କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଗୋରକ୍ଷା ନାମରେ ହିଂସା କରୁଥିବା ଲୋକମାନଙ୍କ ପ୍ରତି କଠୋର ହୁଅନ୍ତୁ ରାଜ୍ୟ ସରକାର:ପ୍ରଧାନ ମନ୍ତ୍ରୀ

ନୂଆଦିଲ୍ଲୀ : ଗୋରକ୍ଷାକୁ କିଛି ଅସାମାଜିକତତ୍ୱ ଅରାଜକତା ସୃଷ୍ଟି କରିବାର ମାଧ୍ୟମ କରିନେଇଛନ୍ତି । ଦେଶର ସୌହାର୍ଦ୍ଦ୍ୟ ନଷ୍ଟ କରୁଥିବା ଲୋକମାନେ ଏହାର ଫାଇଦା ଉଠାଉଛନ୍ତି । ଦେଶର ଛବି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି । ରାଜ୍ୟ ସରକାରମାନଙ୍କୁ ଏପରି ଅସାମାଜିକ ତତ୍ୱ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକରେ ମତବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି, ଗାଈକୁ ଆମ ଏଠି ମାତାଙ୍କ ଭଳି ସମ୍ମାନ ଦିଆଯାଇଥାଏ । ଲୋକଙ୍କ ଭାବନା ଗାଈ ସହିତ ଯୋଡ଼ି ହୋଇ ରହିଛି । କିନ୍ତୁ ଲୋକମାନେ ଏହା ମଧ୍ୟ ମନେ ରଖିବା ଉଚିତ‌୍‍ ଯେ ଗୋରକ୍ଷା ପାଇଁ ଆଇନ ଅଛି ଏବଂ ଆଇନ ଭାଙ୍ଗିବା କୌଣସି ବିକଳ୍ପ ନୁହେଁ ।
ଆଇନଶୃଙ୍ଖଳା ବଜାୟ ରଖିବା ରାଜ୍ୟ ସରକାରଗୁଡ଼ିକର ଗୁରୁଦାୟିତ୍ୱ ଏବଂ ଏଠାରେ ମଧ୍ୟ ଏପରି ଘଟଣା ଘଟୁଛି, ରାଜ୍ୟ ସରକାର ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ‌୍‍ । ରାଜ୍ୟ ସରକାରମାନଙ୍କୁ ଏହା ମଧ୍ୟ ଦେଖିବା ଉଚିତ‌୍‍ ଯେ କିଛି ଲୋକ ଗୋରକ୍ଷା ନାମରେ ନିଜର ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେଉନାହାନ୍ତି ତ’! ସବୁ ରାଜନୈତିକ ଦଳ ଗୋରକ୍ଷା ନାମରେ ହେଉଥିବା ଏପରି ଗୁଣ୍ଡାଗର୍ଦିର କଡ଼ା ଭର୍ତ୍ସନା କରିବା ଉଚିତ‌୍‍ ।

ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ

ଗତ କିଛି ଦଶନ୍ଧୀ ମଧ୍ୟରେ ରାଜନେତାଙ୍କ ସମ୍ମାନ ଆମ ଭିତରୁ କିଛି ରାଜନେତାଙ୍କ କାରଣରୁ କାଠଗଡ଼ାରେ ଛିଡ଼ା ହେଉଥିଲା। ଜନତାଙ୍କୁ ଏହି ଭରସା ଦେବାକୁ ହେବ ଯେ ସବୁନେତା ଦାଗୀ ନୁହନ୍ତି, ପ୍ରତ୍ୟେକ ନେତା ଟଙ୍କା ପଛରେ ଗୋଡ଼ାଇ ନଥାଏ। ସେଥିପାଇଁ ସାଧାରଣ ଜୀବନରେ ସ୍ୱଚ୍ଛତା ସହିତ ଭ୍ରଷ୍ଟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ।

ପ୍ରତ୍ୟେକ ରାଜନୈତିକ ଦଳର ଉତ୍ତରଦାୟିତ୍ୱ ଯେ ସେମାନେ ନିଜ ଭିତରେ ଥିବା ଏପରି ନେତାଙ୍କୁ ଚିହ୍ନିବା ଏବଂ ସେମାନଙ୍କୁ ନିଜ ରାଜନୈତିକ ଯାତ୍ରାରୁ ବାହାର କରିଚାଲିବା ଉଚିତ‌୍‍ । ଆଇନ ଯଦି ନିଜ କାମ କରୁଛି ତା’ହେଲେ କ୍ଷମତାର ଷଡ଼ଯନ୍ତ୍ର କଥା କହି ବର୍ତିଯିବାର ରାସ୍ତା ଦେଖୁଥିବା ଲୋକଙ୍କ ପ୍ରତି ଆମକୁ ଏକଜୁଟ‌୍‍ ହୋଇ କାମ କରିବାକୁ ପଡ଼ିବ ।

ଯେଉଁ ଲୋକମାନେ ଦେଶକୁ ଲୁଟିଛନ୍ତି, ସେମାନେ ସହିତ ଛିଡ଼ା ହୋଇ ଦେଶକୁ କିଛି ମିଳିବ ନାହିଁ । ୯ ଅଗଷ୍ଟରେ ଭାରତ ଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂରଣ ହେଉଛି, ଆମେ ଏହା ଉପରେ ସଂସଦରେ ଆଲୋଚନା କରିବା ଉଚିତ‌୍‍ ।

ରାଷ୍ଟ୍ରପତି ନିର୍ବାଚନ ଆପୋଷ ସହମତି ଭିତ୍ତିରେ ହୋଇଥିଲେ ଭଲ ହୋଇଥାନ୍ତା। ଏହା ସତ୍ତ୍ୱେ ନିର୍ବାଚନ ଅଭିଯାନର ଗରିମା ଏବଂ ଶାଳୀନତା ସହିତ ହେବା ସନ୍ତୋଷଜନକ। ଏଥିପାଇଁ ସବୁ ଦଳ ପ୍ରଶଂସାର ପାତ୍ର। ସମସ୍ତ ଦଳ ସାଂସଦ-ବିଧାୟକମାନଙ୍କୁ ମତଦାନ ନିମନ୍ତେ ପ୍ରଶିକ୍ଷିତ/ସଚେତନ କରାନ୍ତୁ ଯାହାଦ୍ୱାରା ଗୋଟିଏ ଭୋଟ‌୍‍ ଯେପରି ନଷ୍ଟ ହେବ ନାହିଁ ।

ଆତଙ୍କବାଦ ପ୍ରତି କଠୋର ମନୋଭାବ

କିଛିଦିନ ପୂର୍ବରୁ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ସାରା ଦେଶ ଦୁଃଖ ଭୋଗିଥିଲା। ମୁଁ ଏହି ଆକ୍ରମଣରେ ପ୍ରାଣହରାଇଥିବା ଶ୍ରଦ୍ଧାଳୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ମୋର ସମବେଦନା ପୀଡ଼ିତଙ୍କ ପରିବାର ସହିତ ରହିଛି । ସରକାର ଏହି ଆକ୍ରମଣରେ ସମ୍ପୃକ୍ତ ଆକ୍ରମଣକାରୀଙ୍କୁ ନିଶ୍ଚିତ ଭାବେ ଦଣ୍ଡଦେବେ । ଜାମ୍ମୁ-କଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ ଦେଶବିରୋଧୀ ଶକ୍ତିକୁ ମୂଳରୁ ଶେଷ କରିବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ନୀତିକୁ ନେଇ ଅଟଳଜୀ ଯେଉଁ ମାର୍ଗ ନିର୍ଦ୍ଧାରଣ କରିଥିଲେ, ଏହି ସରକାର ସେହି ମାର୍ଗରେ ଚାଲୁଛି ।

ବଜେଟ‌୍‍ ଅଧିବେଶନର ପରିଣାମ

ଗତ ବଜେଟ‌୍‍ ଅଧିବେଶନ ପାଖାପାଖି ଏକ ମାସ ପୂର୍ବରୁ ଆୟୋଜନ କରାଯାଇଥିଲା । ସମସ୍ତ ରାଜନୈତିକ ଦଳ ଏଥିରେ ସହଯୋଗ କରିଥିଲେ । ମୁଁ ଆପଣ ସମସ୍ତଙ୍କୁ ଏହାର ସକାରାମିକ ପରିଣାମ କହିବାକୁ ଚାହୁଁଛି । ବଜେଟ‌୍‍ର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏକ ମାସ ପୂର୍ବରୁ କରିବାର ଫଳ ଏୟା ହେଲା ଯେ ମୌସୁମୀ ପୂର୍ବରୁ ଅଧିକାଂଶ ବିଭାଗ ନିକଟରେ ସେମାନଙ୍କ ଯୋଜନା ପାଇଁ ନିର୍ଦ୍ଧାରିତ ଅର୍ଥ ପହଞ୍ଚିଗଲା। ପୂର୍ବରୁ ଏହା ହେଉଥିଲା ଯେ ବିଭାଗ ପାଇଁ ଆବଣ୍ଟିତ ରାଶି ପହଞ୍ଚିବା ଲାଗି ଦୁଇ-ତିନି ମାସ ଲାଗିଯାଉଥିଲା। ମୌସୁମୀ କାରଣରୁ ଆହୁରି ବିଳମ୍ୱ ହେଉଥିଲା । ଏଥର ସେପରି ହୋଇନାହିଁ ଏବଂ ମାର୍ଚ୍ଚ ପରେ ଯେଉଁ ବଳକା ସମୟ ରହୁଥିଲା, ସେପରି ସ୍ଥିତି ଉତ୍ପନ୍ନ ହେଲା ନାହିଁ । ଏହି କାରଣରୁ ଭିତ୍ତିଭୂମି ସହିତ ଜଡ଼ିତ କାର୍ଯ୍ୟ ପୂରଣ କରିବା ଲାଗି ତିନି ମାସର ଅତିରିକ୍ତ ସମୟ ମିଳିଗଲା। କଂଟ୍ରୋଲର ଜେନେରାଲ‌୍‍ ଅଫ‌୍‍ ଏକାଉଣ୍ଟସରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ବର୍ଷ ଏପ୍ରିଲ‌୍‍ ଜୁନ‌୍‍ ମାସ ତୁଳନାରେ ଏଥର ୩୦ ପ୍ରତିଶତ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି । ଭିତ୍ତିଭୂମ ସହିତ ଜଡ଼ିତ ପ୍ରକଳ୍ପରେ ଏଥର କ୍ୟାପିଟାଲ ଏକ୍ସପେଣ୍ଡିଚର ଗତ ବର୍ଷ ତୁଳନାରେ ୪୯ ପ୍ରତିଶତ ବଢ଼ିଛି ।

ଯୋଜନାରେ ଅର୍ଥ ଖର୍ଚ୍ଚ କରିବାର ଯେଉଁ ଧାରା ସାମ୍ନାକୁ ଆସିଛି, ସେଥିରୁ ଏହା ସ୍ପଷ୍ଟ ହେଉଛି ଯେ ଏବେ ସାରା ବର୍ଷ ପର୍ଯ୍ୟନ୍ତ ଏକ ସନ୍ତୁଳିତ ଉପାୟରେ ଯୋଜନା ଉପରେ ଧାର୍ଯ୍ୟ ଅର୍ଥ ଖର୍ଚ୍ଚ ହେବ। ଯେତେବେଳେ କି ପୂର୍ବରୁ ମୌସୁମୀ ଶେଷ ହେବା ପରେ ଖର୍ଚ୍ଚ ଆରମ୍ଭ ହେଉଥିଲା ଏବଂ ଏହାପରେ ସେହି ଅର୍ଥକୁ ମାର୍ଚ୍ଚ ପୂର୍ବରୁ ଶେଶ କରିବା ଲାଗି ଚାପ ବଢ଼ିଯାଉଥିଲା। ଏହାଦ୍ୱାରା ବ୍ୟବସ୍ଥାରେ ଅନେକ ପ୍ରକାରରର ଅନିୟମିତତା ମଧ୍ୟ ହେଉଥିଲା।

ଜିଏସ‌୍‍ଟି ପାଇଁ ଧନ୍ୟବାଦ

ଜିଏସ‌୍‍ଟି ସମୟରେ ଯେପରି ସମସ୍ତ ରାଜନୈତିକ ଦଳ ମିଳିତ ଭାବେ ଆଗେଇ ଆସିଥିଲେ, ସେଥିପାଇଁ ପୁଣିଥରେ ଆପଣ ସମସ୍ତଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । ଜିଏସ‌୍‍ଟି ଲାଗୁ ହେବାର ୧୫ ଦିନରୁ ଅଧିକ ହୋଇଗଲାଣି ଏବଂ ଏହି ୧୫ ଦିନରେ ସକାରାମିକ ପରିଣାମ ଦେଖିବାକୁ ମିଳିଛି । କେତେକ ରାଜ୍ୟର ସୀମାରୁ ପଣ୍ୟ ଶୁË ହଟିଯାଇଛି ଏବଂ ଟ୍ରକ‌୍‍ ଯାତାୟାତ ସହଜ ହୋଇଛି । ରାଜ୍ୟ ସରକାରମାନଙ୍କ ସହଯୋଗ ବଳରେ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ଯେ ଯେଉଁ ବ୍ୟବସାୟୀ ଏବେ ସୁଦ୍ଧା ଜିଏସ‌୍‍ଟି ପାଇଁ ରେଜିଷ୍ଟ୍ରେସନ‌୍‍ କରାଇନାହାନ୍ତି, ସେମାନେ ଶୀଘ୍ର ଏହି ପ୍ରକ୍ରିୟା ପୂରଣ କରନ୍ତୁ ।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :