍୍‌ କଲେକ୍ଟରଙ୍କୁ ଏକ ଚିଠି ଲେଖି ଜଣାଇଲେଯେ, ନୟାସବନ‍୍‌ ପ୍ରଗଣା ପୂର୍ବରୁ ତାଙ୍କ ଜମିଦାରୀରେ ଆସୁଥିଲା। ଯେଉଁଥିଲାଗି ସେମାନେ ମରହଟ୍ଟାମାନଙ୍କୁ ପେସ‍୍‌କସ‍୍‌ ଦେଉଥିଲେ। କିନ୍ତୁ ଇଂରେଜମାନେ ତାହାକୁ ଅଳ୍ପ କିଛି ଦିନ ହେଲା ଅକ୍ତିଆରକୁ ନେଇଛନ୍ତି। ଯଦି ସେମାନେ ତାଙ୍କୁ ଏହି ପ୍ରଗଣା ଫେରସ୍ତ ଦେବେ ତେବେ ସେ ମଧ୍ୟ ରାଜ୍ୟ ପକ୍ଷରୁ ଇଂରେଜ କମ୍ପାନୀ ନିକଟରେ ପେସ‍୍‌କସ‍୍‌ ଜମା ଦେବେ। ଏଥିନିମନ୍ତେ ମୋହନଲାଲ‍୍‌ ଘୋଷଙ୍କୁ ରାଜ୍ୟ ତରଫରୁ ଓକିଲ ଭାବେ ଇଂରେଜ ସରକାରଙ୍କ ପାଖକୁ ଅର୍ଜି ଦାଖଲ ପାଇଁ ପ୍ରେରଣ କରିଥିଲେ। ଅନ୍ୟ ପକ୍ଷରେ କଟକରେ ଥିବା ମରହଟ୍ଟା ସୁବେଦାର‍୍‌ଙ୍କୁ ମଧ୍ୟ ଚିଠି ଲେଖିବା ସହ ନିଜର ରାଜ୍ୟଦୂତ ହିସାବରେ ଜଗବନ୍ଧୁ ପଟ୍ଟନାୟକଙ୍କୁ କଟକ ଗଭର୍ନର ଇକୋଜୀ ସୁକଦେଓଙ୍କ ନିକଟକୁ ପଠାଇଲେ। ରାଜ୍ୟର ବିଭିନ୍ନ ପ୍ରସଙ୍ଗ ବିଷୟରେ ଅବଗତ କରାଇବା ତଥା ସୁମିତ୍ରା ଦେବୀ ଶାସନଭାର ଗ୍ରହଣ କରିବା ବିଷୟକୁ ସ୍ପଷ୍ଟ କରିବା ଏହାର ଉଦ୍ଦେଶ୍ୟ ଥିଲା। ଆଧୁନିକ ଭାଷାରେ ଏହାକୁ କୂଟନୀତିକ ବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟ ବୋଲି ଆଲୋଚନା କରାଯାଇପାରେ। ବଳଭଦ୍ର ରାୟଙ୍କ ଅନଧିକାର ପ୍ରବେଶକୁ ଯଥା ସମ୍ଭବ ନିୟନ୍ତ୍ରଣକୁ ଆଣିବା ଲାଗି ଏସବୁ ଉଦ୍ୟମ କରାଯାଇଥିଲା।
ହେଲେ ବଳଭଦ୍ର ରାୟ ରାଜ ସିଂହାସନକୁ ଅକ୍ତିଆର କରିବା ଲାଗି ହିଂସାର ବାଟ ଆପଣାଇ ଥିଲେ। ରାଜ୍ୟର ବିଶ୍ୱସ୍ତ କର୍ମଚାରୀମାନଙ୍କୁ ବନ୍ଦି କରିବା ସହ ରାଣୀଙ୍କ ଉପରେ ଯଥା ଶୀଘ୍ର ତ୍ରିବିକ୍ରମଙ୍କ ଟୀକାରଣ ପାଇଁ ଚାପ ପକାଇଥିଲେ। ଏପଟେ ରାଣୀ କିନ୍ତୁ ବଳଭଦ୍ରକୁ କୌଣସି ରୂପେ ମୟୂରଭଞ୍ଜ ଦେବା ଲାଗି ଚାହୁଁ ନଥିଲେ। ରାଣୀ କୂଟନୀତି ଆଶ୍ରୟ ନେଇ ବଳଭଦ୍ର ରାୟ ତାଙ୍କ କର୍ମଚାରୀଙ୍କଠାରୁ ରାଜ୍ୟର ଛୁପା ହୋଇ ରହିଥିବା ଧନସମ୍ପତ୍ତି ହାତେଇବାର ପ୍ରୟାସ କରୁଛି ବୋଲି ଅଭିଯୋଗ ଆଣିଲେ। ତାଛଡ଼ା ରାଜ ଗେସେଇଁ ଓ ଦିୱାନ‍୍‌ କଟକରୁ ନ ଫେରିଲା ଯାଏ ଟୀକାକରଣ ସମ୍ଭବ ନୁହେଁ ବୋଲି ଜଣାଇଲେ। ଏହାଦ୍ୱାରା ଉେତ୍ତଜନା ଆହୁରି ବଢ଼ିଲା। ବନ୍ଦୀ ଥିବା ଦୁଇ ରାଜ କର୍ମଚାରୀଙ୍କୁ ବଳଭଦ୍ର ରାୟ ହତ୍ୟା କଲେ। ପାଳି ପଡ଼ିଲା ରାଣୀଙ୍କ ଅଙ୍ଗରକ୍ଷକ ଭବାନୀ ସିଂଙ୍କ। ତାଙ୍କୁ ହତ୍ୟା କରିବା ସମୟରେ ରାଣୀ ଉଆସରୁ ବାହାରକୁ ବାହାରିଲେ। ଭବାନୀ ସିଂଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କଲେ। ଟୀକାରଣ ଉତ୍ସବ ହେଲା। କିନ୍ତୁ ବୟସ ନ ହେବା ଯାଏଁ ରାଜ କାର୍ଯ୍ୟ ଗ୍ରହଣ କରିବାର ବିଧି ନଥିବାରୁ ସେ ପାଲଟିଲେ ଟୀକାୟତ। ରାଣୀ ଶାସନ କାର୍ଯ୍ୟ ପରିଚାଳନା କଲେ।
ହେଲେ ବଳଭଦ୍ର ଏତିକିରେ ଚୁପ‍୍‌ ରହିଲେ ନାହିଁ। ମୟୂରଭଞ୍ଜର ଧନସମ୍ପତ୍ତି ଉପରେ ଆଖି ପକାଇଲେ। ରାଣୀଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ବରଖାସ୍ତ କଲେ। ଏହାକୁ ଦେଖି ରାଣୀ ଚତୁରତା ସହ କଟକରେ ଥିବା ନବାବଙ୍କ ସହାୟତା ମାଗିଲେ। ମରାଠା ନବାବ‍୍‌ ମୋତିଲାଲ‍୍‌ ବାବୁ ଏବଂ ତାଙ୍କ ସୈନ୍ୟ ବାହିନୀଙ୍କୁ ପ୍ରେରଣ କଲେ। ସେମାନେ ମୟୂରଭଞ୍ଜରୁ ବଳଭଦ୍ର ଓ ତାଙ୍କ ପୁଅ ଟୀକାୟତ ତ୍ରିବିକ୍ରମ ଭଞ୍ଜଙ୍କୁ ବିତାଡ଼ିତ କଲେ। ରାଣୀ ପୂର୍ଣ୍ଣ ଭାବେ ମୟୂରଭଞ୍ଜର ଶାସନ ଚଳାଇଲେ। ଏବାବଦରେ ବୈରାଗୀ ଭଞ୍ଜ ତାଙ୍କୁ ବିଶେଷ ସହାୟତା କରୁଥିଲେ। କୁହାଯାଉଥିଲା ବୈରାଗୀ ଭଞ୍ଜଙ୍କୁ ଡରି ତ୍ରି ବିକ୍ରମ ମୟୁରଭଞ୍ଜ ଆସୁ ନଥିଲେ। ବୈରାଗୀ ହେଉଛନ୍ତି ମୟୁରଭଞ୍ଜର ଜଣେ ବିଶ୍ୱସ୍ତ ରାଜ କର୍ମଚାରୀ। ମହାରାଜାଙ୍କ ସମୟରୁ ସେ କାର୍ଯ୍ୟକରି ଆସୁଛନ୍ତି। ଏ ସମୟରେ ରାଣୀ ହରିପୁର ଗଡ଼ରୁ ବାରିପଦାଠାରେ ଏକ ଉଆସ ତିଆରି ଆରମ୍ଭ କଲେ। ଯେହେତୁ ହରିପୁରରେ ବିବାଦ ଲାଗି ରହୁଥିଲା ସେଥିରୁ ବର୍ତ୍ତିବା ଲାଗି ଏହି ଯୋଜନା ଆପଣାଯାଇଥିଲା। ବାରିପଦା ଗଡ଼ ତିଆରି ପରେ ସେଠାରୁ ଶାସନ ଚଳାଇବା ଅରମ୍ଭ କଲେ। କାରଣ ଇଂରେଜ ଓ ମରାଠାଙ୍କ ସହ ସମ୍ପର୍କ ରଖିବା ତଥା କେନ୍ଦୁଝରଠାରୁ ଦୂରରେ ରହିବାକୁ ଏହା ଏକ ସୁବିଧାଜନକ ଓ ନିରାପଦ ସ୍ଥାନ ଥିଲା। ଅର୍ଥାତ୍ ବର୍ତ୍ତମାନ ଆମେ ଯେଉଁ ସ୍ଥାନରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜ ଦେଓ କଲେଜକୁ ଦେଖୁଛୁ ସେ ସ୍ଥାନ ସେତେବେଳେ ତାଙ୍କରି ଦ୍ୱାରା ରାଜପ୍ରାସାଦ ପାଇଁ ବଛା ଯାଇଥିଲା। କଲେଜର ପଛ ପାଖରେ ଥିବା ପୁରୁଣା କିଛି କୋଠରୀ ଓ ପରିତ୍ୟକ୍ତ ଲକ୍ଷ୍ମୀ ନାରାୟଣ ମନ୍ଦିର ସେ ସମୟର ବୋଲି ବିଶ୍ୱାସ କରାଯାଏ। ପରେ ମୟୂରଭଞ୍ଜର ରାଜାମାନେ ବିଭିନ୍ନ ସମୟରେ ରାଜ ପ୍ରାସାଦରେ ଅନେକ ଅଂଶକୁ ଯୋଡ଼ିଛନ୍ତି। କିନ୍ତୁ ମୟୂରଭଞ୍ଜ ପାଇଁ ସେତେବେଳେ ସବୁକିଛି ସୁରୁଖୁର ଚାଲିଥିଲା ବୋଲି କୁହାଯାଇ ନପାରେ। ରାଣୀ ସୁମିତ୍ରାଙ୍କୁ ଅନେକ ଅସବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଅନେକ ଯୁଦ୍ଧ ଲଢ଼ିବାକୁ ପଡ଼ିଛି।
କିଛି ଦିନପରେ ବୈରାଗୀ ଭଞ୍ଜଙ୍କ ମୃତ୍ୟୁ ଘଟିଲା। ଏହାଦ୍ୱାରା ରାଣୀ ତାଙ୍କ ଶକ୍ତି ହରାଇବସିଲେ ପ୍ରାୟ। ଟୀକୟାତ ତ୍ରିବିକ୍ରମ ଭଞ୍ଜ ନିଜ ଭାଇ ତଥା କେନ୍ଦୁଝର ରାଜା ଜନାର୍ଦ୍ଦନ ଭଞ୍ଜଙ୍କ ସହ ସଦଳବଳେ ମୟୁରଭଞ୍ଜ ଆକ୍ରମଣ କରି ମୟୂରଭଞ୍ଜକୁ ଅକ୍ତିଆର କଲେ। ରାଣୀ ସୁବିତ୍ରା ଦେବୀଙ୍କୁ କେନ୍ଦୁଝର ଗଡ଼ ନେଇ ଆସି ସେଠାରେ ବନ୍ଦୀ କଲେ। ପରେ ରାଜା ଭାବେ ତ୍ରିବିକ୍ରମ ଭଞ୍ଜ ଗାଦି ଆରୋହଣ କଲେ। ତ୍ରିବିକ୍ରମ ସଂସ୍କୃତ ଓ ବଙ୍ଗୀୟ ଭାଷାରେ ଦକ୍ଷତା ଅର୍ଜନ କରିଥିଲେ। ସେତେବେଳେ ଅନ୍ୟ ରାଜାଙ୍କ ଅପେକ୍ଷା ସେ ଜଣେ ଜ୍ଞାନୀ ଗୁଣି ରାଜ ଭାବେ ପରିଚିତ ଥିଲେ। ପରେ ସେ ରାଣୀଙ୍କୁ କେନ୍ଦୁଝରରୁ ପୁଣି ମୟୂରଭଞ୍ଜ ଆଣିଲେ। ରାଜମାତା ସୁମିତ୍ରା ଦେବୀ ରହୁଥିବା ବାରିପଦା ଘରେ ସେତେବେଳେ ରାଜା ରହୁ ଥିବାରୁ ସେ ତାଙ୍କୁ ବାରିପଦା ଛାଡ଼ି ମୟୁରଭଞ୍ଜର ଉପରଭାଗକୁ ଯିବା ପାଇଁ ଆଦେଶ ଦେଲେ। କିନ୍ତୁ ଏହା ତାଙ୍କୁ ଦୂରେଇ ରଖିବା ଲାଗି ଉଦ୍ଦିଷ୍ଟ ଥିଲା। ଏମିତିରେ ୪ ବର୍ଷ ବିତିଗଲା। କିନ୍ତୁ କିଛି ସୁଫଳ ନ ମିଳିବାରୁ ତ୍ରିବିକ୍ରମ ପୁଣି ବାରିପଦା ଆକ୍ରମଣ କରି ଶାସନ ଅକ୍ତିଆର କଲେ।

ମୟୂରଭଞ୍ଜ ରାଜପ୍ରାସାଦର ମଧ୍ୟବର୍ତ୍ତୀ ଅଗଣା
ମୟୂରଭଞ୍ଜ ରାଜପ୍ରାସାଦର ମଧ୍ୟବର୍ତ୍ତୀ ଅଗଣା

ଏ ଭିତରେ ଓଡ଼ିଶାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆସୁଥାଏ। ମରାଠାଙ୍କ ସହ ଦେ ଗାଁ ଚୁକ୍ତି ପରେ ୧୪ ଅକ୍ଟୋବର ୧୮୦୩ ମସିହାରେ ବ୍ରିିଟିଶ‍୍‌ କମ୍ପାନୀ କଟକ ବାରବାଟୀ ଦୁର୍ଗ ଅକ୍ତିଆର କଲେ। ତା ପରଠୁ ଓଡ଼ିଶା ଇଂରେଜ ଅଧୀନସ୍ଥ ହେଲା ବୋଲି ଫୋର୍ଟ ୱିଲିୟମ‍୍‌ରେ ଘୋଷଣା କରାଗଲା। ୧୯ ଅକ୍ଟୋବର ଦିନ ସେଠାରେ ରାଜକୀୟ ଢଙ୍ଗରେ ତୋପ ଫୁଟାଇ ଉତ୍ସବ ପାଳନ କରାଗଲା। ଏ ବିଷୟରେ ଅବଗତ ହୋଇ ରାଣୀ ବ୍ରିଟିଶ‍୍‌ ସରକାରଙ୍କ ଧ୍ୟାନ ଆକର୍ଷଣ କଲେ। ବ୍ରିଟିଶ‍୍‌ କମ୍ପାନୀ ଏ ବିଷୟରେ ବିଚାର କରି ୧୮୦୩ ଡିସେମ୍ୱର ଶେଷଦିନ ରାଣୀ ସୁମିତ୍ରାଙ୍କୁ ମୟୂରଭଞ୍ଜର ଶାସନକର୍ତ୍ତ୍ରୀ ଭାବେ ସ୍ୱୀକାର କଲେ ଏବଂ ତାଙ୍କୁ ରାଜ୍ୟ ପରିଚାଳନା କରିବା ପାଇଁ ପୂର୍ଣ୍ଣ କ୍ଷମତା ଦେଲେ। ପରେ ତ୍ରିବିକ୍ରମଙ୍କୁ ସୁମିତ୍ରା ଦେବୀ ମୟୂରଭଞ୍ଜରେ ବନ୍ଦୀ କରିଥିଲେ।
ଏହା ମଧ୍ୟରେ ସୁମିତ୍ରାଙ୍କ ଆଉ ଜଣେ ସଉତୁଣୀ ଚମ୍ପାଦେବୀ ବିଭ୍ରାଟ ସୃଷ୍ଟି କରିବାକୁ ଚାହିଁଥିଲେ । ପରେ ଅନେକ ଷଡ଼ଯନ୍ତ୍ର ହୋଇଥିଲା। କିନ୍ତୁ ସୁଫଳ ମିଳି ନଥିଲା। ରାଜା ତ୍ରି ବିକ୍ରମ ବିବାହ ଆଳ ଦେଖାଇ ମୟୁରଭଞ୍ଜ ଜେଲ‍୍‌ରୁ ମୁକ୍ତି ହେଲେ। ତାଙ୍କୁ ଦେଶାନ୍ତର କରାଯାଇଥିଲା। ରାଣୀ ସୁମିତ୍ରାଙ୍କ ମୃତ୍ୟୁଯାଏଁ ସେ କେବେ ଆଉ ମୟୁରଭଞ୍ଜ ଆସି ନାହାନ୍ତି। ଏହା ଭିତରେ ରାଣୀ ଅନେକ ସମୟରେ ବେଶ‍୍‌ ସୁରୁଖୁରରେ ବ୍ରିଟିଶ‍୍‌ ଆଇନକୁ ପାଳନ କରି ରାଜ୍ୟ ଶାସନ କରିଥିଲେ। ରାଜ୍ୟର ହକ୍ ପାଇଁ ବ୍ରିଟିଶ‍୍‌ ନେଉଥିବା କରରୁ କିଛି ଅଂଶ ରାଜ୍ୟକୁ ଦେବା ପାଇଁ ମଧ୍ୟ ସେ ଦାବି କରିଥିଲେ । ପରବର୍ତ୍ତୀ ସମୟରେ ସେଥିରେ ସୁଫଳ ମିଳିଥିଲା। ଏପ୍ରିଲ‍୍‌ ୮, ୧୮୧୧ ଦିନ ତାଙ୍କ ମୃତ୍ୟୁ ହେଲା। ମୃତ୍ୟୁ ପୂର୍ବରୁ ଏକ ଇଚ୍ଛାପତ୍ରରେ ସେ ତ୍ରିବିକ୍ରମଙ୍କୁ ରାଜ୍ୟ ଦାୟିତ୍ୱ ଦେଇଥିଲେ। ଯାହାରି ଅନୁସାରେ ଜିଲ୍ଲାପାଳ ଓ ବ୍ରିଟିଶ‍୍‌ ଅଧିକାରୀ ତଥା ମୟୁରଭଞ୍ଜର ଅଧିକାରୀଙ୍କ ସମେତ ବଡ଼ ସାମନ୍ତ ଜମୁନା ଦେବୀ ତାଙ୍କୁ ରାଜ୍ୟଗାଦି ଅର୍ପଣ କରିଥିଲେ।
ଇତିହାସର ପୃଷ୍ଠାରେ କିଏ ତାଙ୍କୁ ଛଳନାକାରୀ ରାଣୀ ବୋଲି କହନ୍ତି ତ କିଏ ତାଙ୍କୁ ଅହଙ୍କାରୀ, ଇର୍ଷାନ୍ୱିତା ବ୍ୟକ୍ତିତ୍ୱ ଭାବେ ରୂପାୟନ କରନ୍ତି କିନ୍ତୁ ତାଙ୍କ ଯୋଗୁ ଯେ, ମୟୂରଭଞ୍ଜ ଅସ୍ତିତ୍ୱ ବଜାୟ ରଖିପାରିଥିଲା ତାହା ନିରାଟ ସତ୍ୟ। ନହେଲେ କେନ୍ଦୁଝର ଦ୍ୱାରା ମୟୁରଭଞ୍ଜ ଲୁଣ୍ଠନ ହୋଇଥାଆନ୍ତା ଏବଂ ବ୍ରିଟିଶ‍୍‌ ମରହଟ୍ଟାଙ୍କ ବିବଦରେ ଦେଶୀୟ ପ୍ରଜାମାନେ ହୀନସ୍ତା ହୋଇଥାନ୍ତେ। ଏପରିକି ମୟୂର ଭଞ୍ଜ ହୁଏତ ଆଉ ଏକ ଦେଶୀୟ ରାଜ୍ୟ ଭାବେ ପରିଚିତ ହୋଇ ନଥାନ୍ତା।