BIGtheme.net http://bigtheme.net/ecommerce/opencart OpenCart Templates

ଏବେ କ’ଣ କରିବେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ

ଭୁବନେଶ୍ୱର, (ନିପ୍ର): ଗତ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଆମଦାନୀ ହୋଇଆସିଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ। ବିଜେପିରେ ଯୋଗ ଦେବା ପରେ ଉଭୟଙ୍କୁ ବେଶ‍୍‌ ଗୁରୁତ୍ୱ ଦିଆଯାଉଥିଲା। କିନ୍ତୁ ଗତ କିଛି ମାସ ହେଲା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ବିଜେପିରେ ଆଉ ଗୁରୁତ୍ୱ ମିଳୁନି କି ସେମାନେ ଆଉ ଦଳର କୌଣସି କାର୍ଯ୍ୟକ୍ରମ ଯୋଗ ଦେଉନାହାନ୍ତି। ଏହି ନେତା ଦ୍ୱୟ ଏବେ ବିଜେପିରେ ଅଲୋଡା ହୋଇପଡ଼ିଛନ୍ତି। ସମସ୍ତେ ଆଶା କରୁଥିଲେ ଅମିତ୍ ଶାହାଙ୍କ ଗସ୍ତକାଳରେ ଦଳ ପକ୍ଷରୁ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କର ମାନ ଭଞ୍ଜନ କରାଯିବ। କିନ୍ତୁ ସେପରି କିଛି ହେଲା ନାହିଁ। ଓଲଟି କେନ୍ଦ୍ରୀୟ ନେତାମାନେ କହିଲେଣି ଦଳରେ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନୁହେଁ, ସଂଗଠନ ମୁଖ୍ୟ। ଏପରି ସ୍ଥଳେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଏବେ କ’ଣ କରିବେ ବୋଲି ପ୍ରଶ୍ନ ଉଠିଲାଣି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ୩ଦିନ ଧରି ଓଡିଶାରେ ଦଳର ‘ମୋ ବୁଥ୍’ କାର୍ଯ୍ୟକ୍ରମରେ ଥିଲେ। କିନ୍ତୁ ଦଳର ଏହି କାର୍ଯ୍ୟକ୍ରମରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ସାମିଲ ହୋଇନାହାନ୍ତି। ଫଳରେ ବିଜେପି ସହିତ ଏହି ଦୁଇ ନେତାଙ୍କର ସମ୍ପର୍କକୁ ନେଇ ଅନେକ ପ୍ରକାରର ଆଲୋଚନା ହେବାରେ ଲାଗିଛି। ଏହି ଦୁଇ ନେତା ବିଭିନ୍ନ ସମୟରେ ଦଳକୁ କିପରି ଅଡୁଆରେ ପକାଇ ହେବ ସେଭଳି ମନ୍ତବ୍ୟ ବାରମ୍ୱାର ଦେଇଚାଲିଛନ୍ତି। ମହାନଦୀ ଓ ଇଣ୍ଡିଆନ ଅଏଲ କର୍ପୋରେସନ ଲିଃ ପ୍ରସଙ୍ଗରେ ବିଜୟ ମହାପାତ୍ର ଦଳର ମତ ବିରୋଧରେ ମତାମତ ଦେଇ ଦଳୀୟ ନେତାଙ୍କୁ ଅଡ଼ୁଆରେ ପକାଇଛନ୍ତି। ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ କାଳରେ ବିଜୟଙ୍କଠାରୁ ପୁଷ୍ପଗୁଚ୍ଛ ଗ୍ରହଣ କରିନଥିଲେ ବୋଲି ଆଲୋଚନା ହେଉଛି। ବ୍ରାହ୍ମଣୀ ନଦୀରେ ଦ୍ୱୀତିୟ ପୋଲ ନିର୍ମାଣ ଓ ଆଇଜିଏଚ ସୁପରଷ୍ପେଶାଲିଷ୍ଟ ହସ୍ପିଟାଲ ଘୋଷଣା ନ ହେବାକୁ ନେଇ ଦିଲ୍ଲୀପ ରାୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଦିଲ୍ଲୀପ ନାମରେ କୋଇଲା ଦୁର୍ନୀତି ମାମଲାର ଚାର୍ଜସିଟ ହେବା ପରେ ସେ ପ୍ରାୟତଃ ଦଳୀୟ କାର୍ଯ୍ୟକ୍ରମ ସମୟରେ ବ୍ୟକ୍ତିଗତ କାମ ବାହାନାରେ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି।

ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଏଭଳି ମତିଗତି ଦେଖି ଦଳୀୟ ନେତୃବୃନ୍ଦ ଆଉ ସେମାନଙ୍କୁ ନେଇ ସଂଗଠନ କରିବା ମନୋବୃତ୍ତିରେ ଥିଲା ଭଳି ଲାଗୁନାହିଁ। କାରଣ ଦଳର ନେତାମାନେ ଦଳୀୟ କାର୍ଯ୍ୟକ୍ରମ ସମୟରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଅନୁପସ୍ଥିତିକୁ ନେଇ ଯେଭଳି ମନ୍ତବ୍ୟ ରଖିଛନ୍ତି ସେଥିରୁ ପ୍ରମାଣିତ ହେଉଛି ଯେ ଦଳ ଆଉ ସେମାନଙ୍କୁ ବରଦାସ୍ତ କରିବା ମୁଡ଼ରେ ନାହିଁ।

ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଅନୁପସ୍ଥିତି ସମ୍ପର୍କରେ ଦଳର ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, ପ୍ରକୃତରେ ଯେଉଁମାନେ ଦଳର ନେତା, ସେମାନେ ଏଭଳି ଦଳର କାର୍ଯ୍ୟକ୍ରମରୁ ଦୂରେଇ ରହି ପାରିବେ ନାହିଁ।

ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି, ରାଜଧାନୀରେ ରାଷ୍ଟ୍ରୀୟ ସଭାପତିଙ୍କର କାର୍ଯ୍ୟକ୍ରମ ହେଉଛି। ଅଥଚ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହିତ ଦଳ ଯୋଗାଯୋଗ କରିପାରଉନାହିଁ। ଶ୍ରୀ ପୂଜାରୀଙ୍କ ଏତାଦୃଶ ମନ୍ତବ୍ୟରୁ ସ୍ପଷ୍ଠ ଜଣାପଡୁଛି ଯେ, ଦଳ ଆଉ ବିଜୟଙ୍କୁ ଗୁରୁତ୍ୱ ଦେଉନାହିଁ।

ବିଜେପିର କେନ୍ଦ୍ରୀୟ ପ୍ରଭାରୀ ଅରୁଣ ସିଂ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଅନୁପସ୍ଥିତି ସମ୍ପର୍କରେ କହିଛନ୍ତି, ବିଜେପି ବ୍ୟକ୍ତି ବିଶେଷଙ୍କର ଦଳ ନୁହେଁ, ସଂଗଠନ ଆଧାରିତ ଦଳ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ସମସ୍ତେ କାମ କରୁଛୁ। ଅରୁଣଙ୍କ ମନ୍ତବ୍ୟରୁ ବିଜୟ ଓ ଦିଲ୍ଲୀପଙ୍କ ପ୍ରତି ଦଳର ଆଭିମୁଖ୍ୟ କ’ଣ, ଆଉ ଦଳ ଏମାନଙ୍କୁ କେତେ ଗୁରୁତ୍ୱ ଦେଉଚି ତାହା ସ୍ପଷ୍ଟ ହୋଇଯାଇଛି।

About admin

Check Also

ଶ୍ରୀମନ୍ଦିରର ସଂସ୍କାର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ବିଚାରାଧିନ

ଭୁବନେଶ୍ୱର,(ଓଟି): ପୁରୀ ଶ୍ରୀମନ୍ଦିରର ସଂସ୍କାର ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ବସାଯାଇଥିବା କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ବିଷୟରେ ସରକାରଙ୍କର ସକ୍ରିୟ ...

Leave a Reply