ଓଟିଭିର ସର୍ବନିମ୍ନ ଟିଆର‍୍‌ପି, ଆଗକୁ ଦୌଡ଼ୁଛି ନ୍ୟୁଜ୍‌ ୭

4
13

ଭୁବନେଶ୍ୱର,(ଓଟି): ଓଡ଼ିଶା ଟେଲିଭିଜନ‍୍‌ ନ୍ୟୁଜ୍‌ ଦୁନିଆରେ ସବୁଠାରୁ ଅଧିକ ବିଶ୍ୱସନୀୟତା ହାସଲ କରିଥିବା ଓଟିଭି ଏବେ ଏକ ଘଡ଼ିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି। ଲୋକେ ଏବେ ଏହି ଟିଭି ପର୍ଦ୍ଦାରୁ ନିଜର ମୁହଁ କାଢ଼ି ନେଉଥିବା ପ୍ରମାଣିତ ହୋଇଛି। ଗତ ସପ୍ତାହରେ ଏହାର ଟିଆର‍୍‌ପି ଏତେ ତଳକୁ ଖସିଯାଇଛିଯେ, ତାହା ପ୍ରଥମ ଓ ଦ୍ୱିତୀୟ ଚ୍ୟାନେଲ‍୍‌ ଭିତରେ ଥିବା ଦୂରତାକୁ ହଠାତ୍ କମାଇ ଦେଇଛି। ଯେଉଁ ଚ୍ୟାନେଲ‍୍‌ ପାଇଁ ଶତାଧିକ ଟିଆର‍୍‌ପି ଏକ ବାଁ ହାତର ଖେଳ ହୋଇଥିଲା ଏବେ ତାହା ଚ୍ୟାନେଲ‍୍‌ ମୁଖ୍ୟଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି।

  • ୧୦ ନ୍ୟୁଜ୍‌ ପ୍ରସାରଣକାରୀଙ୍କ ଭିତରୁ ୭ର ରେଟିଂ ଏକ ଅଙ୍କ ବିଶିଷ୍ଟ
  • ତୃତୀୟ ଲୋକପ୍ରିୟ ନୁଜ୍‌ ଚ୍ୟାନେଲ‍୍‌ କନକ ନ୍ୟୁଜ୍‌
  • ପରିଚାଳନା ଗୋଷ୍ଠୀଙ୍କ ମୁଣ୍ଡ ଗୋଲ
  • ତାଗିଦ‍୍‌ ହେଲେ ସମ୍ପାଦକୀୟ ଟିମ‍୍‌

ଅପରପକ୍ଷେ ଶିକ୍ଷା ଓ ଅନୁସନ୍ଧାନ ଗୋଷ୍ଠୀ ଦ୍ୱାରା ପରିଚାଳିତ ନ୍ୟୁଜ୍‌୭ ଦିନକୁ ଦିନ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଏହି ଚ୍ୟାନେଲ‍୍‌ କିଛିଦିନ ଭିତରେ ଏକନମ୍ୱର ଚ୍ୟାନେଲ‍୍‌ର ମାନ୍ୟତା ମଧ୍ୟ ପାଇପାରେ ବୋଲି ଚର୍ଚ୍ଚା ହେଉଛି। ନିଜର ବଳିଷ୍ଠ ସମ୍ପାଦକୀୟ ନେତୃତ୍ୱ ଏବଂ ଲୋକଙ୍କ ଆଶା ଅନୁଯାୟୀ ଉପସ୍ଥାପନ ହେତୁ ଏହି ଚ୍ୟାନେଲ‍୍‌ ଏତେ ଲୋକ୍ରପିୟ ହୋଇଛି।
ଗତ ସପ୍ତାହର ବାର୍କ ରେଟିଂ (ଟିଆର‍୍‌ପି) ଅନୁସାରେ ଓଟିଭି ସର୍ବାଧିକ ଟିଆର‍୍‌ପି ପାଇଥିବା ଚ୍ୟାନେଲ‍୍‌ ହୋଇଥିଲେ ମଧ୍ୟ ଏହା ଦର୍ଶକ ହରାଇଛି। ଏବେ ଏହି ଚ୍ୟାନେଲ‍୍‌ର ଟିଆର‍୍‌ପି ୬୨ ଥିବା ବେଳେ ନ୍ୟୁଜ୍‌୭ର ଟିଆର‍୍‌ପି ପହଞ୍ଚିଛି ୬୧। ୧୫ବର୍ଷ ଉପରକୁ ଦର୍ଶକଙ୍କ ପସନ୍ଦ ଅନୁସାରେ ଏହି ରେଟିଂ ସ୍ଥିର କରାଯାଇଛି। ଲଗାତାର କିଛି ସପ୍ତାହଧରି ଓଟିଭିର ଟିଆର‍୍‌ପି ଖସିବାରେ ଲାଗିଛି। ଯେଉଁ ଚ୍ୟାନେଲ‍୍‌ ଦିନେ ୨୦୦ରୁ ଅଧିକ ଟିଆର‍୍‌ପି ଦେଖାଇ ବିଜ୍ଞାପନ ଦୁନିଆରେ ବାଦ‍୍‌ଶାହ ସାଜିଥିଲା ଏବେ ତାହା ୭୦ ତଳକୁ ଖସିଯିବା ଏକ ଅପମାନଜନକ ସ୍ଥିତି ବୋଲି ଆଲୋଚନା ହେଉଛି। ପୁଣି ଏହା ଗୋଟିଏ ସପ୍ତାହର ରେକର୍ଡ଼ ନୁହେଁ ବରଂ ବିଗତ ୧ ବର୍ଷ ହେଲା ଏହି ଟିଆର‍୍‌ପି ହ୍ରାସ ଲଗାତାର ରହିବା ଚ୍ୟାନେଲ‍୍‌ ଉପରେ ଲୋକଙ୍କ ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠାଇଛି। ଏପରି ପ୍ରତିନ୍ଦ୍ୱନ୍ଦିତା ଦ୍ୱାରା ଓଟିଭିର ସମ୍ପାଦକୀୟ ନେତୃତ୍ୱ ଉପରେ ପରିଚାଳନା ଗୋଷ୍ଠୀର ଚାପ ବଢ଼ିଛି।
ଟିଆର‍୍‌ପି କମିଲେ ଏହା ବିଜ୍ଞାପନ ଦୁନିଆରେ ବେଶ‍୍‌ ପ୍ରଭାବ ପକାଇଥାଏ। ବିଜ୍ଞାପନର ୟୁନିଟ‍୍‌ ପିଛା ଦର କମିବା ସହ ବ୍ୟବସାୟୀଙ୍କ ଆଗ୍ରହ ମଧ୍ୟ କମେ । ଏହାଦ୍ୱାରା ସଂସ୍ଥାରେ ଆଥିର୍କ ବୋଝ ବଢ଼େ। କିନ୍ତୁ ଓଟିଭି ଏକ ଗ୍ରୁପ‍୍‌ ଅଫ୍ ଚ୍ୟାନେଲ‍୍‌ର ଅଂଶ ବିଶେଷ ହୋଇଥିବାରୁ ଏହି ପ୍ରଭାବ ଏବେ ପଡ଼ିବ ନାହିଁ ବୋଲି ମାର୍କେଟ‍୍‌ ବିଶାରଦମାନେ କହୁଛନ୍ତି। ଏହାଛଡ଼ା ନିଜର ବିଶ୍ୱସନୀୟତା ଏହାଦ୍ୱାରା ହ୍ରାସ ହୋଇନାହିଁ ଏବଂ ଅଳ୍ପ ଦିନ ଭିତରେ ସେହି ମାନ୍ୟତା ଫେରି ପାଇବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ଏକ ନିର୍ଦ୍ଦିଷ୍ଟ ଚ୍ୟନେଲ‍୍‌ ବାର୍କ ରେଟିଂକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିଥିବା କିଛି ଚ୍ୟାନେଲ‍୍‌ ଅଭିଯୋଗ କରୁଛନ୍ତି। କିନ୍ତୁ ବାର୍କକୁ ପ୍ରଭାବିତ କରିବା ସହଜ ବ୍ୟାପାର ନୁହେଁ ବୋଲି ମଧ୍ୟ ଏବିଷୟରେ ଜ୍ଞାନ ରଖିଥିବା ସମୀକ୍ଷକମାନେ କହିଛନ୍ତି। ତେବେ ଏକ ଟିଭି ଚ୍ୟାନେଲ‍୍‌ ଏ ବାବଦରେ ଆବଶ୍ୟକୀୟ ପ୍ରମାଣ ଏକାଠି କରିଥିବା ପରୋକ୍ଷରେ ପ୍ରକାଶ କରିଛି।

ରାଜ୍ୟରେ ଗଢ଼ିଉଠିଥିବା ଜାତୀୟ ଓ ଆଞ୍ଚଳିକ ଚ୍ୟାନେଲ‍୍‌ଗୁଡ଼ିକ ମଧ୍ୟରୁ ଅନେକ ଏବେ ଏକ ଅଙ୍କ ବିଶିଷ୍ଟସଂଖ୍ୟା ଟିଆର‍୍‌ପି ହେଉଁ ପାରୁ ନାହାନ୍ତି। ସେହି ଚ୍ୟାନେଲ‍୍‌ ଭିତରେ ନ୍ୟୁଜ୍‌ ୱଲ୍ଡ ଓଡ଼ିଶା ସର୍ବନିମ୍ନ ବାର୍କ ରେଟିଂ ୩ ଲାଭ କରିଥିବା ବେଳେ ଇଟିଭି ନ୍ୟୁଜ୍‌ ଓଡ଼ିଆର ରେଟିଂ ରହିଛି ୦୯, ଏମ‍୍‌ବିସି ଟିଭି-୦୮, କଳିଙ୍ଗ ଟିଭି ୦୭, ଜୀ କଳିଙ୍ଗ ନ୍ୟୁଜ୍‌ ୦୮। ରାଜ୍ୟର ତୃତୀୟ ଲୋକପ୍ରିୟ ନ୍ୟୁଜ୍‌ ଚ୍ୟାନେଲ‍୍‌ ମାନ୍ୟତା ହାସଲ କରିଛି କନକ ନ୍ୟୁଜ୍‌। ଏହା ଦୁଇ ଅଙ୍କ ପାର‍୍‌ କରିଥିଲେ ମଧ୍ୟ ମାତ୍ର ୨୧ ରେଟିଂ ପଏଣ୍ଟରେ ସ୍ଥିର ରହିଛି। ଏପ୍ରିଲ ୨୯ରୁ ମେ ୦୫ ସପ୍ତାହ ମଧ୍ୟରେ ଏହି ରେଟିଂ ବାର୍କ ଦ୍ୱାରା ସ୍ଥିର ହୋଇଛି। ଅନ୍ୟତମ ନ୍ୟୁଜ୍‌ ଚ୍ୟାନେଲ‍୍‌ ନକ୍ଷତ୍ର ନ୍ୟୁଜ୍‌ ଏବଂ କାମ‍୍‌ୟାବ‍୍‌ ଟିଭି ବାର୍କ ରେଟିଂରେ ନିଜକୁ ସାମିଲ‍୍‌ କରି ନାହାନ୍ତି।

ଏପରି ରେଟିଂ ପଏଣ୍ଟ ଏକ ନକାରାତ୍ମକ ପ୍ରଭାବ ପରିଚାଳନା ଉପରେ ପକାଇଥାଏ। ଏଣୁ କିପରି ଟେଲିଭିଜନ‍୍‌ର ରେଟିଂ ବଢ଼ିବ ସେଥିନେଇ ସତର୍କ ରହିବାକୁ ପରିଚାଳନା ଗୋଷ୍ଠୀ ପକ୍ଷରୁ ଉଭୟ ଏଡିଟୋରିଆଲ‍୍‌ ଓ ମାର୍କେଟିଂ ଟିମ‍୍‌କୁ ନିଦ୍ଦେର୍ଶ ଦିଆଯାଇଛି। ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ‍୍‌ ନିକଟରେ ବାଲେଶ୍ୱରଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଚ୍ୟାନେଲ‍୍‌ର ନେତୃତ୍ୱଙ୍କୁ ସମାଲୋଚନା କରିଥିବା ମଧ୍ୟ ସାମ୍ନାକୁ ଆସିଛି।

4 COMMENTS